କଟକରେ ଖୋଲିଲା ସୁନା ଅଳଙ୍କାର ତିଆରି ଦୋକାନ; ନା ପାଖରେ ଅଛି ସୁନା ନା ଗ୍ରାହକଙ୍କ ଅର୍ଡର

ଏ ଥର ଅକ୍ଷୟ ତୃତୀୟାରେ ଗୋଟିଏ ବି ଟଙ୍କାର କାରବାର ହୋଇ ନ ଥିବା ବେଳେ ଏବେ ବାହାଘର ଋତୁ ଶେଷ ହେବାକୁ ଯାଉଛି । ରାଜ୍ୟର ପ୍ରାୟ ୫୦ ହଜାରରୁ ଉର୍ଦ୍ଧ ସୁନା କାରୀଗର ଓ ଛୋଟ ବ୍ୟବସାୟୀ ଦୁର୍ଦିନରେ କାଳତିପାତ କରୁଛନ୍ତି ।

କଟକରେ ଖୋଲିଲା ସୁନା ଅଳଙ୍କାର ତିଆରି ଦୋକାନ; ନା ପାଖରେ ଅଛି ସୁନା ନା ଗ୍ରାହକଙ୍କ ଅର୍ଡର
କଟକରେ ଖୋଲିଥିବା ଏକ ସୁନା ଅଳଙ୍କାର ଦୋକାନରେ ବସି ରହିଛନ୍ତି ଦୋକାନୀ ଓ କର୍ମଚାରୀ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକରେ ସୁନା ଅଳଙ୍କାର ତିଆରି ଦୋକାନ ଖୋଲିବାକୁ ସିଏମସି ଅନୁମତି ପ୍ରଦାନ କରିବା ପରେ ସହରରେ ଥିବା ସୁନା ଅଳଙ୍କାର ତିଆରି ଦୋକାନଗୁଡିକ ଖୋଲିବାରେ ଲାଗିଛି । କିନ୍ତୁ ଦୋକାନ ଖୋଲିଥିଲେ ମଧ୍ୟ ଅନ୍ୟ ବ୍ୟବସାୟୀଙ୍କ ପ୍ରତିଷ୍ଠାନଗୁଡ଼ିକ ଭଳି ଦୁର୍ଦିନରେ ଗତି କରୁଛନ୍ତି ସୁନା କାରୀଗର ଓ ଛୋଟ ବ୍ୟବସାୟୀ । ନା ପାଖରେ ଅଛି ସୁନା ନା ଅଛି ଗ୍ରାହକଙ୍କ ଅର୍ଡର । କେବଳ ଦୋକାନରେ ବସି ବସି ଘରକୁ ଫେରୁଛନ୍ତି ସେମାନେ ।

କଟକ ସହରର ସର୍ବ ପୁରାତନ ତଥା ସର୍ବାଧିକ ସୁନା ଅଳଙ୍କାର ତିଆରି ହେଉଥିବା ସ୍ଥାନ ହେଉଛି ମଙ୍ଗଳାବାଗର ବଣିଆ ସାହି । ଲକଡ଼ାଉନ ନିୟମ କୋହଳ ହେବା ପରେ ଗତ କାଲି ଠାରୁ ଏଠାରେ ଥିବା ଦେକାନ ଗୁଡିକ ଖୋଲିଛି ସତ, କିନ୍ତୁ ଲକଡାଉନ ପୂର୍ବର ସ୍ଥିତି ଏବେ ଆଉ ନାହିଁ । ଲକଡ଼ାଉନ ପୂର୍ବରୁ ଦୈନିକ କୋଟି କୋଟି ଟଙ୍କାର ସୁନା ଅଳଙ୍କାର ତିଆରି କରୁଥିବା ଏଠାକାର କାରୀଗର ଓ ବ୍ୟବସାୟୀ ଏବେ ହାତବାନ୍ଧି ବସି ରହିଛନ୍ତି ।

“ଆମେ ଆଜ୍ଞା କାରୀଗର ଲୋକ । ଦେଢ ମାସ ହେଲା ସେମିତିରେ ବି ସବୁ ବନ୍ଦ ଥିବାରୁ ଆମ ରୋଜଗାର ପନ୍ଥା ସବୁ ବନ୍ଦ ହୋଇଯାଇଛି । ଏବେ ଯାହା ଯେମିତି ଚାଲିଛି, ଆଗକୁ କଣ ହେବ ତାହା ଭାବିବାକୁ ବି ଭୟ ଲାଗୁଛି,” କହିଛନ୍ତି ବଣିଆ ସାହିରେ ଏକ ଦେକାନ ଦେଇଥିବା କାରୀଗର ରାକେଶ ମହାରଣା ।

କେବଳ ମଙ୍ଗଳାବାଗ ନୁହେଁ, ସୁନା ଅଳଙ୍କାର ତିଆରି ହେଉଥିବା ନାୟକସାହି, ବାସୁଳିସାହି, ବାଲୁବଜାର, ଫିରିଙ୍ଗବଜାର, ଅଲିଶାବଜାର ଅଞ୍ଚଳରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳୁଛି । ସୁନା ଅଳଙ୍କାର ତିଆରି କରି ପେଟ ପୋଷୁଥିବା କଟକ ସହରର ୫,୦୦୦ରୁ ଉର୍ଦ୍ଧ କାରୀଗର ଓ ଛୋଟ ବ୍ୟବସାୟୀ ଏବେ ଦୁର୍ଦିନରେ କାଳତିପାତ କରୁଛନ୍ତି ।

କଟକ ସହରରେ ଥିବା ଏହି ସୁନା ଅଳଙ୍କାର ଦେକାନଗୁଡିକ ମୁଖ୍ୟତଃ ଉପକୂଳବର୍ତ୍ତି ଜିଲ୍ଲାଗୁଡିକର ସୁନା ବ୍ୟବସାୟୀଙ୍କ ଉପରେ ନିର୍ଭର କରି ଚାଲିଥାଏ । ସୁନା ବ୍ୟବସାୟୀମାନେ କଟକ ଆସି ଅଳଙ୍କାର ତିଆରି କରାଇବା ପାଇଁ ଏହି କାରୀଗରମାନଙ୍କୁ ଅର୍ଡର ଦେଇଥାନ୍ତି । କିନ୍ତୁ ଲକଡ଼ାଉନ ପୁରା ବ୍ୟବସ୍ଥା ଠପ ହୋଇଯାଇଥିବାରୁ କଟକ ବାହାର ବେପାରୀ ସହରକୁ ଆସି ପାରୁନାହାଁନ୍ତି । ତେବେ ସ୍ଥିତି କେବେ ସୁଧୁରିବ ଏବଂ ଭବିଷ୍ୟତରେ ସେମାନଙ୍କ ହାତକୁ କାମ ମିଳିବ ବା ନାହିଁ ସେହି ଚିନ୍ତାରେ ଅଛନ୍ତି ଏହି ଶିଳ୍ପୀମାନେ ।

ଏ ଥର ଅକ୍ଷୟ ତୃତୀୟାରେ ଗୋଟିଏ ବି ଟଙ୍କାର କାରବାର ହୋଇ ନ ଥିବା ବେଳେ ଏବେ ବାହାଘର ଋତୁ ଶେଷ ହେବାକୁ ଯାଉଛି, ଆଉ ଲକଡ଼ାଉନ ଯୋଗୁଁ ଅଳଙ୍କାର ତିଆରି ଅର୍ଡର ମିଳୁନାହିଁ । ଫଳରେ ରାଜ୍ୟର ପ୍ରାୟ ୫୦ ହଜାରରୁ ଉର୍ଦ୍ଧ ସୁନା କାରୀଗର ଓ ଛୋଟ ବ୍ୟବସାୟୀ ଦୁର୍ଦିନରେ କାଳତିପାତ କରୁଥିବା କହିଛନ୍ତି ରାଜ୍ୟ ସ୍ବର୍ଣ୍ଣ ରୌପ୍ୟ ସଙ୍ଘର କର୍ମକର୍ତ୍ତା ।

“କେବଳ ଅକ୍ଷୟ ତୃତୀୟାରେ କଟକରେ ଆମେ ୫୦ କୋଟି ଟଙ୍କାର ବ୍ୟବସାୟ କରିଥାଉ । କିନ୍ତୁ ଏ ଥର ଦୋକାନ ବନ୍ଦ ଥିବାରୁ ଏଥର ଗୋଟିଏ ଟଙ୍କାର ବି ବେପାର ହୋଇ ନାହିଁ । ଏହା ଛଡା ବାହାଘର ଋତୁରେ ଦିନକୁ ପାଖାପାଖି ୫ କେଜି ଓଜନର ସୁନା ଅଳଙ୍କାର ବିକ୍ରି କରିଥାଉ । ଏବେ ବାହାଘର ଋତୁ ଶେଷ ହେବାକୁ ବସିଛି । କିନ୍ତୁ ଲକଡ଼ାଉନ ଯୋଗୁଁ ପୂରା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇ ପଡିଛି । ଏବେ ସୁନା କିଣିବ ବା କିଏ?” କହିଛନ୍ତି ଉତ୍କଳ ସ୍ବର୍ଣ୍ଣ ରୌପ୍ୟ ସଙ୍ଘ ସଭାପତି ବ୍ରହ୍ମାନନ୍ଦ ମହାରଣା ।
First published: May 6, 2020, 3:54 PM IST
corona virus btn
corona virus btn
Loading