ପ୍ରବେଶିକା ପରୀକ୍ଷା ତାରିଖ ଘୋଷଣା ହେଲା: ଜୁଲାଇ ୧୮ ରୁ ୨୩ JEE Main; ୨୬ରେ NEET

କରୋନା ଭାଇରସ୍ ସଙ୍କଟ ଯୋଗୁଁ ଦେଶବ୍ୟାପୀ ସମସ୍ତ ପରୀକ୍ଷା ସ୍ଥଗିତ ରହିଥିବା ବେଳେ ଆଜି ପରୀକ୍ଷା ତାରିଖ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ । ଏବେ ବି ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଉପରେ ହୋଇପାରି ନାହିଁ ନିଷ୍ପତ୍ତି ।

ପ୍ରବେଶିକା ପରୀକ୍ଷା ତାରିଖ ଘୋଷଣା ହେଲା: ଜୁଲାଇ ୧୮ ରୁ ୨୩ JEE Main; ୨୬ରେ NEET
ଅଗଷ୍ଟ ମାସରେ ଜେଇଇ ଆଡ଼ଭାନ୍ସଡ଼ (JEE Advanced) ପରୀକ୍ଷା ହେବ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ନେଇ ଆଜି ତାରିଖ ଧାର୍ଯ୍ୟ ହୋଇଛି । କୋଭିଡ-୧୯ ଯୋଗୁଁ ଦେଶବ୍ୟାପୀ ସମସ୍ତ ପରୀକ୍ଷା ସ୍ଥଗିତ ରହିଥିବା ବେଳେ ଆଜି ପରୀକ୍ଷା ତାରିଖ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ । ଜୁଲାଇ ମାସ ୧୮ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ହେବ ସର୍ବଭାରତୀୟ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ ମେନ (JEE Main) । ଜୁଲାଇ ୨୬ରେ ହେବ ମେଡିକାଲ ପ୍ରବେଶିକା ନିଟ୍‌ (NEET)। ଅଗଷ୍ଟ ମାସରେ ଜେଇଇ ଆଡ଼ଭାନ୍ସଡ଼ (JEE Advanced) ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ।

ପୂର୍ବରୁ ଏପ୍ରିଲ ୭ ତାରିଖରୁ ୧୧ ତାରିଖ ଜେଇଇ ମେନ୍‌ ଓ ମେ ୩ ତାରିଖରେ ନିଟ୍‌ ପରୀକ୍ଷା କରିବାକୁ ତାରିଖ ଧାର୍ଯ୍ୟ ହୋଇଥିଲା । କିନ୍ତୁ ମାହାମାରୀ କରୋନା ଯୋଗୁଁ ତାହା ବାତିଲ କରାଯାଇଥିଲା । ଏହାକୁ ନେଇ ସାରା ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଆଶା ଆଶଙ୍କାରେ ରହିଥିଲେ ।

ହେଲେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଓ ଖାତା ଦେଖା କେବେ ହେବ ସେ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଖୁବ ଶୀଘ୍ର ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେବା ସହ ସିବିଏସଇ (CBSE) ପକ୍ଷରୁ ଏକ ଗାଇଡ଼ଲାଇନ ପ୍ରସ୍ତୁତ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ଏହାକୁ ଅପେକ୍ଷା କରିଛନ୍ତି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ


ଗତ କାଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ଖାତା ଦେଖା ପ୍ରସଙ୍ଗକୁ ନେଇ ଗଣ ଶିକ୍ଷା ବିଭାଗକୁ ଚିଠି ଲେଖାଯାଇଥିଲା । ଖାତା ଦେଖା ପାଇଁ ବୋର୍ଡ଼ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ଗ୍ରୀନ ସିଗନାଲକୁ ଅପେକ୍ଷା କରିଛନ୍ତି ବୋଲି କହିଥିଲେ । ତେବେ ଏ ନେଇ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଢ୍ଜନ ଦାଶ‌ କହିଛନ୍ତି: ’’ସିବିଏସଇ  ଗାଇଡ଼ଲାଇନ ଅନୁଯାୟୀ ସାରା ଦେଶରେ ଓ ରାଜ୍ୟରେ ବଳକା ପରୀକ୍ଷା ଓ ଖାତା ଦେଖା ହେବ । ସିବିଏସଇ ଗାଇଡ଼ଲାଇନକୁ ଅପେକ୍ଷା ରହିଛି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ।’’

ସେହି ଭଳି ଅନ୍ୟ ପ୍ରଥମରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଘରେ ରହି ଦୀକ୍ଷା ଆପ ମାଧ୍ୟମରେ ପାଠ ପଢିବାକୁ ସେ ପରାମର୍ଶ  ଦେଇଛନ୍ତି ।

ଦୀକ୍ଷା ଆପରେ ୮୦ ହଜାରରୁ ଉର୍ଦ୍ଧ ପାଠ୍ୟ ସାମଗ୍ରୀ ବିଭିନ୍ନ ଭାଷାରେ ମହଜୁଦ ରହିଥିବାବେଳେ ୧,୦୮୬ଟି ଅଡିଓ କ୍ଲିପ ଓ ଛଅ ହଜାରରୁ ଅଧିକ ଭିଡିଓ ରହିଛି । ସେହି ଭଳି ୧୪ ହଜାରରୁ ଅଧିକ ଫାଇଲ, ୨,୭୮୦ ଦସ୍ତାବେଜ, 2,୫୦୦ ଚିତ୍ର ଓ ଦେଢ଼ ହଜାର ସଂକ୍ଷିପ୍ତ ବର୍ଣ୍ଣନା ଶୈଳୀ ରହିଛି । ଛାତ୍ରଛାତ୍ରୀ ଏହାର ଲାଭ ଉଠାନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ ଧାର୍ଯ୍ୟ ହୋଇ ନ ଥିବା  ଯୋଗୁଁ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢ଼ିଛି ।
First published: May 5, 2020, 2:31 PM IST
corona virus btn
corona virus btn
Loading