କରୋନା ସଂକ୍ରମଣରେ ଖୋର୍ଦ୍ଧାକୁ ଟପିଲା ଯାଜପୁର ଜିଲ୍ଲା; କେବଳ କଟିକଟାରେ ୨୧ ଆକ୍ରାନ୍ତ

ଭୁବନେଶ୍ୱରର ଆକ୍ରାନ୍ତମାନେ ଧୀରେ ଧୀରେ ସୁସ୍ଥ ହେବା ସହ ୪୭ ଜଣଙ୍କ ଭିତରୁ ଏବେ ୧୫ ଆକ୍ଟିଭ ଅଛନ୍ତି । ଯାଜପୁରରେ କରୋନା ବେକାବୁ ହୋଇ ଗୋଟେ ପରେ ଗୋଟେ ପଞ୍ଚାୟତକୁ କାୟା ମେଲାଉଛି ।

କରୋନା ସଂକ୍ରମଣରେ ଖୋର୍ଦ୍ଧାକୁ ଟପିଲା ଯାଜପୁର ଜିଲ୍ଲା; କେବଳ କଟିକଟାରେ ୨୧ ଆକ୍ରାନ୍ତ
ଯାଜପୁର ଜିଲ୍ଲାର ମୋଟ ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ କଟିକଟା ଅଞ୍ଚଳର ୨୧ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମିତ ଜିଲ୍ଲା ଭାବେ ଆଜି ଖୋର୍ଦ୍ଧାକୁ ଟପିଯାଇଛି ଯାଜପୁର । ମୋଟ ୪୮ ଜଣ ଆକ୍ରାନ୍ତଙ୍କ ସହ ସଂକ୍ରମିତ ଜିଲ୍ଲା ତାଲିକାରେ ଶୀର୍ଷରେ ରହିଛି । ଭୁବନେଶ୍ୱରରେ ସର୍ବାଧିକ ୪୭ ଆକ୍ରାନ୍ତ ଥିବା ବେଳେ ଯାଜପୁର ଏହି ତାଲିକାକୁ ଟପି ଯାଇଛି ।

ଭୁବନେଶ୍ୱର ନିୟନ୍ତ୍ରଣକୁ ଆସିଥିବା ବେଳେ ସରକାରଙ୍କ ଚିନ୍ତା ବଢାଇଛି ଯାଜପୁର । ଆଜି ଗୋଟିଏ ଦିନରେ ୮ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ପଶ୍ଚିମ ବଙ୍ଗ ଲିଙ୍କ ରହିଥିବା ସରକାର ସ୍ପଷ୍ଟ କରିଛନ୍ତି । ତେବେ କାହାର ଲକ୍ଷଣ ନ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

କେବଳ ଯାଜପୁର ନୁହେଁ, ଭଦ୍ରକ ଓ ବାଲେଶ୍ୱରକୁ ପଶ୍ଚିମ ବଙ୍ଗ ଫେରନ୍ତା ଅଡ଼ୁଆ ବଢାଇଛନ୍ତି । ରାଜ୍ୟରେ ମୋଟ ୧୫୭ ଜଣ ଆକ୍ରାନ୍ତ ଥିବା ବେଳେ କେବଳ ଏହି ୩ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଞ୍ଚିଛି । ଏହାରି ଭିତରେ ଭୁବନେଶ୍ୱର ଧୀରେ ଧୀରେ ସୁସ୍ଥ ହେବା ସହ ୪୭ ଜଣ ଆକ୍ରାନ୍ତଙ୍କ ଭିତରୁ କେବଳ ୧୫ ଆକ୍ଟିଭ ରହିଛନ୍ତି । ଅପର ପକ୍ଷେ ଯାଜପୁରରେ କରୋନା ବେକାବୁ ହେବା ସହ ଗୋଟେ ପରେ ଗୋଟେ ପଞ୍ଚାୟତକୁ କାୟା ମେଲାଉଥିବା ବେଳେ କେବଳ କଟିକଟାରେ ୨୧ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା ।

ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ସରକାରଙ୍କ ଚିନ୍ତା ବଢ଼ିଥିବା ବେଳେ ଏହାର କାରଣ ବାବଦରେ ଆଲୋକପାତ କରିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ । ସେ କହିଛନ୍ତି, ‘‘ଯାଜପୁରରେ ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ କଟିକଟା ଅଞ୍ଚଳର ୨୧ । ସେମାନଙ୍କ ମଧ୍ୟରୁ ୫ ଜଣ କଲିକତାରୁ ଫେରିଥିବା ବେଳେ ଅନ୍ୟମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି । କ୍ଵରେଣ୍ଟାଇନ ନିୟମ ନ ମାନିବାରୁ ଏପରି ସ୍ଥିତି ଉପୁଜିଛି । ତେଣୁ କରୋନା ମୁକାବିଲା ପାଇଁ ସମସ୍ତଙ୍କର ସହଯୋଗ ଲୋଡ଼ା ।’’

ଭୁବନେଶ୍ୱର ଉଦାହରଣ ଦେଇ ଧଳ କହିଛନ୍ତି ଯେ ଯେପରି ଭାବେ ହଟସ୍ପଟ ଭୁବନେଶ୍ୱରରେ ଷ୍ଟ୍ରାଟେଜି କରି ନିୟନ୍ତ୍ରଣକୁ ଆଣିପାରିଲେ ସମାନ ଷ୍ଟ୍ରଟେଜି ଯାଜପୁର ପାଇଁ ଲାଗୁ କରାଯିବ ।

ବାହାର ରାଜ୍ୟରେ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି । ପୂର୍ବରୁ ତିନିଟି ରାଜ୍ୟ (ଗୁଜୁରାଟ, ମହାରାଷ୍ଟ୍ର ଓ ତାମିଲ ନାଡୁ)ର ମୁଖ୍ୟ ମନ୍ତ୍ରୀମାନଙ୍କ ସହ ଓଡ଼ିଶା ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ଆଲୋଚନା କରିଥିବା ବେଳେ ଆଜି କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟ ମନ୍ତ୍ରୀଙ୍କ ସହ ସେ ଆଲୋଚନା କରିଛନ୍ତି । ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ସହ ଓଡିଶା ଫେରାଇବା ପାଇଁ ସହଯୋଗ ଲୋଡିଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନ୍ଫରେନ୍ସି ରେ ଉପସ୍ଥିତ ରହି ପଞ୍ଜିକରଣ ପ୍ରକ୍ରିୟାରେ ସହଯୋଗ ପାଇଁ  ଅନୁରୋଧ କରିଛନ୍ତି ।

କେରଳରୁ ଏକ ସ୍ୱତନ୍ତ୍ର ଟ୍ରେନ ୧,୧୫୦ ଜଣ ଯାତ୍ରୀଙ୍କୁ ଧରି ଓଡିଶା ବାହାରି ସାରିଛି । ଏହା କାଲି ପହଞ୍ଚିବ ବୋଲି ପରିବହନ ସ୍ୱତନ୍ତ୍ର ସଚିବ ତଥା ରେଳ କୋ-ଅଡିନେସନ ଦାୟିତ୍ୱରେ ଥିବା ମନୋଜ ମିଶ୍ର ସୂଚନା ଦେଇଛନ୍ତି ।

‘‘ଟ୍ରେନ ଯୋଗେ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥି ପାଇଁ ଅପରେସନ ଶୁଭ ଯାତ୍ରା ଆରମ୍ଭ ହୋଇଛି । ଖାଇବା ପିଇବା ସହ ଆମ ରାଜ୍ୟର ୨୩ଟି ଜିଲ୍ଲାର ୧,୧୫୦ ଜଣ ଲୋକଙ୍କୁ ଧରି ଏହି ସ୍ୱତନ୍ତ୍ର ଟ୍ରେନ ବାହାରିଛି । ଏ ନେଇ ସେଠାକାର ସରକାର ସମସ୍ତଙ୍କ ତଥ୍ୟ ଦେଇଥିବା ବେଳେ ସମସ୍ତେ ସରକାରଙ୍କ ପୋର୍ଟାଲରେ ପଞ୍ଜିକରଣ କରିଥିବା ତଥ୍ୟ ମେଳ ଖାଉଛି, ଯାହାକି ଏକ ଭଲ ସଙ୍କେତ । ସମସ୍ତଙ୍କୁ ପଞ୍ଜିକରଣ କାରିବାକୁ କୁହାଯାଇଛି,’’ କହିଛନ୍ତି ମିଶ୍ର ।

ଏହି ଟ୍ରେନ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ଓ ଜଟଣୀ ଏହି ଦୁଇଟି ଷ୍ଟେସନରେ ଅଟକିବ ଓ ସେଠାରୁ ଯାତ୍ରୀମାନଙ୍କୁ ପଞ୍ଚାୟତ କ୍ଵରେଣ୍ଟିଂଇନ ସେଣ୍ଟରରେ ପହଞ୍ଚାଇବାକୁ ସୁବନ୍ଦୋବସ୍ତ କରାଯାଇଛି । ଆଜି ଆଉ ଏକ ଟ୍ରେନ ଗୁଜରାଟର ସୁରତରୁ ବାହାରିଥିବା ସେ ସୂଚନା ଦେଇଛନ୍ତି ।

ବର୍ତମାନ ସୁଦ୍ଧା ରାଜ୍ୟରେ ମୋଟ 3୬,୫୯୩ଟି ନମୁନା ପରୀକ୍ଷା ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ରେ ପହଞ୍ଚିଛି । ସେଥିରୁ ୫୬ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ।
First published: May 2, 2020, 10:51 PM IST
corona virus btn
corona virus btn
Loading