ଜବତ ଗାଡ଼ିରେ ନାଲି ବତି ଲଗେଇ ପୁରୀ ଯାଇଥିବା ଯାଜପୁରର ପୋଲିସ୍ ଅଧିକାରୀ ନିଲମ୍ବିତ

ମାସେ ତଳେ ଜବତ ହୋଇଥିବା ସ୍କର୍ପିଓ ଗାଡ଼ି ତା’ ମାଲିକକୁ ନ ଫେରାଇ ସେଥିରେ ନାଲି ବତି ଲଗାଇ ସପରିବାର ପୁରୀ ଶ୍ରୀମନ୍ଦିର ଦର୍ଶନ ପାଇଁ ବିନା ଅନୁମତିରେ ଯାଇଥିଲେ ବଡଚଣା ଥାନାଧିକାରୀ ଦୀପକ ଜେନା ।

ନିଲମ୍ବିତ ପୋଲିସ ଅଧିକାରୀ ଦୀପକ ଜେନା ଓ ଜବତ ସ୍କର୍ପିଓ

ନିଲମ୍ବିତ ପୋଲିସ ଅଧିକାରୀ ଦୀପକ ଜେନା ଓ ଜବତ ସ୍କର୍ପିଓ

  • Share this:
News18 Odia Digital

କଟକ: ଲକଡ଼ାଉନ ନିୟମ ଉଲ୍ଲଙ୍ଘନ କରି ନିଲମ୍ବିତ ହୋଇଥିବା ବଡଚଣା ଥାନାଧିକାରୀ ଦୀପକ ଜେନାଙ୍କ ଅଡ଼ୁଆ ବଢିବାରେ ଲାଗିଛି । କେବଳ ଗୋଟିଏ ନୁହେଁ ତାଙ୍କ ବିରୋଧରେ ଏକାଧିକ ଅପରାଧର ତାଲିକା ଏବେ ସାମନାକୁ ଆସିବାରେ ଲାଗିଛି । ନିଜେ ଜବତ କରିଥିବା ସ୍କର୍ପିଓ ଗାଡ଼ିରେ ନାଲି ବତି ଲଗାଇ ସେ ପୁରୀ ଯାତ୍ରା କରିଥିଲେ । ଏହା ସହ ଥାନା ଅଞ୍ଚଳ ଛାଡ଼ି ବାହାରକୁ ଯିବା ନେଇ ସେ ନିଜ ଏସ୍‌.ପି.ଙ୍କୁ ମଧ୍ୟ ଅବଗତ କରାଇ ନ ଥିଲେ କିମ୍ବା ଛୁଟି ମଧ୍ୟ ନେଇ ନ ଥିଲେ ।

ଗତ କାଲି ଦୀପକ କୁମାର ଜେନା ଲକଡାଉନ ନିୟମ ଭାଙ୍ଗି ପରିବାର ଲୋକଙ୍କ ସହ ପୁରୀ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ଏ ନେଇ ଆପତ୍ତି କରିଥିଲେ ଦକ୍ଷିଣଦ୍ବାରରେ ଡ୍ୟୁଟିରେ ଥିବା ଜଣେ ହାବିଲଦାର । ସଂପୃକ୍ତ ହାବିଲଦାର ସିଂହଦ୍ବାର ଥାନାରେ ଏ ନେଇ ଏତଲା ଦେଇଥିଲେ । ତାଙ୍କ ଏତଲା କ୍ରମେ ବଡ଼ଚଣା ଆଇଆଇସିଙ୍କ ବିରୋଧରେ ରୁଜୁ ହୋଇଥିଲା ମାମଲା । ପରିବାର ସମେତ ଥାନା ଅଧିକାରୀ ଦୀପକ ଜେନାଙ୍କୁ ସିଂହଦ୍ବାର ଥାନାରେ ଅଟକ ରଖାଯାଇଥିଲା । ଦାୟିତ୍ବପୂର୍ଣ୍ଣ ପଦବୀରେ ଥାଇ ନିୟମ ଭାଙ୍ଗି ଥିବାରୁ ଆଇଆଇସି ଦୀପକ ଜେନାଙ୍କୁ ନିଲମ୍ବିତ କରିଛନ୍ତି ଡିଜିପି ଅଭୟ ।

ତାଙ୍କ ସ୍ଥାନରେ ପ୍ରିୟବ୍ରତ ରାଉତଙ୍କୁ ବଡ଼ଚଣା ଥାନାର ନୂଆ IIC ଭାବେ ନିଯୁକ୍ତ କରାଯାଇଛି । ପ୍ରିୟବ୍ରତ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଥିଲେ । ତାଙ୍କୁ ବଡ଼ଚଣା ଥାନାକୁ ବଦଳି କରାଯାଇ ଏହି ନୂଆ ଦାୟିତ୍ୱ ଦିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଯାଜପୁର ଏସ୍‌ପି ଚରଣ ସିଂହ ।

ସ୍କର୍ପିଓ ମାଲିକ କଣ୍ଟ୍ରାକ୍ଟର୍ ସୁକାନ୍ତ ଦଳେଇ


ଗତ ମାସ ୨୦ ତାରିଖ ଦିନ କଟକ ଗତିରାଉତପାଟଣା ବାସିନ୍ଦା ତଥା ଠିକାଦାର ସୁକାନ୍ତ ଦଳେଇ ନିଜ କାମରେ ଚଣ୍ଡିଖୋଲ ଯାଇଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ଏହି ଗାଡିଟିକୁ ତାଙ୍କ ଠାରୁ ଛଡାଇ ନେଇଥିଲେ । ଏହାର ପର ଦିନ ଅର୍ଥାତ ମାର୍ଚ୍ଚ ୨୧ ତାରିଖ ଦିନ ଗାଡି ମାଲିକ ସୁକାନ୍ତ ଏ ନେଇ ବଡଚଣା ଥାନାରେ ଅଭିଯୋଗ କରିଥିଲେ । ତେବେ ଥାନାଧିକାରୀ ଦୀପକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଜବତ ହୋଇ ସାରିଥିବା ତାଙ୍କ ଗାଡ଼ି ଫେରାଇବା ବଦଳରେ ଟାଳଟୁଳ ନୀତି ଅବଲମ୍ବନ କରିଥିବା ଅଭିଯୋଗ କରିଥିଲେ ଦଳେଇ ।

“ଗାଡ଼ି ଚୋରୀ ଏତାଲା ଦେବାର ପାଖାପାଖି ମାସେ ପରେ ବି ଥାନା ଆଇଆଇସି ମୋତେ ଗାଡ଼ି ଦେଲେ ନାହିଁ । ଗତ କାଲି ମୋ ଗାଡ଼ିଟିକୁ ସିଂହଦ୍ବାର ଥାନା ପୋଲିସ ଜବତ କରିବା ସହ ଦୀପକ ଜେନା ମୋ’ ଗାଡିରେ ନାଲି ବତି ଲଗାଇଥିବା ମୁଁ ଜାଣିବାକୁ ପାଇଲି । ତାଙ୍କ ଚରିତ୍ର ଉପରେ ମୋର ପୂର୍ବରୁ ସନ୍ଦେହ ଥିଲା । ଗତ କାଲି ମୁଁ ମୋ’ ଗାଡ଼ିଟିକୁ ଫେରିପାଇବା ପାଇଁ ଯାଜପୁର ଏସ୍‌.ପି. ଓ ଜିଲ୍ଲପାଳଙ୍କୁ ଇ-ମେଲ କରିଥିଲି । ଆଶା କରୁଛି ଯେ ମୋତେ ନ୍ୟାୟ ମିଳିବ,” କହିଛନ୍ତି ସ୍କର୍ପିଓ ମାଲିକ ସୁକାନ୍ତ ଦଳେଇ।

କେବଳ ସେତିକିରେ ଅଟକିଯାଇ ନାହିଁ ବଡଚଣା ଥାନା ବାବୁଙ୍କ କାରନାମା । ଲକଡ଼ାଉନ ଭଳି ଏକ ଘଡ଼ି ସନ୍ଧି ମୁହୁର୍ତ୍ତରେ ନିଜ ଥାନା ଅଞ୍ଚଳ ଛାଡ଼ି ସେ ତିନିଟି ଜିଲ୍ଲା ଡେଇଁ ପୁରୀ ଆସିଥିଲେ । କିନ୍ତୁ ଥାନା ଛାଡ଼ିବା ସମ୍ପର୍କରେ ସେ ଯାଜପୁର ଏସ୍‌.ପି.ଙ୍କୁ ଜଣାଇ ନ ଥିଲେ କିମ୍ବା ଛୁଟି ବି ନେଇ ନ ଥିଲେ । ଫଳରେ ତାଙ୍କ ବିରୁଦ୍ଧରେ ଅଧିକ କଠୋର କାର୍ଯ୍ୟାନୁଷ୍ଠନ ଗ୍ରହଣ ପୂର୍ବରୁ ଏକ ତଦନ୍ତ କମିଟି କରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ ମୁଖ୍ୟାଳୟ ।

“ନିଲମ୍ବିତ ଥାନା ଅଧିକାରୀ ଯାହା କରିଛନ୍ତି ତାଙ୍କୁ ବହିଷ୍କାର ମଧ୍ୟ କରାଯାଇପାରେ । କିନ୍ତୁ ଏହା ପୂର୍ବରୁ ତାଙ୍କୁ ନିଜ ପକ୍ଷ ରଖଯିବାକୁ ସୁଯୋଗ ଦିଆଯିବା ଉଚିତ,” କହିଛନ୍ତି  ପୂର୍ବତନ ପୋଲିସ ଡିଜି ଗୋପାଳ ନନ୍ଦ । ଅଧିକ ତଦନ୍ତ ହେଲେ ଦୀପକଙ୍କ ଦ୍ବାରା ହୋଇଥିବା ଆଉ ଅନେକ ଅପରାଧ ଉପରୁ ପରଦା ଉଠିବ ବୋଲି ପୋଲିସ ମହଲରେ ଆଲୋଚନା ହେଉଛି ।
Published by:Anand Shankar Thankur Das
First published: