News18 Odia Digital
ଜଗତସିଂହପୁର: ବାତ୍ୟା ଅମ୍ଫାନ ଜଗତସିଂହପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଛି । ଗୁରୁତର ଭାବେ ପ୍ରଭାବିତ ହୋଇଛି ଏରସମା, କୁଜଙ୍ଗ ଓ ବାଲିକୁଦା ବ୍ଲକ୍ ସହିତ ପାରାଦୀପ ପୌରାଞ୍ଚଳ । ବହୁ ଗଛ ଉପୁଡ଼ିବା ସହ ଭାଙ୍ଗିଛି ବହୁ ସଂଖ୍ୟାରେ କଚ୍ଚା ଘର । ବହୁ ପାନ ବରଜ ବି କ୍ଷତିଗ୍ରସ୍ତ ହୋଇଛି । ଆଗୁଆ ସତର୍କତା ମୂଳକ ପଦକ୍ଷେପ ଯୋଗୁଁ ବାତ୍ୟାର ସଫଳତାର ସହ ମୁକାବିଲା କରାଯାଇପାରିଛି ବୋଲି କହିଛନ୍ତି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ।
ମଙ୍ଗଳବାର ସନ୍ଧ୍ୟାରୁ ଅମ୍ଫନ୍ ଦେଖାଇବାକୁ ଆରମ୍ଭ କରିଥିଲା ପ୍ରଭାବ । ପାରାଦୀପ ଉପକୂଳର ଯେତିକି ନିଟକବର୍ତ୍ତୀ ହୋଇଥିଲା ସେତିକି ବଢ଼ିବାରେ ଲାଗିଥିଲା ପ୍ରକୋପ । ମଧ୍ୟ ରାତ୍ରିରୁ ନେଇ ବୁଧବାର ମଧ୍ୟାହ୍ନ ଯାଏ ବଢ଼ି ବଢ଼ି ଚାଲିଥିଲା ପବନର ବେଗ । ମାତ୍ର ୧୨୦ କିମି ଦୂରରେ ସମୁଦ୍ର ମଧ୍ୟରେ ପାରାଦୀପ ଉପକୂଳ ଅତିକ୍ରମ କଲା ବାତ୍ୟା ଅମ୍ଫନ୍ । ପାରାଦୀପରେ ରେକର୍ଡ କରାଗଲା ସର୍ବାଧିକ ୨୫୦ ମିଲିମିଟରରରୁ ଅଧିକ ବର୍ଷା । ୧୦୬ କିମିରୁ ଅଧିକ ବେଗରେ ବହିଥିଲା ପବନ ।
ଜଗତସିଂହପୁରରେ ଅନେକ ସ୍ଥାନରେ ଭାଙ୍ଗି ପଡ଼ିଲା ବଡ଼ ବଡ଼ ଗଛ । ଉଡ଼ିଗଲା ଚାଳ ଛପର ଓ ଭାଙ୍ଗିଗଲା ବହୁ ମାଟି ଘର । ଏରସମା ଢିଙ୍କିଆରେ ଭାଙ୍ଗି ଧରାଶାୟୀ ହେଲା ପଚାଶରୁ ଅଧିକ ପାନ ବରଜ । ମାଛଧରା ବନ୍ଦରରେ ବହୁ ସଂଖ୍ୟାରେ ଡଙ୍ଗା ବୁଡ଼ିଯାଇଛି । ବହୁ ସ୍ଥାନରେ ତାର ଛିଡ଼ିବା ଯୋଗୁଁ ବ୍ୟାହତ ହୋଇଛି ବିଦ୍ୟୁତ୍ ଯୋଗାଣ ।

ଏକ ବାତ୍ୟା ଆଶ୍ରୟସ୍ଥଳୀରେ ରହିଛନ୍ତି ତଳିଆ ଅଞ୍ଚଳର ଲୋକେ ।
ପ୍ରଳୟଙ୍କରୀ ବାତ୍ୟା ଅମ୍ଫନର ବିଶେଷ ପ୍ରଭାବ ଜଗତସିଂହପୁରରେ ପଡ଼ିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଜିଲ୍ଲାକୁ ପଠାଯାଇଥିଲେ ତିନିଟି ଏନ୍ଡିଆର୍ଏଫ୍, ଚାରିଟି ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ପନ୍ଦରଟି ଟିମ୍ । ପବନର ପ୍ରକୋପ କମିବା ପରେ ସେମାନେ ତୁରନ୍ତ ଆରମ୍ଭ କରିଥିଲେ ସଫେଇ ଓ ପୁନରୁଦ୍ଧାର କାମ । ବାତ୍ୟା ଆସିବା ପୂର୍ବରୁ ଜିଲ୍ଲାର ଉପକୂଳବର୍ତ୍ତୀ ବ୍ଲକ୍ ଗୁଡ଼ିକ ସହ ଜଗତସିଂହପୁର ସଦର ବ୍ଲକ୍ ଓ ପୌରାଞ୍ଚଳରେ ମୋଟ ୧୬ ହଜାର ୮୪୦ ଲୋକଙ୍କୁ ୨୯୯ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରଶାସନ କରିଥିଲା ସ୍ଥାନାନ୍ତର ।
ରାତିର ଅନ୍ଧକାର ଭିତରେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାକୁ ସାହସ ନେଇ ଘର ଛାଡ଼ିଥିଲେ ହଜାର ହଜାର ସଂଖ୍ୟାରେ ତଳିଆ ଅଞ୍ଚଳବାସୀ । ରାତାରାତି ଛୋଟ ପିଲା ଓ ବୁଢ଼ାବୁଢ଼ୀଙ୍କୁ ସାଙ୍ଗରେ ଧରି ପହଞ୍ଚିଥିଲେ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀରେ । ପୂର୍ବରୁ ଏ ନେଇ ମାଇକ୍ ଯୋଗେ ପ୍ରଚାର କରିଥିଲା ପ୍ରଶାସନ । ତେବେ ପୂର୍ବ ମହାବାତ୍ୟା ଓ ତା ପରେ ବୁଲବୁଲ, ହୁଡହୁଡ ଓ ଫନିର ଅଙ୍ଗେନିଭା ଅଭିଜ୍ଞତାକୁ ମନରେ ରଖି ଅଧିକ ସତର୍କ ଓ ସଚେତନ ହୋଇଥିଲେ ଲୋକେ । ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ କରାଯାଇଥିଲା ସବୁ ପ୍ରକାର ବ୍ୟବସ୍ଥା ।
ଏହା ବି ପଢ଼ନ୍ତୁ: ଜୁନ୍ ୧ ତାରିଖରୁ ଦୈନିକ ଚାଲିବ ୨୦୦ଟି ନନ୍-ଏସି ଟ୍ରେନ୍; ଟିକଟ ବୁକିଂ ଶୀଘ୍ର ଆରମ୍ଭ ହେବ
ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।