କରୋନା ଆଉ ବେଶୀ ଦିନ ରହିବନି, କାରଣ ମହାପ୍ରଭୁ ବାଡ଼ି ନୃସିଂହ ବିଜେ କଲେଣି: ଶ୍ରୀମନ୍ଦିରରେ ବିଶ୍ୱାସ

ଯେବେ ବି ମାନବ ସମାଜକୁ ମହାମାରୀ ଭୟଭୀତ କରେଇଛି, ସ୍ୱୟଂ ମହାପ୍ରଭୁ ବିଜେ କରି ନିରାକରଣ କରିଛନ୍ତି ବୋଲି ଶ୍ରୀମନ୍ଦିରରେ ବିଶ୍ୱାସ ଅଛି । ୧୯୦୩ ଓ ୧୯୦୫ ମସିହାର ମହାମାରୀର ଉଦାହରଣ ଦେଇ କରୋନା ଆଉ ବେଶୀ ଦିନ ରହିବ ନାହିଁ ବୋଲି କହିଛନ୍ତି ସେବାୟତ ଓ ଗବେଷକମାନେ ।

କରୋନା ଆଉ ବେଶୀ ଦିନ ରହିବନି, କାରଣ ମହାପ୍ରଭୁ ବାଡ଼ି ନୃସିଂହ ବିଜେ କଲେଣି: ଶ୍ରୀମନ୍ଦିରରେ ବିଶ୍ୱାସ
ବାଡ଼ି ନୃସିଂହ ବେଶରେ ଜଗନ୍ନାଥ ମହାପ୍ରଭୁ
  • News18 Odia
  • Last Updated: March 29, 2020, 10:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଯୁଗେ ଯୁଗେ ମାନବ ସମାଜ ସାମନା କରିଥିବା ବିପଦକୁ ଟାଳି ଜଗତକୁ ଉଦ୍ଧାର କରିବା ପାଇଁ ଜଗନ୍ନାଥ ମହାପ୍ରଭୁ ସର୍ବଦା ଆଗେଇ ଆସିଥାନ୍ତି । ୧୯୦୩ ଓ ୧୯୦୫ ମସିହାରେ ମହାମାରୀ ଅଣାୟତ୍ତ ହୋଇପଡ଼ିବାରୁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ବରଣ କରିଥିଲେ । ସେ ସମୟରେ ବାଡ଼ି ନୃସିଂହ ବିଜେ କରିବା ପରେ ମହାମାରୀ ଅପସରିଯାଇଥିଲା ବୋଲି ବିଶ୍ୱାସ ଅଛି । ଏବେ ପୁଣି ମହାପ୍ରଭୁ ବାଡ଼ି ନୃସିଂହ ବେଶରେ ଶ୍ରୀମନ୍ଦିରରୁ ବାହାରି ଶ୍ରୀକ୍ଷେତ୍ରରେ ଥିବା ଚାରି ଆଶ୍ରମ ନଗର ବିଜେ କରିଥିବାରୁ କରୋନା ଭାଇରସ୍‌ ଜନିତ ସଙ୍କଟ ଭାରତ ସମେତ ବିଶ୍ୱର ସବୁ ଦେଶରୁ ଅଳ୍ପ ଦିନ ମଧ୍ୟରେ ଅପସରିଯିବ ବୋଲି ବିଶ୍ୱାସ କରାଯାଉଛି ।

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ କହିବା ଅନୁଯାୟୀ ଉନ୍ନବିଂଶ ଶତାବ୍ଦୀର ଆରମ୍ଭରେ ଜଗନ୍ନାଥ ମହାପ୍ରଭୁ ବାଡ଼ି ନୃସିଂହ ବେଶରେ ନଗର ପରିକ୍ରମା କରିବା ପରେ ହିଁ ଧରା ପୃଷ୍ଠରୁ ଉଭାନ ହୋଇଯାଇଥିଲା ହଇଜା ଭଳି ମାରାତ୍ମକ ମହାମାରୀ । ମାନବ ସମାଜ ବିରୋଧରେ ଘଟୁଥିବା ପ୍ରତିଟି ବିପତ୍ତି ସହିତ ବାଡ଼ି ନୃସିଂହଙ୍କ ନୀତିକାନ୍ତି ଜଡିତ ଥାଏ ବୋଲି ସେ କହିଛନ୍ତି ।

‘‘ତତ୍କାଳୀନ ଶ୍ରୀମନ୍ଦିର ମ୍ୟାନେଜର ରାଜକିଶୋର ରାୟ ପଣ୍ଡିତମାନଙ୍କୁ ଡକାଇ ଏହାର ନିରାକରଣ ପାଇଁ ମହାପ୍ରଭୁଙ୍କ ଶରଣାପନ୍ନ ହୋଇଥିଲେ । ବାଡ଼ି ନୃସିଂହ ଚୈତ୍ର ମାସ ଚତୁର୍ଥୀ ତିଥିରେ ନଗର ବିଜେ କରିବା ପରେ ମହାମାରୀ ଭଲ ହୋଇଥିଲା । ସେହି ବର୍ଷ ଠାରୁ ବାଡି ନୃସିଂହ ବିଜେ ନୀତି ପ୍ରଚଳିତ ହୋଇ ଆସୁଛି । ସେହି ବିଶ୍ୱାସକୁ ପାଥେୟ କରି ଏ ବର୍ଷ ସେହି ଚୈତ୍ର ମାସ ଚତୁର୍ଥୀ ତିଥିରେ ବାଡ଼ି ନୃସିଂହ ବିଜେ କରିଛନ୍ତି । ତେଣୁ କରୋନା ଭାଇରସ୍‌ ମହାମାରୀ ଭାରତ ସମେତ ସମଗ୍ର ବିଶ୍ୱରୁ ହ୍ରାସ ପାଇବ ଓ ଉଭେଇ ଯିବ ବୋଲି ଆଶା ସଞ୍ଚାର ହୋଇଛି,’’ କହିଛନ୍ତି ରଥଶର୍ମା ।

ପ୍ରତି ବର୍ଷ ଶ୍ରୀମନ୍ଦିର ଛାଡ଼ି ଦିନଟିଏ ମହାପ୍ରଭୁଙ୍କ ପ୍ରତିନିଧି ବାଡ଼ି ନୃସିଂହ ବଡ଼ ଦାଣ୍ଡକୁ ଆସିଥାନ୍ତି । ଏଥର କରନା ବିପତ୍ତିକୁ ରୋକିବା ପାଇଁ ମହାପ୍ରଭୁଙ୍କ ପ୍ରତିନିଧି ବାଡ଼ି ନୃସିଂହ ନଗର ପରିକ୍ରମା କରିଛନ୍ତି ବୋଲି ବିଶ୍ୱାସ କରୁଛନ୍ତି ଶ୍ରୀମନ୍ଦିରର ସେବାୟତମାନେ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକମାନେ ।

ଜଗନ୍ନାଥ ମହାପ୍ରଭୁ ବାଡ଼ି ନୃସିଂହ ବେଶରେ ନଗର ପରିକ୍ରମା କରୁଛନ୍ତି ।


ବାଡ଼ି ନୃସିଂହ ନଗର ପରିକ୍ରମା କରିବା ପରେ ଅଙ୍ଗିରା, ମାର୍କଣ୍ଡ, ଭୃଗୁ ଓ ପଣ୍ଡୁ ଚାରି ଆଶ୍ରମକୁ ବିଜେ କରିଥାନ୍ତି । ଶ୍ରୀମନ୍ଦିରରୁ ବାହାରିବା ପରେ ବଡ଼ ଦାଣ୍ଡରେ ବିଭିନ୍ନ ନୀତି ସମ୍ପାଦନ କରାଯାଇ କ୍ଷୀର ହାଣ୍ଡି ଭୋଗ କରି ଭଙ୍ଗା ଯାଇଥାଏ ।

‘‘ପୂର୍ବରୁ ବସନ୍ତ ଋତୁରେ ବହୁ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିଲେ । ସେହି ରୋଗ ସବୁକୁ ପ୍ରତିହିତ କରିବା ପାଇଁ ସେ ସମୟରେ ଔଷଧ ନ ଥିବାରୁ ଲୋକେ ମହାପ୍ରଭୁଙ୍କୁ ସ୍ମରଣ କରୁଥିଲେ । ତେଣୁ ବାଡ଼ି ନୃସିଂହ ବିଜେ ହେବା ପରେ ମହାମାରୀରୁ ଭକ୍ତଙ୍କୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି,’’ କହିଛନ୍ତି ବରିଷ୍ଠ ସିଂହାରୀ ସେବାୟତ ଗୌରୀଶଙ୍କର ସିଂହାରୀ ।

ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିର ଦକ୍ଷିଣୀ ଘରୁ ବାଡ଼ି ନୃସିଂହ ପାଲିଙ୍କିରେ ଶ୍ରୀକ୍ଷେତ୍ରରେ ଥିବା ଚାରି ଆଶ୍ରମକୁ ବିଜେ କରିଥିଲେ । ବିଭିନ୍ନ ସାହି ଓ ଛକମାନଙ୍କରେ ମହାପ୍ରଭୁଙ୍କ ନିକଟରେ ପଙ୍କ୍ତି ଭୋଗ ଲାଗି ହୋଇଥିଲା ।

‘‘ବାଡ଼ି ନୃସିଂହ ବିଜେ ପରମ୍ପରାର ଏକ ମହତ୍ ଉଦ୍ଦେଶ୍ୟ ରହିଛି। ଯେତେବେଳେ ମାନବ ସମାଜକୁ ମହାମାରୀ ଗ୍ରାସ କରେ ସେତେବେଳେ ସ୍ୱୟଂ ମହାପ୍ରଭୁ ବିଜେ କରି ନିରାକରଣ କରିଥାନ୍ତି । ଏଣୁ ବାଡ଼ି ନୃସିଂହ ନଗର ବିଜେ କରିବା ପରେ କରୋନା ଭଳି ମହାମାରୀ ଭଲ ହେବ ବୋଲି ବିଶ୍ୱାସ ବଢ଼ୁଛି,’’ କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାଶ ମହାପାତ୍ର ।

ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ରଙ୍କ କହିବା ଅନୁସାରେ ଚୈତ୍ର ମାସରେ ହଇଜା, ହାଡ଼ଫୁଟି ଓ ମିଳିମିଳା ଭଳି ଅନେକ ମହାମାରୀ ବ୍ୟାପିଥାଏ ଓ  ଅଣାୟତ୍ତ ହୋଇପଡ଼େ । ବାଡ଼ି ନୃସିଂହ ବିଜେ ପରେ ସବୁ ମହାମାରି ନିୟନ୍ତ୍ରଣକୁ ଆସିଥାଏ ।

‘‘ଶ୍ରୀମନ୍ଦିରରେ ସମାଜର କଲ୍ୟାଣ ନିମନ୍ତେ ବାଡ଼ି ନୃସିଂହ ନଗର ବିଜେ ପରମ୍ପରା ପ୍ରଚଳିତ । କରୋନା ମହାମାରୀକୁ ମହାପ୍ରଭୁ ବାଡ଼ି ନୃସିଂହ ବିନାଶ କରିବେ । ସମଗ୍ର ବିଶ୍ୱ କରୋନା ମହାମାରୀକୁ ନେଇ ବେଶ୍ ପ୍ରଭାବିତ ହୋଇଛି । ତେଣୁ ଏହି ସମୟରେ ବାଡ଼ି ନୃସିଂହଙ୍କ ନଗର ବିଜେ ନୀତି ନିଶ୍ଚିତଭାବେ ମହତ୍ୱ ରଖୁଛି । କରୋନା ଭାଇରସ୍‌ ଏବେ ଟଳିବ ବୋଲି ବିଶ୍ୱାସ ବଢ଼ୁଛି,’’ କହିଛନ୍ତି ମିଶ୍ର ।

କରୋନାକୁ ନେଇ ଏବେ ସାରା ଦେଶରେ ଲକଡାଉନ । ମହାପ୍ରଭୁଙ୍କର ବି ବନ୍ଦ ରହିଛି ଦର୍ଶନ । ଗୋଟିଏ ପଟେ କରୋନା ନିୟନ୍ତ୍ରଣକୁ ନେଇ ସରକାରଙ୍କ ଘନଘନ ପରାମର୍ଶ ଓ ସତର୍କତା ସୂଚନା ଆସୁଛି, ଆଉ ଅନ୍ୟ ପଟେ କରୋନାର ଭୟାବହତାରୁ ବିଶ୍ୱକୁ ବଞ୍ଚାଇବା ପାଇଁ ବାଡ଼ି ନୃସିଂହଙ୍କ ବିଜେ ପରମ୍ପରାରୁ ଏହି ମହାମାରୀର ବନାଶ ହେବ ବୋଲି ବିଶ୍ୱାସ ବଢ଼ୁଛି । ତେବେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତେ ଘରେ ରହିଲେ ଏହି ମହାବିପତ୍ତି ଶୀଘ୍ର ଚାଲିଯିବ ବୋଲି କହିଛନ୍ତି ଶ୍ରୀମନ୍ଦିରର ସେବାୟତମାନେ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକମାନେ ।
First published: March 29, 2020, 10:18 PM IST
corona virus btn
corona virus btn
Loading