୪ ମାସ ପରେ ଆଜି ପଡ଼ିଆକୁ ଫେରୁଛି କ୍ରିକେଟ୍; ଇଂଲଣ୍ଡ-ୱେଷ୍ଟ ଇଣ୍ଡିଜ ପ୍ରଥମ ଟେଷ୍ଟ ଆରମ୍ଭ ହେଉଛି

୧୧୭ ଦିନର ବ୍ୟବଧାନ ପରେ ପୁଣି ଆନ୍ତର୍ଜାତିକ କ୍ରିକେଟର ମଜା ଉଠାଇ ପାରିବେ ଦର୍ଶକମାନେ । ଇଂଲଣ୍ଡର ସାଉଥାମ୍ପଟନରେ ଆଜି ଖେଳାଯାଉଛି ଇଂଲଣ୍ଡ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ।

୪ ମାସ ପରେ ଆଜି ପଡ଼ିଆକୁ ଫେରୁଛି କ୍ରିକେଟ୍; ଇଂଲଣ୍ଡ-ୱେଷ୍ଟ ଇଣ୍ଡିଜ ପ୍ରଥମ ଟେଷ୍ଟ ଆରମ୍ଭ ହେଉଛି
ଇଂଲଣ୍ଡ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଏହି ଟେଷ୍ଟ ମ୍ୟାଚକୁ ନେଇ କ୍ରିକେଟ ଜଗତରେ ବହୁତ ଉତ୍ସାହ ଅଛି । (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ପଡ଼ିଆକୁ ପୁଣି ଫେରୁଛି କ୍ରିକେଟ । କରୋନା ଭାଇରସ୍‌ ସଂକଟ ଯୋଗୁଁ ପାଖାପାଖି ଚାରି ମାସର ବ୍ୟବଧାନ ପରେ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତିକ କ୍ରିକେଟ । କରୋନା ମହାମାରୀ ଭିତରେ ଇଂଲଣ୍ଡ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଆଜି ଖେଳାଯିବ ପ୍ରଥମ ଟେଷ୍ଟ ।

କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ପ୍ରମୁଖ କ୍ରୀଡ଼ା ଉପରେ ବି ଏହାର ପ୍ରଭାବ ପଡ଼ିଛି । ହେଲେ ୧୧୭ ଦିନର ବ୍ୟବଧାନ ପରେ ପୁଣି ପଡ଼ିଆରେ ଆନ୍ତର୍ଜାତିକ କ୍ରିକେଟର ମଜା ଉଠାଇ ପାରିବେ ଦର୍ଶକମାନେ । ଜୁଲାଇ ୮ ତାରିଖରୁ ଇଂଲଣ୍ଡର ସାଉଥାମ୍ପଟନ ଇତିହାସ ରଚିବାକୁ ଯାଉଛି । କରୋନା ମହାମାରୀ ଭିତରେ ଇଂଲଣ୍ଡ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯିବ ଏଠାରେ ।

କରୋନା ପାଇଁ ଟୋକିଓ ଅଲିମ୍ପିକ୍ସକୁ ଆସନ୍ତା ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି । ୱିମ୍ବଲଡନକୁ ବି ବାତିଲ କରିବାକୁ ପଡି଼ଛି । ଶେଷ ଥର ପାଇଁ ମାର୍ଚ୍ଚ ୧୩ ତାରିଖରେ ମଇଦାନରେ ଖେଳାଯାଇଥିଲା କ୍ରିକେଟ । ତେବେ ୧୧୭ ଦିନର ବ୍ୟବଧାନ ପରେ ପୁଣି କ୍ରିକେଟ ମଇଦାନକୁ ଫେରୁଥିବାରୁ କ୍ରିକେଟପ୍ରେମୀ ଆଶ୍ବସ୍ତ । ଅବଶ୍ୟ ପୂର୍ବରୁ ବି ଦୁଇ ଥର କ୍ରିକେଟକୁ ବାତିଲ କରିବାକୁ ପଡ଼ିଥିଲା । ୧୯୧୪ ପ୍ରଥମ ବିଶ୍ବଯୁଦ୍ଧ ଓ ସ୍ପାନିଶ ଫ୍ଲୁ ପାଇଁ ମୋଟ ୨,୪୮୧ ଦିନ ଅର୍ଥାତ ୬ ବର୍ଷ ୯ ମାସ ୧୪ ଦିନ ପାଇଁ କ୍ରିକେଟ ଖେଳ ସମ୍ଭବ ହୋଇପାରି ନଥିଲା । ବିଶ୍ବଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ୧୯୧୪ ମସିହାରେ ଫେବ୍ରୁଆରୀ ୨୭ରୁ ମାର୍ଚ୍ଚ ୩ ତାରିଖ ମଧ୍ୟରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଆଉ ୧୯୧୮-୧୯ରେ ପ୍ରଥମ ବିଶ୍ବଯୁଦ୍ଧ ଶେଷ ହେବା ସହ ୧୯୨୦ ଡିସେମ୍ବର ୧୭ରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ ଖେଳାଯାଇଥିଲା ।

ସବୁ ଖେଳଳି ଓ ମ୍ୟାଚ ପରିଚାଳନାରେ ଜଡ଼ିତ ଲୋକଙ୍କ ସ୍ୱାବ୍ ସଂଗୃହିତ ହୋଇ ଟେଷ୍ଟ ହୋଇଛି ।


ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ୧୯୩୯ରୁ ୧୯୪୬ ମସିହା ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ କ୍ରିକେଟ ଖେଳକୁ ବିଶ୍ବବ୍ୟାପୀ ବନ୍ଦ ରଖିବାକୁ ପଡ଼ିଥିଲା । ୨,୪୧୧ ଦିନ ଅର୍ଥାତ୍ ୬ ବର୍ଷ ୭ ମାସ ୭ ଦିନ ପରେ ପୁଣି ଆରମ୍ଭ ହୋଇଥିଲା କ୍ରିକେଟ ମ୍ୟାଚ । ୱେଲିଂଟନରେ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ମାତ୍ର ଟେଷ୍ଟ ଖେଳାଯାଇଥିଲା । ୧୯୪୬ ମସିହା ମାର୍ଚ୍ଚ ୨୯ରେ ଏହି ମ୍ୟାଚ ଖେଳାଯାଇଥିଲା । ଦୁଇ ଦିନରେ ସରିଥିଲା ଏହି ଟେଷ୍ଟ ମ୍ୟାଚ ।

୧୯୪୬ ମସିହା ଜୁନ୍ ୨୨ ତାରିଖରେ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଇଫତିଖାର ଅଲି ଖାନ ପଟୌଦିଙ୍କ ନେତୃତ୍ବରେ ଭାରତ ଇଂଲଣ୍ଡ ବିପକ୍ଷରେ ନିଜର ପ୍ରଥମ ଟେଷ୍ଟ ଖେଳିଥିଲା । ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଆଉ ଏତେ ସମୟ ଧରି କ୍ରିକେଟ କେବେ ବନ୍ଦ ରହି ନ ଥିଲା । ୧୯୫୭-୫୮ରେ ଏସିଆନ ଫ୍ଲୁ, ୧୯୬୮-୮୯ ହଂକଂ ଫ୍ଲୁ, ୧୯୬୫ ଏବଂ ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ, ୧୯୯୦-୯୧ରେ ଗଲଫ ଯୁଦ୍ଧ, ୨୦୦୫ରେ ଲଣ୍ଡନ ବୋମା ବିସ୍ଫୋରଣ ଓ ୨୦୦୮ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପାଇଁ କ୍ରିକେଟ ସାମୟିକ ଭାବେ କିଛି ଦିନ ବନ୍ଦ ରହିଥିଲା । ୧୯୭୦ରୁ ୧୯୯୨ ଯାଏଁ କୌଣସି ଦେଶ ଦକ୍ଷିଣ ଆଫ୍ରିକା ଗସ୍ତ କରି ନଥିଲେ ।

୧୯୯୬ ବିଶ୍ବକପ୍ ବେଳେ ଏଲଟିଟିଇ ଭୟରେ ଅଷ୍ଟ୍ରେଲିଆ ସହ ଆୟୋଜକ ଶ୍ରୀଲଙ୍କାକୁ ଯିବାକୁ ମନା କରି ଦେଇଥିଲା । ଏହା ବାଦ ୨୦୦୯ରେ ଶ୍ରୀଲଙ୍କା କ୍ରିକେଟ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ସୁରକ୍ଷା କାରଣରୁ କୌଣସି ଟିମ୍ ୨୦୧୫ ମେ ପର୍ଯ୍ୟନ୍ତ ଗସ୍ତ କରି ନ ଥିଲେ । ତେବେ ବିଶ୍ବବ୍ୟାପୀ କ୍ରିକେଟ ବନ୍ଦ ହୋଇ ନ ଥିଲା ।

ଏହା ବି ପଢ଼ନ୍ତୁ: ବଲିଉଡରେ କାମ ମାଗିଲେ ପ୍ରଡ୍ୟୁସରମାନେ କହୁଥିଲେ ରାତିରେ ଆସି ଦେଖା କର: ଶେର୍ଲିନ୍ ଚୋପ୍ରା

ଏହା ବି ପଢ଼ନ୍ତୁ: ନିଜ ଠାରୁ ୪୫ ବର୍ଷ ସାନ ମହିଳାଙ୍କ ପୁଅର ବାପା ହେଲେ ଏହି ଦିଗ୍ଗଜ! ତାଙ୍କର ୫ ନାତି-ନାତୁଣୀ ବି ଅଛନ୍ତି

ବିଶ୍ୱବ୍ୟାପୀ କରୋନା ସଙ୍କଟ କାରଣରୁ ୨୦୨୦ ମାର୍ଚ୍ଚ ୧୩ ତାରିଖରେ ଶେଷ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଏଥିରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ୭୧ ରନରେ ହରାଇଥିଲା । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ ଦର୍ଶକଶୂନ୍ୟ ରହିଥିଲା । କରୋନା ମହାମାରୀ ପାଇଁ ମୋଟ ୫୨ଟି ଆନ୍ତର୍ଜାତିକ ମ୍ୟାଚକୁ ବାତିଲ କରିବାକୁ ପଡ଼ିଛି ।
Published by: Anand Shankar Thankur Das
First published: July 8, 2020, 1:24 AM IST
corona virus btn
corona virus btn
Loading