ଭାରତରେ କରୋନା ଭାଇରସରେ ଦ୍ବିତୀୟ ମୃତ୍ୟୁ ହେଲା; ଦିଲ୍ଲୀରେ ୬୫ ବର୍ଷୀୟା ମହିଳା ଚ଼ାଲିଗଲେ

ଏହି ମହିଳାଙ୍କ ପୁଅ ସୁଇଜରଲାଣ୍ଡ ଓ ଇଟାଲୀ ଗସ୍ତ କରି ଫେରିବା ପରେ ମାଆ ଓ ପୁଅ ଦୁହିଙ୍କୁ ଜ୍ବର ସହ କଫ ହୋଇଥିଲା । ଦୁହେଁ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଭାରତରେ ପ୍ରଥମ କରୋନା ମୃତ୍ୟୁ ଦିନକ ଆଗରୁ କର୍ଣ୍ଣାଟକର କୁଲବର୍ଗିରେ ହୋଇଥିଲା ।

ଭାରତରେ କରୋନା ଭାଇରସରେ ଦ୍ବିତୀୟ ମୃତ୍ୟୁ ହେଲା; ଦିଲ୍ଲୀରେ ୬୫ ବର୍ଷୀୟା ମହିଳା ଚ଼ାଲିଗଲେ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 14, 2020, 4:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ ଯୋଗୁଁ ଦେଶରେ ଦ୍ବିତୀୟ ମୃତ୍ୟୁ ଘଟିଛି । ଦିଲ୍ଲୀରେ ଜଣେ ୬୫ ବର୍ଷୀୟା ମହିଳା କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ସେ ଦିଲ୍ଲୀର ଜନକପୁରୀ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡି଼ଛି । ଅସୁସ୍ଥତା ଯୋଗୁଁ ସେ ରାମ ମନୋହର ଲୋହିଆ ହସପିଟାଲରେ ଭର୍ତ୍ତି ହୋଇଥିଲେ ।

ଏହି ମହିଳାଙ୍କ ପୁଅ ଫେବ୍ରୁଆରୀ ୫ରୁ ୨୨ ତାରିଖ ପର୍ଯ୍ୟନ୍ତ ସୁଇଜରଲାଣ୍ଡ ଓ ଇଟାଲୀ ଗସ୍ତ କରିଥିଲେ । ସେ ୨୩ ତାରିଖରେ ଭାରତ ଫେରିଥିଲେ । ପରେ ମାଆ ଓ ପୁଅଙ୍କୁ ଜ୍ବର ସହ କଫ ହୋଇଥିଲା । ଉଭୟଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ମହିଳାଙ୍କର ସାମ୍ପଲ ୮ ତାରିଖରେ ସଂଗ୍ରହ କରାଯାଇଥିଲା । ସାମ୍ପଲ ପଜିଟିଭ ବାହାରିବା ପରେ ୯ ତାରିଖରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଛି ।

ଭାରତରେ ପ୍ରଥମ କରୋନା ମୃତ୍ୟୁ ଗତ କାଲି (ଗୁରୁବାର) କର୍ଣ୍ଣାଟକର କୁଲବର୍ଗିରେ ହୋଇଥିଲା । ସେଠାରେ ମହମ୍ମଦ ହୁସେନ ସିଦ୍ଦିକ୍‌ ନାମକ ଜଣେ ୭୬ ବର୍ଷୀୟ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ । ସାଉଦି ଆରବରୁ ଫେରିବା ପର ଠାରୁ ସେ କରୋନା ଭାଇରସରେ ଆକ୍ରାନ୍ତ ଥିଲେ ।

ଏ ପର୍ଯ୍ୟନ୍ତ ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୬୬ ଜଣ ଭାରତୀୟ ହୋଇଥିବା ବେଳେ ୧୭ ଜଣ ହେଉଛନ୍ତି ବିଦେଶୀ ନାଗରିକ ।

ଦିଲ୍ଲୀରେ ମାସ୍କ ପିନ୍ଧି ଜଣେ ମହିଳା ଯାଉଛନ୍ତି ।


ବିଶ୍ବ ମହାମାରୀ କରୋନା ଭାଇରସ୍‌ ୧୨୭ଟି ଦେଶରେ ପହଞ୍ଚିସାରିଲାଣି । ଏହି ଭୂତାଣୁ ସଂକ୍ରମଣରେ ଏ ଯାଏଁ ବିଭିନ୍ନ ଦେଶରେ ପାଖାପାଖି ୫,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ଲକ୍ଷ ୩୨ ହଜାର ଲୋକ ଆକ୍ରାନ୍ତ ହେଲେଣି । ଭାରତରେ କରୋନା ଭାଇରସର ମୁକାବିଲା ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କମିଟିରେ ସ୍ବାସ୍ଥ୍ୟମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ, ବିମାନ ଚଳାଚଳ ମନ୍ତ୍ରୀ, ଗୃହମନ୍ତ୍ରୀ, ରାସାୟନିକ ଏବଂ ପରିବହନ ମନ୍ତ୍ରୀ ରହିଛନ୍ତି ।

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ପକ୍ଷରୁ ଶିକ୍ଷାନୁଷ୍ଠାନ, ସପିଂ ମଲ୍‌, ସିନେମା ହଲ ବନ୍ଦ କରିବାକୁ ଆଦେଶ ଜାରି ହୋଇଛି । ସେପଟେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କ୍ରିକେଟ ସିରିଜ ବାତିଲ ହୋଇଥିବା ବେଳେ ଏପ୍ରିଲ ୧୫ ଯାଏ ସ୍ଥଗିତ ରଖାଯାଇଛି IPL ।

ହାଇଦ୍ରାବାଦରେ କରୋନାଭାଇରସ୍ ଭୟରେ ଲୋକେ ମାସ୍କ ପିନ୍ଧି ଯାଆ ଆସ କରୁଛନ୍ତି ।


ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସମସ୍ତ ରାଜ୍ୟ ସରକାରଙ୍କୁ ଆଲର୍ଟ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଦେଶର ୩୦ଟି ବିମାନବନ୍ଦରରେ ୟୁନିଭର୍ସାଲ ସ୍କ୍ରିନିଂ ସିଷ୍ଟମ ସ୍ଥାପନ କରାଯାଇଛି । ବିମାନବନ୍ଦରରେ ଏ ପର୍ଯ୍ୟନ୍ତ ୧୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍କ୍ରିନ କରାଯାଇଛି । କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଆହ୍ବାନକୁ  ସାର୍କ ଦେଶ ସମୂହ ସମର୍ଥନ ଜଣାଇଛନ୍ତି ।

ଇରାନରେ ସ୍ଥିତି ଖରାପ ଆଡ଼କୁ ଗତି କରୁଥିବାରୁ ସେଠାରେ ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଶୁକ୍ରବାର ଏକ ସ୍ବତନ୍ତ୍ର ବିମାନରେ ଇରାନରୁ ପ୍ରଥମ ପର୍ଯ୍ୟାୟରେ ୪୪ ଜଣ ଭାରତୀୟଙ୍କୁ ଅଣାଯାଇଛି । ଜେସଲମୈର ଆର୍ମି ବେସ୍‌ରେ ହୋଇଥିବା ସ୍ବତନ୍ତ୍ର କ୍ୟାମ୍ପରେ ସେମାନଙ୍କୁ ଅଲଗା ଅଲଗା ରଖାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି ।  ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଭାରତୀୟଙ୍କୁ ଅଣାଯିବ ବୋଲି ଟ୍ବିଟ କରି ଜଣାଇଛନ୍ତି ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍‌. ଜୟଶଙ୍କର ।

ମାର୍ଚ୍ଚ ୭ରେ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।


କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ସଚେତନତା ଉପରେ ଜୋର ଦେଇଛନ୍ତି ସରକାର । ଓଡ଼ିଶା ସମେତ ଦିଲ୍ଲୀ, ହରିଆଣା ଓ ଛତିଶଗଡ଼ ସରକାର ଏହାକୁ ମହାମାରୀ ଘୋଷଣା କରିଛନ୍ତି । ଓଡ଼ିଶା, ଦିଲ୍ଲୀ ଓ କର୍ଣ୍ଣାଟକରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ,  ସୁଇମିଂ ପୁଲ୍‌ ଓ ସିନେମାହଲକୁ ବନ୍ଦ କରିଦିଆଯାଇଛି ।  ଦିଲ୍ଲୀରେ ସାଧାରଣ ଲୋକଙ୍କ ପାଇଁ ରାଷ୍ଟ୍ରପତି ଭବନର ଦ୍ବାର ବନ୍ଦ ରଖାଯାଇଛି ।

କର୍ଣ୍ଣାଟକରେ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି । ଉତ୍ତର ପ୍ରଦେଶରେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ କରିଦିଆଯାଇଛି । ଲୋକଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନ ଠାରୁ ଦୂରରେ ରହିବାକୁ କୁହାଯାଇଛି । ଏଥି ସହ ଲୋକଙ୍କୁ ଭୟଭୀତ ନ ହୋଇ ସତର୍କତା, ସାବଧାନତା ଓ ସ୍ବଚ୍ଛତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି ।
First published: March 13, 2020, 11:45 PM IST
corona virus btn
corona virus btn
Loading