ଭାରତ କରୋନା ଭାଇରସର ଆଗାମୀ ସବୁ ଠୁ ବଡ଼ ଶିକାର ହୋଇପାରେ: ବିଶେଷଜ୍ଞଙ୍କ ଚେତାବନୀ

ଭାରତର ଜନସଂଖ୍ୟାର ପାଖାପାଖି ୨୦ ପ୍ରତିଶତ ବା ୩୦ କୋଟି ଲୋକ କରୋନା ଭାଇରସର ଶିକାର ହୋଇପାରନ୍ତି ବୋଲି କହି ସେଣ୍ଟର ଫର୍ ଡିଜିଜ୍ ଡାୟନାମିକ୍ସର ନିର୍ଦ୍ଦେଶକ କହିଛନ୍ତି ଯେ ଭାରତ କରୋନାର ‘‘ସୁନାମି’’ ପାଇଁ ପ୍ରସ୍ତୁତ ରହିବା ଉଚିତ ।

ଭାରତ କରୋନା ଭାଇରସର ଆଗାମୀ ସବୁ ଠୁ ବଡ଼ ଶିକାର ହୋଇପାରେ: ବିଶେଷଜ୍ଞଙ୍କ ଚେତାବନୀ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 23, 2020, 6:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସାରା ବିଶ୍ୱରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୧୧,୦୦୦ରୁ ଅଧିକ ହେଲଣି ଓ ସଂକ୍ରମିତ ହୋଇ ଚିକିତ୍ସାରେ ଥିବା ଲୋକଙ୍କ ସଂଖ୍ୟା ତିନି ଲକ୍ଷ ହେବାକୁ ଯାଉଛି । ଭାରତରେ ପ୍ରତିକାର ପାଇଁ ନିଆଯାଉଥିବା ଦେଶବ୍ୟାପି ଉପାୟ ଓ କଟକଣା ମଧ୍ୟରେ ଏ ପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା ଲଗାତର ବଢ଼ି ୪୧୫ ପହଞ୍ଚିଲାଣି ଓ ମୃତ୍ୟୁ ସଂଖ୍ୟା ଆଠ ହେଲାଣି । ଏହି ପରିସ୍ଥିତିରେ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ କରୋନା ଭାଇରସର ପରବର୍ତ୍ତୀ ସବୁ ଠାରୁ ବଡ଼ ଶିକାର ଭାରତ ହୋଇପାରେ ।

’’ଭାରତ କରୋନା ଭାଇରସର ସୁନାମି ପାଇଁ ପ୍ରସ୍ତୁତ ରହିବା ଉଚିତ,’’ କହିଛନ୍ତି ରୋଗ ଡାଇନାମିକ୍ସ କେନ୍ଦ୍ର (Centre for Disease Dynamics)ର ନିର୍ଦ୍ଦେଶକ ଡଃ ରାମାନାନ ଲକ୍ଷ୍ମୀନାରାୟଣ । ଭାରତରେ କରୋନା ଭାଇରସ ସଂକ୍ରମଣର ମାମଲା ଆହୁରି ତୀବ୍ର ଭାବେ ବୃଦ୍ଧି ପାଇବ ବୋଲି ସେ କହି ସେ ଚେତାଇ ଦେଇଛନ୍ତି ଯେ ବିଶ୍ୱର ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତ ଉପରେ ଏହାର ପ୍ରଭାବ କମ୍ ହେବ ବୋଲି ଏ ପର୍ଯ୍ୟନ୍ତ କୌଣସି ସଙ୍କେତ ମିଳି ନାହିଁ ।

କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାରଙ୍କ ଉଦ୍ୟମକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organisation, WHO) ପ୍ରଶଂସା କରିଛି । WHOର ପ୍ରତିନିଧୀ ହ୍ୟାଙ୍କ୍‌ ବେକଡେମ୍‌ କହିଛନ୍ତି ଯେ ସେ ଭାରତ ସରକାର ଓ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରତିକ୍ରିୟାରେ ବହୁତ ପ୍ରଭାବିତ ହୋଇଛନ୍ତି । ‘‘ସେଥି ପାଇଁ ଭାରତ ଏବେ ଅନ୍ୟ ଦେଶମାନଙ୍କ ତୁଳନାରେ ଭଲ ସ୍ଥିତିରେ ଅଛି,’’ ସେ କହିଛନ୍ତି ।

ହେଲେ ଡଃ ରାମାନନ ଲକ୍ଷ୍ମୀନାରାୟଣ କହିଛନ୍ତି ଯେ ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଟିକେ ପଛରେ ରହିଛି, କିନ୍ତୁ ସ୍ପେନ ଏବଂ ଚୀନ୍‌ର ସ୍ଥିତି ଯେମିତି ଅଛି, ସେଠାରେ ଯେତେ ଲୋକ ସଂକ୍ରମଣର ଶିକାର ହେଉଛନ୍ତି, ତାହା ଦେଖିଲେ ଭାରତର ସ୍ଥିତି ଚିନ୍ତାଜନକ ହୋଇଉଠୁଛି । ‘‘ସେମିତି ପରିସ୍ଥିତି ଭାରତରେ ହେବ ଓ ଆଉ ଆଗାମୀ କିଛି ସପ୍ତାହ ମଧ୍ୟରେ ଆମେ କରୋନାର ସୁନାମି ପାଇଁ ପ୍ରସ୍ତୁତ ରବିବା ଉଚିତ୍,’’ ବିବିସିକୁ ଦେଇଥିବା ଏକ ସାକ୍ଷାତକାରରେ ଚେତାବନୀ ଦେଇ ସେ କହିଛନ୍ତି ।

ଦିଲ୍ଲୀର ଏକ କରୋନା ଭାଇରସ୍ ସ୍କ୍ରିନିଂ କ୍ୟାମ୍ପର ଦୃଶ୍ୟ (ଏ.ପି. ଫଟୋ)


‘‘ଯଦି ଭାରତରେ ଆମେ ଅଧିକରୁ ଅଧିକ ଲୋକଙ୍କୁ ପରୀକ୍ଷା କରିଥାନ୍ତୁ ତେବେ ଏହା ସମ୍ଭବ ଯେ ବର୍ତ୍ତମାନ ସୁଦ୍ଧା ବହୁତ ଅଧିକ ପଜିଟିଭ୍‌ ମାମଲା ସାମନାକୁ ଆସିଥାନ୍ତା, କିନ୍ତୁ କେବଳ ଭାରତରେ ନୁହେଁ, କରୋନା ପରୀକ୍ଷା ବିଶ୍ୱ ସାରା ଖୁବ୍ କମ୍‌ ହେଉଛି,’’ କହିଛନ୍ତି ଡଃ ଲକ୍ଷ୍ମୀନାରାୟଣ ।

ସେ ଆହୁରି କହିଛନ୍ତି ଯେ ତାଙ୍କୁ ଲାଗୁଛି ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଅଧିକ ଲୋକଙ୍କ ପରୀକ୍ଷା କରାଗଲେ ରୋଗୀଙ୍କ ସଂଖ୍ୟା ଆହୁରି ବଢ଼ିବ । ‘‘ଏହି ସଂଖ୍ୟା ହଜାରେରୁ ଅଧିକ ହୋଇପାରେ । ତେଣୁ ଆମେ ପ୍ରସ୍ତୁତ ରହିବା ଉଚିତ । ଭାରତରେ ଏ ଭଳି ସଂକ୍ରମଣ ବିସ୍ତାର ହେବା ଖୁବ୍‌ ସହଜ । ତା’ର କାରଣ ଚାଇନା ପରି ଭାରତର ବଡ଼ ଜନସଂଖ୍ୟା ଘନତ୍ୱ,’’ ସେ କହିଛନ୍ତି ।

ଭୁବନେଶ୍ୱର ରେଳ ଷ୍ଟେସନରେ ମାସ୍କ ପିନ୍ଧି ଯାଆଆସ କରୁଥିବା କିଛି କଲେଜ ଛାତ୍ରୀ


ଡଃ ଲକ୍ଷ୍ମୀନାରାୟଣଙ୍କ କହିବା ଅନୁସାରେ ଏବେ ଭାରତରେ କରୋନା ଭାଇରସର ସମୁଦାୟ ସଂକ୍ରମଣ (community transmission) ଦ୍ରୁତ ଗତିରେ ବଢ଼ୁଛି ଓ ପ୍ରତ୍ୟେକ ପଜି଼ଟିଭ୍‌ ମାମଲାରୁ ଦୁଇଟି ନୂଆ ମାମଲା ବଢ଼ୁଛି ।

ଯେତେବେଳେ ଜଣେ ବ୍ୟକ୍ତି କୌଣସି ଜଣାଶୁଣା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ନ ଆସି କିମ୍ବା ଭାଇରସ୍ ସଂକ୍ରମିତ ଦେଶକୁ ଯାତ୍ରା ନ କରି ମଧ୍ୟ ସଂକ୍ରମିତ ହୁଏ, ସେତେବେଳେ ଜଣା ପଡ଼େ ଯେ ସମୁଦାୟ ସଂକ୍ରମଣ ଆରମ୍ଭ ହୋଇଯାଇଛି । ଭାରତରେ ଏ ପର୍ଯ୍ୟନ୍ତ କରୋନା ଭାଇରସ୍ ପରୀକ୍ଷା ପ୍ରାୟତଃ ସେହି ଲୋକମାନଙ୍କର କରାଯାଇଛି ଯେଉଁମାନେ ବିଦେଶରୁ ଫେରିଛନ୍ତି ବା ବିଦେଶରୁ ଫେରିଥିବା କାହା ସହିତ ଯୋଗାଯୋଗ କରିଛନ୍ତି । କିନ୍ତୁ ଯେତେବେଳେ ଜଣେ ବ୍ୟକ୍ତି ଜାଣି ପାରନ୍ତି ନାହିଁ ଯେ ସେ କୌଣସି କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି ଓ ତାହା ମାଧ୍ୟମରେ କରୋନା ସଂକ୍ରମଣ ଅନ୍ୟ ଅନେକ ଲୋକଙ୍କୁ ବ୍ୟାପିଛି, ସେତେବେଳେ ଚିନ୍ତା ବାସ୍ତବରେ ବଢ଼େ ।

‘‘ଯଦି ଆମେରିକା ଓ ବ୍ରିଟେନରେ ୫୦ରୁ ୬୦ ପ୍ରତିଶତ ଲୋକ ସଂକ୍ରମଣର ଶିକାର ହେବେ ବୋଲି ଅନୁମାନ କରାଯାଏ ଓ ସମାନ ମୂଲ୍ୟାଙ୍କନ କରାଯାଏ ଆଉ ଅତି କମ୍‌ ଆକଳନ କରାଯାଏ, ତାହେଲେ ଭାରତର ଜନସଂଖ୍ୟାର ପାଖାପାଖି ୨୦ ପ୍ରତିଶତ ଏହି ଭୂତାଣୁର ଶିକାର ହୋଇପାରନ୍ତି । କିନ୍ତୁ ଏହି ସଂଖ୍ୟା କମ୍ ନୁହେଁ । ଭାରତର ଜନସଂଖ୍ୟାର ୨୦ ପ୍ରତିଶତର ଅର୍ଥ ହେଉଛି ପ୍ରାୟ ୩୦ କୋଟି ଲୋକ,’’ କହିଛନ୍ତି ଡଃ ଲକ୍ଷ୍ମୀନାରାୟଣ ।
First published: March 23, 2020, 6:03 PM IST