୨୦୦୬ ମସିହାରୁ ସଠିକ୍ ପୂର୍ବାନୁମାନ ଦେଇଆସୁଛନ୍ତି ଭାରତର 'ସାଇକ୍ଲୋନ୍ ମ୍ୟାନ୍' ମୃତ୍ୟୁଞ୍ଜୟ ମହାପାତ୍ର

ଏ ଥର ମଧ୍ୟ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ନେତୃତ୍ୱରେ ଭାରତୀୟ ପାଣିପାଗ ବିଭାଗ ଅମ୍ଫାନ ବାତ୍ୟା ବିଷୟରେ ଆଗୁଆ ଓ ସଠିକ ପୂର୍ବାନୁମାନ ଦେଇଛି, ଫଳରେ ସୁରକ୍ଷା ପାଇଁ ସବୁ ପ୍ରସ୍ତୁତି କରିବାକୁ ଅଧିକ ସମୟ ମିଳିଛି ।

ମୃତ୍ୟୁଞ୍ଜୟ ମହାପାତ୍ର

ମୃତ୍ୟୁଞ୍ଜୟ ମହାପାତ୍ର

  • Share this:
News18 Odia Digital

ଭୁବନେଶ୍ୱର: ପାଖାପାଖି ୨୬ ବର୍ଷ ଧରି ପାଣିପାଗ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଛନ୍ତି ସେ । ଫାଇଲିନ୍, ହୁଡହୁଡ୍‌, ତିତଲି, ଓ ଫନି ବାତ୍ୟା ପରି ୨୦୦୬ ପର ଠାରୁ ଆସିଥିବା ଗୋଟିଏ ପରେ ଗୋଟିଏ ସାଇକ୍ଲୋନର ସଠିକ ପୂର୍ବାନୁମାନ କରିଥିବାର ଶ୍ରେୟ ମିଳିଛି ତାଙ୍କୁ । ସେଥି ପାଇଁ ମୃତ୍ୟୁଞ୍ଜୟ ମହାପାତ୍ର ଭାରତର 'ସାଇକ୍ଲୋନ୍ ମ୍ୟାନ୍' ଭାବରେ ଲୋକପ୍ରିୟ ହୋଇଛନ୍ତି । ସେ ବର୍ତ୍ତମାନ ଭାରତୀୟ ପାଣିପାଗ ବିଭାଗର ମୁଖ୍ୟ ଅଛନ୍ତି ।

ଗତ ବର୍ଷ ମେ ମାସରେ ଭୟଙ୍କର ଘୂର୍ଣ୍ଣିବଳୟ ଫନି ଓଡ଼ିଶାକୁ ଆସିଥିଲା । ସେହି ମହା ବାତ୍ୟାର ପୂର୍ବାନୁମାନ କରିବା ଓ ଏହାର ସମ୍ଭାବ୍ୟ ଗତିପଥ ବିଷୟରେ ଆଗୁଆ ସୂଚନା ମିଳିବା ଦ୍ୱାରା ଅନେକ ଧନ ଜୀବନ ହାନି ରୋକିବାରେ ସାହାଯ୍ୟ ହୋଇଥିଲା । ସେହି ସଫଳତା ମଧ୍ୟ ମୃତ୍ୟୁଞ୍ଜୟ ମହାପାତ୍ର ଓ ତାଙ୍କ ଦଳକୁ ଦିଆଯାଇଥିଲା । ଏଥି ପାଇଁ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ମିଳିତ ଜାତିସଙ୍ଘର ପ୍ରଶଂସା ପାଇଥିଲା ।

ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ବିଶେଷଜ୍ଞ ଶାଖା ୨୦୦୬ ପର ଠାରୁ ଗୋଟିଏ ପରେ ଗୋଟିଏ ବାତ୍ୟା ଓ ଘୂର୍ଣ୍ଣିବଳୟର ସଠିକ୍ ପୂର୍ବାନୁମାନ ଦେଇଛି । ଏହି ସଙ୍ଗଠନର ଶୀର୍ଷରେ ଅଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର । ସେଥି ପାଇଁ ସାଇକ୍ଲୋନଗୁଡ଼ିକର ନାମକରଣ କରୁଥିବା ତେରଟି ଦେଶର ସଂସ୍ଥାରେ ଭାରତ ବିଶେଷ ସମ୍ମାନ ଅର୍ଜନ କରିଛି।

୧୯୯୨ ମସିହାରେ ମହାରାଷ୍ଟ୍ରର ପୁଣେରେ ପାଣିପାଗ ବିଭାଗରୁ ମୃତ୍ୟୁଞ୍ଜୟ ମହାପାତ୍ର ତାଙ୍କ କରିଅର୍ ଆରମ୍ଭ କରିଥିଲେ । ସେ ଓଡ଼ିଶାର ବାଲେଶ୍ୱରରେ ଥିବା ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନରେ ମଧ୍ୟ କିଛି ସମୟ କାର୍ଯ୍ୟ କରିଛନ୍ତି । ସେ ୨୦୦୬ ମସିହାରୁ ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ବିଶେଷଜ୍ଞ ଶାଖାର ମୁଖ୍ୟ ରହିଆସିଛନ୍ତି । ଅଗଷ୍ଟ ୨୦୧୯ ଠାରୁ ପାଞ୍ଚ ବର୍ଷ ଧରି ସେ ଭାରତୀୟ ପାଣିପାଗ ବିଭାଗର ମୁଖ୍ୟ ଅଛନ୍ତି ।

ମତ୍ସ୍ୟଜୀବୀମାନଙ୍କୁ ୨୦ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।


ଏ ଥର ମଧ୍ୟ ଭାରତୀୟ ପାଣିପାଗ ବିଭାଗ ଅମ୍ଫାନ ବାତ୍ୟା ବିଷୟରେ ସଠିକ ସମୟରେ ଆଗୁଆ ଚେତାବନୀ ଦେଇଆସୁଛି । ଘୂର୍ଣ୍ଣିବଳୟ କେଉଁଠି ଅଛି, ଏହାର ସମ୍ଭାବ୍ୟ ଗତି ପଥ କ’ଣ ହେବ, ଏହା କେଉଁଠି ଲ୍ୟାଣ୍ଡଫଲ୍‌ କରିପାରେ, ସେ ବିଷୟରେ ସମୟ ସମୟରେ ସଠିକ ଅପଡେଟ୍ ଦେଉଛି । ସଠିକ୍ ପୂର୍ବାନୁମାନ ପାଇଁ ଭାରତର ସାଇକ୍ଲୋନ୍ ମ୍ୟାନ୍ ଉନ୍ନତ ଜ୍ଞାନକୌଶଳକୁ ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି ଯେ ୨୦୦୮ ପୂର୍ବରୁ ପାଣିପାଗ ବିଜ୍ଞାନୀମାନେ ସାଇକ୍ଲୋନ୍ ବିଷୟରେ ବିସ୍ତୃତ ତଥ୍ୟ ସଂଗ୍ରହ କରିପାରୁ ନ ଥିଲେ । କିନ୍ତୁ ଆଧୁନିକୀକରଣ ପରେ ୨୦୦୯ ପର ଠାରୁ ଅଧିକ ସଠିକ୍ ଓ ବିସ୍ତୃତ ପୂର୍ବାନୁମାନ ଦେବା ସମ୍ଭବ ହୋଇଛି ।

‘‘ଗତ ବର୍ଷର ଫନୀ ମହାବାତ୍ୟା ବିଷୟରେ ଭାରତୀୟ ପାଣିପାଗ ବିଭାଗର ସଠିକ ପୂର୍ବାନୁମାନ ଏକ ବଡ଼ ଘଟଣା ଥିଲା । ବିଭିନ୍ନ ଏଜେନ୍ସି ଦାବି କରିଥିଲେ ଯେ ଫନୀର ବେଗ ଘଣ୍ଟା ପ୍ରତି ୩୪୦ କିଲୋମିଟର ହେବ, କିନ୍ତୁ ଆମେ କହିଲୁ ଯେ ଫନୀର ବେଗ ଘଣ୍ଟା ପ୍ରତି ୨୨୦ କିଲୋମିଟରରୁ ଅଧିକ ହେବ ନାହିଁ । ବାସ୍ତବରେ ତାହା ହିଁ ହୋଇଥିଲା । ଏହି ସଠିକ ପୂର୍ବାନୁମାନ ଯୋଗୁଁ ଗତ ୧୪ ବର୍ଷ ମଧ୍ୟରେ ଭାରତରେ ଆସିଥିବା ସବୁ ଠାରୁ ଭୟଙ୍କର ଘୂର୍ଣ୍ଣିବଳୟ ଦ୍ୱାରା ହୋଇଥିବା କ୍ଷୟକୁ କମ୍ କରିବା ସମ୍ଭବ ହୋଇଥିଲା,’’ କହିଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର ।

ବର୍ତ୍ତମାନ ଭାରତରେ ସାଇକ୍ଲୋନର ପୂର୍ବାନୁମାନ କରିବାରେ ଅଧିକ କୁଶଳତା ଆସିଛି । ବର୍ତ୍ତମାନ ଭାରତୀୟ ପାଣିପାଗ ବିଭାଗ ପ୍ରତି ଘଣ୍ଟାରେ ତିନୋଟି ବୁଲେଟିନ୍ ଦେGଛି । ଘୂର୍ଣ୍ଣିବଳୟ ହେବାର ଅତି କମରେ ପାଞ୍ଚ ଦିନ ପୂର୍ବରୁ ପୂର୍ବାନୁମାନ କରାଯାଇ ପାରୁଛି, ଫଳରେ ସତର୍କ ରହିବା, ମୁକାବିଲା ପାଇଁ ପ୍ରସ୍ତୁତ ହେବା ଓ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିବା ଅଧିକ ସହଜ ହୋଇଛି ।

ଭାରତୀୟ ପାଣିପାଗ ବିଭାଗର ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ୱ ପାଣିପାଗ ସଙ୍ଗଠନ (WMO)ରେ ଭାରତର ସ୍ଥାୟୀ ପ୍ରତିନିଧିର ଦାୟିତ୍ୱ ବି ନିର୍ବାହ କରୁଛନ୍ତି ।  ୨୦୧୩ ମସିହାରେ WMOର କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ଭାବରେ ସେ ନିର୍ବାଚିତ ହୋଇଥିଲେ ।

ଏହା ବି ପଢ଼ନ୍ତୁ: ଆସୁଛି ଅମ୍ଫନ ବାତ୍ୟା: ଆଜି ବାଲେଶ୍ୱରରେ ସମୁଦ୍ର କୂଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ

ଏହା ବି ପଢ଼ନ୍ତୁ: ରାଜ୍ୟରେ ଆହୁରି ୪୮ କରୋନା ପଜିଟିଭ ଚିହ୍ନଟ; ମୋଟ ସଂଖ୍ୟା ୮୭୬ ହେଲା; ଗଞ୍ଜାମରେ ୩୦୭

ଏହା ବି ପଢ଼ନ୍ତୁ: ମେ ୩୧ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍; ଏହି ସବୁ କାମ କରିବାକୁ ଅନୁମତି ଅଛି

ଏହା ବି ପଢ଼ନ୍ତୁ: ଏମିତି ବି ହୋଇପାରେ: କରୋନା ବିଶ୍ୱକୁ କେବେ ବି ଛାଡ଼ି ଯାଇ ନ ପାରେ, କହିଲେ WHO ଅଧିକାରୀ

ଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳି
Published by:Anand Shankar Thankur Das
First published: