ଭାରତରେ ଏବେ ୧୬୬ କରୋନା ଆକ୍ରାନ୍ତ; ଆଜି ରାତି ୮ରେ ମୋଦି ଦେଶକୁ ସମ୍ବୋଧିତ କରିବେ

ବିଜେପିର ସବୁ ସାଂସଦ ନିଜ ନିଜର ନିର୍ବାଚନ ମଣ୍ଡଳୀକୁ ଯାଇ କରୋନା ଭାଇରସ ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ବିଜେପି ସଂସଦୀୟ ଦଳ ବୈଠକରେ ପରାମର୍ଶ ଦେଇଛନ୍ତି ମୋଦି । ମହାରାଷ୍ଟ୍ରରେ ସର୍ବାଧିକ ୪୫ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି ।

ଭାରତରେ ଏବେ ୧୬୬ କରୋନା ଆକ୍ରାନ୍ତ; ଆଜି ରାତି ୮ରେ ମୋଦି ଦେଶକୁ ସମ୍ବୋଧିତ କରିବେ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 19, 2020, 3:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ୧୪୧ ଜଣ ଭାରତୀୟ ଓ ୨୫ ଜଣ ବିଦେଶୀ ଅଛନ୍ତି । ୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାରୁ ବର୍ତ୍ତମାନ ଭାରତରେ ଚିକିତ୍ସାଧୀନ ଥିବା ରୋଗୀଙ୍କ ସଂଖ୍ୟା ୧୫୧ । କରୋନା ଭାଇରସର ସ୍ଥିତି ବିଷୟରେ ଆଜି ରାତି ୮ ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।

କରୋନା ଭାଇରସ୍‌ ବା କୋଭିଡ-୧୯ ସହ ଜଡ଼ିତ ବିଭିନ୍ନ ବିଷୟ ଓ ଏହାର ମୁକାବିଲା ସମ୍ପର୍କରେ ନିଜ ମତ ରଖିବେ ମୋଦି । ଦେଶର ସବୁ ପାର୍ଲାମେଣ୍ଟ ସଦସ୍ୟମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀରେ ଏହି ମରାତ୍ମକ ଭାଇରସ ସମ୍ପର୍କରେ ଲୋକଙ୍କୁ ସଚେତନ କରିବେ । ଗତ କାଲି ବିଜେପି ସଂସଦୀୟ ଦଳ ବୈଠକରେ ଏ ନେଇ ଦଳୀୟ ସାଂସଦ ମାନଙ୍କୁ ପରାମର୍ଶ ଦେଇଥିଲେ ମୋଦି । ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କରୋନା ଭୂତାଣୁର ମୁକାବିଲରେ କ'ଣ କରାଯିବା ଉଚିତ୍‍ ଓ କ'ଣ କରାଯିବା ଉଚିତ୍‍ ନୁହେଁ ସେ ବିଷୟରେ ପ୍ରଧାନ ମନ୍ତ୍ରୀ ସାଂସଦ ମାନଙ୍କୁ ବୁଝାଇଥିଲେ । ଲୋକଙ୍କୁ ସଚେତନ କରାଇବା ପାଇଁ ଗଣମାଧ୍ୟମର ସାହାଯ୍ୟ ନେବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।

ଏ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ସର୍ବାଧିକ ୪୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ହରିଆଣାରେ ୧୭, କର୍ଣ୍ଣାଟକରେ ୧୪, ଆନ୍ଧ୍ର ପ୍ରଦେଶରେ ଜଣେ, ଦିଲ୍ଲୀରେ ୧୨ ଓ କେରଳରେ ୨୭ ଜଣଙ୍କ ଠାରେ ପଜିଟିଭ ରହିଛି । ଆମ ରାଜ୍ୟ ଓଡ଼ିଶାରେ ଜଣେ, ପଣ୍ଡିଚେରୀ ଜଣେ, ପଞ୍ଜାବରେ ଜଣେ ଓ ରାଜସ୍ଥାନରେ ୭ ଆକ୍ରାନ୍ତ ହୋଇଛନ୍ତି । ତାମିଲ ନାଡୁରେ ୨ ଜଣ, ତେଲଙ୍ଗାନାରେ ୬ ଜଣ, ଚଣ୍ଡିଗଡ଼ରେ ଜଣେ, ଜାମ୍ମୁ ଓ କାଶ୍ମୀରରେ ୪, ଲଦାଖରେ ୮, ଉତ୍ତର ପ୍ରଦେଶରେ ୧୭, ଉତ୍ତରାଖଣ୍ଡରେ ଜଣେ ଓ ପଶ୍ଚିମ ବଙ୍ଗରେ ମଧ୍ୟ ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଘାତକ କୋରୋନାରେ ଭାରତରେ ଏପର୍ଯ୍ୟନ୍ତ ତିନି ଜଣଙ୍କ ମୃତ୍ୟୁ ହୋଇଛି ।

କରୋନା ଭାଇରସର ପ୍ରଭାବ ରେଳ ଓ ବିମାନ ସେବା ଉପରେ ପଡ଼ିଛି । ଭୟରେ ଲୋକଙ୍କ ଯାତାୟାତ କମିଯାଇଛି । ଯାତ୍ରୀଙ୍କ ସଂଖ୍ୟା ବହୁମାତ୍ରାରେ କମିଯାଇଥିବାରୁ ଅଧିକାଂଶ ଟ୍ରେନ ବାତିଲ ହୋଇଛି । ଦେଶର ବିଭିନ୍ନ ରୁଟ୍‌ରେ ୩୦୦ଟି ଟ୍ରେନ ଚଳାଚଳକୁ ଆସନ୍ତା ୩୧ ତାରିଖ ଯାଏ ବାତିଲ କରିଦିଆଯାଇଛି ।

ଗତ କିଛି ଦିନ ମଧ୍ୟରେ ଲକ୍ଷାଧିକ ଟ୍ରେନ୍‌ ଓ ଫ୍ଲାଇଟ୍‌ ଟିକେଟ୍‌ ବି ବାତିଲ ହୋଇଛି । ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଟ୍ରେନରୁ କମ୍ବଳ ଓ ପରଦା ହଟାଇ ଦିଆଯାଇଛି । ଯାତ୍ରୀମାନେ ଚାହିଁଲେ ନିଜର ବ୍ଲାଙ୍କକେଟ ବା ଚାଦର ନେଇପାରିବେ ।

ଷ୍ଟେସନରୁ ଭିଡ଼ କମାଇବା ପାଇଁ ବିଭିନ୍ନ ରେଳ ଡିଭିଜନ୍‌ ପ୍ଲାଟ୍‌ଫର୍ମ ଟିକେଟ୍‌ ଦର ବଢାଇଛନ୍ତି । ପ୍ଲାଟ୍‌ଫର୍ମ ଟିକେଟ୍‌ ଦର ୧୦ ଟଙ୍କାରୁ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବ ତଟ ରେଳ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ଦଶଟି ବଡ଼ ଷ୍ଟେସନରେ ଏହି ବଢ଼ିଲା ଦାମ୍‌ ଲାଗୁ କରିଛି ।

ଓଡ଼ିଶାର ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, ବ୍ରହ୍ମପୁର, ସମ୍ବଲପୁର ଓ ରାୟଗଡ଼ା ରେଳ ଷ୍ଟେସନ ପାଇଁ ଏଣିକି ପ୍ରତି ପ୍ଲାଟଫର୍ମ ଟିକେଟ୍ ୫୦ ଟଙ୍କା ପଡ଼ିବ । ପୂର୍ବ ତଟ ରେଳବାଇ ଅଧୀନରେ ଥିବା ଓଡ଼ିଶା ବାହାରେ ଅନ୍ୟ ତିନୋଟି ଷ୍ଟେସନ – ଆନ୍ଧ୍ରପ୍ରଦେଶର ବିଶାଖାପଟନମ୍, ଭିଜିଆନଗ୍ରମ୍‌ ଓ ଶ୍ରୀକୁଲମ୍ ରୋଡ୍ – ରେ ବି ଏହି ଦାମ୍‌ ବୃଦ୍ଧି ଲାଗୁ ହୋଇଯାଇଛି ।
First published: March 19, 2020, 3:59 PM IST