କରୋନା: ଟ୍ରମ୍ପଙ୍କ ଧମକ ପରେ ଭାରତ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଔଷଧ ରପ୍ତାନି ପାଇଁ ଅନୁମତି ଦେଲା

ଭାରତ ରପ୍ତାନି ପାଇଁ ନିଷ୍ପତ୍ତି ଘୋଷଣା କରିବାର କିଛି ଘଣ୍ଟା ପୂର୍ବରୁ ଏହା ନ କଲେ ଭାରତ ବିରୋଧରେ ପ୍ରତିଶୋଧାତ୍ମକ ପଦକ୍ଷେପ ନିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଥିଲେ ।

କରୋନା: ଟ୍ରମ୍ପଙ୍କ ଧମକ ପରେ ଭାରତ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଔଷଧ ରପ୍ତାନି ପାଇଁ ଅନୁମତି ଦେଲା
ଡୋନାଲଡ୍ ଟ୍ରମ୍ପ ଓ (ଡାହାଣ) ହାଇଡ୍ରୋକ୍ଲୋରୋକ୍ୱିନ୍ ଔଷଧ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭୟଙ୍କର କରୋନା ଭାଇରସ ମହାମାରୀର ଚିକିତ୍ସାରେ ପ୍ରଭାବଶାଳୀ ସାବ୍ୟସ୍ତ ହେଉଥିବା ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଓ ପାରାସିଟାମଲର ରପ୍ତାନି ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ଭାରତ ସରକାର ରାଜି ହୋଇଛନ୍ତି । ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA) ଏକ ସୈଦ୍ଧାନ୍ତିକ ନିଷ୍ପତ୍ତି ନେଇଛି ଯେ କରୋନା ଭୂତାଣୁରେ ଭୀଷଣଭାବେ ପ୍ରଭାବିତ ଆମେରିକା ସମେତ ପଡ଼ୋଶୀ ଦେଶମାନଙ୍କୁ ଏହି ଜରୁରୀ ଔଷଧ ଯୋଗାଇ ଦିଆଯିବ ।

ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଭାରତ ସମେତ ବିଶ୍ୱର ସମସ୍ତ ଦେଶ ବର୍ତ୍ତମାନ କରୋନା ମହାମାରୀ ସହ ସଂଘର୍ଷ କରୁଥିବାରୁ ଏଭଳି ପରିସ୍ଥିତିରେ ମାନବିକତା ଆଧାରରେ ଭାରତ ପଡ଼ୋଶୀ ଦେଶମାନଙ୍କୁ ପାରାସିଟାମଲ ଓ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଔଷଧର ପର୍ଯ୍ୟାପ୍ତ ଯୋଗାଣ କରିବା ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛି ।

ଏହି ନିଷ୍ପତ୍ତି ଘୋଷଣା ହେବାର କିଛି ଘଣ୍ଟା ପୂର୍ବରୁ ଆମେରିକାକୁ ଏହି ଔଷଧ ରପ୍ତାନି ପାଇଁ ଭାରତ ଅନୁମତି ନ ଦେଲେ ଭାରତ ବିରୋଧରେ ପ୍ରତିଶୋଧାତ୍ମକ ପଦକ୍ଷେପ ନିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଧମକ ଦେଇଥିଲେ । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ସପ୍ତାହାନ୍ତରେ ସେ ଫୋନରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଥିଲେ ।

“ଯଦି ସେ ଆମର ସାମଗ୍ରୀ ରପ୍ତାନି କରିବାକୁ ଅନୁମତି ଦିଅନ୍ତି, ମୁଁ ତାହା ପ୍ରଶଂସା କରିବି । ଯଦି ସେ ରପ୍ତାନି ପାଇଁ ଅନୁମତି ନ ଦିଅନ୍ତି, ତେବେ ଅବଶ୍ୟ ପ୍ରତିଶୋଧ ନିଆଯିବ, କାହିଁକି ନିଆଯିବ ନାହିଁ?” ଟ୍ରମ୍ପ୍‌ କହିଥିଲେ । ସେ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ “ବହୁ ବର୍ଷ ଧରି ଭାରତ ବାଣିଜ୍ୟରେ ଆମେରିକା ଠାରୁ ଲାଭ ଉଠାଇଛି” ।ହେଲେ ଟ୍ରମ୍ପ୍‌ ଆହୁରି କହିଥିଲେ ଯେ “ଭାରତ ଆମେରିକା ସହ ମିଶି ବହୁତ ଭଲ କାମ କରୁଛି ।”

ସାମ୍ବାଦିକ ସମ୍ମିଳନୀରେ ଡୋନାଲ୍ଡ ଟ୍ରମ୍ପ କହୁଛନ୍ତି ।


ବାସ୍ତବରେ ଆମେରିକା, ବ୍ରାଜିଲ, ସ୍ପେନ୍ ଓ ଜର୍ମାନୀ ସମେତ ପ୍ରାୟ ୩୦ଟି ଦେଶ ପକ୍ଷରୁ ଏହି କରୋନା ସଙ୍କଟ ସମୟରେ ଭାରତକୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଔଷଧ ରପ୍ତାନି କରିବାକୁ ଅନୁରୋଧ କରାଯାଇଛି । ଏହି ଦେଶଗୁଡିକ ମଧ୍ୟରୁ ଅଧିକାଂଶ ଭାରତକୁ ନିଜ ରପ୍ତାନି ପ୍ରତିବନ୍ଧକ ହଟାଇବାକୁ ଦାବି କରିଛନ୍ତି । ଏହା ପରେ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଭାରତ ନିଜସ୍ୱ ଘରୋଇ ଆବଶ୍ୟକତା ପାଇଁ ପର୍ଯ୍ୟାପ୍ତ ପରିମାଣର ହାଇଡ୍ରୋକ୍ଲୋରୋକ୍ୱିନ୍‌ ଓ ପାରାସିଟାମଲ୍‌ ରଖି ସାରିବା ପରେ ରପ୍ତାନି ଆରମ୍ଭ କରିବା ବୋଲି ଜଣେ ସରକାରୀ କର୍ମଚାରୀ କହିଛନ୍ତି ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ କହିଛନ୍ତି ଯେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ କ୍ରୟ ପାଇଁ ଆମେରିକା ଦେଇଥିବା ଅର୍ଡ଼ରକୁ ମାନି ଭାରତ ରପ୍ତାନି କରିବା ଆରମ୍ଭ କରିବାକୁ ସେ ଭାରତକୁ ଅନୁରୋଧ କରିଛନ୍ତି। ବ୍ରାଜିଲର ରାଷ୍ଟ୍ରପତି ମଧ୍ୟ ଏକ ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି ଯେ ଭାରତକୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ରପ୍ତାନି ପାଇଁ ଅନୁରୋଧ କରାଯାଇଛି ।

ଭାରତ ବିଶ୍ୱରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ବୃହତ୍ତମ ରପ୍ତାନିକାରୀ ଦେଶ । ଏହା ବନେଇବା ପାଇଁ ଆବଶ୍ୟକ କଞ୍ଚା ମାଲ୍‌ ଚୀନରୁ ଆସେ । କରୋନା ଭାଇରସ୍‌ ମାମାରୀ ବ୍ୟାପିବା ପର ଠାରୁ ଏହି କଞ୍ଚା ମାଲର ଦାମ୍‌ ବି ବଢ଼ିଯାଇଛି । ମ୍ୟାଲେରିଆର ଚିକିତ୍ସାରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ବ୍ୟବହୃତ ହୁଏ । ଭାରତରେ ବହୁ ସଂଖ୍ୟକ ମ୍ୟାଲେରିଆ ରୋଗୀ ଥିବାରୁ ହାଇଡ୍ରୋକ୍ସିକ୍ଲୋରୋକାଇନ୍ ଭାରତରେ ଅଧିକ ନିର୍ମିତ ହୁଏ ।
First published: April 7, 2020, 1:23 PM IST
corona virus btn
corona virus btn
Loading