News18 Odia Digital
ଭୁବନେଶ୍ୱର: ଓଡ଼ିଶାରେ ମହଙ୍ଗା ହେଲା ପେଟ୍ରୋଲ୍ ଓ ଡିଜେଲ । ରାଜ୍ୟ ସରକାର ପେଟ୍ରୋଲ୍ ଓ ଡିଜେଲ ଉପରେ ଭାଟ୍ ବୃଦ୍ଧି କରିଛନ୍ତି । ଡିଜେଲ ଉପରେ ଭାଟ୍ ୨୬%ରୁ ୨୮%କୁ ବଢ଼ିଥିବା ବେଳେ ପେଟ୍ରୋଲ୍ ଉପରେ ଏହା ୨୬ରୁ ୩୨% ବଢ଼ିଛି। ଏହି ବର୍ଦ୍ଧିତ ଦର ଆଜି ଠାରୁ ଲାଗୁ ହୋଇଛି । ଦର ବଢ଼ିବା ପରେ ଭୁବନେଶ୍ୱରରେ ପେଟ୍ରୋଲ୍ ଦର ଲିଟର ପିଛା ୩ ଟଙ୍କା ୧୧ ପଇସା ଓ ଡିଜେଲ ଦର ୧ ଟଙ୍କା ୦୩ ପଇସା ଅଧିକ ମହଙ୍ଗା ହୋଇଛି । ସେପଟେ ପେଟ୍ରୋଲ ଓ ଡିଜେଲ ଉପରେ ରାଜ୍ୟ ସରକାର ଭ୍ୟାଟ ବୃଦ୍ଧି ନେଇ ରାଜ୍ୟ ସରକାର ଙ୍କୁ ଘେରିଛନ୍ତି ବିରୋଧୀ ।
‘‘ରାଜ୍ୟ ସରକାର ଏହାର ପୁନର୍ବିଚାର କରନ୍ତୁ । ରାଜସ୍ବ ବୃଦ୍ଧି ପାଇଁ ରାଜ୍ୟ ସରକାର ଭ୍ୟାଟ ବୃଦ୍ଧି କରିପାରିବେ କିନ୍ତୁ ବର୍ତ୍ତମାନ ସମୟ ଠିକ ନୁହେଁ । ଲକଡାଉନ କାରଣରୁ କାହା ପାଖରେ ପଇସା ନାହିଁ । ପରେ ବଢ଼ାଯାଇଥିଲେ ଭଲ ହୋଇଥାନ୍ତା,’’ କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।
ରାଜ୍ୟ କଂଗ୍ରେସ୍ ସଭାପତି ନିରଞ୍ଜନ ପଟ୍ଟନାୟକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ନିଶାନା କରିଛନ୍ତି । ‘‘ସାରା ବିଶ୍ୱରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୧୦ ଡଲାର ଥିଲା । ପେଟ୍ରୋଲ ଲିଟର ପିଛା କେନ୍ଦ୍ରର ଭାଗ ୩୩ ଟଙ୍କା ଓ ରାଜ୍ୟର ୧୭ ଟଙ୍କା । ଡିଜେଲରେ କେନ୍ଦ୍ରର ୩୨ ଟଙ୍କା ଓ ରାଜ୍ୟର ୧୪ ଟଙ୍କା ଭାଗ । କେନ୍ଦ୍ର ହେଉଛି ବୋଝ, ରାଜ୍ୟ ଲଳିତା ବିଡା । ଏହା ଦ୍ୱାରା ଦରଦାମ୍ ବଢ଼ିବ । ଗ୍ରାହକ ଆହୁରି ହଇରାଣ ହେବେ । ଲୋକଙ୍କ ପାଖରେ ଟଙ୍କା ପଇସା ନାହିଁ । କେନ୍ଦ୍ର ଓ ରାଜ୍ୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ନା ଆର୍ଥିକ ଦଣ୍ଡ ଦେଉଛନ୍ତି?’’ ସେ ପଚାରିଛନ୍ତି ।

ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧିକୁ ନେଇ ଟ୍ୱିଟରରେ ରାଜନୈତିକ ଝଗଡ଼ା
ବିରୋଧୀଙ୍କ ଆରୋପ ଉପରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖି କହିଛନ୍ତି: ‘‘ବର୍ତ୍ତମାନ କରୋନା ସ୍ଥିତିରେ ଯାହା ଦରକାର କରାଯାଇଛି । କାହାକୁ ବାଧୁ ସେକେଥା ନୁହେଁ, ଯାହା ଦରକାର ତାହା ହୋଇଛି । ମଝିରେ ଦର ତ କମିଯାଇଥିଲା । ଦର ଯାହା ଥିଲା ତା ଠୁ ଅଧିକା ହୋଇନି । କେବଳ ସମାଲୋଚନା କଲେ ହେବନି । ଆର୍ଥିକ ସ୍ଥିତି କୁ ବି ବୁଝି ବାକୁ ହେବ ।’’
ସେପଟେ ଉତ୍କଳ ପେଟ୍ରୋଲିୟମ ଡିଲର ସଙ୍ଘର ସଭାପତି ସଞ୍ଜୟ ଲାଠ କହିଛନ୍ତି: ‘‘ପେଟ୍ରୋଲ ଓ ଡିଜେଲ ଦରରେ ଭ୍ୟାଟ ବୃଦ୍ଧିର ବିଶେଷ ପ୍ରଭାବ ପଡ଼ିବ ନାହିଁ । କାରଣ ଡିଜେଲ ତୁଳନାରେ ପେଟ୍ରୋଲ ଦର ଅଧିକ ବଢିଛି । ଡିଜେଲ ଉପରେ ମାତ୍ର ଏକ ଟଙ୍କା ବୃଦ୍ଧି ହୋଇଛି । ଏହା ପୂର୍ବରୁ କେନ୍ଦ୍ର ସେସ ଓ ଏକ୍ସାଇଜ ଶୁଳ୍କ ବୃଦ୍ଧି କରିସାରିଛି । ଅନେକ ରାଜ୍ୟମାନେ ନିଜ ନିଜ ଭ୍ୟାଟ ମଧ୍ୟ ବୃଦ୍ଧି କରିଛନ୍ତି । ତେବେ ଏହା ମୋ’ ମତରେ ଅସ୍ଥାୟୀ ମୂଲ୍ୟବୃଦ୍ଧି । ଯେତେବେଳେ ପେଟ୍ରୋଲ ଓ ଡିଜେଲ ବିକ୍ରି ସ୍ୱାଭାବିକ ହୋଇଯିବ, ଉଭୟ କେନ୍ଦ୍ର ଓ ରାଜ୍ୟ ସେମାନଙ୍କର ଏକସାଇଜ ଓ ଭ୍ୟାଟ ଦର କମେଇବେ ।’’
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସମନ୍ତସିଂହର ଟ୍ୱିଟ ଜରିଆରେ କଡ଼ା ସମାଲୋଚନା କରି ନବୀନ ସରକାରକୁ ‘‘ଅମାନୁଷିକ’’ ବୋଲି କହିଛନ୍ତି । ଲେଖାଶ୍ରୀଙ୍କ ଟ୍ୱିଟର ଜବରଦସ୍ତ ଉତ୍ତର ଦେଇଛନ୍ତି ଅବସରପ୍ରାପ୍ତ ପ୍ରଶାସକ ଦେବ ପ୍ରସାଦ ଦାସ । ‘‘କୁମ୍ଭୀର କାନ୍ଦଣା କାହିଁକି? ଆପଣ ବୁଦ୍ଧି, ବିବେକ ଓ ଆତ୍ମାକୁ ବିକ୍ରି କରିଦେଇଥିବା ଗୋଡ଼ାଣିଆ ଦଳ । ପ୍ରତିବାଦ କଣ, ଭୁତେଇବା ପାଇଁ ଲୋକଙ୍କୁ ଆପଣ ଧୋକା ଦେଇଛନ୍ତି । ପ୍ରଥମେ ନିଜକୁ ସୁଧାରନ୍ତୁ,’’ ଲେଖିଛନ୍ତି ଦାସ ।
ଏହା ବି ପଢ଼ନ୍ତୁ: ମେ ୩୧ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍; ଏହି ସବୁ କାମ କରିବାକୁ ଅନୁମତି ଅଛିଏହା ବି ପଢ଼ନ୍ତୁ: ସାମୁଦ୍ରିକ ଝଡ଼ର ରୂପ ନେଲା ବାତ୍ୟା ଅମ୍ଫନ; ପଶ୍ଚିମ ବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେଏହା ବି ପଢ଼ନ୍ତୁ: ଏମିତି ବି ହୋଇପାରେ: କରୋନା ବିଶ୍ୱକୁ କେବେ ବି ଛାଡ଼ି ଯାଇ ନ ପାରେ, କହିଲେ WHO ଅଧିକାରୀଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳିନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।