ତେଲଙ୍ଗାନାରେ ମୃତ୍ୟୁ ପରେ ଜଣା ପଡ଼ିଲା କରୋନା ସଂକ୍ରମଣ; ଦେଶରେ ମୃତ୍ୟୁ ସଂଖ୍ୟା ୨୦ ହେଲା

ମୃତ ବ୍ୟକ୍ତି ଜଣକ କିଛି ଦିନ ତଳେ ଦିଲ୍ଲୀ ଯାଇ ଫେରିଥିଲେ । ତାଙ୍କର ବିଦେଶ ଯାତ୍ରାର କୌଣସି ଇତିହାସ ନାହିଁ । ଦିଲ୍ଲୀରୁ ଫେରିବା ପରେ ସେ ନ୍ୟୁମୋନିଆରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ତେଲଙ୍ଗାନାରେ ମୃତ୍ୟୁ ପରେ ଜଣା ପଡ଼ିଲା କରୋନା ସଂକ୍ରମଣ; ଦେଶରେ ମୃତ୍ୟୁ ସଂଖ୍ୟା ୨୦ ହେଲା
ହାଇଦ୍ରାବାଦରେ ଏକ ହସପିଟାଲର ଆଇସୋଲେସନ୍ ୱାର୍ଡ଼ରେ ଜଣେ ଡାକ୍ତର
  • News18 Odia
  • Last Updated: March 28, 2020, 10:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ହାଇଦ୍ରାବାଦର ଜଣେ ୭୪ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରୀକ୍ଷାରୁ ସେ କରୋନା ଭାଇରସ୍ ପଜିଟିଭ୍ ଥିବା ଜଣାପଡ଼ିଛି । ଏହା ତେଲେଙ୍ଗାନାରେ ଏହି ଭୂତାଣୁ ଦ୍ୱାରା ହୋଇଥିବା ପ୍ରଥମ ମୃତ୍ୟୁ ​​ବୋଲି ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଏହି ମୃତ୍ୟୁ ସହ ଦେଶରେ କରୋନା ଭାଇରସ୍‌ କାରଣରୁ ହୋଇଥିବା ମୃତ୍ୟୁ ସଂଖ୍ୟା ବଢ଼ି ୨୦ ହୋଇଛି ।

ମୃତ ବ୍ୟକ୍ତି ଜଣକ କିଛି ଦିନ ତଳେ ଦିଲ୍ଲୀ ଯାଇ ଫେରିଥିଲେ । ତାଙ୍କର ବିଦେଶ ଯାତ୍ରାର କୌଣସି ଇତିହାସ ନାହିଁ । ଦିଲ୍ଲୀରୁ ଫେରିବା ପରେ ସେ ନ୍ୟୁମୋନିଆରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ଶନିବାର ଦିନ ତେଲେଙ୍ଗାନାରେ ଛଅଟି ନୂଆ ପଜିଟିଭ୍‌ ମାମଲା ରେକର୍ଡ କରାଯାଇଛି । ଏଥି ସହିତ ସମୁଦାୟ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୬୫କୁ ବୃଦ୍ଧି ପାଇଛି । ସେଥି ମଧ୍ୟରୁ ହାଇଦ୍ରାବାଦ ସହରର ପୁରୁଣା ଅଞ୍ଚଳରେ ରହୁଥିବା ଗୋଟିଏ ପରିବାରର ଛଅ ଜଣ ଅଛନ୍ତି। ସେମାନେ ସମସ୍ତେ ପୂର୍ବରୁ ଦିଲ୍ଲୀ ଯାଇ ଫେିରିଥିବା ଓ ପଜିଟିଭ୍ ପରୀକ୍ଷିତ ହୋଇଥିବା ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଥିଲେ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଭାରତରେ କରୋନା ଭାଇରସରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୯୧୮ ହେଲାଣି । ଯଦିଓ ବିନା ବିଦେଶ ବା ଦେଶ ଭିତରେ ଭ୍ରମଣର ଇତିହାସ ନ ଥିବା କେତେକ ଲୋକଙ୍କର କରୋନା ଭାଇରସ୍‌ କାରଣରୁ ମୃତ୍ୟୁ ହୋଇଥିବା ସାମନାକୁ ଆସିଛି, ସରକାର କହିଛନ୍ତି ଯେ ଦେଶରେ ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ (community transmission) ଆରମ୍ଭ ହୋଇନାହିଁ ।

ଉଭୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ICMR) ଦେଶରେ କରୋନା ଭାଇରସ ପାଇଁ ହେଉଥିବା ପରୀକ୍ଷାର ହାର ବହୁତ କମ୍‌ ଥିବା କାରଣରୁ ହେଉଥିବା ସମାଲୋଚନାକୁ ଆଡ଼େଇଯାଇ କହିଛନ୍ତି ଯେ ଭାରତରେ କୋଭିଡ-୧୯ ଦେଶରେ ପରୀକ୍ଷାର ସଂଖ୍ୟା ବଢ଼ିଛି ଓ ଯୁକ୍ତରାଷ୍ଟ୍ର ଆମେରିକାରୁ ପାଞ୍ଚ ଲକ୍ଷ ନୂଆ ଟେଷ୍ଟ୍‌ କିଟ୍‌ ଆସିଛି ।

ଦିଲ୍ଲୀରେ ଶନିବାର ଦିନ ଗୃହ ମନ୍ତ୍ରୀ ଅମିତ ଶାହା କରୋନା ଭାଇରସ୍‌ ଉପରେ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରୁଛନ୍ତି ।


କେରଳ ମଧ୍ୟ ଆଜି (ଶନିବାର) କରୋନା ଭାଇରସରେ ପ୍ରଥମ ମୃତ୍ୟୁ ରେକର୍ଡ କରିଛି । ଦୁବାଇରୁ ଫେରିଥିବା ଓ ନିମୋନିଆର ଲକ୍ଷଣ ଯୋଗୁଁ କଲାମାସେରି ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ଜଣେ ୬୯ ବର୍ଷ ବୟସ୍କ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି । ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ଓ ତାଙ୍କୁ ବିମାନ ବନ୍ଦରରୁ ଘରକୁ ନେଇ ଯାଇଥିବା କ୍ୟାବ୍‌ ଡ୍ରାଇଭର ମଧ୍ୟ ସଂକ୍ରମିତ ହୋଇଛନ୍ତି ଓ ଉକ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ମହାରାଷ୍ଟ୍ର ଓ ଗୁଜୁରାଟରେ ମଧ୍ୟ ସଂକ୍ରମଣରେ ବୃଦ୍ଧି ଘଟିଛି । କରୋନା ଭାଇରସ୍‌ ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ୨୧ ଦିନିଆ ଲକଡାଉନ୍‌ ସତ୍ତ୍ୱେ ଏହି ବୃଦ୍ଧି ଘଟିଛି । କରୋନା ଭାଇରସକୁ ନେଇ ଉପୁଜିଥିବା ରାଷ୍ଟ୍ରୀୟ ସଙ୍କଟର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମାର୍ଚ୍ଚ ୨୬ରେ ଘୋଷଣା କରିଥିବା ଏହି ପ୍ୟାକେଜ୍‌ ଦ୍ୱାରା ସ୍ବାସ୍ଥ୍ୟ ସେବା ସହ ସଂପୃକ୍ତ ଡାକ୍ତର, ନର୍ସ ଓ ଆଶାକର୍ମୀଙ୍କ ଠାରୁ ଆରମ୍ଭ କରି ଗରିବ, ଖଟିଖିଆ, ବୃଦ୍ଧ, ବିଧବା, ଦିବ୍ୟାଙ୍ଗ, ୧୫ ହଜାର ଟଙ୍କାରୁ କମ୍‌ ବେତନ ପାଉଥିବା କର୍ମଚାରୀ ଓ ସ୍ବୟଂ ସହାୟକ ଗୋଷ୍ଠୀ ସମସ୍ତେ ଉପକୃତ ହେବେ ।

ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଲକ୍ଷରୁ ଅଧିକ କରୋନା ଭାଇରସରେ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସ ସଂକ୍ରମଣ ଦ୍ୱାରା ପଙ୍ଗୁ ହେବାକୁ ଯାଉଥିବା ଦେଶର ଅର୍ଥନୀତିକୁ ଉଦ୍ଧାର କରିବା ପାଇଁ ୨ ଟ୍ରିଲିୟନ ଡଲାରର ଏକ ଉଦ୍ଧାର ଯୋଜନାରେ ହସ୍ତାକ୍ଷର କରିଛନ୍ତି ।
First published: March 28, 2020, 10:13 PM IST
corona virus btn
corona virus btn
Loading