News18 Odia Digital
#ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଶୁକ୍ରବାର ଦିନ ଏହାର ଡିଜିଟାଲ୍ ୟୁନିଟର ୨.୩୨ ପ୍ରତିଶତ ଅଂଶଧନକୁ ଆମେରିକାର ଘରୋଇ ଇକ୍ୱିଟି କମ୍ପାନୀ କେ.କେ.ଆର୍. (KKR)କୁ ୧୧,୩୬୭ କୋଟି ଟଙ୍କାରେ ବିକ୍ରି କରିଥିବା ଘୋଷଣା କରିଛି । ଗତ ଚାରି ସପ୍ତାହ ମଧ୍ୟରେ ଏହା ପଞ୍ଚମ ଡିଲ୍ ଯାହା ତୈଳ ଠାରୁ ଟେଲିକମ୍ ପର୍ଯ୍ୟନ୍ତ ବ୍ୟାପିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ମୋଟ ୭୮,୫୬୨.୧୩ କୋଟି ଟଙ୍କା ଆଣିଦେଇଛି । ଏହି ଅର୍ଥ ରିଲାଏନ୍ସକୁ ନିଜ ଋଣ ପରିଶୋଧ କରିବାରେ ସାହାଯ୍ୟ କରିବ ।
“ଏହି ଡିଲ୍ ଜିଓ ପ୍ଲାଟଫର୍ମଗୁଡିକର ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କାକୁ ଓ ଏହାର ଏଣ୍ଟରପ୍ରାଇଜ୍ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇଛି । ଏହା ଏସିଆରେ KKRର ସର୍ବ ବୃହତ ପୁଞ୍ଜି ବିନିଯୋଗ ଓ ଏହା ଜିଓ ପ୍ଲାଟଫର୍ମଗୁଡିକର ୨.୩୨ ପ୍ରତିଶତ ଇକ୍ୱିଟି ଅଂଶରେ ପ୍ରତିଫଳିତ ହେବ,’’ ରିଲାଏନ୍ସ ଏକ ବିବୃତ୍ତିରେ କହିଛି ।
ଏହି ଡିଲ୍ ପୂର୍ବରୁ ଏପ୍ରିଲ୍ ୨୨ରେ ଫେସବୁକ୍ ୪୩,୫୭୪ କୋଟି ଟଙ୍କାରେ ରିଲାଏନ୍ସରେ ୯.୯୯ ପ୍ରତିଶତ ଅଂଶଧନ କିଣିଥିଲା । ରିଲାଏନ୍ସ ଭାରତର ସର୍ବକନିଷ୍ଠ କିନ୍ତୁ ସର୍ବବୃହତ ଟେଲିକମ୍ କମ୍ପାନୀ । ସେହି ଚୁକ୍ତିର କିଛି ଦିନ ପରେ ବିଶ୍ୱର ସର୍ବବୃହତ ଟେକନୋଲୋଜି ନିବେଶକ ସିଲଭର ଲେକ୍ ଜିଓ ପ୍ଲାଟଫର୍ମରେ ୧.୧୫ ପ୍ରତିଶତ ୫,୬୬୫.୭୫ କୋଟି ଟଙ୍କାରେ କିଣିଥିଲା ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀ
ତା’ପରେ ମେ ୮ରେ ଆମେରିକାର ଭିଷ୍ଟା ଇକ୍ୱିଟି ପାର୍ଟନର୍ସ ଜିଓ ପ୍ଲାଟଫର୍ମରେ ୨.୩୨ ପ୍ରତିଶତ ଅଂଶଧନ ୧୧,୩୬୭ କୋଟି ଟଙ୍କାରେ କିଣିଥିଲା । ମେ ୧୭ରେ ଗ୍ଲୋବାଲ୍ ଇକ୍ୱିଟି ଫାର୍ମ ଜେନେରାଲ୍ ଆଟଲାଣ୍ଟିକ୍ ଜିଓ ପ୍ଲାଟଫର୍ମରେ ୧.୩୪ ପ୍ରତିଶତ ଅଂଶଧନ ୬,୫୯୮.୩୮ କୋଟି ଟଙ୍କାରେ କିଣିଥିଲା ।
‘‘ଗତ ମାସକ ମଧ୍ୟରେ ଫେସବୁକ୍, ସିଲଭର ଲେକ୍, ଭିଷ୍ଟା, ଜେନେରାଲ୍ ଆଟଲାଣ୍ଟିକ୍ ଓ କେ.କେ.ଆର୍. ଭଳି ଅଗ୍ରଣୀ ଟେକ୍ନୋଲୋଜି ନିବେଶକମାନେ ଜିଓ ପ୍ଲାଟଫର୍ମରେ ମୋଟ ୫,୭୮,୫୬୨ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ଘୋଷଣା କରିଛନ୍ତି,’’ ରିଲାଏନ୍ସ ଏକ ବିବୃତିରେ କହିଛି ।
ଜିଓ ପ୍ଲାଟଫର୍ମ ଲିମିଟେଡ୍ (Jio Platforms Limited, JPL) ଗୋଟିଏ ସଂସ୍ଥା ଅଧୀନରେ ଟେକ୍ନୋଲୋଜି ଏବଂ ପ୍ଲାଟଫର୍ମର ଏକ ଅନନ୍ୟ ସେଟ୍ ରଖିଥିବା କାରଣରୁ ବିଶ୍ୱର ବିଭିନ୍ନ ବୃହତ ନିବେଶକମାନେ ଏହି କମ୍ପାନୀର ଦୀର୍ଘକାଳୀନ ଅଂଶୀଦାର ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସର୍ବଭାରତୀୟ ସ୍ତରରେ ଅନ୍ୟ କୌଣସି ସ୍ଥାନରେ ଏହି ପରି ସମାନ ସୁଯୋଗ ଉପଲବ୍ଧ ନାହିଁ । ଏହି ନିବେଶଗୁଡ଼ିକ ଜିଓର ପରିଚାଳନାରେ ଗୁଣବତ୍ତାର ମଧ୍ୟ ଏକ ଅନୁମୋଦନ ।

ଜିଓ ପ୍ଲାଟଫର୍ମ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ଏକ ସହାୟକ କମ୍ପାନୀ ।
ବିଶ୍ୱର ଅଗ୍ରଣୀ ନିବେଶକମାନଙ୍କ ଦ୍ୱାରା ବିନିଯୋଗ Jio କୁ ନିଜ ଇକୋସିଷ୍ଟମକୁ ଆହୁରି ସୁଦୃଢ଼ କରିବା ପାଇଁ ସକ୍ଷମ କରେଇବ ଏବଂ ପରବର୍ତ୍ତୀ ପୀଢ଼ିର ସଫ୍ଟୱେର୍ ଉତ୍ପାଦ ଓ ପ୍ଲାଟଫର୍ମ କମ୍ପାନୀ ଭାବରେ ଏହି କମ୍ପାନୀକୁ ଉପସ୍ଥାପିତ କରିବ ବୋଲି କମ୍ପାନୀ କହିଛି ।
‘‘ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ କମ୍ପାନୀ ଜିଓ ପ୍ଲାଟଫର୍ମ ହେଉଛି ପରବର୍ତ୍ତୀ ପୀଢ଼ିର ଟେକ୍ନୋଲୋଜି ପ୍ଲାଟଫର୍ମ, ଯାହାକି ୩୮.୮ କୋଟିରୁ ଅଧିକ ଗ୍ରାହକଙ୍କ ସହିତ ସମଗ୍ର ଭାରତରେ ଉଚ୍ଚ ମାନର ତଥା ସୁଲଭ ମୂଲ୍ୟରେ ଡିଜିଟାଲ୍ ସେବା ଯୋଗାଇବା ଉପରେ ଧ୍ୟାନ ଦେଇଥାଏ,’’ ଏହି ବିବୃତ୍ତିରେ କମ୍ପାନୀ କହିଛି ।
୧୯୭୬ରେ ପ୍ରତିଷ୍ଠିତ KKRର ଅଗ୍ରଣୀ ବିଶ୍ୱସ୍ତରୀୟ ଉଦ୍ୟୋଗ ସଙ୍ଗଠନ ଓ ଟେକ୍ନୋଲୋଜି କ୍ଷେତ୍ରରେ ସଫଳତାର ସହ ବିନିଯୋଗ କରିବାର ଏକ ଦୀର୍ଘ ଇତିହାସ ରହିଛି । ଏହା ବି.ଏମ.ସି. ସଫ୍ଟୱେୟାର, ବାଇଟ୍ ଡାନ୍ସ ଏବଂ ଗୋଜେକ୍ ଆଦି କମ୍ପାନୀରେ ପ୍ରାଇଭେଟ୍ ଇକ୍ୱିଟି ଓ ଟେକ୍ନୋଲୋଜି ଅଭିବୃଦ୍ଧି ପାଣ୍ଠି ମାଧ୍ୟମରେ ନିବେଶ କରିଛି ।
ଆରମ୍ଭରୁ ଏହି ସଂସ୍ଥା ଟେକନୋଲୋଜି କମ୍ପାନୀଗୁଡ଼ିକରେ ୩୦ ବିଲିୟନ ଡ଼ଲାର୍ (ମୋଟ ଏଣ୍ଟରପ୍ରାଇଜ୍ ମୂଲ୍ୟ) ବିନିଯୋଗ କରିଛି ଏବଂ ଏହାର ଟେକ୍ନୋଲୋଜି ପୋର୍ଟଫୋଲିଓରେ ବର୍ତ୍ତମାନ ଟେକ୍ନୋଲୋଜି, ମିଡିଆ ଓ ଟେଲିକମ୍ ସେକ୍ଟରରେ ୨୦ରୁ ଅଧିକ କମ୍ପାନୀ ଅଛନ୍ତି । ଏହା ୨୦୦୬ ମସିହାରୁ ଭାରତରେ ପୁଞ୍ଜି ବିନିଯୋଗ କରିଆସୁଛି । କେକେଆର ପାଇଁ ଭାରତ ଏକ ପ୍ରମୁଖ ରଣନୀତିକ ବଜାର ।
“ବିଶ୍ୱର ଅନ୍ୟତମ ସମ୍ମାନିତ ଆର୍ଥିକ ନିବେଶକ କେ.କେ.ଆର୍.କୁ ଆମର ଡିଜିଟାଲ ଇକୋସିଷ୍ଟମର ଅଭିବୃଦ୍ଧି ତଥା ରୂପାନ୍ତର ପାଇଁ ଓ ସମସ୍ତ ଭାରତୀୟଙ୍କ ପାଇଁ ଆମର ଆଗାମୀ ପଦଯାତ୍ରାରେ ଏକ ମୂଲ୍ୟବାନ ଅଂଶୀଦାର ଭାବରେ ସ୍ୱାଗତ କରି ମୁଁ ଆନନ୍ଦିତ,’’ କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ।
କେ.କେ.ଆର୍. ପାଖରେ ଶିଳ୍ପରେ ଅଗ୍ରଣୀ ଫ୍ରାଞ୍ଚାଇଜମାନଙ୍କ ପାଇଁ ଏକ ମୂଲ୍ୟବାନ ଅଂଶୀଦାର ହେବାର ଏକ ପ୍ରମାଣିତ ଟ୍ରାକ୍ ରେକର୍ଡ ରହିଛି ଓ ବହୁ ବର୍ଷ ଧରି ଭାରତ ପାଇଁ ଏହା ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।
(
ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
ଏହା ବି ପଢ଼ନ୍ତୁ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରାଇଟସ୍ ଏଣ୍ଟାଇଟଲମେଣ୍ଟ ଶେଆର୍ ପ୍ରଥମ ଦିନ ଖୁବ୍ ବିକ୍ରି ହେଲାଏହା ବି ପଢ଼ନ୍ତୁ: ଜିଓରେ ଚତୁର୍ଥ ବଡ଼ ନିବେଶ; ଆମେରିକାର ଜେନେରାଲ ଆଟଲାଣ୍ଟିକ ₹୬,୬୦୦ କୋଟି ନିବେଶ କରିବଏହା ବି ପଢ଼ନ୍ତୁ: ରିଲାଏନ୍ସ Jio ଓ Facebook ମିଶି ଭାରତୀୟମାନଙ୍କୁ ନୂଆ ବ୍ୟବସାୟର ସୁଯୋଗ ଦେବେ: ଜୁକରବର୍ଗଏହା ବି ପଢ଼ନ୍ତୁ: ଫେସବୁକ୍ ଓ ସିଲଭର ଲେକର ଜିଓ ସହ ଚୁକ୍ତି ରିଲାଏନ୍ସ ବୃହତ ଯୋଜନାର ଅଂଶ: ଇରାନିଏହା ବି ପଢ଼ନ୍ତୁ: ରିଲାଏନ୍ସ ଜିଓର ୨.୩% ଅଂଶଧନ ଆମେରିକାର VEP ୧୧,୩୬୭ କୋଟି ଟଙ୍କାରେ କିଣିଲାନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।