News18 Odia Digital
କଟକ: କଟକରେ ହୁ ହୁ ହୋଇ ବଢିଚାଲିଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ମାଇକ୍ରୋ-କଣ୍ଟେନମେଣ୍ଟ ବ୍ୟବସ୍ଥା ଆରମ୍ଭ କରିଛି ସିଏମସି । ପୂରା ଅଞ୍ଚଳକୁ ସିଲ କରିବା ବଦଳରେ ଏବେ ସଂକ୍ରମଣର ଶିକାର ହୋଇଥିବା ନିର୍ଦ୍ଧିଷ୍ଟ ଘରଗୁଡ଼ିକୁ ସର୍ଭେଇଲାନ୍ସରେ ରଖାଯାଉଛି ।
କଟକ ସହରରେ ସଂକ୍ରମଣର ପ୍ରମୁଖ ଉତ୍ସ ପାଲଟିଛି ପୁରୁଣା ରାଉସାପଟଣା, ଖଟବିନ୍ ସାହି ଓ ଡଗରପଡ଼ା । ତେବେ ପୁରୁଣା ରାଉସାପାଟଣା ଓ ଖଟବିନ୍ ସାହି ଭଳି ଡଗରପଡ଼ାକୁ ସମ୍ପୂର୍ଣ୍ଣ ସିଲ କରିବା ପରିବର୍ତ୍ତେ ସଂକ୍ରମିତ ଚିହ୍ନଟ ହେଉଥିବା ଗୋଟିଏ ଖଞ୍ଚାକୁ ମାଇକ୍ରୋ-କଣ୍ଟେନମେଣ୍ଟ କରାଯାଇଛି । ଏହା ସହିତ ସେଠାରେ ଆଇସୋଲେସନରେ ରହୁଥିବା ସନ୍ଦିଗ୍ଧମାନଙ୍କୁ ସମସ୍ତ ପ୍ରକାରର ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଉଛି । ଏହି କାର୍ଯ୍ୟ ପାଇଁ ସ୍ଥାନୀୟ ସାହି କମିଟି ନିର୍ବାହ କରୁଛି ଏକ ଗୁରୁତ୍ବପୂର୍ଣ୍ଣ ଭୁମିକା ।
‘‘ଗଞ୍ଜାମରୁ ଆସିଥିବା ଜଣେ ଲୋକ ଯୋଗୁଁ ଏଠାକାର ଜଣେ ବାସିନ୍ଦାଙ୍କ ଘରେ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ପାଞ୍ଚ ଦିନ ଭିତରେ ୩୦ ଜଣ ପଜିଟିଭ ହେଲେଣି । କାଳେ ସାହି ଭିତରେ କରୋନା ବ୍ୟାପିବ ସେଥି ପାଇଁ ସେହି ଘରକୁ ମାଇକ୍ରୋ-କଣ୍ଟେନମେଣ୍ଟରେ ରଖାଯାଇଛି । ଆମେ ସେଠି ରହୁଥିବା ଲୋକଙ୍କ ଭଲ ମନ୍ଦ କଥା ବୁଝୁଛୁ । ତା’ ସାଙ୍ଗରେ ଯେମିତି ସଂକ୍ରମଣ ନ ବ୍ୟାପିବ ତା ଉପରେ ବି ନଜର ରଖିଛୁ,’’ କହିଛନ୍ତି ଚାନ୍ଦିନୀ ଚୌକ ପୂଜା କମିଟିର ସଭାପତି ପ୍ରତାପ ସିଂ ।

କଟକ ସହରର ସବୁ ପ୍ରବେଶ ପଥ ଓ ପ୍ରମୁଖ ଛକଗୁଡ଼ିକରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି ।
କେବଳ ଡଗରପଡ଼ା ନୁହେଁ, ବରଂ ଜଗତପୁରରେ ମଧ୍ୟ ଏହି ମାଇକ୍ରୋ-କଣ୍ଟେନମେଣ୍ଟ ବ୍ୟବସ୍ଥା ଲାଗୁ କରିଛି ସିଏମସି । ସେଠାରେ ମଧ୍ୟ ଗୋଟିଏ ଘରୁ ତିନି ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେହି ଘରକୁ ମାଇକ୍ରୋ-କଣ୍ଟେନମେଣ୍ଟରେ ରଖାଯାଇଛି । ସମ୍ପୃକ୍ତ ଘରେ ରହୁଥିବା ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି । ଏଣିକି ସ୍ଥିତିକୁ ଦେଖି ପୂରା ଅଞ୍ଚଳକୁ ସିଲ କରିବା ଅପେକ୍ଷା ସଂକ୍ରମଣର ଶିକାର ହୋଇଥିବା ଘରଗୁଡ଼ିକୁ ହିଁ ମାଇକ୍ରୋ କଣ୍ଟେନମେଣ୍ଟ ରଖାଯିବାକୁ ନିଷ୍ପତ୍ତି କରିଛି ସିଏମସି ।
‘‘ଯଦି କୌଣସି ଘରେ କେହି କରୋନା ପଜିଟିଭ ବାହାରିଲେ, ତାଙ୍କ ଘରଟା କ୍ବାରେଣ୍ଟିନ୍ରେ ରହିବ । ସେହି ଘରଟାକୁ ଆମେ ମାଇକ୍ରୋ-କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରୁଛୁ । ସେହି ଘରକୁ ବାହାର ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନକୁ ଅନୁମତି ଦିଆଯାଉ ନାହିଁ,’’ କହିଛନ୍ତି ସିଏମସି କମିଶରନର ଅନନ୍ୟା ଦାସ ।
ଏହା ବି ପଢ଼ନ୍ତୁ: କରୋନା କବଚ ବୀମା ପଲିସି ଖୁବ୍ ଲୋକପ୍ରିୟ ହେଉଛି; ଏଥିରୁ କ’ଣ ଓ କେମିତି ଲାଭ ମିଳୁଛି ଜାଣନ୍ତୁଏହା ବି ପଢ଼ନ୍ତୁ: ଭାରତରେ PUBG ସମେତ ଆହୁରି ୨୭୫ଟି ଚାଇନିଜ୍ ଆପ୍ ଖୁବ୍ ଜଲଦି ବ୍ୟାନ୍ ହୋଇପାରେଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେଆଜି ସୁଦ୍ଧା କଟକ ଜିଲ୍ଲାରେ ମୋଟ ୧,୮୮୫ ଜଣ ଆକ୍ରାନ୍ତ ହୋଇ ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ଏବେ ୧୧ ରେ ପହଞ୍ଚିଛି । ସହରରେ ବ୍ୟାପୁଥିବା ସଂକ୍ରମଣକୁ ଦେଖି ସହରର ସବୁ ପ୍ରବେଶ ପଥ ସହିତ ପ୍ରମୁଖ ଛକଗୁଡ଼ିକରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।