ଲକଡାଉନ ଭିତରେ ପୁରୀରେ ବେଧଡ଼କ ଚାଲିଛି ଆନ୍ତଃଜିଲ୍ଲା ଗଞ୍ଜେଇ ଚୋରା ଚାଲାଣ

ପୁରୀ ଜିଲ୍ଲାର ସବୁ ପ୍ରବେଶ ପଥ ସିଲ ଥିବା ସତ୍ତ୍ୱେ ୪୪ କିଲୋ ଗଞ୍ଜେଇ ଧରି ମଧ୍ୟ ପ୍ରଦେଶର ରେଜିଷ୍ଟ୍ରେସନ୍ ନମ୍ବର ଥିବା ଏକ କାର ସହର ଭିତରକୁ ପ୍ରବେଶ କରିଥିଲା । କାର୍ ଜବତ ହୋଇଛି ଓ ଡ୍ରାଇଭର୍ ଗିରଫ ହୋଇଛି ।

ଲକଡାଉନ ଭିତରେ ପୁରୀରେ ବେଧଡ଼କ ଚାଲିଛି ଆନ୍ତଃଜିଲ୍ଲା ଗଞ୍ଜେଇ ଚୋରା ଚାଲାଣ
ଜବତ ଗଞ୍ଜେଇ ଓ କାର୍ ସହିତ ଡ୍ରାଇଭର୍ ଦେବାଶିଷ ସ୍ୱାଇଁ
  • News18 Odia
  • Last Updated: April 30, 2020, 9:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କରୋନା ଭାଇରସ୍‌ ଯୋଗୁଁ ଜାରିଥିବା ଲକଡାଉନକୁ ନେଇ ବନ୍ଦ ରହିଛି ଗାଡ଼ି ମଟର ଚଳାଚଳ, ହେଲେ ନିଶା ଦ୍ରବ୍ୟର ଚୋରା କାରବାରକୁ ଲକଡାଉନ ପ୍ରଭାବିତ କରିପାରିନି । ଅବକାରୀ ବିଭାଗ ପୁରୀ ସଦର ଥାନା ଅଞ୍ଚଳର ବାଲିପୁଟ ନିକଟ ଷଣ୍ଢ ବଜାରରେ ରେଡ୍‌ କରି ଗୋଟିଏ କାର ସହ ୪୪ କିଲୋ ଗଞ୍ଜେଇ ଜବତ କରିଛି  । ଏଥି ସହ ଆନ୍ତଃଜିଲ୍ଲା ଗଞ୍ଜେଇ କାରବାର ପର୍ଦ୍ଦାଫାଶ ହୋଇଛି ।

ଗଞ୍ଜେଇ ଜବତ ହୋଇଥିବା କାରଟିରେ ମଧ୍ୟ ପ୍ରଦେଶର ରେଜିଷ୍ଟ୍ରେସନ୍‌ ନମ୍ବର ଅଛି । ସେଥିରେ ୧ କେଜି ଲେଖାଏଁ ଗଞ୍ଜେଇ ଥିବା ୪୪ଟି ପ୍ୟାକେଟ ବୌଦ୍ଧରୁ ଆସିଥିଲା । କିଙ୍ଗ ପିନ କିଏ ତାହାକୁ ନେଇ ଚାଲିଛି ଅବକାରୀ ବିଭାଗର ଖୋଳତାଡ଼ ।

କରୋନା ଲକଡାଉନକୁ ନେଇ ପୁରୀ ଜିଲ୍ଲାର ସବୁ ପ୍ରବେଶ ପଥ ସିଲ ଥିବା ବେଳେ ମଙ୍ଗଳବାର (ଏପ୍ରିଲ୍‌ ୨୮)ରେ ଅବକାରୀ ବିଭାଗକୁ ଖବର ଆସିଥିଲା ଯେ ଏକ କାର ପୁରୀ ସଦର ଅଞ୍ଚଳ ପଟୁ ଆସୁଛି । ସେହି ଗାଡିଟି ରାତି ଅଧରେ ନିମାପଡାରୁ ବାହାରିଥିବା ଖବର ମିଳିଥିଲା । ସେ ନେଇ ପୁରୀ ଅବକାରୀ ବିଭାଗର ଆଠ ଜଣିଆ ସ୍କ୍ୱାର୍ଡକୁ ରାତିରେ ପ୍ରସ୍ତୁତ କରି ରଖାଯାଇଥିଲା ।

‘‘ଆମ ଟିମ୍‌ ପୁରୀ ସଦର ଥାନା ଅଧୀନ ବାଲିପୁଟ ଗ୍ରାମ ନିକଟ ଷଣ୍ଢ ବଜାରରେ ଛକିକି ରହିଲା । ଭୋର ୫ଟା ବେଳେ ଏକ ଧଳା ରଙ୍ଗର MP 04CB 6501 ନମ୍ବର ଇଣ୍ଡିଗୋ ସିଏସ ମଡେଲ କାର ଦୃତ ଗତିରେ ଆସିଲା । ତାହା ପୁରୀ ସହର ଆଡକୁ ଆସୁଥିବା ଦେଖି ଅବକାରୀ ସ୍କ୍ୱାର୍ଡ ତାକୁ ଅଟକାଇବା ପାଇଁ ଘେରିଯାଇଥିଲା । ସେ ବି ଖସି ପଳାଇବାକୁ ଉଦ୍ୟମ କରିଥିଲା । ହେଲେ ରାସ୍ତା ତଳକୁ ଖସିଯିବାରୁ ଆମ ଟିମ୍‌ ତାକୁ ମାଡିବସିଲା । ଆମେ ଡ୍ରାଇଭରକୁ ଧରିପକାଇଲୁ । ସେଥିରୁ ୪୪ କେଜି ଗଞ୍ଜେଇ ଜବତ କରାଯାଇଥିଲା ଓ ଡ୍ରାଇଭରକୁ ଗିରଫ କରାଯାଇଥିଲା,’’ କହିଛନ୍ତି ଅବକାରୀ ସ୍କ୍ୱାର୍ଡର ମୁଖ୍ୟ ତଥା ପୁରୀ ଅବକାରୀ ଥାନାର ଇନସ୍ପେକ୍ଟର ବିକାଶ ନାୟକ ।

ଅବକାରୀ ଥାନାର ଅଧିକାରୀମାନେ ତଦନ୍ତ ଚଳାଇଛନ୍ତି ।


ଲକଡାଉନ ଥିବା ବେଳେ କାରଟି ଏତେ ବାଟ ଆସିଲା କେମିତି ତାହା ସବୁଠୁ ଆଶ୍ଚର୍ଯ୍ୟଜନକ  । ତେବେ ତଦନ୍ତ ପରେ ଜଣାପଡିଛି ଯେ କାରଟି ହେଉଛି ମଧ୍ୟ ପ୍ରଦେଶର ଓ ଗିରଫ ହୋଇଥିବା କାର ନିମାପଡା ଥାନା ନଅନ୍ତରା ଗ୍ରାମର ୩୦ ବର୍ଷୀୟ ଦେବାଶିଷ ସ୍ୱାଇଁ । ବୌଦ୍ଧ ଜିଲ୍ଲାରୁ ଆସିଥିଲା ଗଞ୍ଜେଇ ।

‘‘ଗଞ୍ଜେଇକୁ ଏକ କେଜି ଲେଖାଏଁ ପ୍ୟାକେଟ କରାଯାଇ କାରର ସିଟ ତଳେ ଓ ବନେଟ ତଳେ ଆଦି ରଖାଯାଇଥିଲା । ନିମାପଡାର ଯୁବକ ଦେବାଶିଷ ସ୍ୱାଇଁ ନିଜେ କାର ଚାଳକ ସହ ଗଞ୍ଜେଇ ବେପାର ମଧ୍ୟ କରୁଛି । ପୁରୀରେ ସେ କାହାକୁ ଡେଲିଭରି ଦେଇଥାନ୍ତା ସେ ବିଷୟରେ ତଦନ୍ତ ଚାଲିଛି । ଏହାର କିଙ୍ଗପିନ କିଏ ତାହା ଉପରେ ମଧ୍ୟ ଖୋଳତାଡ ଚାଲିଛି,’’ କହିଛନ୍ତି ପୁରୀ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନା ।

ଜବତ ହୋଇଥିବା କାରଟି ମଧ୍ୟ ପ୍ରଦେଶର ହୋଇଥିବା ଯୋଗୁଁ ଏହି ମାମଲା ଏକ ଆନ୍ତଃରାଜ୍ୟ କାରବାରର ଅଂଶ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ଆଇନଜୀବୀ ତଥା ମାନବାଧିକାର କର୍ମୀ ପ୍ରସନ୍ନ ଦାସ । ‘‘ଏହି କାରଟି କାହାର ଓ କିଭଳି ତାହା ଓଡିଶାରେ ରହି ଗଞ୍ଜେଇ କାରବାରରେ ବ୍ୟବହୃତ ହେଉଛି ତାହାର ତଦନ୍ତ ହେବା ଉଚିତ । ଏହା ଭିତରେ କିଛି ଅନ୍ତଃରାଜ୍ୟ କାରବାର ରହିଛି । ଗଞ୍ଜେଇ ବୌଦ୍ଧରୁ ଆସିଥିବା ଅବକାରୀ ବିଭାଗ କହୁଥିବା ବେଳେ କେଉଁ ବାଟ ଦେଇ କାରଟି ଷଣ୍ଢ ବଜାର ପାଖେ ପହଞ୍ଚିଲା? ପୁରୀ ଜିଲାର ସବୁ ବର୍ଡର ତ ସିଲ ରହିଛି । ତେଣୁ କାର ଚାଳକ ବେପାରୀ କି ଏହା ପଛରେ ଥିବା କିଙ୍ଗପିନମାନେ କିଏ ସେ ନେଇ ତଦନ୍ତ ହେବା ଦରକାର,’’ କହିଛନ୍ତି  ଦାସ ।
First published: April 30, 2020, 9:13 PM IST
corona virus btn
corona virus btn
Loading