ଅଙ୍ଗନବାଡ଼ି, ଆଶା କର୍ମୀଙ୍କର କାମରେ ମୃତ୍ୟୁ ହେଲେ ପରିବାରକୁ ୬୦ ବର୍ଷ ଯାଏଁ ମିଳିବ ସହାୟତା

କର୍ମକ୍ଷେତ୍ରରେ ଯଦି କେହି ଅଙ୍ଗନବାଡ଼ି ବା ଆଶା କର୍ମୀଙ୍କ ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରକୁ ମାସିକ ଯଥା କ୍ରମେ ₹୭,୫୦୦ ଓ ₹୫,୦୦୦ ଲେଖାଏଁ ୬୦ ବର୍ଷ ପର୍ଯ୍ୟନ୍ତ ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଅଙ୍ଗନବାଡ଼ି, ଆଶା କର୍ମୀଙ୍କର କାମରେ ମୃତ୍ୟୁ ହେଲେ ପରିବାରକୁ ୬୦ ବର୍ଷ ଯାଏଁ ମିଳିବ ସହାୟତା
ଆଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ କରୋନା ମୁକାବିଲାରେ ଆଗ ଧାଡ଼ିର ଯୋଦ୍ଧାଭାବେ ଗଣନା କରାଯାଉଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପରାମର୍ଶକୁ ଆଧାର କରି ସରକାର ଆଜି ଏହି ବଡ ଘୋଷଣା କରିଛନ୍ତି । ଆଗ ଧାଡ଼ିର ଯୋଦ୍ଧାଭାବେ ଗଣନା କରାଯାଉଥିବା ଆଙ୍ଗନବାଡ଼ି କର୍ମୀଙ୍କ କର୍ମକ୍ଷେତ୍ରରେ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ମାସିକ ୭,୫୦୦ ଟଙ୍କା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମୃତ୍ୟୁ ପରେ ତାଙ୍କ ସ୍ୱାମୀ କିମ୍ବା ନିକଟତମ ସମ୍ପର୍କୀୟଙ୍କୁ ଏହି ରାଶି ପ୍ରଦାନ କରାଯିବ।

ମୃତକଙ୍କୁ ୬୦ ବର୍ଷ ହେବା ପର୍ଯ୍ୟନ୍ତ ଏହି ଅର୍ଥ ରାଶି ପ୍ରଦାନ କରାଯିବ। ଆଶା କର୍ମୀଙ୍କର କର୍ମ କ୍ଷେତ୍ରରେ ମୃତ୍ୟୁ ଘଟିଲେ ତାଙ୍କ ସ୍ୱାମୀ କିମ୍ବା ନିକଟତମ ସମ୍ପର୍କୀୟଙ୍କୁ ମାସିକ ୫,୦୦୦ ଟଙ୍କା ପ୍ରଦାନ କରାଯିବ। ଏହା ମଧ୍ୟ ମୃତକଙ୍କୁ ୬୦ ବର୍ଷ ହେବା ପର୍ଯ୍ୟନ୍ତ ପ୍ରଦାନ କରାଯିବ। ଏ ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ମହିଳା ଓ ଶିଶୁ ବିକାଶ ଏବଂ ସ୍ୱାସ୍ଥ୍ୟ ବିଭାଗ ସହିତ ବିସ୍ତୃତ ଭାବେ ଆଲୋଚନା କରିବା ପରେ ଅର୍ଥ ବିଭାଗ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିବ ବୋଲି କୁହାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ


‘‘କରୋନା ମହାମାରୀ ଆଜି ସାରା ବିଶ୍ୱରେ ଅଭୂତପୂର୍ବ ପରିସ୍ଥିତି ସୃଷ୍ଟି କରିଛି। ସଂକ୍ରମଣ ରୋକିବାକୁ ସରକାର ବିଭିନ୍ନ ପ୍ରତିଷେଧକମୂଳକ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଖୋଲିବା ସହ ଅସ୍ଥାୟୀ ମେଡିକାଲ ସେଣ୍ଟର ଓ କୋଭିଡ କେୟାର ସେଣ୍ଟର୍‌ ଖୋଲି ରୋଗୀମାନଙ୍କୁ ସେବା ଯୋଗାଉଛନ୍ତି। ଏହା ସହିତ ଟେଷ୍ଟିଂ ଓ ଟ୍ରେସିଂ ବି ଜାରି ରହିଛି। ଏହି ସବୁ କାମରେ ଯେଉଁମାନେ ଆଗଧାଡ଼ିରେ ରହି ସେବା ଯୋଗାଉଛନ୍ତି ସେହି କୋଭିଡ ଯୋଦ୍ଧାମାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଆଶା ଓ ଅଙ୍ଗନବାଡ଼ି ଭଉଣୀମାନେ। ବାସ୍ତବିକ ସେମାନଙ୍କ ମାନବିକତା, ତ୍ୟାଗ ଓ ନିଷ୍ଠାର ତୁଳନା ନାହିଁ । ଯେଉଁଭଳି ପରିସ୍ଥିତିରେ ସେମାନେ ଦାୟିତ୍ୱ ତୁଲାଉଛନ୍ତି ତାହା ସମସ୍ତଙ୍କ ପାଇଁ ପ୍ରେରଣା । ମୁଖ୍ୟ ମନ୍ତ୍ରୀ ଏହି ଯୋଦ୍ଧା ମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିବା ସହ ଟେଲିଫୋନ ରେ ସେମାନଙ୍କ ସମସ୍ୟା ବୁଝୁଛନ୍ତି । ସେମାନଙ୍କ ପରାମର୍ଶକୁ ଭିତ୍ତିକରି ମୁଖ୍ୟ ମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି,’’ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।

ବର୍ତ୍ତମାନ ରାଜ୍ୟରେ ଡୋର ଟୁ ଡୋର ସର୍ଭେ ଜାରି ରହିଥିବା ବେଳେ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଉପରେ ନ୍ୟସ୍ତ ରହିଛି ଏହି ଗୁରୁଦାୟିତ୍ୱ। ଏମାନେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସରକାରଙ୍କୁ ରିପୋର୍ଟ ପ୍ରଦାନ କରୁଛନ୍ତି। ନିଜ ଜୀବନକୁ ବାଜିରେ ଲଗାଇ ଏପରି ସ୍ଥିତିରେ କାର୍ଯ୍ୟ କରୁଥିବାରୁ ମୁଖ୍ୟ ମନ୍ତ୍ରୀ ମଧ୍ୟ ସେମାନଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ଏପରିକି ଯଦି କୌଣସି ପରିସ୍ଥିତିରେ ସେମାନେ କୋଭିଡରେ ଆକ୍ରାନ୍ତ ହୁଅନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଭାବେ ଦୃଷ୍ଟି ଦେବାକୁ ମୁଖ୍ୟ ମନ୍ତ୍ରୀ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ବି ପଢ଼ନ୍ତୁ: ଜଲଦି ଆସିବ କରୋନା ଭ୍ୟାକ୍ସିନ; ରୁଷିଆରେ ବିଶ୍ୱର ପ୍ରଥମ କରୋନା ଟିକାର କ୍ଲିନିକାଲ୍ ପରୀକ୍ଷା ଶେଷ ହେଲା

ଏହା ବି ପଢ଼ନ୍ତୁ: ‘‘ମୋ’ ଧନ ଆଉ ନାହିଁ, ମୁଁ ତାଙ୍କ ସାଙ୍ଗରେ ଯାଉଛି’’: ଜଗତସିଂହପୁର କରୋନା ୱାର୍ଡ଼ରେ ପତ୍ନୀର ଶେଷ କଥା

ପୂର୍ବରୁ ସବୁ ଆଗଧାଡ଼ିର ଯୋଦ୍ଧାଙ୍କ ପରି କୋଭିଡରେ ପ୍ରାଣ ହରାଇଲେ ଅନୁକମ୍ପା ଭାବେ ୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ମୁଖ୍ୟ ମନ୍ତ୍ରୀ ଘୋଷଣା କରିସାରିଛନ୍ତି । ଏବେର ଘୋଷଣା ନିଶ୍ଚିତ ଭାବେ ସେମାନଙ୍କ ମନୋବଳ ବଢାଇବ ବୋଲି ଆଶା କରାଯାଉଛି ।
Published by: Anand Shankar Thankur Das
First published: July 18, 2020, 1:26 AM IST
corona virus btn
corona virus btn
Loading