ପୁରୀରେ କରୋନା ଭୟ ବଢ଼ିଲା; ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ଶବ ହେଲା ସୁପର୍‌ସ୍ପ୍ରେଡର୍‌

ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ଅବହେଳା ଯୋଗୁଁ ୩ ଦିନ ଧରି ଜଣେ କରୋନା ପଜିଟିଭ ରୋଗୀଙ୍କ ସହ ମିଶୁଥିଲେ ଶତାଧିକ ଲୋକ । ତାଙ୍କ ଶବ ଶୋଭାଯାତ୍ରାରେ ସାମିଲ୍ ହୋଇ ଏବେ ଚିନ୍ତାରେ ଅଛନ୍ତି ଅନେକ ସମ୍ପର୍କୀୟ ଓ ସାହି ବାସିନ୍ଦା ।

ପୁରୀରେ କରୋନା ଭୟ ବଢ଼ିଲା; ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ଶବ ହେଲା ସୁପର୍‌ସ୍ପ୍ରେଡର୍‌
ସ୍ୱର୍ଗଦ୍ୱାରରୁ ଫେରାଇ ଦିଆଯାଇଥିଲା ହୋମିଓପ୍ୟାଥି ଡାକ୍ତର ପ୍ରଫୁଲ ପୃଷ୍ଟିଙ୍କ ଶବକୁ ।
  • News18 Odia
  • Last Updated: September 21, 2020, 5:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କରୋନା ପରୀକ୍ଷା ପାଇଁ ଜଣେ ୭୭ ବର୍ଷୀୟ ବ୍ୟକ୍ତିଙ୍କ ସ୍ୱାବ୍‌ ସଂଗ୍ରହ ହେବାର ଦୁଇ ଦିନ ପରେ ବି ରିପୋର୍ଟ ଆସି ନ ଥିଲା । ତାଙ୍କ ମୃତ୍ୟୁ ହେବା ପରେ ମୃତ ଦେହକୁ ପରିଜନ ଏକ ଶୋଭାଯାତ୍ରାରେ ପୁରୀ ସ୍ୱର୍ଗଦ୍ୱାରକୁ ନେଇଥିଲେ ସତ୍କାର ପାଇଁ । ସେତିକି ବେଳେ ତାଙ୍କ କରୋନା ପରୀକ୍ଷା ରିପୋର୍ଟ ଆସିଥିଲା ଓ ଜଣା ପଡ଼ିଥିଲା ଯେ ସେ କରୋନା ପଜିଟିଭ୍‌ ଥିଲେ । ତେଣୁ ତାଙ୍କ ଶବକୁ ମଙ୍ଗଳାଘାଟ ଅଞ୍ଚଳରେ କୋଭିଡ ମୃତକଙ୍କ ପାଇଁ ଥିବା ଶ୍ମଶାନ ଘାଟକୁ ନେଇ ସତ୍କାର କରାଯାଇଥିଲା ।

ଏବେ ସେହି ବ୍ୟକ୍ତିଙ୍କ ମୃତ୍ୟୁ ଖବର ପାଇ ତାଙ୍କ ଘରକୁ ଆସିଥିବା ଓ ତାଙ୍କ ଶବ ଶୋଭାଯାତ୍ରାରେ ସାମିଲ ଥିବା ଶତାଧିକ ଲୋକ କରୋନା ସଂକ୍ରମଣର ଭୟ ଭିତରେ କାଳ କାଟୁଛନ୍ତି । ଏହି ବ୍ୟକ୍ତି ସୁପରସ୍ପ୍ରେଡର୍‌ ହୋଇଥିବା ସନ୍ଦେହ କରାଯାଉଛି ।

ସିଦ୍ଧମହାବୀର ନୃସିଂହ ବଲ୍ଲଭ ପାଟଣା ନିବାସୀ ୭୭ ବର୍ଷୀୟ ହୋମିଓପ୍ୟାଥି ଡାକ୍ତର ପ୍ରଫୁଲ ପୃଷ୍ଟିଙ୍କର ସେପ୍ଟେମ୍ବର ୧୮ରେ ବଡଶଙ୍ଖ ସ୍କୁଲରେ ସ୍ୱାବ ସଂଗ୍ରହ ହୋଇଥିଲା  । ତା’ ଦୁଇ ଦିନ ପରେ ସେପ୍ଟେମ୍ବର ୨୦ରେ ସେ ମୃତ୍ୟୁ ବରଣ କଲେ । ହେଲେ ରପୋର୍ଟ ସେ ପର୍ଯ୍ୟନ୍ତ ଆସି ନ ଥିଲା । ପୌର ସଂସ୍ଥା ପକ୍ଷରୁ ଅନୁଧ୍ୟାନ ପରେ ସ୍ୱର୍ଗଦ୍ୱାରରେ ତାଙ୍କ ଶବ ସତ୍କାର ପୂର୍ବରୁ ଜଣାପଡ଼ିଥିଲା ଯେ ତାଙ୍କର ରିପୋର୍ଟ ପଜିଟିଭ ଥିଲା । ସେଇଥି ପାଇଁ ଏମିତି ମାରାତ୍ମକ ଅବ୍ୟବସ୍ଥା ହେଲା ବୋଲି କୁହାଯାଉଛି । ଏଥି ପାଇଁ ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି ଲୋକେ ।

ପ୍ରଫୁଲ୍ଲ ପୃଷ୍ଟି ଜଣେ ଡାକ କର୍ମଚାରୀ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ ଓ ଜଣେ ପ୍ରତିଷ୍ଠିତ ହୋମିଓପ୍ୟାଥି ଡାକ୍ତର ଥିଲେ । ତାଙ୍କୁ ଜ୍ୱର ଛାଡୁ ନ ଥିବାରୁ ସେପ୍ଟେମ୍ବର ୧୮ରେ ବଡ଼ଶଙ୍ଖ ସ୍କୁଲରେ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ଜ୍ୱର ନ କମିବାରୁ ସେହି ଦିନ ପୁରୀ ହସ୍ପିଟାଲ ନେଇ ଡାକ୍ତରଙ୍କୁ ଦେଖାଇବା ପରେ ସେ ମ୍ୟାଲେରିଆ କହି ମେଡିସିନ ଦେଇଥିଲେ ବୋଲି କହିଛନ୍ତି ତାଙ୍କ ୩୫ ବର୍ଷୀୟ ପୁତ୍ର ପ୍ରଶାନ୍ତ ପୃଷ୍ଟି ।

ପ୍ରଫୁଲ୍ଲ ପୃଷ୍ଟି ଡାକ କର୍ମଚାରୀ ଭାବେ ଅବସର ନେଇଥିଲେ ଓ ଜଣେ ପ୍ରତିଷ୍ଠିତ ହୋମିଓପ୍ୟାଥି ଡାକ୍ତର ଥିଲେ ।


‘‘ପୁଣି ତା’ ପର ଦିନ ଅର୍ଥାତ ସେପ୍ଟେମ୍ବର ୧୯ରେ ବାପାଙ୍କ ଜ୍ୱର ବଢିବାରୁ ତାଙ୍କୁ ହସ୍ପିଟାଲକୁ ନେଇଥିଲୁ । ସେ ପର୍ଯ୍ୟନ୍ତ ବି କୋଭିଡ୍‌ ରିପୋର୍ଟ ଆସି ନ ଥିଲା । ସେପ୍ଟେମ୍ବର ୨୦ରେ ବି ଡାକ୍ତର ସେହି ମ୍ୟାଲେରିଆ କଥା କହି ଘରକୁ ଫେରାଇଦେଇଥିଲେ, ହେଲେ ଘଣ୍ଟାକ ଭିତରେ ବାପାଙ୍କର ମୃତ୍ୟୁ ହୋଇଥିଲା । ବାପା ଜଣେ ପ୍ରତିଷ୍ଠିତ ଲୋକ ଥିବାରୁ ତାଙ୍କ ମୃତ୍ୟୁ ଖବର ଶୁଣି ସମବେଦନା ଜ୍ଞାପନ କରିବାକୁ ଘରେ ଶତାଧିକ ଲୋକଙ୍କ ଭିଡ ଜମିଥିଲା । ରବିବାର ଅପରାହ୍ଣରେ ଶବ ଶୋଭାଯାତ୍ରାରେ ବି ଶତାଧିକ ଲୋକ ସାମିଲ ହୋଇଥିଲେ,’’ କହିଛନ୍ତି ପ୍ରଶାନ୍ତ ।

ଅପରାହ୍ଣ ୧:୧୫ରେ ଶବ ପହଞ୍ଚିଥିଲା ସ୍ୱର୍ଗଦ୍ୱାରରେ । ଶବ ପୋଡିବାକୁ କ୍ଲିୟରାନ୍ସ ଆସି ନ ଥିଲା । ସନ୍ଧ୍ୟା ୫ଟାରେ ସ୍ୱର୍ଗଦ୍ୱାର ଅଫିସକୁ ମେସେଜ ଆସିଲା ଯେ ମୃତ ପ୍ରଫୁଲ ପୃଷ୍ଟିଙ୍କର କୋଭିଡ ରିପୋର୍ଟ ପଜିଟିଭ୍ ରହିଛି, ତେଣୁ ଶବକୁ ସ୍ୱର୍ଗଦ୍ୱାରରେ ଦାହ କରାଯାଇପାରିବ ନାହିଁ କି ଶବକୁ ସ୍ୱର୍ଗଦ୍ୱାରରେ ପୂରାଇ ଦିଆଯିବନି  ।

‘‘ଏ ନେଇ ପୌରସଂସ୍ଥାକୁ ଜଣାଇବା ପରେ ସେମାନେ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ପିପିଇ କିଟ ପରିଧାନ କରି ଶବକୁ ପ୍ୟାକିଂ କରିବା ପରେ ମଙ୍ଗଳାଘାଟ ପାଖରେ ଚିହ୍ନଟ ହୋଇଥିବା କୋଭିଡ ମୃତକଙ୍କ ଶ୍ମଶାନ ଘାଟକୁ ନେଇଥିଲେ । ସେଇଠି ଶବଦାହ କରାଯାଇଥି୍ଲା,’’ କହିଛନ୍ତି ଉପଜିଲ୍ଲାପାଳ ଭବତାରଣ ସାହୁ ।

ଏ ବିଷୟରେ ମୃତକଙ୍କ ସମ୍ପର୍କୀୟ ୪୮-ବର୍ଷୀୟ ଲାଲା ଅନନ୍ତ ନାରାୟଣ ସିଂ କହିଛନ୍ତି ଯେ ପୁରୀରେ କରୋନାକୁ ନେଇ ସବୁ କିଛି ଓଲଟା ପାଲଟା ହୋଇଗଲା l  ‘‘ସକାଳେ ଅଚାନକ ପୃଷ୍ଟି ବାବୁଙ୍କ ଦେହ ଖରାପ ହେଲା l ବିଳମ୍ବ ନ କରି ତାଙ୍କ ଝିଅ ୟୁକୋ ବ୍ୟାଙ୍କ ପୁରୀ ମୁଖ୍ୟ ବ୍ରାଞ୍ଚର ଜୁନିଅର ମ୍ୟାନେଜର  ହରପ୍ରିୟା ଓ ତାଙ୍କ ସହଯୋଗୀ ମୁଖ୍ୟ ହସ୍ପିଟାଲ ନେଇଯାଇଥିଲେ l ସେଠି ଡାକ୍ତର ତାଙ୍କୁ ଦେଖି ମୃତ ବୋଲି କହିଥିଲେ l କରୋନା ନେଗେଟିଭ ଅଛି ବି ସୂଚନା ଦେଇଥିଲେ  l ଯେଉଁମାନେ ସେଠି ଥିଲେ ସେମାନେ ଡାକ୍ତରଙ୍କୁ ପଚାରି ତାଙ୍କ ଶବକୁ କୁମୁଟି ପାଟଣାରେ ଥିବା ଘରକୁ ନେଇ ଆସିଥିଲେ l ସାହି ଲୋକ ତାଙ୍କୁ ଫୁଲ ଓ ଦୀପ ଦେଇଥିଲେ l ପାଖାପାଖି ୧୦୦ ଲୋକ ରୁଣ୍ଡ ହୋଇଥିଲେ,’’ କହିଛନ୍ତି ସିଂ ।

ସେ ଆହୁରି କହିଛନ୍ତି ଯେ ସନ୍ଧ୍ୟା ୫ଟା ବେଳେ ଖବର ଆସିଥିଲା ଯେ ପ୍ରଫୁଲ ପୃଷ୍ଟିଙ୍କର କରୋନା ପଜିଟିଭ ଅଛି, ତେଣୁ ତାଙ୍କ ଶବକୁ କୋଭିଡ଼ ହସ୍ପିଟାଲ ନିଆ ହେବ l ‘‘ଏହା କହି ସରକାରୀ ଅଧିକାରୀମାନେ ତାଙ୍କୁ କୋଭିଡ଼ ହସ୍ପିଟାଲ ନେଇଗଲେ l ସାଙ୍ଗେସାଙ୍ଗେ ସମସ୍ତେ ଏହି କଥା ଶୁଣି ଚାଲିଗଲେ l ତାପରେ ତାଙ୍କୁ ବଳିଆପଣ୍ଡା ଆଡ଼େ ପୋଡ଼ା ହେବ ବୋଲି କହିଥିଲେ l ସେଠିକି ଯାଇଥିବା ସମସ୍ତଙ୍କର କରୋନା ଟେଷ୍ଟ ହେବ କୁହାଗଲା  l ସ୍ୱାସ୍ଥ୍ୟ ବିଭାଗର ଭୁଲ ଯୋଗୁଁ ତାଙ୍କ ପରିବାର ଓ ବାକି ସମସ୍ତେ  ହଇରାଣ ହେଲେ l ଏହାକୁ କିଏ ବୁଝିବ? ନେଗେଟିଭ କହି ପୁଣି ପଜିଟିଭ ଥିବା ପରି ଭୁଲ ହେଉଛି, ଯାହାକୁ ନେଇ ସାଧାରଣ ଲୋକ ହଇରାଣ ହୋଇଛନ୍ତି । ସ୍ୱର୍ଗଦ୍ୱାରରୁ ଶବ ଫେରିବା କ’ଣ ଠିକ ହେଲା?’’ ପଚାରିଛନ୍ତି ଅନନ୍ତ ନାରାୟଣ ସିଂ ।

ମୃତକଙ୍କ ଝିଅ ୩୨ ବର୍ଷୀୟା ହରପ୍ରିୟା ପୃଷ୍ଟି କହିଛନ୍ତି, ‘‘ପରିବାରର ଅନ୍ୟ ସମ୍ପର୍କୀୟଙ୍କ ସହ ସାହି ଲୋକେ ବାପାଙ୍କ ସ୍ୱାବ୍‌ ନେବା ପର ଦିନ ଠାରୁ ଦୁଇ ଦିନ ଧରି ହସ୍ପିଟାଲ ନେବା ଆଣିବା କରିଥିଲେ । ସପ୍ଟେମ୍ବର ୨୦ରେ ତାଙ୍କୁ ବଡ଼ ଡାକ୍ତରଖାନା ବି ନିଆଯାଇଥିଲା । ହେଲେ ବାପାଙ୍କର ପଜିଟିଭ ଆସିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆମକୁ ରିପୋର୍ଟ କି ମେସେଜ କିଛି କରାଯାଇ ନ ଥିଲା । ତେଣୁ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ଆମେ ନିଜ ଅଜାଣତରେ କୋଭିଡ ସଂକ୍ରମଣର ଶିକାର ହେବା ସହ ଶତାଧିକ ଲୋକ ମଧ୍ୟ ସଂକ୍ରମଣ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।’’

ଏହା ବି ପଢ଼ନ୍ତୁ | ଥାଇଲ୍ୟାଣ୍ଡରେ ମାଙ୍କଡ଼ମାନେ ଲୋକଙ୍କୁ ହଇରାଣ କଲେ; କଣ୍ଟ୍ରୋଲ୍ ପାଇଁ ସେମାନଙ୍କ ଗୁପ୍ତାଙ୍ଗ କଟାଗଲା

ଏହା ବି ପଢ଼ନ୍ତୁ କରୋନାରୁ ସୁସ୍ଥ ହେବା ପରେ କେମିତି ଅନୁଭବ ହୁଏ? ଅନେକ ଦିନ ଯାଏଁ ଅନବରତ ଥକାପଣ

‘‘ବାପାଙ୍କ ମୃତ୍ୟୁ ପରେ ବି ଏ ଯାବତ ଆମ ପାଖକୁ ପଜିଟିଭ ରିପୋର୍ଟ ଆସି ନ ଥିବା ବେଳେ ସ୍ୱର୍ଗଦ୍ୱାରକୁ କିଭଳି ତୁରନ୍ତ ଆସିଗଲା ତାହା ଏକ ରହସ୍ୟ ହୋଇ ରହିଛି । ବର୍ତ୍ତମାନ ଆମ ସାହିର ଲୋକଙ୍କର ସ୍ୱାବ୍‌ ଟେଷ୍ଟ କରାଯିବା ସହ ସାହିକୁ ସାନିଟାଇଜ କରାଯିବା ଉଚିତ । ସ୍ୱାସ୍ଥ୍ୟ ବିଭାଗର ଏଭଳି ଅବହେଳାକୁ ନେଇ କାର୍ଯ୍ୟାନୁଷ୍ଠାନ ବି ନିଆଯିବା ଉଚିତ,’’ କହିଛନ୍ତି ହରପ୍ରିୟା ।



ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ସ୍ୱାବ ଟେଷ୍ଟ ରିପୋର୍ଟରେ  ଅବହେଳା ଯୋଗୁଁ  ତିନି ଦିନ ଧରି ଜଣେ କରୋନା ପଜିଟିଭ ରୋଗୀଙ୍କ ସହ ମିଶୁଥିଲେ ଶତାଧିକ ଲୋକ । ତାଙ୍କ ଶବ ଶୋଭାଯାତ୍ରାରେ ଯାଇ ଏବେ ଚିନ୍ତାରେ ଅଛନ୍ତି ଅନେକ ସମ୍ପର୍କୀୟ ଓ ସାହି ବାସିନ୍ଦା । ଏଭଳି ତୃଟି ପାଇଁ କିଏ ହେବ ଦାୟୀ ସେ ନେଇ ସହରରେ ଚାଲିଛି ଚର୍ଚ୍ଚା ।
Published by: Anand Shankar Thankur Das
First published: September 21, 2020, 5:46 PM IST
corona virus btn
corona virus btn
Loading