ଭୁବନେଶ୍ୱରରେ ହୋଟେଲ, ରେସ୍ତୋରାଁ, ମିଠା ଦୋକାନ ଖୋଲିଲା, ହେଲେ ନାହାଁନ୍ତି ଗ୍ରାହକ

ଦେଢ଼ ମାସରୁ ଅଧିକ ସମୟ ନିଜ ପ୍ରତିଷ୍ଠାନ ବନ୍ଦ ରଖିବା ପରେ ଏବେ ଦୋକାନୀମାନେ ଲାଭ ଆଶାରେ ନୁହେଁ, ବରଂ ସେବା ମନୋବୃତ୍ତି ନେଇ ବ୍ୟବସାୟ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ।

ଭୁବନେଶ୍ୱରରେ ହୋଟେଲ, ରେସ୍ତୋରାଁ, ମିଠା ଦୋକାନ ଖୋଲିଲା, ହେଲେ ନାହାଁନ୍ତି ଗ୍ରାହକ
ପ୍ରତି ଦୋକାନରେ ସାମାଜିକ ଦୂରତ୍ୱ ମାନିବା ପାଇଁ ବ୍ୟବସ୍ଥା କରାଯାଇଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବିଏମସିର ସର୍ତ୍ତମୂଳକ ଅନୁମତି ପରେ ରାଜ୍ୟ ରାଜଧାନୀରେ ଖୋଲିଛି ହୋଟେଲ, ରେସ୍ତୋରାଁ ଓ ମିଠା ଦୋକାନ । ହେଲେ ରହିଛି କଟକଣା । ସାମାଜିକ ଦୂରତ୍ୱ ବଜାୟ ରଖିବା ନେଇ ହୋଟେଲରେ ଗ୍ରାହକ ବସିକି ଖାଇ ପାରିବେନି, କେବଳ ପାର୍ସଲ ଅର୍ଡର କରିବେ । ବିଏମସିର ଏଭଳି କଟକଣା ଭିତରେ ବ୍ୟବସାୟ ଆରମ୍ଭ କରିଛନ୍ତି ରାଜଧାନୀର ଅନେକ ରେସ୍ତୋରାଁ, ମିଠା ଏବଂ କେକ୍‌ ଦୋକାନୀ ।

‘‘ଲକଡ଼ାଉନ ପାଇଁ ସବୁ ବନ୍ଦ ରହିଥିଲା ସତ, ହେଲେ ବନ୍ଦ ହୋଇନି ଆମ ଦୋକାନମାନଙ୍କର ଇଲେକ୍ଟ୍ରିସିଟୁ ବିଲ୍‌, ଟ୍ୟାକ୍ସ, ଘର ଭଡା ଓ କର୍ମଚାରୀମାନଙ୍କ ଦରମା । ଏଭଳି ସ୍ଥିତିରେ ଦେଢ଼ ମାସ ଦୋକାନ ବନ୍ଦ ରହିବାରୁ ଅନେକ କ୍ଷତି ହୋଇଛି। କିନ୍ତୁ ଏବେ ଲାଭକ୍ଷତି ନୁହେଁ, ସେବା ମନୋଭାବ ନେଇ ବ୍ୟବସାୟ ଆରମ୍ଭ କରିଛୁ,’’ କହିଛନ୍ତି ସହିଦ ନଗରର ମିଠା ବ୍ୟବସାୟୀ ରାଜକିଶୋର ଦାସ ।

ଦୋକାନ ଖୋଲି ବାହାରେ କାର୍ଯ୍ୟରତ ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି ବୋଲି ସେ କହିଛନ୍ତି । କେବଳ ମିଠା ନୁହେଁ, ଛେନା, ପନୀର, ବିସ୍କୁଟ ଓ ପାଣି ଆଦି ବିକ୍ରି କରୁଛନ୍ତି ଏହି ଦୋକାନମାନେ । ପ୍ରଶାସନର ନିୟମ ମାନି ଦୋକାନ ଖୋଲିଛନ୍ତି ସେମାନେ । ସାମାଜିକ ଦୂରତ୍ୱ ପାଇଁ ବ୍ୟବସ୍ଥା କରାଯାଇଛି । ଦୋକାନରେ ସାନିଟାଇଜର ରଖାଯାଇଛି । ଆବଶ୍ୟକତା ଅନୁସାରେ ଗ୍ରାହକଙ୍କୁ ପ୍ରଥମେ ସାନିଟାଇଜର ବ୍ୟବହାର ପାଇଁ ଦିଆଯାଉଛି ।

‘‘ଦୋକାନଗୁଡ଼ିକ ଖୋଲିଲା ସିନା, କାରିଗର ନାହାନ୍ତି କି ଆବଶ୍ୟକୀୟ ଛେନା ନାହିଁ । ଲକଡ଼ାଉନ କଟକଣାରେ ସମସ୍ତେ ଯିଏ ଯେଉଁଠି ଅଟକିଯାଇଛନ୍ତି । ତେଣୁ ଅଳ୍ପ ମିଠା ପ୍ରସ୍ତୁତ କରି ବିକ୍ରି ଆରମ୍ଭ କରିଛୁ,’’ କହିଛନ୍ତି ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସଙ୍ଘ ସଭାପତି ବିମ୍ବାଧର ବେହେରା ।

ଏତେ ଦିନ ପରେ ମିଠା କିଣିବାକୁ ପାଇ ଗ୍ରାହକମାନେ ବି ଖୁସ୍‌ । ‘‘ମିଠା ମୋ’ର ବହୁତ ପସନ୍ଦ । ଦେଢ଼ ମାସ ହେଲା ଦୋକାନ ବନ୍ଦ ଥିଲା । ଏତେ ଦିନ ପରେ ଆଜି ମିଠା କିଣୁଛି । ଖୁସି ଲାଗୁଛି,’’ କହିଛନ୍ତି ସହିଦ ନଗର ବାସିନ୍ଦା ଅନୁପମା ।

ସମାନ ଅବସ୍ଥା ରେସ୍ତୋରାଁମାନଙ୍କର। ‘‘କଟକଣା ଯୋଗୁଁ ଗ୍ରାହକମାନେ ହୋଟେଲ ଆସୁ ନାହାନ୍ତି । ଯାହା ଅନଲାଇନ ଅର୍ଡର କରୁଛନ୍ତି, ନ ହେଲେ ଆସିକି ପାର୍ସଲ ନେଉଛନ୍ତି । ଗୋଟିଏ ଦିନରେ ୬୦ରୁ ୭୦ ଅର୍ଡର ଆଗରୁ ଆସୁଥିଲା । ଏବେ ମାତ୍ର ୧୦ରୁ ୧୫ ଅର୍ଡର ଆସୁଛି,’’ କହିଛନ୍ତି ‘ଓଡିଶା ହୋଟେଲ’ର ମାଲିକ ଜିତେନ୍ଦ୍ର ନାୟକ ।

ତାଙ୍କ ରେସ୍ତୋରାଁ ନିକଟରେ ଥିବା ହଷ୍ଟେଲ୍‌ ପିଲାମାନେ ହୋଟେଲରୁ ପାର୍ସଲ ନିଅନ୍ତି । ‘‘ଲକଡାଉନ୍‌ ପାଇଁ ପିଲାମାନେ ହଇରାଣ ହଉଥିଲେ । ତେଣୁ ଲୋକଙ୍କ ସେବା ପାଇଁ ଏବେ ମୁଁ ହୋଟେଲ ଖୋଲିଛି । ଲାଭ କ୍ଷତି ଆଦୌ ଦେଖୁନାହିଁ,’’ କହିଛନ୍ତି ଜିତେନ୍ଦ୍ର ।

ବେକେରୀ ଦୋକାନଗୁଡ଼ିକ ବି ଏକା ପ୍ରକାର ସ୍ଥିତି ଅନୁଭବ କରୁଛନ୍ତି । ‘‘କଫି, ପେଷ୍ଟ୍ରି, ପେଟିସ୍‌ ହେଉ କି ଆଇସକ୍ରିମ୍‌ ବା ଜୁସ୍‌ । ହ୍ୟାଙ୍ଗ୍ଆଉଟ ପାଇଁ ବେକେରୀ ଦୋକାନ ଭଲ ସ୍ଥାନ। ସେଥି ପାଇଁ ସକାଳୁ ସଞ୍ଜ ଯାଏ ଏଠି ଭିଡ ଲାଗେ। ହେଲେ ଏବେ ମାତ୍ର ପାଞ୍ଚରୁ ସାତ ଜଣ ଲୋକ ଅର୍ଡର ନେଉଛନ୍ତି,’’ କହିଛନ୍ତି ଜଷ୍ଟ୍‌ ବେକ ଦୋକାନର ମ୍ୟାନେଜର ମୁନା ନାୟକ ।

ତାଙ୍କ ଦୋକାନ ଖୋଲିବାର ଦୁଇ ମାସ ହେବା ପୂର୍ବରୁ ମହାମାରୀ କରୋନା ପାଇଁ ଲକଡ଼ାଉନ ହେଲା । ପୁଣି ନୂଆ କରି ଦୋକାନ ଆରମ୍ଭ କରିବେ ବୋଲି କହିଛନ୍ତି ମୁନା । ‘‘ଲକଡାଉନ୍‌ କଟକଣା କୋହଳ ହୋଇଛି ସତ, ହେଲେ ସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିବାକୁ ସମୟ ଲାଗିବ । ତେଣୁ ମିଳିମିଶି ଏହି ମହାମାରୀର ମୁକାବିଲା କରିବାକୁ ହେବ,’’ ସେ କହିଛନ୍ତି ।
First published: May 6, 2020, 9:26 PM IST
corona virus btn
corona virus btn
Loading