News18 Odia Digital
ଭୁବନେଶ୍ୱର: ଦୀର୍ଘ ପାଞ୍ଚ ମାସର ବ୍ୟବଧାନ ପରେ ରାଜ୍ୟରେ ଖୋଲିଛି ବନ୍ଦ ପଡ଼ିଥିବା ବିଭିନ୍ନ ରେସ୍ତୋରାଁ ଓ ବାର୍ । ପ୍ରଥମ ଦିନରେ ବିଭିନ୍ନ ରେସ୍ତୋରାଁରେ ସେତେଟା ଭିଡ଼ ପରିଲକ୍ଷିତ ହୋଇ ନ ଥିଲେ ମଧ୍ୟ ରେସ୍ତୋରାଁ ଖୋଲିଥିବା କାରଣରୁ ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ଉତ୍ସାହିତ ଅଛନ୍ତି । ସରକାରୀ ସୂଚନା ସତ୍ତ୍ୱେ ଅବକାରୀ ବିଭାଗର ନିର୍ଦ୍ଦେଶ ନ ଥିବାରୁ ଅନେକ ବାର୍ ଖୋଲି ନ ଥିବା ଦେଖିବାକୁ ମିଳିଥିଲା ।
ସରକାରୀ ନିଷ୍ପତ୍ତିକୁ ରେସ୍ତୋରାଁ ଓ ବାର୍ ମାଲିକମାନେ ସ୍ୱାଗତ କରିଛନ୍ତି । ଲମ୍ବା ସମୟ ଧରି ବନ୍ଦ ପଡ଼ିଥିବା କାରଣରୁ ରାଜ୍ୟରେ ହୋଟେଲ ଶିଳ୍ପ ପ୍ରାୟ ୩୬ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି ଓ ରାଜ୍ୟ ସରକାର ପ୍ରାୟ ଅଢେଇ ହଜାର କୋଟି ଟଙ୍କାର ରାଜସ୍ବ ହରାଇଛନ୍ତି ବୋଲି କହିଛି ଓଡ଼ିଶା ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ (ହାରୋ) । ସ୍ଥିତି ସ୍ବାଭାବିକ ହେବାକୁ ଆହୁରି ୭ ମାସରୁ ଅଧିକ ସମୟ ଲାଗିବ ବୋଲି କହିଛି ହାରୋ।
ଗୁରୁବାର ଭୁବନେଶ୍ୱର କଳ୍ପନା ଛକରେ ଥିବା ଅନ୍ୟତମ ପୁରାତନ ୩ ଷ୍ଟାର ହୋଟେଲ ପୁଷ୍ପକ ହୋଟେଲ ଚଳଚଞ୍ଚଳ ହୋଇଉଠିଥିଲା । ପ୍ରାୟ ସାଢ଼େ ପାଞ୍ଚ ମାସ ହେବ ଏଠି ବନ୍ଦ ପଡିଥିଲା ହୋଟେଲର ରିସେପସନଠାରୁ ଆରମ୍ଭ କରି ରେସ୍ତୋରାଁ ଓ ବାର । ବୁଧବାର ସରକାରୀ ଆଦେଶ ପରେ ଏଠି କର୍ମଚାରୀ କାମକୁ ଫେରିଥିବା ଦେଖିବାକୁ ମିଳିଥିଲା। ହୋଟେଲକୁ ସଜେଇବାରେ ଲାଗି ପଡ଼ିଥିଲେ କର୍ମଚାରୀମାନେ । ହୋଟେଲର ରୋଷେଇ ଶାଳ ଥିଲା ଚଳଚଞ୍ଚଳ। କୋଭିଡ ନିୟମ ଭିତରେ ହୋଟେଲର କର୍ମଚାରୀ ମାନେ ଲାଗିପଡିଥିଲେ ଖାଦ୍ୟ ପ୍ରସ୍ତୁତିରେ। ରେସ୍ତୋରାଁକୁ ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିଲା।

ରାଜ୍ୟରେ ସାଢ଼େ ପାଞ୍ଚ ମାସ ହେଲା ବନ୍ଦ ଥିଲା ହୋଟେଲ୍ ଓ ରେସ୍ତୋରାଁ ।
‘‘କୋଭିଡ ନିୟମ ଭିତରେ ଆମେ ହୋଟେଲ ଖୋଲିବାକୁ ପ୍ରସ୍ତୁତ। ମାନେ ସବୁ କିଛି ଡିଜିଟାଲ ବ୍ୟବସ୍ଥା ହୋଇଛି। ହୋଟେଲରେ ଚେକ-ଇନ ଠାରୁ ଆରମ୍ଭ କରି ଖାଦ୍ୟ ଅର୍ଡ଼ର ପର୍ଯ୍ୟନ୍ତ ସବୁ କିଛି। କୋଭିଡ ବ୍ୟବସ୍ଥା ଅନୁଯାୟୀ ହୋଟେଲର ରିସେପସନରେ ବାର କୋଡ଼ର ବ୍ୟବସ୍ଥା ହୋଇଛି । କୌଣସି ବି ଗ୍ରାହକ ହୋଟେଲକୁ ଇନ୍ କରିବା ସମୟରେ ବାରକୋଡ଼ ସ୍କାନ କରି ପ୍ରବେଶ କରିପାରିବେ। ରୁମରେ ରହଣି ମଧ୍ୟ ଡିଜିଟାଲ ବ୍ୟବସ୍ଥା ଭିତରେ ହେବ। ଏମିତିକି ହୋଟେଲର ରେସ୍ତୋରାଁରେ ଖାଇବା ବେଳେ ମଧ୍ୟ କୋଭିଡ ନିୟମ ଅନୁପାଳନ ଉପରେ ଗୁରୁତ୍ୱ ଦିଆଯାଉଛି,’’ କହିଛନ୍ତି ହୋଟେଲ ପୁଷ୍ପକର ମୁଖ୍ୟ ପରିଚାଳକ ରିତେଶ ଗରାବଡୁ ।
ହୋଟେଲ ପରିଚାଳକ ଅବିନାଶ ଗନ୍ତାୟତ କହିଛନ୍ତି, ‘‘ହୋଟେଲ ଖୋଲିବା ପରେ ଆମମାନଙ୍କ ଆଗରେ ଏବେ ଅନେକ ଚ୍ୟାଲେଞ୍ଜ । ବିଶେଷ କରି କୋଭିଡକୁ ନେଇ ଲୋକଙ୍କ ଭିତରେ ଡର ଏଯାବତ ହଟିନାହିଁ। ସେମାନେ ଏବେ ବି କୋଭିଡିକୁ ନେଇ ଆତଙ୍କିତ। ଲୋକଙ୍କ ଭିତରୁ କୋଭିଡ ଡର ନ ଯିବା ପର୍ଯ୍ୟନ୍ତ ଏହି ସ୍ଥିତି ଲାଗିରହିବ । ଗ୍ରାହକଙ୍କ ଭିତରେ ସେହି ଭରସା ଆଣିବାକୁ ପଡ଼ିବ। ସ୍ୱଚ୍ଛତା ଓ ସାବଧାନତା ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ।’’
ଅନେକ ନହେଲେ ବି କିଛି ହାତଗଣତି ଗ୍ରାହକ ଲମ୍ବା ସମୟ ବ୍ୟବଧାନ ପରେ ହୋଟେଲରେ ବସି ଖାଦ୍ୟର ମଜା ନେଉଥିବାର ଦେଖିବାକୁ ମିଳିଥିଲା । ପାତ୍ରପଡ଼ା ବାସିନ୍ଦା ସନ୍ତୋଷ ମହାନ୍ତି କହିଛନ୍ତି, ‘‘ପ୍ରାୟ ପାଞ୍ଚ ମାସ ପରେ କିଛି ଭଲ ଟେଷ୍ଟର ଖାଦ୍ୟ ଖାଇବାକୁ ମିଳିଲା । ମୁଁ ଝାରସୁଗୁଡ଼ା ଲୋକ । ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାମ କରୁଛି। ଗତ ୫ ମାସ ହେଲା ଚୁଡା ଓ ଛତୁଆ ଖାଇ ଖାଇ ବୋର ଲାଗୁଥିଲା । ଆଜି ପାଟିରେ କିଛି ଟେଷ୍ଟି ଖାଦ୍ୟ ବାଜିଲା । ଭଲ ଲାଗୁଛି ।’’
‘‘କୋଭିଡ ଲାଗି କଟକଣା କାରଣରୁ ଖାଦ୍ୟର ମଜା ଆମେ ଭୁଲିଯାଇ ଥିଲୁ। ଏବେ ଠିକ୍ ଲାଗୁଛି,’’ କହିଛନ୍ତି ପାଣ୍ଡରା ବାସିନ୍ଦା ଅଭିଜିତ ଦାସ।
ସରକାରୀ ନିର୍ଦ୍ଦେଶ ଅନୁସାରେ ଗୁରୁବାର ଠାରୁ ରାଜ୍ୟରେ ଉଭୟ ରେସ୍ତୋରାଁ ଓ ବାର୍ ଖୋଲାଯିବାକୁ ଅନୁମତି ଥିବା ସତ୍ତ୍ୱେ ଗୁରୁବାର କୌଣସି ବାର୍ ଖୋଲା ନ ଥିବା ଦେଖିବାକୁ ମିଳିଥିଲା । କିଛି ହୋଟେଲିୟରଙ୍କ ଯୁକ୍ତି ଥିଲା ଯେ ସରକାରୀ ନିର୍ଦ୍ଦେଶ ଅଛି, ହେଲେ ଅବକାରୀ ବିଭାଗର ନିର୍ଦ୍ଦେଶ ନ ଥିବାରୁ ଖୋଲି ପାରୁନାହିଁ ବାର୍ ।
ଏହା ବି ପଢ଼ନ୍ତୁ | ୭ ବର୍ଷର ବାଳକ ଭୋକରେ ମରିଗଲା; ତା’ ମା’ ମୃତ ଦେହ ପାଖରେ ୩ ଦିନ ବସିରହିଲାଏହା ବି ପଢ଼ନ୍ତୁ | କୁକୁରକୁ ରଙ୍ଗ ଲଗେଇ ବାଘ ବନେଇଦେଲେ; ‘ମିନି ଟାଇଗର’କୁ ଦେଖି ପଶୁ ପ୍ରେମୀ ନାରାଜ ହେଲେଦୀର୍ଘ ସାଢ଼େ ପାଞ୍ଚ ମାସ ବ୍ୟବଧାନରେ ରେସ୍ତୋରାଁ ଓ ବାର୍ ଖୋଲିବା ନିଷ୍ପତ୍ତିକୁ ରାଜ୍ୟ ହୋଟେଲ ଓ ରେସ୍ତୋରାଁ ଆସୋସିଏସନ ସ୍ୱାଗତ କରିଥିଲେ ମଧ୍ୟ ଶୀଘ୍ର ସ୍ଥିତି ସୁଧୁରିବ ନାହିଁ ବୋଲି ଆଶଙ୍କା ପ୍ରକାଶ କରିଛି ।
‘‘କୋଭିଡ କାରଣରୁ ରାଜ୍ୟରେ ହୋଟେଲ ଶିଳ୍ପ ପ୍ରାୟ ୩୬ ହଜାର କୋଟି ଟଙ୍କାର କ୍ଷତି ସହିଛି । ରାଜ୍ୟ ସରକାର ମଧ୍ୟ ୨,୫୦୦ କୋଟି ଟଙ୍କାର ରାଜସ୍ବ ହରାଇଛନ୍ତି । ହେଲେ ରାଜ୍ୟରେ ସ୍ଥିତି ସୁଧୁରିବାକୁ ଆହୁରି ସାତ ମାସରୁ ଅଧିକ ସମୟ ଲାଗିବ । ତେଣୁ ସରକାର ଏହି ଶିଳ୍ପକୁ ରିହାତି ଦେବା ଦରକାର,’’ କହିଛନ୍ତି ହାରୋର ସାଧାରଣ ସମ୍ପାଦକ ଡଃ ଶ୍ରୀନିବାସ ସୁବୁଦ୍ଧି। ସରକାରୀ ସହଯୋଗ ନ ରହିଲେ ଏହି ଶିଳ୍ପକୁ ଅଣ୍ଟା ସଳଖିବାକୁ ବହୁତ ସମୟ ଲାଗିବ ବୋଲି ଅନେକ ମତ ଦେଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।