କରୋନା ସୁରକ୍ଷା: କଟକରେ ଆରମ୍ଭ ହେଲା ଅତ୍ୟାବଶ୍ୟକୀୟ ସାମଗ୍ରୀର ହୋମ୍ ଡେଲିଭରି ବ୍ୟବସ୍ଥା

ଖାଦ୍ୟ ସାମଗ୍ରୀ ପାଇଁ କଟକବାସିନ୍ଦାଙ୍କୁ ଆଉ ବଜାରକୁ ଯିବାକୁ ପଡ଼ୁନାହିଁ । ଫୋନ୍ କଲେ ଘରେ ପହଞ୍ଚୁଛି ସାମଗ୍ରୀ । ଲକଡାଉନ୍ ଯୋଗୁଁ ଆଜି ଠାରୁ କଟକ ସହରରେ ଏହି ବ୍ୟବସ୍ଥା ଲାଗୁ କରିଛି ମହନଗର ନିଗମ ।

କରୋନା ସୁରକ୍ଷା: କଟକରେ ଆରମ୍ଭ ହେଲା ଅତ୍ୟାବଶ୍ୟକୀୟ ସାମଗ୍ରୀର ହୋମ୍ ଡେଲିଭରି ବ୍ୟବସ୍ଥା
ହିରଣ୍ମୟୀ ବିଶ୍ୱାଳ ଜଣେ ବିଗ୍ ବଜାର୍ କର୍ମଚାରୀଙ୍କ ଠାରୁ ସାମଗ୍ରୀ ନେଉଛନ୍ତି ।
  • News18 Odia
  • Last Updated: March 26, 2020, 7:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କରୋନା ଭାଇରସ୍‌ ମୁକାବିଲାକୁ ନେଇ ହୋଇଥିବା ଲକଡାଉନ୍ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଥିବା ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇବା ପାଇଁ ଲୋକେ ହଇରାଣ ହେଉଛନ୍ତି । ଏହାର ନିରାକରଣର ପନ୍ଥା ରୂପେ କଟକ ମହନଗର ନିଗମ (ସିଏମସି) ସହରରେ ଥିବା ୧୧ଟି ସୁପରମାର୍କେଟରୁ ହୋମ ଡେଲିଭରି ବ୍ୟବସ୍ଥା ଆରମ୍ଭ କରାଇଛି ।

ଖାଦ୍ୟ ସାମଗ୍ରୀ ପାଇଁ କଟକବାସୀଙ୍କୁ ଆଉ ବଜାରକୁ ଯିବାକୁ ପଡ଼ୁ ନାହିଁ । ଫୋନ କଲେ ଘରେ ପହଁଚୁଛି ସାମଗ୍ରୀ । ଆଜି ଠାରୁ କଟକ ସହରରେ ଏହି ବ୍ୟବସ୍ଥା ଲାଗୁ କରିଛି ସିଏମସି । ଗ୍ରାହକମାନେ ବିଭିନ୍ନ ସୁପରମାର୍କେଟକୁ ଫୋନ କରି ସଉଦା ସାମଗ୍ରୀର ଅର୍ଡର ଦେଉଛନ୍ତି । ଅର୍ଡର ପାଇବା ପରେ ଏହା ମୁତାବକ ସାମଗ୍ରୀକୁ ପ୍ୟାକ୍ କରି ସେମାନଙ୍କୁ ଘରକୁ ପଠାଉଛନ୍ତି ସୁପରମାର୍କେଟର କର୍ମଚାରୀମାନେ ।

“ଘର ସଉଦା ଶେଷ ହୋଇଯାଇଥିଲା । ଗୋଟିଏ ପଟେ କରୋନା ଭୟ ଓ ଅନ୍ୟ ପଟେ ଲକଡାଉନ । ଏହି ଭଳି ଘଡିସନ୍ଧି ମୂହୁର୍ତ୍ତରେ ଆବଶ୍ୟକ ହେଉଥିବା ସାମଗ୍ରୀ ଘର ଦୁଆର ମୁହଁରେ ପାଇ ପାରିଥିବାରୁ ମୁଁ ଖୁସି ଅଛି,” କହିଛନ୍ତି କଟକ ନୂଆପଡ଼ା ବାସିନ୍ଦା ହିରଣ୍ୟମୟୀ ବିଶ୍ବାଳ ।

କଟକରେ ଥିବା ରିଲାଏନ୍ସ୍ ଫ୍ରେସର ୮ଟି , ମେଟ୍ରୋ ସୁପରମାର୍କେଟର ୨ଟି ଓ ବିଗ ବଜାରର ଗୋଟିଏ କରି ମୋଟ ୧୧ଟି ପ୍ରତିଷ୍ଠାନର ୧୧ଟି ଫୋନ ନମ୍ବର ଜାରି କରିଛି ସିଏମସି । ହୋମ ଡେଲିଭରିକୁ ଅନୁମତି ମିଳିଥିବାରୁ ଲକଡାଉନ୍ ସମୟରେ ମଧ୍ୟ ନିଜନିଜର ପରିଚୟ ପତ୍ର ଦେଖାଇ ସୁପରମାର୍କେଟର କର୍ମଚାରୀମାନେ ଲୋକଙ୍କ ଘରକୁ ଯାଇ ସାମଗ୍ରୀ ଦେଉଛନ୍ତି  ।

“ଆମ ପାଖରେ ଯଥେଷ୍ଟ ସାମଗ୍ରୀ ମହଜୁଦ ରହିଛି । ଆଜି ମଧ୍ୟାନ୍ନ ସୁଦ୍ଧା ଆମେ ୫୦ ଜଣ ଗ୍ରାହକଙ୍କୁ ଡେଲିଭେରି ଦେଇ ସାରିଛୁ । ଗ୍ରାହକଙ୍କ ଫୋନ କଲ୍‌ ପାଇବା ମାତ୍ରେ ସେମାନଙ୍କୁ ସଉଦା ତାଲିକା ସହ ଘର ଠିକଣା ଦେବା ପାଇଁ କୁହାଯାଉଛି । ଏହା ପାଇବା ପରେ ସେମାନଙ୍କ ଘରେ ସାମଗ୍ରୀ ପହଞ୍ଚାଇ ଦିଆଯାଉଛି । ଗ୍ରାହକଙ୍କ ଠାରୁ ଅର୍ଥ ସଂଗ୍ରହ ପାଇଁ କ୍ୟାସଲେସ ବ୍ୟବସ୍ଥା ମଧ୍ୟ ରହିଛି,’’ କହିଛନ୍ତି  ଦୋଳମୁଣ୍ଡାଇ ରିଲାଏନ୍ସ ଫ୍ରେସ ପରିଚାଳକ ଜୟନ୍ତ ବସ୍ତିଆ ।

‘‘ଏହି ବ୍ୟବସ୍ଥାକୁ ସୁଚାରୁରୂପେ ସମ୍ପାଦନା କରିବା ପାଇଁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି କରିବା ପାଇଁ ସୁପରମାର୍କେଟର ଅଧିକାରୀମାନଙ୍କୁ ସିଏମସି ପକ୍ଷରୁ କୁହାଯାଇଛି । ଆସନ୍ତାକାଲି ସୁଦ୍ଧା ସହର ମଧ୍ୟରେ ଥିବା ଅନ୍ୟ ଛୋଟ ଷ୍ଟୋର ଗୁଡିକରେ ମଧ୍ୟ ହୋମ ଡେଲିଭରି ବ୍ୟବସ୍ଥା ଆରମ୍ଭ କରାଯିବାକୁ ବ୍ୟବସ୍ଥା କରାଯାଉଛି,” କହିଛନ୍ତି ସିଏମସି କମିସନର ଅନନ୍ୟା ଦାସ ।

ଛତ୍ରବଜାର ଓ ମାଲଗୋଦାମ ସହ ସହରରେ ଥିବା ସମସ୍ତ ପରିବା, ସଉଦା ଓ ଔଷଧ ଦୋକାନଗୁଡିକ ସାମନାରେ ଭିଡ଼ ନିୟନ୍ତ୍ରଣ ଲାଗି ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଦୂରତା ରକ୍ଷା କରିବା ସହିତ ଜଣେ ଗ୍ରାହକ ଆଉ ଜଣଙ୍କ ଠାରୁ ଯେମିତି ଅତି କମରେ ଗୋଟିଏ ମିଟର ଦୂରରେ ରହିବେ ସେଥିପାଇଁ ଦୋକାନଗୁଡିକ ଆଗରେ ମାର୍କିଂ ମଧ୍ୟ କରାଯାଇଛି ।
First published: March 26, 2020, 7:36 PM IST
corona virus btn
corona virus btn
Loading