କରୋନା ବଢ଼େଇଲା ଚିନ୍ତା: ୨୮ ଦିନ କ୍ୱାରାଣ୍ଟିନରେ ରହିବା ପରେ ପଜିଟିଭ୍ ହେଲେ କେରଳ ବ୍ୟକ୍ତି!

୨୮ ଦିନ ବିଚ୍ଛିନ୍ନତାରେ (isolation) ରହିବା ପରେ ମଧ୍ୟ ଯେ କୌଣସି ବ୍ୟକ୍ତି କରୋନା ଭାଇରସରେ ସଂକ୍ରମିତ ବୋଲି ଜଣାପଡ଼ିପାରନ୍ତି । ପ୍ରାରମ୍ଭିକ ପରୀକ୍ଷାରେ ନେଗେଟିଭ୍ ଚିହ୍ନଟ ହୋଇଥିବା ଯେ କୌଣସି ବ୍ୟକ୍ତି ମଧ୍ୟ ପରେ ପଜିଟିଭ୍ ହୋଇପାରନ୍ତି ।

କରୋନା ବଢ଼େଇଲା ଚିନ୍ତା: ୨୮ ଦିନ କ୍ୱାରାଣ୍ଟିନରେ ରହିବା ପରେ ପଜିଟିଭ୍ ହେଲେ କେରଳ ବ୍ୟକ୍ତି!
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 18, 2020, 4:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଥିରୁଅନନ୍ତପୁରମ୍: କରୋନା ଭାଇରସ୍‌ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ୨୮ ଦିନର କ୍ୱାରାଣ୍ଟିନ ଯଥେଷ୍ଟ କି? ବୋଧହୁଏ ନା । କେରଳରେ ୨୯ ଦିନ କ୍ୱାରାଣ୍ଟିନରେ ରହିବା ପରେ ଜଣେ ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ମାମଲାଟି ସ୍ୱାସ୍ଥ୍ୟ ଅଧିକାରୀ ଓ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି ।

ଏହି ଘଟଣାକୁ ଏକ ବିରଳ ଘଟଣା ଭାବେ ଦେଖାଯାଉଛି । ସଂକ୍ରମିତ ହୋଇଥିବା ବ୍ୟକ୍ତି ଦୁବାଇରୁ କୋଇକୋଡ ସ୍ଥିତ ଏଡାଚେରୀରେ ଥିବା ନିଜ ଘରକୁ ଫେରି ସିଧା କ୍ୱାରାଣ୍ଟିନକୁ ଯାଇଥିବା ଦୁଇ ଭାଇଙ୍କ ମଧ୍ୟରୁ ଜଣେ । ଏହି ମାମଲା ବିଷୟରେ ‘ଦ ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ’ ଖବର କାଗଜରେ ଖବର ପ୍ରକାଶ ପାଇଛି ।

ଏହି ଦୁଇ ଭାଇଙ୍କ ୬୭ ବର୍ଷୀୟ ବାପାଙ୍କୁ ବୟସ ସମ୍ବନ୍ଧୀୟ ଅସୁସ୍ଥତା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଏପ୍ରିଲ ୧୦ରେ ସେହି ଘରୋଇ ଡାକ୍ତରଖାନାରୁ ଡିସଚାର୍ଜ ହେବା ପୂର୍ବରୁ ମେଡିକାଲ ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ ତାଙ୍କ ସ୍ୱାବ ନମୁନା ପରୀକ୍ଷା କରାଯାଇଥିଲା । ଏପ୍ରିଲ୍ ୧୧ରେ ସେ ଏହି ପରିବାରର ପ୍ରଥମେ ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ ।

ଏହା ପରେ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ କୋଇକୋଡ ମେଡିକାଲ୍ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ବ୍ୟତୀତ ତାଙ୍କ ପତ୍ନୀ, ନାତି ଓ ଦୁଇ ପୁଅଙ୍କ ମଧ୍ୟରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିଲେ । କ୍ୱାରାଣ୍ଟିନରେ ରହିବାର ୨୯ତମ ଦିନରେ ତାଙ୍କ ଅନ୍ୟ ପୁଅ ବି ଏହି ସଂକ୍ରମଣର ଶିକାର ବୋଲି ଚିହ୍ନଟ ହେବା ପରେ ସ୍ୱାବ୍‌ ନମୁନା ପରୀକ୍ଷା କେତେ ପ୍ରଭାବଶାଳୀ ତାହା ବିଷୟରେ ଡାକ୍ତରୀ ବିଶେଷଜ୍ଞମାନେ ଆଉ ଥରେ ଭାବୁଛନ୍ତି । ପ୍ରାରମ୍ଭିକ ପରୀକ୍ଷଣରେ ନେଗେଟିଭ୍‌ ଭାବେ ଚିହ୍ନଟ ହୋଇଥିବା ଏହି ବ୍ୟକ୍ତି ଗୁରୁବାର ଦିନ ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲେ ।

‘‘ଏଥିରୁ ଜଣା ପଡ଼ିଛି ଯେ ୨୮ ଦିନ ବିଚ୍ଛିନ୍ନତାରେ (isolation) ରହିବା ପରେ ମଧ୍ୟ ଯେ କୌଣସି ବ୍ୟକ୍ତି କରୋନା ଭାଇରସ୍‌ ସଂକ୍ରମିତ ହୋଇପାରନ୍ତି । ଏହା ଆହୁରି ମଧ୍ୟ ପ୍ରମାଣିତ ହୋଇଛି ଯେ ପ୍ରାରମ୍ଭିକ ପରୀକ୍ଷାରେ ନେଗେଟିଭ୍‌ ଚିହ୍ନଟ ହୋଇଥିବା ଯେ କୌଣସି ବ୍ୟକ୍ତି ପରେ ପଜିଟିଭ୍‌ ହୋଇପାରନ୍ତି,’’ କହିଛନ୍ତି ଜିଲ୍ଲା ଚିକିତ୍ସା ଅଧିକାରୀ (ଡିଏମଓ) ଡଃ ଭି. ଜୟଶ୍ରୀ । ସେ କରୋନା ଭାଇରସ୍‌ ସଂକ୍ରମଣ ବିଷୟରେ ଅଧିକ ଗବେଷଣାର ଆବଶ୍ୟକତା ଅଛି ବୋଲି କହିଛନ୍ତି ।

ଏଡେଚେରୀର ଏହି ମାମଲା ସାମନାକୁ ଆସିବା ପରେ ଏକ ସତର୍କତା ପଦକ୍ଷେପ ଭାବରେ ଗଲ୍ଫ ଦେଶରୁ ଫେରିଥିବା ସବୁ ଲୋକଙ୍କୁ ଓ ଅନ୍ୟ ସନ୍ଦିଗ୍ଧଙ୍କୁ ଆଉ ଏକ ସପ୍ତାହ ଘରେ କ୍ୱାରାଣ୍ଟିନରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସମ୍ଭାବ୍ୟ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଏହା ଆବଶ୍ୟକ ବୋଲି ଡିଏମଓ କହିଛନ୍ତି। କେରଳରେ ସ୍ୱାସ୍ଥ୍ୟ ଅଧିକାରୀମାନେ ପ୍ରଥମେ ନେଗେଟିଭ୍‌ ଚିହ୍ନଟ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ଦ୍ୱିତୀୟ ରାଉଣ୍ଡ ପରୀକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
First published: April 18, 2020, 4:15 PM IST
corona virus btn
corona virus btn
Loading