ଯାଜପୁରର କରୋନା ହିରୋ ପ୍ରଦ୍ୟୁମ୍ନ: ତାଙ୍କ ବିନା କେତେ ଘରେ ଭୋକରେ ଥାଆନ୍ତେ ଲୋକେ

ଏକ ଗରିବ ପରିବାରରେ ଜନ୍ମିତ ପ୍ରଦ୍ୟୁମ୍ନ ମ୍ୟାଟ୍ରିକ୍ ପାସ୍ କରିବା ପରେ ଆଇଟିଆଇରେ ନାଁ ଲେଖାଇଛନ୍ତି । ସେ ପାଠପଢ଼ା ସାଙ୍ଗକୁ ଘର ଖର୍ଚ୍ଚ ମେଣ୍ଟାଇବା ପାଇଁ ବାପାଙ୍କ ସହ ସବୁ ଦିନ ଖବରକାଗଜ ବାଣ୍ଟିବା ସହ ଘରେ ଘରେ ଗ୍ୟାସ୍ ସିଲିଣ୍ଡର ଯୋଗାନ୍ତି ।

ଯାଜପୁରର କରୋନା ହିରୋ ପ୍ରଦ୍ୟୁମ୍ନ: ତାଙ୍କ ବିନା କେତେ ଘରେ ଭୋକରେ ଥାଆନ୍ତେ ଲୋକେ
ଗୋଦାମରୁ ଗ୍ୟାସ୍ ସିଲିଣ୍ଡର୍ ଉଠାଉଛନ୍ତି ପ୍ରଦ୍ୟୁମ୍ନ ପଣ୍ଡା ।
  • News18 Odia
  • Last Updated: April 14, 2020, 5:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ସୁଜିତ୍ ମଲ୍ଲିକ୍ | News18 Odia Digital

ଯାଜପୁର: କରୋନା ଭାଇରସର ଆତଙ୍କ ଯୋଗୁଁ ଜାରି ହୋଇଥିବା ଲକଡାଉନ୍ ସମୟରେ ଲୋକଙ୍କୁ କେବଳ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯାଉଛି । ଜନ ସେବାକୁ ପରମ କର୍ତ୍ତବ୍ୟ ମନେ କରି ଯାଜପୁର ବ୍ୟାସନଗର ଅଞ୍ଚଳର ଜଣେ ଯୁବକ ସକାଳୁ ସନ୍ଧ୍ୟା ଯାଏଁ ବୁଲି ବୁଲି ଘରେ ଘରେ ଯୋଗାଉଛନ୍ତି ଇନ୍ଧନ ଗ୍ୟାସ୍ ସିଲିଣ୍ଡର । ସେ ହେଉଛନ୍ତି ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ଉମାପଦା ଅଞ୍ଚଳରେ ରହୁଥିବା ୨୦ ବର୍ଷୀୟ ପ୍ରଦ୍ୟୁମ୍ନ ପଣ୍ଡା ଓରଫ୍ ବବଲୁ ।

ମୁହଁରେ ମାସ୍କ ପିନ୍ଧି ଓ ମୁଣ୍ଡରେ ହେଲମେଟ୍ ଲଗାଇ ନିଜ ଲୁନା ଖଣ୍ଡିକରେ ଗ୍ୟାସ୍ ସିଲିଣ୍ଡର୍‌ ବାଣ୍ଟୁଥିବା ପ୍ରଦ୍ୟୁମ୍ନଙ୍କ ଜନ୍ମ ଏକ ଗରିବ ପରିବାରରେ । ମ୍ୟାଟ୍ରିକ୍ ପାସ୍‌ କରିବା ପରେ ଆଇଟିଆଇରେ ସେ ନାଁ ଲେଖାଇଛନ୍ତି । ତାଙ୍କ ବାପା ପ୍ରଫୁଲ୍ଲ ପଣ୍ଡା ଜଣେ ଖବରକାଗଜ ବିକାଳି ବା ନ୍ୟୁଜ୍ ପେପର ହକର୍ । ପାଠପଢ଼ା ସାଙ୍ଗକୁ ନିଜର ଓ ପରିବାରର ଖର୍ଚ୍ଚ ମେଣ୍ଟାଇବା ପାଇଁ ପ୍ରଦ୍ୟୁମ୍ନ ବାପାଙ୍କ ସହ ସବୁ ଦିନ ବୁଲି ବୁଲି ଖବରକାଗଜ ବାଣ୍ଟିବା ସହ ଘରେ ଘରେ ଗ୍ୟାସ୍ ସିଲିଣ୍ଡର ଯୋଗାଇଥାନ୍ତି । ତାଙ୍କ ମା’ ଶୁଭ୍ରାଙ୍ଗିନୀ ପଣ୍ଡା ଜଣେ ସାଧାରଣ ଗୃହିଣୀ ।

ନିଜ ଲୁନାରେ ଥରକୁ ପ୍ରାୟ ଚାରିଟି ଲେଖାଏଁ ସିଲିଣ୍ଡର ଧରି ଦିନକୁ ପ୍ରାୟ ୧୦ ଟ୍ରିପ୍‌ କରନ୍ତି ପ୍ରଦ୍ୟୁମ୍ନ । ଏହି ଅଞ୍ଚଳରେ ପାଖାପାଖି ୪୦ରୁ ୫୦ ଘରକୁ ଯାଇ ଗ୍ୟାସ୍‌ ସିଲିଣ୍ଡର୍‌ ଯୋଗାନ୍ତି ସେ । ସେ ନିଜ କର୍ତ୍ତବ୍ୟରେ ଅବହେଳା ବା ଆଳସ୍ୟ କଲେ ଲକଡାଉନ୍‌ ସମୟରେ ଅନେକ ପରିବାର ହଇରାଣ ହେଉଥାନ୍ତେ ।

ବାପା ପ୍ରଫୁଲ୍ଲ ପଣ୍ଡାଙ୍କ ସହ ପ୍ରଦ୍ୟୁମ୍ନ ।


‘‘ଗ୍ୟାସ୍ ନ ପାଇଲେ ଲୋକଙ୍କ ଘରେ ରୋଷେଇ ବନ୍ଦ ହୋଇଯିବ । ରୋଷେଇ ନ ହେଲେ ଲୋକେ ଖାଇବେ କଣ? ଅନ୍ୟ ଦିନ ମାନଙ୍କ ପରି ଲୋକେ ଆଜି ବି ମୋ’ ଉପରେ ଭରଷା ରଖିଛନ୍ତି । ତେଣୁ ଏହାକୁ ଏକ ଜରୁରୀ ସେବା ଭାବରେ ମୁଁ ମଧ୍ୟ ନିରନ୍ତର ଲୋକଙ୍କୁ ଗ୍ୟାସ ସିଲିଣ୍ଡର ଯୋଗାଇ ଆସୁଛି,’’ ହସହସ ମୁହଁରେ କହିଛନ୍ତି ପ୍ରଦ୍ୟୁମ୍ନ ।

ତାଙ୍କ ବାପା ପ୍ରଫୁଲ୍ ପଣ୍ଡା କହିଛନ୍ତି ଯେ ଚାରି ଆଡ଼େ ମହାମାରୀ କରୋନାର ଭୟ ଯୋଗୁଁ ସେ ପୁଅକୁ ସତର୍କତା ଅବଲମ୍ବନ କରିବାକୁ କହୁଛନ୍ତି ।

‘‘କାରଣ ଯାହା ବି ହେଉନା କାହିଁକି, ପୁଅ ନାନା ପ୍ରକାର ଲୋକଙ୍କ ଘରକୁ ଯାଉଛି । କେଉଁଠି କରୋନା ଅଛି କି ନାହିଁ ତାହା କିଏ ବା କହିପାରିବ? ହେଲେ ନିଜେ ସତର୍କ ରହି କାମ କରିବା ଉଚିତ୍ । ଘରେ ବି ସେ ପ୍ରାୟ ୨୦ ଦିନ ହେବ ଅଲଗା ଶୋଉଛି । ଆରମ୍ଭ ଦିନରୁ ଘରେ କ୍ବାରେଣ୍ଟାଇନରେ ରହିବା ଭଳି ସେ ଆମ କାହାରିକୁ ଛୁଆଁଛୁଇଁ କରୁନି । ବାରମ୍ବାର ହାତ ଧୋଉଛି । ମୁହଁରେ ମାସ୍କ ବି ପିନ୍ଧୁଛି । ହାତରେ ସାନିଟାଇଜର ବି ଲଗାଉଛି । ତେଣିକି ହରି ଭରଷା,’’ କହିଛନ୍ତି ପ୍ରଫୁଲ୍ଲ ପଣ୍ଡା ।

ଘରୁ କାର୍ଯ୍ୟ କ୍ଷେତ୍ରକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି ପ୍ରଦ୍ୟୁମ୍ନ ।


ପ୍ରତି ଘରେ ଗ୍ୟାସ ଦେବା ପରେ ନିଜେ ନିଜ ହାତରେ ସାନିଟାଇଜର ଲଗାନ୍ତି ପ୍ରଦ୍ୟୁମ୍ନ । ‘‘ସୁରକ୍ଷାର ସବୁ ନିୟମ ମାନି ଓ ସାମାଜିକ ଦୂରତ୍ବ ବଜାୟ ରଖି ମୁଁ ମୋ’ ବୃତ୍ତି ପାଳନ କରିଆସୁଛନ୍ତି । ସହରରେ ଲକଡାଉନ ଜାରି ରହିଥିବା ବେଳେ କରୋନାକୁ ଭୟ ବା ଭ୍ରୁକ୍ଷେପ ନ କରି ମୁଁ ମୋ’ କାମ କରିଚାଲିଛି । ମୁଁ ଲୋକଙ୍କୁ ସେବା ଯୋଗାଉଛି । ଭଗବାନ ମୋ’ର କିଛି ଅସୁବିଧା କରିବେନି,’’ କହିଛନ୍ତି ପ୍ରଦ୍ୟୁମ୍ନ ।

ଅନେକ ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ପ୍ରଦ୍ୟୁମ୍ନ ନିଜ ଡାକ ନାମ ବବଲୁ ଦ୍ୱାରା ଜଣାଶୁଣା । ‘‘ବବଲୁ ଗୋଟେ ବହୁତ ଭଲ ପିଲା । ସେ ଲକଡାଉନ ସମୟରେ ଆମ ପାଇଁ ଜଣେ ବିପଦର ବନ୍ଧୁ ଭଳି ସେବା ଯୋଗାଇ ଆସୁଛି । ବବୁଲୁ ଯଦି ଗ୍ୟାସ ନ ଦିଅନ୍ତା, ଆମ ଘରେ ରୋଷେଇ ବନ୍ଦ ହୋଇଯାଆନ୍ତା । ବର୍ତ୍ତମାନ ଚାରି ଆଡ଼େ ହୋଟେଲ ବଜାର ବନ୍ଦ ଥିବା ବେଳେ ଆମେ କଣ ଖାଆନ୍ତୁ? ଭଗବାନ ତା’ର ମଙ୍ଗଳ କରନ୍ତୁ,’’ କହିଛନ୍ତି ବ୍ୟାସନଗର ମୁଣ୍ଡମାଳ ଅଞ୍ଚଳର ଉପଭୋକ୍ତା ଦିପ୍ତିରେଖା ନାୟକ ।

ଲକଡାଉନ ସମୟରେ ପ୍ରଦ୍ୟୁମ୍ନଙ୍କ ପରି ପ୍ରତି ଦିନ କର୍ତ୍ତବ୍ୟ ପଥରେ ମାଡ଼ି ଚାଲିଥିବା ବ୍ୟକ୍ତିମାନେ ହିଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ପରି ବାସ୍ତବ କରୋନା ହିରୋ ।
First published: April 14, 2020, 5:40 PM IST
corona virus btn
corona virus btn
Loading