ଗଞ୍ଜାମରେ ଅନଲାଇନରେ ପାଠ ପଢ଼ିବାକୁ ଜଙ୍ଗଲକୁ ଯାଉଛନ୍ତି ପିଲାଏ; ଗାଁରେ କୌଣସି ନେଟୱର୍କ୍ ନାହିଁ

ବଣ ପାହାଡ଼ ଘେରା ଏହି ଗାଁରେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ୍ ଫୋନ୍ ନାହିଁ । ଯାହା ପାଖରେ ଅଛି, ସେ ବି ଗାଁରେ ରହି ଅନଲାଇନ୍ ମାଧ୍ୟମରେ ପାଠ ପଢ଼ିପାରୁ ନାହିଁ । ଗାଁରୁ ଦୁଇ କିଲୋମିଟର ଦୂରକୁ ଯାଇ ସେମାନଙ୍କୁ ପଢ଼ିବାକୁ ପଡୁଛି ।

ଗଞ୍ଜାମରେ ଅନଲାଇନରେ ପାଠ ପଢ଼ିବାକୁ ଜଙ୍ଗଲକୁ ଯାଉଛନ୍ତି ପିଲାଏ; ଗାଁରେ କୌଣସି ନେଟୱର୍କ୍ ନାହିଁ
ଅନଲାଇନ୍ ପାଠ ପଢ଼ିବାକୁ ପିଲାମାନେ ଜଙ୍ଗଲକୁ ଯାଉଛନ୍ତି ।
  • News18 Odia
  • Last Updated: July 13, 2021, 11:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘ ଦିନ ହେଲା ସ୍କୁଲ୍‌ ସବୁ ବନ୍ଦ ରହିଥିବା ବେଳେ ସରକାର ଅନଲାଇନ୍‌ ମାଧ୍ୟମରେ ପାଠପଢ଼ା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଗଞ୍ଜାମ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଅନଲାଇନ ପାଠପଢ଼ା ଏକ ପ୍ରକାରର ପ୍ରହସନ ପାଲଟିଯାଇଛି । ଗଞ୍ଜାମ ବ୍ଳକ ଅନ୍ତର୍ଗତ ପାହାଡ଼ିଆ ଗାଁ ବିରୁଳିଗଡ଼ରେ କୌଣସି ମୋବାଇଲ୍‌ ନେଟୱର୍କ କାମ କରୁ ନ ଥିବାରୁ ପିଲାମାନେ ଅନଲାଇନ ପାଠପଢ଼ାର ସୁଯୋଗରୁ ବଞ୍ଚିତ ହେଉଛନ୍ତି ।

ବଣ ପାହାଡ଼ ଘେରା ବିରୁଳିଗଡ଼ ଗାଁରେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ୍‌ ଫୋନ୍‌ ନାହିଁ । ଯାହା ପାଖରେ ଅଛି, ସେ ବି ଗାଁରେ ରହି ଅନଲାଇନ୍‌ ମାଧ୍ୟମରେ ପାଠ ପଢ଼ିପାରୁ ନାହିଁ । ଅନଲାଇନ୍‌ ପାଠ ପଢ଼ିବାକୁ ଛାତ୍ରଛାତ୍ରୀମାନେ ଗାଁରୁ ଦୁଇ କିଲୋମିଟର ଦୂରରେ ଥିବା ଜଙ୍ଗଲ ଭିତରକୁ ଯାଉଛନ୍ତି । ସେଠାରେ କିଛି ସମୟ ଧରି ପାଠ ପଢ଼ିବା ପରେ ପୁଣି ଗାଁକୁ ଫେରୁଛନ୍ତି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘ଜଙ୍ଗଲରେ ତ ଭୟ ଲାଗୁଛି । ସେଠି ପାଠ କ’ଣ ପଢ଼ିପାରିବୁ? ଜଙ୍ଗଲରେ ପାଠପଢ଼ାରେ ସେତେ ମନ ଲାଗୁନାହିଁ । ଗାଁରେ ନେଟୱର୍କ ବ୍ୟବସ୍ଥା କରାଗଲେ ଆମେ ଅନଲାଇନ୍‌ ବ୍ୟବସ୍ଥାରେ ପାଠ ପଢ଼ିପାରନ୍ତୁ,’’ କହିଛନ୍ତି ବିରୁଳିଗଡ଼ ଗାଁର ଛାତ୍ରୀ ନିବେଦିତା ବେହେରା ।

ଜଙ୍ଗଲରେ ବସି ମୋବାଇ୍ଲ୍ ଫୋନରୁ ପଢୁଛନ୍ତି କିଛି ପିଲା ।


ବିରୁଳିଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ବିନୀତା କୁମାରୀ ମିଶ୍ର କହିଛନ୍ତି ଯେ ଗାଁରେ କୌଣସି ମୋବାଇଲ୍‌ ଫୋନ୍‌ ନେଟୱର୍କ ଧରୁ ନ ଥିବାରୁ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ବଣଜଙ୍ଗଲକୁ ଯାଇ ଅନଲାଇନ ଯୋଗେ ପାଠ ପଢ଼ୁଛନ୍ତି । ‘‘ଯେଉଁମାନେ ଭୟରେ ଜଙ୍ଗଲକୁ ପାଠ ପଢ଼ିବାକୁ ଯାଇପାରୁନାହାନ୍ତି ସେମାନେ ସେଭଳି ଘରେ ରହୁଥିବାରୁ ସେମାନଙ୍କର ପାଠପଢ଼ା ନଷ୍ଟ ହେଉଛି । ଏହା ଫଳରେ ଅନେକ ଛାତ୍ରଛାତ୍ରୀ ପାଠପଢ଼ା ପ୍ରତି ବିମୁଖ ହୋଇ ଅନ୍ୟ କାମରେ ବି ଲାଗିଲେଣି,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଦେଶର ସର୍ବ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ପୁଣି ଥରେ କରୋନାରେ ସଂକ୍ରମିତ ହେଲେ

ଗାଁରେ ରହିଥିବା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ଘର ଘର ବୁଲି ପାଠପଢ଼ାଇବା ଜାରି ରଖିଥିଲେ ବି ଠିକ୍‌ ସମୟରେ ପାଠ୍ୟକ୍ରମ ଖସଡ଼ା ଶେଷ ହୋଇପାରୁନାହିଁ ବୋଲି ସେ କହିଛନ୍ତି । ‘‘ଏହାର କାରଣ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସବୁ ବିଷୟରେ ପାଠ ପଢ଼ାଯାଇପାରୁନାହିଁ । ତେଣୁ ଖୁବ୍‌ ଶୀଘ୍ର ନେଟୱର୍କ ସମସ୍ୟାର ସମାଧାନ କରିବା ପାଇଁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ,’’ କହିଛନ୍ତି ବିନୀତା କୁମାରୀ ମିଶ୍ର ।

ଏହା ବି ପଢ଼ନ୍ତୁ | କରୋନା ସଂକ୍ରମଣର ତୃତୀୟ ଲହର ବିଶ୍ବର କେତେକ ଦେଶରେ ଆରମ୍ଭ ହୋଇଗଲାଣି: ଡଃ ପଲ୍‌

ଜଣେ ସରକାରୀ ଶିକ୍ଷକ ପିଲାମାନଙ୍କୁ ସେମାନଙ୍କ ଘରକୁ ଆସି ପଢ଼ାଉଛନ୍ତି ।


ଗ୍ରାମବାସୀମାନଙ୍କ ତରଫରୁ ଏ ବିଷୟରେ ସ୍ଥାନୀୟ ଜନ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଅଧିକାରୀଙ୍କୁ ପୂର୍ବରୁ ଅନେକ ଥର ଜଣାଯାଇଥିଲେ ବି ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ । ମୋବାଇଲ୍‌ ଫୋନ୍‌ ନେଟୱର୍କ ଧରୁ ନ ଥିବାରୁ କେବଳ ଯେ ଛାତ୍ରଛାତ୍ରୀଙ୍କ ଅନଲାଇନ୍‌ ପାଠପଢ଼ାରେ ଅସୁବିଧା ହେଉଛି ତାହା ନୁହେଁ । ଗାଁରେ କାହାର ଦେହ ଖରାପ ହେଲେ ଆମ୍ବୁଲନ୍ସକୁ ଯୋଗାଯୋଗ କରିବା ପାଇଁ ବି ବିଳମ୍ବ ହେଉଛି ।



‘‘ଆମ ଗାଁରେ ମୋବାଇଲ୍‌ ନେଟୱର୍କ ନ ଥିବାରୁ ନାନାଦି ସମସ୍ୟାର ସମ୍ମଖୀନ ହେଉଛନ୍ତି ଗ୍ରାମବାସୀମାନେ । ତୁରନ୍ତ ନେଟୱର୍କ ସମସ୍ୟାର ସମାଧାନ ନ କରାଗଲେ ଆଗାମୀ ଦିନରେ ଆମେ ଏକତ୍ରିତ ହୋଇ ଆନ୍ଦୋଳନକୁ ଓହ୍ଳାଇବୁ,’’ ଚେତାବନୀ ଦେଇଛନ୍ତି ବିରୁଳିଗଡ଼ ଗ୍ରାମବାସୀ ପ୍ରକାଶ ନାୟକ ।
Published by: Anand ST Das
First published: July 13, 2021, 11:56 PM IST