ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଆନ୍ଧ୍ର ଓ ତେଲେଙ୍ଗାନାରୁ ଫେରିବା ମନା; ଗଞ୍ଜାମ ଜିଲ୍ଲାର ୪ଟି ପ୍ରବେଶ ପଥ ମଧ୍ୟରୁ ୩ଟିକୁ ସିଲ୍ କରାଗଲା

ଆନ୍ଧ୍ର ଓ ତେଲେଙ୍ଗାନାରୁ ଫେରିବା ମନା; ଗଞ୍ଜାମ ଜିଲ୍ଲାର ୪ଟି ପ୍ରବେଶ ପଥ ମଧ୍ୟରୁ ୩ଟିକୁ ସିଲ୍ କରାଗଲା

କେବଳ ଗିରିସୋଲା ପ୍ରବେଶ ପଥ ଦେଇ ଗଞ୍ଜାମ ଜିଲ୍ଲାକୁ ପ୍ରବେଶ ପାଇଁ ଅନୁମତି ମିଳିଛି । ଏହି ପଥରେ ବି କଡ଼ାକଡ଼ି ଯାଞ୍ଚ କରାଯାଉଛି । ବାହାର ରାଜ୍ୟରୁ ଗଞ୍ଜାମକୁ ଆସୁଥିବା ଲୋକଙ୍କ ପାଇଁ ୧୪ ଦିନ କ୍ବାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି ।

ଆନ୍ଧ୍ର ଓ ତେଲେଙ୍ଗାନାରୁ ଫେରିବା ମନା; ଗଞ୍ଜାମ ଜିଲ୍ଲାର ୪ଟି ପ୍ରବେଶ ପଥ ମଧ୍ୟରୁ ୩ଟିକୁ ସିଲ୍ କରାଗଲା
ଗିରିସୋଲା ପ୍ରବେଶ ପଥରେ ପୋଲିସ ଚେକିଂ କରୁଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
କୈଳାସ ବେହେରା | News18 Odia Digital

ବ୍ରହ୍ମପୁର: ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ଫେରୁଥିବା ଓଡ଼ିଶାବାସୀଙ୍କୁ ନେଇ ଚିନ୍ତାରେ ପଡ଼ିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏହି ଦୁଇ ରାଜ୍ୟର ଫେରନ୍ତାଙ୍କ ଉପରେ ନଜର ରଖିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ଅନେକ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାକୁ ପ୍ରବେଶ କରିବା ପାଇଁ ଥିବା ଚାରିଟି ପ୍ରବେଶ ପଥ ମଧ୍ୟରୁ ତିନୋଟିକୁ ସିଲ୍ କରାଯାଇଛି । କେବଳ ଗୋଟିଏ ପ୍ରବେଶ ପଥର ବ୍ୟବହାର ପାଇଁ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ ।

କେବଳ ଗିରିସୋଲା ପ୍ରବେଶ ପଥ ଦେଇ ଜିଲ୍ଲା ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମିଳିଛି । ଏହି ପଥରେ ମଧ୍ୟ କଡ଼ାକଡ଼ି ଯାଞ୍ଚ ଜାରି ରହିଛି । ଯେଉଁମାନେ ବାହାର ରାଜ୍ୟରୁ ଗଞ୍ଜାମକୁ ଆସିବେ ସେମାନଙ୍କ ପାଇଁ ୧୪ ଦିନ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି । ଆର୍‌.ଟି.ପି.ସି.ଆର୍‌. ନେଗେଟିଭ୍‌ ରିପୋର୍ଟ ଥିଲେ ସାତ-ଦିନିଆ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମୋତେ ଠିକ୍ ଚିକିତ୍ସା ମିଳୁନିମୁଁ ସ୍ୱାସ୍ଥ୍ୟ କର୍ମୀ’: ମୃତ୍ୟୁ ପୂର୍ବରୁ VIDEOରେ କହିଗଲେ ଲ୍ୟାବ୍ କର୍ମଚାରୀ

ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ଦେଖିବାକୁ ମିଳିଥିବା କରୋନା ଭୂତାଣୁ ଅଧିକ ମାତ୍ରାରେ ବିପଦଜନକ ହୋଇଥିବା ଯୋଗୁଁ ସେଠାରୁ ଫେରୁଥିବା ଲୋକଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଚିଠି କରାଯାଇଥିଲା । ସେହି କ୍ରମରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିକଟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଆସିବା ପରେ ସଜାଗ ହୋଇଛି ଜିଲ୍ଲା ପ୍ରଶାସନ ।

ଅନେକ ପ୍ରବାସୀ ଗଞ୍ଜାମ ଜିଲ୍ଲାକୁ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି ।


‘‘ଏହି ଦୁଇଟି ରାଜ୍ୟରୁ ଗଞ୍ଜାମ ଜିଲ୍ଲାକୁ ଆସୁଥିବା ଲୋକଙ୍କୁ ପାଇଁ ୧୪-ଦିନିଆ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନଙ୍କର ଆର୍‌.ଟି.ପି.ସି.ଆର୍‌. ନେଗେଟିଭ୍‌ ରିପୋର୍ଟ ରହିଛି ସେମାନଙ୍କ ପାଇଁ ସାତ-ଦିନିଆ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ କରାଯାଇଛି । ଜିଲ୍ଲାକୁ ପ୍ରବେଶ କରିବା ପାଇଁ ରହିଥିବା ଚାରିଟି ସୀମା ରାସ୍ତା ମଧ୍ୟରୁ ତିନୋଟିକୁ ଆମେ ସିଲ୍ କରିଛୁ । ଏହି ଦୁଇଟି ରାଜ୍ୟରୁ ଫେରୁଥିବା ଲୋକଙ୍କୁ କ୍ବାରେଣ୍ଟାଇନରେ ରଖିବା ପାଇଁ କନିଷିସ୍ଥିତ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟରେ ପ୍ରାୟ ୧,୪୦୦ ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି,’’ କହିଛନ୍ତି ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ।

ଏହା ବି ପଢ଼ନ୍ତୁ |ବାପାଙ୍କୁ କୁମ୍ଭ ମେଳାକୁ ଯିବାରୁ ବାରଣ କରିଥିଲି, ହେଲେ ସେ ଶୁଣି ଥିଲେ’: ଶ୍ରବଣ ରାଠୋଡ଼ଙ୍କ ପୁଅ

ଗୋଳନ୍ଥରା ଥାନାର ପୋଲିସ ଏ.ଏସ୍‌.ଆଇ. କେଶବ ଚନ୍ଦ୍ର ମାଝୀ କହିଛନ୍ତି ଯେ କେବଳ ଗଞ୍ଜାମ ଜିଲ୍ଲାବାସୀଙ୍କୁ ହିଁ ଗିରିସୋଲା ପ୍ରବେଶ ପଥ ଦେଇ ଯାତାୟତ କରିବା ପାଇଁ ଅନୁମତି ଦିଆଯାଇଛି । ‘‘ଆମେ ଚେକିଂ ଜୋର୍‌ଦାର୍‌ କରୁଛୁ । ଗିରିସୋଲା ପ୍ରବେଶ ପଥ ନିକଟରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ପ୍ରତ୍ୟେକ ଗାଡ଼ିକୁ ଯାଞ୍ଚ କରୁଛନ୍ତି । କେବଳ ମେଡିକାଲ୍‌ କିମ୍ବା ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ ଥିବା ଗାଡ଼ିଗୁଡ଼ିକୁ ଜିଲ୍ଲାରେ ପ୍ରବେଶ କରିବାକୁ ଅନୁମତି ଦେଉଛୁ । ବିଭିନ୍ନ ସାମଗ୍ରୀର ପରିବହନରେ ନିୟୋଜିତ ଥିବା ଗାଡ଼ିକୁ ବି ଛଡ଼ାଯାଉଛି । କିନ୍ତୁ ଆନ୍ଧ୍ରରୁ ଗଞ୍ଜାମ ଜିଲ୍ଲାକୁ ଫେରୁଥିବା ଲୋକଙ୍କୁ ଆସିବାକୁ ଅନୁମତି ଦିଆଯାଉ ନାହିଁ,’’ କହିଛନ୍ତି ମାଝୀ ।

ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ

ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ରେଡ୍‌ ଜୋନରେ ରହିଛି ଜିଲ୍ଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରରେ ଜିଲ୍ଲା ପ୍ରଶାସନର ପ୍ରବେଶ ପଥ ସିଲ୍ କରିବା ପଦକ୍ଷେପକୁ ସ୍ବାଗତ କରିଛନ୍ତି ଜିଲ୍ଳାବାସୀମାନେ । ଏହା ଦ୍ୱାରା ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ଭୂତାଣୁର ଭୟାବହତା ଓଡ଼ିଶାକୁ ବ୍ୟାପିବ ନାହିଁ ବୋଲି ଜିଲ୍ଲାବାସୀ ଆଶା କରୁଛନ୍ତି ।

ଏହା ବି ପଢ଼ନ୍ତୁ | କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ?

‘‘ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ସଂକ୍ରମଣ ତୀବ୍ର ହେବା ପରଠୁ ଆମେ ଭୟରେ ଅଛୁଁ । ଆମ ଜିଲ୍ଲାର ସୀମାକୁ ଆନ୍ଧ୍ର ଲାଗିଥିବାରୁ ସେଠାରୁ ସଂକ୍ରମଣ ମାଡ଼ିଆସିବାର ଭୟ ରହିଛି । ଜିଲ୍ଲା ପ୍ରଶାସନ ସୀମା ସିଲ୍ କରିବା ସହ ଆହୁରି କଡ଼ା ପଦକ୍ଷେପ ନେବା ଉଚିତ । ତାହେଲେ ଯାଇ ଜିଲ୍ଲାରେ ସଂକ୍ରମଣକୁ କମ୍‌ କରାଯାଇପାରିବ,’’ କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ମୋହନ ସିଂହାରୀ।

ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲା

ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପକ ହେବା ପରେ ସେଠାରେ ଅନେକ କମ୍ପାନୀ ବନ୍ଦ ହୋଇଛି । ଏହା ଫଳରେ ଲୋକେ ନିଜର ଭିଟାମାଟିକୁ ଫେରୁଛନ୍ତି । ଗଞ୍ଜାମ ଜିଲ୍ଲାର ତିନୋଟି ପ୍ରବେଶ ପଥକୁ ସିଲ୍ କରାଯିବା ପରେ ଗିରିସୋଲା ଦେଇ ବିଭିନ୍ନ ରାଜ୍ୟର ଲୋକେ ଆସୁଛନ୍ତି । ଅନ୍ୟ ରାଜ୍ୟର ବସକୁ ଓଡ଼ିଶା ଦେଇ ଚଳାଚଳ ପାଇଁ କିଛି କଟକଣା ରହିଥିବା ବେଳେ କିଛି ବସ୍‌ ଡ୍ରାଇଭରମାନେ ଭୟରେ ଲୋକଙ୍କୁ ଗିରିସୋଲା ପ୍ରବେଶ ପଥରେ ଓହ୍ଳାଇ ଦେଉଛନ୍ତି । ଏହା ଫଳରେ ଗିରିସୋଲା ପ୍ରବେଶ ପଥରୁ ମାଇଲ୍‌ ମାଇଲ୍‌ ଦୂର ଶ୍ରମିକମାନେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି ।



‘‘ଗୋଟିଏ ପଟେ କରୋନା ସଂକ୍ରମଣ ଯୋଗୁଁ ଆମେ ରୋଜଗାର ହରାଇଲୁ । ଅନ୍ୟ ପଟେ ପ୍ରବେଶ ପଥଗୁଡ଼ିକୁ ବନ୍ଦ କରି ଏ ଭଳି କଡ଼ା ଯାଞ୍ଚ ଚାଲିଥିବା ଯୋଗୁଁ ଆମେ ନାହିଁ ନ ଥିବା ଅସୁବିଧାର ସମ୍ମଖୀନ ହେଉଛୁଁ,’’ କହିଛନ୍ତି ହାଇଦ୍ରାବାଦରୁ ଫେରୁଥିବା ଶ୍ରମିକ ତୋଫାନ୍‌ ।
Published by: Anand ST Das
First published: May 5, 2021, 9:47 PM IST