କଟକରେ ଗଣେଷ ପୂଜା ଉପରେ ଲାଗିଲା କଟକଣା; ଦଶହରା ପାଇଁ ପ୍ରସ୍ତୁତି ନ କରିବାକୁ କୁହାଗଲା

କରୋନା ଭାଇରସ୍ ସଂକ୍ରମଣର ଗୁରୁତର ସ୍ଥିତି ଯୋଗୁଁ କଟକରେ ସାର୍ବଜନୀନ ପୂଜା ଉପରେ କଟକଣା ଲାଗିଛି । ଗଣେଷଙ୍କ ଛୋଟ ମୂର୍ତ୍ତି ଘରେ ରଖି ପୂଜା କରିବାକୁ ପୋଲିସର ଅନୁମତି ଅଛି । ସାର୍ବଜନୀନ ଦଶହରା ପାଳନ ଆଶା କ୍ଷୀଣ ରହିଛି ।

କଟକରେ ଗଣେଷ ପୂଜା ଉପରେ ଲାଗିଲା କଟକଣା; ଦଶହରା ପାଇଁ ପ୍ରସ୍ତୁତି ନ କରିବାକୁ କୁହାଗଲା
କଟକରେ ମୂର୍ତ୍ତି କାରିଗରମାନେ ଗଣେଶ ମୂର୍ତ୍ତି ତିଆରିରେ ଲାଗିଛନ୍ତି ।
  • News18 Odia
  • Last Updated: July 19, 2020, 10:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଗଣେଷ ପୂଜାକୁ ଆଉ ମାତ୍ର ଦିନ କେଇଟା ଥିବା ବେଳେ କଟକ ସହରରେ ଚଳିତ ବର୍ଷ ଗଣେଷ ପୂଜା ଅନୁଷ୍ଠିତ ହେବ ବା ନାହିଁ ତାକୁ ନେଇ ପୂଜା କମଟିଗୁଡ଼ିକ ମଧ୍ୟରେ ଲାଗି ରହିଥିବା ଦ୍ବନ୍ଦ୍ୱ ଶେଷରେ ଦୂର ହୋଇଛି । ରବିବାର ଦିନ ପୋଲିସ ଓ ପୂଜା କମିଟି ଏବଂ ଶାନ୍ତି କମିଟିଗୁଡ଼ିକ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ଚଳିତ ବର୍ଷ କଟକ ସହରରେ ଗଣେଷ ପୂଜା ହେବ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସାର୍ବଜନୀନ ପୂଜା ଉପରେ କଟକଣା ଲଗାଯାଇଥିବା ନେଇ କଟକ ସହରର ସମସ୍ତ ଗଣେଷ ପୂଜା କମିଟିଗୁଡ଼ିକୁ ନୋଟିସ ଜାରି କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଲୋକେ ନିଜ ନିଜ ଘରେ ଗଣେଷଙ୍କ ମୂର୍ତ୍ତି କରି ପୂଜା କରିପାରିବେ । ଏହି ପୂଜା କେବଳ ପରିବାର ମଧ୍ୟରେ ସୀମିତ ରହିବ । ଏଥି ପ୍ରତି ଧ୍ୟାନ ଦେବା ପାଇଁ ମଧ୍ୟ କଟକ ସହରର ପୂଜା କମିଟି ଗୁଡ଼ିକୁ ତାଗିଦ୍‌ କରିଛି କମିଶନରେଟ ପୋଲିସ ।

‘‘କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ ଅନୁସାରେ ବର୍ତ୍ତମାନ କୌଣସି ପ୍ରକାର ସାମୁହିକ ପୂଜା ଓ ଲୋକ ଏକାଠି ହେବା ଭଳି କାର୍ଯ୍ୟ ଉପରେ କଟକଣା ଲଗାଯାଇଛି । ତେଣୁ ସାର୍ବଜନୀନ ଗଣେଷ ପୂଜାକୁ ଅନୁମତି ଦିଆଯିବ ନାହିଁ । ଲୋକେ ନିଜ ଘରେ ଗଣେଷଙ୍କ ମୁର୍ତ୍ତି ନେଇ ପୂଜା କରିପାରିବେ । ଦଶହରା ପାଇଁ ମଧ୍ୟ କୌଣସି ପ୍ରସ୍ତୁତି ନ କରିବା ପାଇଁ ଆମେ ପୂଜା କମିଟିଗୁଡ଼ିକୁ ଅନୁରୋଧ କରିଛୁ,’’ କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।

ଦୁର୍ଗା ପୂଜା ଆୟୋଜନ ନ କରିବା ପାଇଁ ଲୋକଙ୍କୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।


ଅଗଷ୍ଟ ୨୨ ତାରିଖରେ ଗଣେଷ ପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ଅକ୍ଟେବର ୨୬ ତାରିଖରେ ପଡୁଛି ଦଶହରା । ଦୁର୍ଗା ପୂଜା ପାଇଁ ନନ୍ଦ ଉତ୍ସବ ଠାରୁ ମା'ଙ୍କ ମୂର୍ତ୍ତି ନିର୍ମାଣ ଲାଗି ମାଟି ଅନୁକୂଳ କାର୍ଯ୍ୟ ହେବାର ପରମ୍ପରା ରହିଛି । କିନ୍ତୁ ସେହି ସମୟରେ କଟକ ସହରରେ କରୋନାର ସ୍ଥିତି କଣ ଥିବ ତା’ର ପୂର୍ବାନୁମାନ ସହଜ ନ ଥିଲେ ମଧ୍ୟ ଏତେ ଶୀଘ୍ର କରୋନା ସ୍ଥିତିରେ ପରିବର୍ତ୍ତନ ଆଶା ମଧ୍ୟ କ୍ଷୀଣ ରହିଛି । ତେଣୁ ସାମ୍ପ୍ରତିକ ପରିସ୍ଥିତିକୁ ଦେଖି ସେତେ ବେଳେ ପୂଜା ନେଇ ନିଷ୍ପତି କରାଯିବ ବୋଲି ବୈଠକରେ ପ୍ରସ୍ତାବ ଦିଆଯାଇଥିଲା ।

କିନ୍ତୁ ପୂର୍ବ ବର୍ଷଗୁଡ଼ିକ ଭଳି ଚଳିତ ବର୍ଷ କଟକରେ ଯେ ଦୁର୍ଗା ପୂଜା ଅନୁଷ୍ଠିତ ହେବ ନାହିଁ ତାହା ଏହି ବୈଠକରୁ ହିଁ ସ୍ପଷ୍ଟ ହୋଇସାରିଛି । କିଛି ପୂଜା କମିଟିର କର୍ମକର୍ତ୍ତାମାନେ ଜନ୍ମାଷ୍ଟମୀରେ ବା ନନ୍ଦେତ୍ସବରେ ମାତ୍ର ଦୁଇ ଜଣ ବ୍ୟକ୍ତିଙ୍କୁ ନେଇ ନଦୀ ପଠାରୁ ମାଟି ଅନୁକୂଳ କରିବା କିନ୍ତୁ ମୂର୍ତ୍ତି ନିର୍ମାଣ ନ କରି ଦଶହରା ସମୟରେ କେବଳ ଘଟ ପୂଜା କରିବା ପାଇଁ ପରାମର୍ଶ ଦେଇଥିଲେ । ଆଉ କିଛି ପୂଜା କମିଟି ମା’ଙ୍କ ଛୋଟ ମୂର୍ତ୍ତି କରି ବିନା ଭକ୍ତରେ ଦଶହରା କରିବାକୁ ପ୍ରସ୍ତାବ ଦେଇଥିଲେ ।

‘‘ଆମେ ଆଜି ନିଷ୍ପତ୍ତି ନେଲୁ ଯେ ଦଶହରା ପାଇଁ କୌଣସି ପ୍ରକାର ବାଦ୍ୟଯନ୍ତ୍ର ଓ ସାଜସଜ୍ଜା ପାଇଁ ଅର୍ଡ଼ର ଦେବୁ ନାହିଁ । ସେତେବେଳର ପରିସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ଯାହା ନିର୍ଦ୍ଦେଶ ଆସିବ ତାକୁ ଆମେ ସମସ୍ତେ ମାନିବୁ,’’ କହିଛନ୍ତି ଚାଉଳିଆଗଞ୍ଚ ପୂଜା କମିଟିର ସଭାପତି ନିରଞ୍ଜନ ସାହୁ ।

କୁମ୍ଭାର ସାହିର ମୂର୍ତ୍ତି କାରୀଗର ଚନ୍ଦନ ବେହେରା


ଗଣେଷ ମୂର୍ତ୍ତି ତିଆରି ପାଇଁ ପ୍ରସିଦ୍ଧ କଟକ କୁମ୍ଭାର ସାହିରେ ଏବେ ଖାଁ ଖାଁ ପରିବେଶ । ପ୍ରତି ବର୍ଷ ଗଣେଷ ପୂଜା ଠାରୁ କାର୍ତ୍ତିକ ପୂଜା ପର୍ଯ୍ୟନ୍ତ କଟକ, ଭୁବନେଶ୍ବର, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ ଓ ଅନୁଗୁଳ ଭଳି ଉପକୂଳ ଜିଲ୍ଲାଗୁଡିକୁ ହଜାର ହଜାର ସଂଖ୍ୟାରେ ମୂର୍ତ୍ତି ଏହି ଠାରୁ ହିଁ ଯାଇଥାଏ । କିନ୍ତୁ କରୋନା ଯୋଗୁଁ ଚଳିତ ବର୍ଷ ଆଶା ଆଶଙ୍କାରେ ଥିବା ଏଠାକାର କାରୀଗରମାନେ ଗଜାନନଙ୍କ କିଛି ମୂର୍ତ୍ତି ତିଆରି କରିସାରିଛନ୍ତି । କମିଶନରେଟ ପୋଲିସର ଗଣେଷ ପୂଜା ଉପରେ ଲଗାଯାଇଥିବା କଟକଣା ଏଠାକାର ମୂର୍ତ୍ତିକାରଙ୍କ ଜୀବିକାକୁ ଗୁରୁତର ଭାବେ ପ୍ରଭାବିତ କରିଛି ।

‘‘ଆମ ସାହିରେ ସବୁ ଘରେ ମୂର୍ତ୍ତି ତିଆରି ହୁଏ । ଏଥର ବହୁତ କମ ମୂର୍ତ୍ତି ତିଆରି କରିଥିଲୁ । ହେଲେ ଆଜି ଶୁଣୁଛି ଯେ ଏ ବର୍ଷ ଗଣେଷ ପୂଜା ହେବ ନାହିଁ । ପୂଜା ନ ହେଲେ ଏହି ମୂର୍ତ୍ତି ସବୁ କିଏ ନେବ?’’ ପ୍ରଶ୍ନ କରିଛନ୍ତି କୁମ୍ଭାର ସାହିର ମୂର୍ତ୍ତି କାରୀଗର ଚନ୍ଦନ ବେହେରା ।

ଏହା ବି ପଢ଼ନ୍ତୁ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମିକା ନତାଶା ଗର୍ଭବତୀ ହେଲେ; ଫଟୋ ସେୟାର କରି ସେ ଏହି କଥା ଲେଖିଲେ

ଏହା ବି ପଢ଼ନ୍ତୁ: ଦିଲ୍ଲୀ AIIMSରେ କରୋନା ଟିକା କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି

କେବଳ ଦଶହରା ନୁହେଁ, କରୋନା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନ ଆସିବା ପର୍ଯ୍ୟନ୍ତ ସହରରେ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ ବୋଲି ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
Published by: Anand Shankar Thankur Das
First published: July 19, 2020, 10:57 PM IST
corona virus btn
corona virus btn
Loading