ରାଜ୍ୟରେ ଆଉ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେ; ଏବେ ମୋଟ ସଂଖ୍ୟା ବଢ଼ି ୪୮ ହେଲା

ଢେଙ୍କାନାଳର ଜଣେ ମହିଳା ଓ ପଶ୍ଚିମ ବଙ୍ଗର ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସାମନାକୁ ଆସିଥିବା ବାକି ଚାରି ଜଣଙ୍କ ସ୍ଥାନ ଓ ପରିଚୟ ବିଷୟରେ ତଥ୍ୟ ଦେଇ ନାହାନ୍ତି ସରକାର ।

ରାଜ୍ୟରେ ଆଉ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେ; ଏବେ ମୋଟ ସଂଖ୍ୟା ବଢ଼ି ୪୮ ହେଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 10, 2020, 2:14 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଓଡ଼ିଶାରେ ଗୋଟିଏ ଦିନରେ ଛଅ ଜଣ କରୋନା ଭାଇରସ୍‌ ପଜିଟିଭ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୪୮ ହୋଇଛି । ସେମାନଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ଦୁଇ ଜଣ ସଂକ୍ରମିତ ବ୍ୟକ୍ତି ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ବାକି ୪୫ ଜଣ ଏବେ ବିଭିନ୍ନ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗର ମଧ୍ୟ ରାତ୍ରିରେ ଆସିଥିବା ସୂଚନା ଅନୁସାରେ ଏପ୍ରିଲ୍‌ ୯ ତାରିଖ ଗୁରୁବାର ଦିନ ରାଜ୍ୟରେ ମୋଟ ୬ ଜଣଙ୍କ ନମୁନା ପଜିଟିଭ୍‌ ଆସିଥିଲା । ଏହି ଗୋଟିଏ ଦିନରେ ୪୦୮ଟି ନମୁନା ପରୀକ୍ଷା ହୋଇଥିଲା, ଆଉ ସେଥିରୁ ୪୦୨ଟି ନେଗେଟିଭ୍‌ ଆସିଥିଲା ବୋଲି ଏକ ଟ୍ୱିଟର୍‌ ପୋଷ୍ଟରେ ମଧ୍ୟ ରାତ୍ରି ୧୨ଟା ୩୪ରେ କହିଛି ବିଭାଗ । ଏହି ତଥ୍ୟ ଅନୁସାରେ ଗୁରୁବାର ସୁଦ୍ଧା ରାଜ୍ୟରେ ମୋଟ ୩,୨୪୯ଟି ନମୁନା ପରୀକ୍ଷା ହୋଇଛି ।

ଗୁରୁବାର ମଧ୍ୟାହ୍ନରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣେଇଥିଲା ଯେ ରାଜ୍ୟରେ ଦୁଇ ଜଣ କରୋନା ଭାଇରସ୍‌ ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ଓ ଏଥି ସହ ରାଜ୍ୟରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ି ୪୪ ହୋଇଛି ।

କଟକର ଅଶ୍ବିନୀ ହସପିଟାଲ୍ ପରିସରରେ ସ୍ଥାପିତ ସ୍ବତନ୍ତ୍ର କୋଭିଡ଼-୧୯ ହସ୍ସପିଟାଲ


ସେହି ଦୁଇଟି ମାମଲା ଢେଙ୍କାନାଳ ଓ ଭୁବନେଶ୍ବରରୁ ଆସିଥିଲା । ଢେଙ୍କାନାଳରେ ଜଣେ ୫୧ ବର୍ଷୀୟା ମହିଳା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଦ୍ୱିତୀୟ ମାମଲାରେ ପଶ୍ଚିମ ବଙ୍ଗର ମେଦିନୀପୁରରୁ ଆସିଥିବା ଜଣେ ରୋଗୀ କରୋନା ପଜିଟିଭ ଜଣାପଡ଼ିଥିଲେ । ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ଢେଙ୍କାନାଳରେ ଚିହ୍ନଟ ସଂକ୍ରମିତ ମହିଳାଙ୍କର ରହିଛି ନିଜାମୁଦ୍ଦିନ ଲିଙ୍କ ଥିଲା । ଏହି ମହିଳା ଦିଲ୍ଲୀର ନିଜାମୁଦ୍ଦିନରୁ ଫେରିଥିବା କିଛି ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ଏ ନେଇ ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ସୂଚନା ଦେଇଥିଲେ । ସେହି ଆକ୍ରାନ୍ତ ମହିଳାଙ୍କୁ କଟକର ଅଶ୍ବିନୀ କୋଭିଡ୍‌-୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ସେ କହିଥିଲେ ।

ଏହି ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରାଯାଉଛି ଓ ଢେଙ୍କାନାଳ ଜିଲ୍ଲାରେ ଆହୁରି ୧୪ ଜଣ ଲୋକ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ମଧ୍ୟ କହିଥିଲେ ଜିଲ୍ଲାପାଳ । ସେହି ୧୪ ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଲକଡାଉନ୍ ଅବଧି ବୃଦ୍ଧିର ଘୋଷଣା କରୁଛନ୍ତି ।


ଏହି ଦୁଇ ଜଣଙ୍କ ପରେ ପଜିଟିଭ୍‌ ଚିହ୍ନଟ ହୋଇଥିବା ଚାରି ଜଣଙ୍କ ବିଷୟରେ କୌଣସି ସୂଚନା ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇ ନାହିଁ । ଆଜି ପର୍ଯ୍ୟନ୍ତି କରୋନା ଭାଇରସ୍‌ ସଂକ୍ରମଣ ସମ୍ବନ୍ଧରେ ତଥ୍ୟ ଟ୍ୱିଟର୍‌ ଯୋଗେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଆସୁଥିଲେ ହେଁ ତାଜା ସୂଚନା ପ୍ରଥମ ଥର ଲାଗି ସୂଚନା ଓ ପ୍ରସାରଣ ବିଭାଗ ନିଜ ଟ୍ୱିଟର୍‌ ହ୍ୟାଣ୍ଡଲରେ ଦେଇଥିଲା । ତାହା ବି ବିଳମ୍ବିତ ମଧ୍ୟ ରାତ୍ରରେ । ଏହା ସାଧାରଣରେ କୌତୁହଳର ବିଷୟ ହୋଇଛି । ଗୁରୁବାର ଦିନ ହିଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲକଡାଉନର ଅବଧି ବଢ଼ାଇ ଏପ୍ରିଲ୍‌ ୩୦ କରାଯାଉଛି ବୋଲି ରାଜ୍ୟବାସୀଙ୍କୁ ଜଣେଇଥିଲେ ।
First published: April 10, 2020, 2:14 AM IST
corona virus btn
corona virus btn
Loading