ଆଗୁଆ ପ୍ରସ୍ତୁତି ଜାରି: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କଟକରେ ୮୦୦ ବେଡର ବ୍ୟବସ୍ଥା ହେଉଛି

ଏସ୍.ସି.ବି.ରେ ୪୦୦ ଶଯ୍ୟା ବିଶିଷ୍ଟ କରୋନା ୱାର୍ଡ଼ ପ୍ରସ୍ତୁତ ହେଉଥିବା ବେଳେ କଟକ ଜିଲ୍ଲାର ୪ଟି ପ୍ରମୁଖ ହସ୍ପିଟାଲକୁ ଆଗାମୀ ସମ୍ଭାବ୍ୟ ଉତ୍କଟ ସ୍ଥିତି ପାଇଁ ପ୍ରସ୍ତୁତ କରାଯାଉଛି ।

ଆଗୁଆ ପ୍ରସ୍ତୁତି ଜାରି: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କଟକରେ ୮୦୦ ବେଡର ବ୍ୟବସ୍ଥା ହେଉଛି
ଅଶ୍ୱିନୀ ହସ୍ପିଟାଲରେ ତିଆରି ହେଉଥିବା କରୋନା ୱାର୍ଡ଼
  • News18 Odia
  • Last Updated: March 25, 2020, 9:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଓଡିଶାରେ କୋରୋନା ଭାଇରସ୍‌ ଜନିତ ସଙ୍କଟର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଥିଲେ ମଧ୍ୟ ଆଗକୁ ପରିସ୍ଥିତି ଭୟାନକ ହେବାର ଆଶଙ୍କା କରି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କଟକରେ ଚାରିଟି ବେସରକାରୀ ହସ୍ପିଟାଲକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।

ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇରେ ସୀମିତ ଥିବା ବେଳେ ମେ ମାସ ସୁଧା ଏହା ଅତିକମରେ ୨,୩୪୫ ଓ ଅତି ବେଶୀରେ ୩୬ ହଜାରରେ ପହଁଚିବ ବୋଲି ଆକଳନ କରିଛନ୍ତି ରାଜ୍ୟ ସରକାର । ଏହି ଆକଳନ ସହ ସେହି ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି ।

ଏସ୍‌.ସି.ବି.ରେ ୪୦୦ ଶଯ୍ୟା ବିଶିଷ୍ଟ କରୋନା ୱାର୍ଡ଼ ପ୍ରସ୍ତୁତ ହେଉଥିବା ବେଳେ କଟକ ଜିଲ୍ଲାର ୪ଟି ପ୍ରମୁଖ ହସ୍ପିଟାଲକୁ ପ୍ରସ୍ତୁତ କରାଯାଉଛି । ସେଥି ମଧ୍ୟରେ ରହିଛି କଟକର ଅଶ୍ବିନୀ ହସପିଟାଲ । ଏ ନେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପାଇବା ପରେ ଶହେ ବେଡ ବିଶିଷ୍ଟ ନିଜ ଟ୍ରମା ସେଣ୍ଟରରୁ ରୋଗୀଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ ହୋଇଛି ।

‘‘କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମକୁ ପ୍ରସ୍ତୁତ ରହିବା ପାଇଁ କୁହାଯିବା ପରେ ଆମେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରି ଦେଇଛୁ । ସି.ଡି.ଏ. ସେକ୍ଟର ୬ ରେ ଥିବା ଆମ ଟ୍ରମା କେୟାର ହସ୍ପିଟାଲକୁ ଆମେ ସ୍ୱତନ୍ତ୍ର କରୋନା ହସ୍ପିଟାଲରେ ପରିବର୍ତ୍ତିତ କରିବାକୁ ଯାଉଛୁ । ଏଠାରେ ୧୦୦ଟି ସାଧାରଣ ବେଡ଼ ସହ ୩୦ଟି ICU ରହିଛି,’’ କହିଛନ୍ତି ଅଶ୍ୱିନୀ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ସୁବ୍ରତ କୁମାର ଜେନା ।

କଟକ ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ର


ଏହି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ଏହି ସଂସ୍ଥାର ସତୀଚଉରାରେ ଥିବା ଆଉ ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ପ୍ରକ୍ରିୟା ଆରମ୍ଭ କରି ଦିଆଯାଇଛି । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ହସପିଟାଲର ଡାକ୍ତର ଓ ପରାମେଡିକାଲ ଷ୍ଟାଫ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଡଃ ଜେନା ।

ଜଗତପୁରର ସଦଗୁରୁ ହସ୍ପିଟାଲ, ଓଲଟପୁର ଠାରେ ଥିବା ଏସଭି ନିର୍ତ୍ତାର ଓ ଆଠଗଠ ସ୍ଥିତ ଗୋପବନ୍ଧୁ ହସ୍ପିଟାଲକୁ ମଧ୍ୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ କରାଯାଉଛି । ଏହି ହସ୍ପିଟାଲ ଗୁଡିକରେ ମୋଟ ୪୦୦ ବେଡ ସହ ୫୫ଟି ଆଇସିୟୁ ରହିଛି ।

‘‘ଏହି ୪ଟି ଯାକ ହସ୍ପିଟାଲକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୁପେ ନିଜ ନିୟନ୍ତ୍ରଣକୁ ନେଇ ସେଠାରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ଯାଉଛନ୍ତି । ଏଥି ପାଇଁ ଆବଶ୍ୟକ ହେଉଥିବା ଉପକରଣ, ଔଷଧ, ଚିକିତ୍ସା ପାଇଁ ବ୍ୟବହାର ହେବାକୁ ଥିବା ସାମଗ୍ରୀ ଓ ଡାକ୍ତର ଓ ପାରା ମେଡ଼ିକାଲ ଷ୍ଟାଫଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ପୋଷାକ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ଜରିଆରେ କିଣା ଯିବା ପାଇଁ ନିଷ୍ପତ୍ତି ହୋଇଛି,’’ କହିଛନ୍ତି କଟକର ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ର ।

ଏହା ବ୍ୟତିତ ସନ୍ଦିଗ୍ଧ ରୋଗୀମାନଙ୍କୁ ସଙ୍ଗରୋଧରେ ରଖିବା ପାଇଁ ସହରର ୧୭ଟି ବେସରକାରୀ ସ୍ଥାନରେ ୨,୦୦୦ ବେଡର ବ୍ୟବସ୍ଥା ପୂର୍ବରୁ କରାଯାଇ ସାରିଛି । ସେହି ସ୍ଥାନଗୁଡ଼ିକ ମଧ୍ୟରୁ ବାରବାଟୀ ଷ୍ଟାଡିୟମରେ ୪ ଜଣଙ୍କୁ ମଧ୍ୟ ସଙ୍ଗରୋଧରେ ରଖା ଯାଇଛି ।
First published: March 25, 2020, 9:05 PM IST