ରାଜ୍ୟରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହେଲେ; ଆଜି ଠାରୁ ଲକଡାଉନ ପାଳନ କଡ଼ା ହେବ

ଭୁବନେଶ୍ୱରରେ ଆଉ ୪ ଜଣ ଓ ଯାଜପୁରରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୬୦ ହେଲା । ଭୁବନେଶ୍ୱରର ୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଝାରପଡ଼ାର ଓ ଅନ୍ୟ ୩ ଜଣ ବୋମିଖାଲ ଅଞ୍ଚଳର ।

ରାଜ୍ୟରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହେଲେ; ଆଜି ଠାରୁ ଲକଡାଉନ ପାଳନ କଡ଼ା ହେବ
ଭୁବନେଶ୍ୱରରେ ଜଣେ ବ୍ୟକ୍ତି ଠାରୁ ନମୁନା ସଂଗ୍ରହ କରୁଛନ୍ତି ଜଣେ ସ୍ୱାସ୍ଥ୍ୟ କର୍ମୀ ।
  • News18 Odia
  • Last Updated: April 14, 2020, 7:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ପାଞ୍ଚ ଜଣ କରୋନା ଭାଇରସରେ ସଂକ୍ରମିତ ବ୍ୟକ୍ତି ଟିହ୍ନଟ ହେବା ପରେ ରାଜ୍ୟରେ ପଜିଟିଭ୍‌ ସଂଖ୍ୟା ୬୦ ଛୁଇଁଛି । ଭୁବନେଶ୍ୱରରେ ଆଉ ଚାରି ଜଣ ଓ ଯାଜପୁରରେ ଆଉ ଜଣେ ରୋଗୀ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ପରୀକ୍ଷା ହୋଇଥିବା ମୋଟ ୫୬୪ଟି ନମୂନା ଭିତରୁ ଏହି ନୂଆ ପାଞ୍ଚଟି ପଜିଟିଭ ମାମଲା ସାମନାକୁ ଆସିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୪,୭୩୪ରୁ ଅଧିକ ନମୁନା ପରୀକ୍ଷା ହୋଇ ସାରିଛି ।

‘‘ଭୁବନେଶ୍ୱରରେ ଟିହ୍ନଟ ହୋଇଥିବା ଚାରି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଝାରପଡା ଅଞ୍ଚଳର ଓ ଅନ୍ୟ ତିନି ଜଣ ବୋମିଖାଲ ଅଞ୍ଚଳର । ଝାରପଡ଼ା ଅଞ୍ଚଳର ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୫୦ ବର୍ଷ ଓ ସେ ଜଣେ ପୁରୁଷ । ସେ ୪୨ ନମ୍ବର ପଜିଟିଭ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ବୋମିଖାଲ ଅଞ୍ଚଳରେ ଆକ୍ରାନ୍ତ ତିନି ଜଣଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା । ଦୁଇ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୫୧ ଓ ୭୦ । ମହିଳା ଆକ୍ରାନ୍ତଙ୍କ ବୟସ ୫୧ ଭିତରେ । ଯାଜପୁରରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ବୟସ ୬୬ ଓ ସେ ଜଣେ ପୁରୁଷ,’’ ରାଜ୍ୟ କୋଭିଡ-୧୯ ମୁକାବିଲା କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶକ ବିଜୟ ମହାପାତ୍ର ।

ପୂର୍ବରୁ ରାଜ୍ୟରେ ଦୈନିକ ପ୍ରାୟ ୨୦୦ରୁ ୨୫୦ ଭିତରେ ନମୁନା ପରୀକ୍ଷା ହେଉଥିଲା । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଏବେ ଦୈନିକ ନମୁନା ପରୀକ୍ଷା ସଂଖ୍ୟା ୫୬୦ ଟପିଛି । ଅଧୁକ ସଂଖ୍ୟକ ନମୁନା ପରୀକ୍ଷା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାରୁ ଆଗକୁ ଏହି ସଂଖ୍ୟା ଦୈନିକ ୭୦୦ ଟପିବ ବୋଲି କହିଛନ୍ତି ମହାପାତ୍ର ।

ଭୁବନେଶ୍ୱରର ଏକ ପରିବାରର ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ପହଞ୍ଚିଛନ୍ତି ଜଣେ ସ୍ୱାସ୍ଥ୍ୟ କର୍ମୀ ।


‘‘କାଲି ଠାରୁ ରାଜ୍ୟରେ ଜଡ଼ାକଡ଼ି ହେବ ଲକଡାଉନ ନିୟମ ଅନୁପାଳନ । କୌଣସି ଭାବେ ଏହାକୁ କୋହଳ କରାଯିବ ନାହିଁ ବୋଲି ମୁଖ୍ୟ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ତେବେ କେଉଁ ସ୍ଥାନରେ ଏହା କିଛି କୋହଳ ହେବ କି ନାହିଁ ସେ ନେଇ ଆବଶ୍ୟକତା ଅନୁସାରେ ନିଷ୍ପତ୍ତି ନିଆଯିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ରାଜ୍ୟରେ ଘରୋଇ ହିଂସା ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ,’’ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କୋଭିଡ-୧୯ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ସେ କହିଛନ୍ତି ଯେ ଆଜି ମୁଖ୍ୟ ମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିଥିଲେ । କରୋନା ମୁକାବିଲା ଲାଗି ଆବଶ୍ୟକ ମାସ୍କ ଓ ସାନିଟାଇଜର ଆଦି ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଆସନ୍ତା ୩୦ ତାରିଖ ଭିତରେ ୩୦ଟି ଜିଲ୍ଲାରେ ୩୫ଟି କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟ ମନ୍ତ୍ରୀ କୋଭିଡ-୧୯ ଭାଇରସର ମୁକାବିଲା ଲାଗି  ଯଥେଷ୍ଟ ମାନବ ସମ୍ବଳ ବିନିଯୋଗ କରିବା ଉପରେ ଗୁରୁତ୍ୱ ଦେଇଥିଲେ ବୋଲି କହିଛନ୍ତି ବାଗଚୀ ।

‘‘ସରକାରୀ ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ କୃଷି କାର୍ଯ୍ୟକୁ ଲକଡାଉନ କଟକଣାରୁ ମୁକ୍ତ କରାଯାଇଛି । ଏହି ଲକଡାଉନ ଅବଧି ଭିତରେ କୃଷି କାର୍ଯ୍ୟରେ ବ୍ୟବହୃତ ସମସ୍ତ ପ୍ରକାର ଉପକାରଣ ଓ ସାର ଆଦିର ଦୋକାନ ଖୋଲା ରହିବ,’’ କହିଛନ୍ତି କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ।
First published: April 14, 2020, 7:10 PM IST
corona virus btn
corona virus btn
Loading