News18 Odia Digital
ଭୁବନେଶ୍ୱର: ଲକଡାଉନର ପ୍ରଭାବର ପଞ୍ଚମ ଦିନରେ ବି ରାସ୍ତା ଘାଟ ଓ ବଜାର ହାଟ ସବୁ ବନ୍ଦ ରହିଛି । ଲକଡାଉନର ପ୍ରଭାବ ଲୋକଙ୍କ ଉପରେ ଯେତିକି ନ ପଡିଛି, ତାଠାରୁ ଅଧିକ ପଡ଼ିଛି ପରିବେଶ ଉପରେ । ସୁଧୁରୁଛି ପରିବେଶ ପ୍ରଦୁଷଣର ମାତ୍ରା, ଯାହା ଏକ ଭଲ ସମୟର ସୂଚନା ଦେଉଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ପାଖରେ ଥିବା ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଲଗା ଯାଇଥିବା ବୋର୍ଡର ତଥ୍ୟ କହୁଛି ଯେ ରାଜଧାନୀର ପରିବେଶ ଉପରେ ପଡିଛି ଲକଡାଉନର ଅନୁକୁଳ ପ୍ରଭାବ। ସହରର ଅଧିକାଂଶ ସ୍ଥାନରେ ଏଆର୍ କ୍ୱାଲିଟି ଇଣ୍ଡେକ୍ସ ଯଥେଷ୍ଟ ତଳେ ରହୁଛି । ସେହିପରି pm2.5 କଣିକାର ମାତ୍ର। ମଧ୍ୟ୍ୟ କମିଛି ।
‘‘ରାଜ୍ୟରେ ଦୈନିକ ଚାଲୁଥିବା ଯାନବାହନ ସଂଖ୍ୟ ଏକ କୋଟିରୁ ଅଧିକ । ସେ ଭିତରେ କେବଳ ୯୦ ପ୍ରତିଶତ ଗାଡ଼ି ରାଜଧାନୀ ସମେତ ବିଭିନ୍ନ ଛୋଟ ବଡ଼ ସହରରେ ଚାଲିଥାଏ । ଯାନବାହନ ବାୟୁ ଓ ଶବ୍ଦ ପ୍ରଦୁଷଣ ସୃଷ୍ଟି କରିଥାଏ । କଳ କାରଖାନା ମଧ୍ୟ ପ୍ରଦୁଷଣର କାରଣ ସାଜିଥାନ୍ତି । ଏହା କ୍ରମାଗତଭାବେ ଘାତକ ହେବାରେ ଲାଗିଥିଲା । ସୁଖର କଥା ହେଲା ଯେ ଲକଡାଉନ ଯୋଗୁଁ ଏ ସବୁ ବନ୍ଦ ଥିବାରୁ ପରିବେଶ ଉପରେ ଏହାର ସକରାତ୍ମକ ପ୍ରଭାବ ପଡିଛି । ମାତ୍ର ସାତ ଦିନ ଭିତରେ ପରିବେଶ ସୁଧୁରୁଥିବା ଦେଖିବାକୁ ମିଳୁଛି । ୨୧ ଦିନର ଲକଡାଉନରେ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିବ,’’ କହିଛନ୍ତି ପରିବେଶ ବିଜ୍ଞାନୀ ଦେବାନନ୍ଦ ବେଉରା ।
ମେଡିସିନ୍ ସ୍ପେଶାଲିଷ୍ଟ୍ ଡଃ କୃଷ୍ଣ ପଦାରବିନ୍ଦ ତ୍ରିପାଠୀ କହିଛନ୍ତି: ‘‘ମଣିଷର ଶରୀର ଉପରେ ମଧ୍ୟ ଲକଡାଉନର ଅନୁକୁଳ ପ୍ରଭାବ ପଡ଼ିଛି । ଗତ ସପ୍ତାହକର ଲକଡାଉନ ଭିତରେ ଛୋଟ ଛୋଟ ରୋଗ ପାଇଁ ଡାକ୍ତରଙ୍କ ପାଖକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ବହୁ ମାତ୍ରାରେ କମିଛି । ସିଧା ସଳଖ କହିଲେ ଏହା ବଦଳୁଥିବା ପରିବେଶର ପ୍ରଭାବ ।’’
ଓଡ଼ିଶା ପରିବେଶ ସମିତି ଏହାକୁ ପରିବେଶ ପାଇଁ ଶୁଭ ଲକ୍ଷଣ ବୋଲି ଅଭିହୀତ କରିଛି । ସମିତିର ସାଧାରଣ ସମ୍ପାଦକ ଡଃ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ଏହା ପୂରା ପରିବେଶ ପାଇଁ ଏକ ଶୁଭ ଲକ୍ଷଣ ।
ତେବେ ପରିବେଶ କର୍ମୀଙ୍କ ମତରେ କେବଳ ଲକ୍ ଡାଉନ ସମୟରେ ନୁହେଁ ଆଗକୁ ଯଦି ମାସକୁ କେବଳ ଥରେ ଲୋକେ ଘର ଭିତରେ ରହିବାକୁ ନିଷ୍ପତ୍ତି ନେବେ ତେବେ ତାହା ବାୟୁ ଓ ଶବ୍ଦ ପ୍ରଦ୍ୟୁଷଣ ରୋକିବାରେ ସହାୟକ ହେବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।