ପୁରୀକୁ ଗଳାବାଟ ଚିନ୍ତା: ଲୁଚି ଛପି ଆନ୍ଧ୍ରକୁ ବସ୍ ଯାଉଛି ଓ ଆସୁଛି; ବସ୍ ଜବତ; ୭ ଗିରଫ, ୭ ଫେରାର

ଆନ୍ଧ୍ର ପ୍ରଦେଶରେ ରହୁଥିବା ପ୍ରବାସୀ ଓଡ଼ିଆ ମତ୍ସ୍ୟଜୀବୀମାନେ ପ୍ରଥମେ ସମୁଦ୍ରରେ ଡଙ୍ଗାରେ ଆସୁଥିଲେ । ତାହା ବନ୍ଦ କରାଯିବା ପରେ ଏବେ ସେମାନେ ଲୁଚି ଛପି ଘରୋଇ ବସରେ ଯାଆ ଆସ କରୁଛନ୍ତି । ଏଥିରୁ ପୁରୀ ପାଇଁ କରୋନା ସଂକ୍ରମଣ ଚିନ୍ତା ବଢ଼ିଛି ।

ପୁରୀକୁ ଗଳାବାଟ ଚିନ୍ତା: ଲୁଚି ଛପି ଆନ୍ଧ୍ରକୁ ବସ୍ ଯାଉଛି ଓ ଆସୁଛି; ବସ୍ ଜବତ; ୭ ଗିରଫ, ୭ ଫେରାର
ଜବତ ହୋଇଥିବା ବସ୍ ଓ (ଡାହାଣ) ଗିରଫ ହୋଇଥିବା ମତ୍ସ୍ୟଜୀବୀମାନେ
  • News18 Odia
  • Last Updated: July 17, 2020, 12:18 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କରୋନା ସଂକ୍ରମଣକୁ ନେଇ ପୁରୀ ଜିଲ୍ଲାକୁ କେହି ବାହାର ଲୋକ ପ୍ରବେଶ ନ କରିବା ପାଇଁ ଜିଲାର ଛଅଟି ପ୍ରବେଶ ପଥକୁ ସିଲ କରାଯାଇଛି । ପୁଣି ରାଜ୍ୟ ରାଜ୍ୟ ଭିତରେ ତ ପ୍ରବେଶ ପଥଗୁଡ଼ିକରେ କଡ଼ା ଯାଞ୍ଚ ବ୍ୟବସ୍ଥା ସହ ନାକା ଲାଗିଛି  । ଏ ସବୁ ଭିତରେ କିନ୍ତୁ ଗଳାବାଟ ଦେଇ ସପ୍ତାହକୁ ତିନି ଦିନ ପୁରୀରୁ ଆନ୍ଧ୍ର ଯାତାୟତ କରୁଛି ଘରୋଇ ବସ୍‌ ।

ପୁରୀର ହିନ୍ଦୁସ୍ତାନ ଟ୍ରାଭେଲ୍ସର ଶ୍ରୀମା ଅମନ ନାମକ ବସଟି ସନ୍ଧ୍ୟା ସମୟରେ ପୁରୀରୁ ବାହାରି ଆନ୍ଧ୍ର ଓ ସେଠୁ ମଧ୍ୟରାତ୍ରିରେ ପୁରୀର ସୀମାରେ ପ୍ରବେଶ କରି ସହରରେ ପହଞ୍ଚୁଛି । ଆଉ ସେଥିରେ ଆସୁଛନ୍ତି ପେଣ୍ଠକଟାର ମତ୍ସ୍ୟଜୀବୀମାନେ । ପୁରୀକୁ ମତ୍ସ୍ୟଜୀବୀମାନେ ପ୍ରଥମେ ସମୁଦ୍ରରେ ଯନ୍ତ୍ରଚାଳିତ ଡଙ୍ଗା ଓ ବୋଟ ସାହାଯ୍ୟରେ ଆସୁଥିବାର ନଜିର ରହିଥିବା ବେଳେ ଏବେ ବସରେ ଚାଲିଛି ଯାତାୟତ । ଏହା ଦ୍ୱାରା କରୋନା ସଂକ୍ରମଣ ନିହାତି ବଢ଼ିବାର ଆଶଙ୍କା ରହିଛି । ବସଟିକୁ ଜବତ କରାଯାଇଛି ।

ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପୁରୀକୁ ବାହାର ଜିଲ୍ଲା ତଥା ରାଜ୍ୟ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା କରିଛନ୍ତି ଜିଲ୍ଲାପାଳ । ତେବେ ଯେଉଁ ପ୍ରବାସୀମାନେ ଆସିବାର ଅଛି ସେମାନେ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରି ପଞ୍ଜୀକରଣ କରି ନିୟମ ଅନୁସାରେ ଆସିବା ଦରକାର  । ହେଲେ ଏବେ କିଛି ଦିନ ହେଲା ସହରକୁ ଆନ୍ଧ୍ର ଲୋକେ ଆସୁଛନ୍ତି ବୋଲି ଖବର ଆସୁଛି ।

ପୁରୀ ସହରରେ ପୋଲିସ୍ କର୍ମୀମାନେ ଚେକିଂ ଚଳାଇଛନ୍ତି ।


‘‘ପୁରୀ ପେଣ୍ଠକଟାର କିଛି ମତ୍ସ୍ୟଜୀବୀ ସମ୍ପ୍ରଦାୟର ନେତାମାନେ ଆମକୁ ଏହି ଘଟଣା ଜଣାଇଲେ । କିଭଳି ଆସୁଛନ୍ତି ବୋଲି ଅନୁଧ୍ୟାନ କରିବାରୁ ଆମେ ଚକିତ ହୋଇପଡ଼ିଲୁ,’’ କହିଛନ୍ତି ଉପଜିଲ୍ଲାପାଳ ଭବତାରଣ ସାହୁ ।

ପୁରୀର ଚକ୍ରତୀର୍ଥ ରୋଡ଼ରେ ରହିଛି ହିନ୍ଦୁସ୍ତାନ ଟ୍ରାଭେଲ୍ସ  । ତା’ର OR 02 AZ 6929 ନମ୍ବର ବିଶିଷ୍ଟ ୬୦ ସିଟର ବସର ନାଁ ‘ଶ୍ରୀମା ଅମନ’ । ସେହି ବସଟି ରହୁଛି ମାଳତୀପାଟପୁରର ନୂଆ ବସଷ୍ଟାଣ୍ଡରେ  । ପେଣ୍ଠକଟାରେ ରହୁଥିବା କିଛି ଆନ୍ଧ୍ର ମତ୍ସ୍ୟଜୀବୀ ଓ ତାଙ୍କ ସମ୍ପର୍କୀୟ ଅଟୋରେ ମାଳତୀପାଟପୁରରେ ପହଞ୍ଚୁଛନ୍ତି । ଆଉ ସେଠି ବସଟି ପ୍ରାୟ ୨୦ ଜଣ ଲୋକ ଧରି ସନ୍ଧ୍ୟା ୭ଟାରେ ବାହାରୁଛି । ଜଗନ୍ନାଥ ସଡ଼କ ବାଇପାସ୍‌ ଦେଇ ଖୋର୍ଦ୍ଧା ହାଇୱେ ଧରି ସିଧାସଳଖ ବ୍ରହ୍ମପୁର ବର୍ଡ଼ର ଦେଇ ଆନ୍ଧ୍ରରେ ପହଞ୍ଚୁଛି । ପୁଣି ସେଠୁ କିଛି ପ୍ରବାସୀଙ୍କୁ ଧରି ଓଡ଼ିଶାରେ ପ୍ରବେଶ କରି ପୁରୀରେ ପହଞ୍ଚୁଛି । ଏ ଭଳି ସପ୍ତାହକୁ ତିନି ଦିନ ଯାତାୟତ କରୁଛି ବସଟି ।

ଏହି ଖବରକୁ ପେଣ୍ଠକଟାର କିଛି ମତ୍ସ୍ୟଜିବୀ ନେତା ଉପଜିଲ୍ଲାପାଳଙ୍କ ନଜରକୁ ଆଣିଥିଲେ । ଏହାକୁ ଅନୁଧ୍ୟାନ କରିବା ପରେ ଗାଡ଼ିକୁ ଧରିବା ପାଇଁ କରାଯାଇଥିଲା ଏକ ବ୍ଲୁ ପ୍ରିଣ୍ଟ । ଉପଜିଲ୍ଲାପାଳ ଭବତାରଣଙ୍କ ନିର୍ଦ୍ଦେଶରେ ପୁରୀ ଜିଲ୍ଲା ପରିବହନ ଅଧିକାରୀ, ସମୁଦ୍ର କୂଳ ଥାନା ଓ ସଦର ଥାନାର ଅଧିକାରୀ ଏବଂ ତହସିଲଦାରଙ୍କୁ ନେଇ ଗଠନ କରାଗଲା ଏକ ଟିମ  । ସେମାନେ ବସଟିର ଚଳପ୍ରଚଳ ଉପରେ ନଜର ରଖୁଥିଲେ । ତେବେ ବସଟି ଏଥର କିଭଳି ପୁରୀ ଜିଲ୍ଲାକୁ ପ୍ରବେଶ କରିବ ତା’ର ବ୍ୟବସ୍ଥା କରାଗଲା  ।

ପୁରୀ ଏସ୍‌.ପି. ଉମାଶଙ୍କର ଦାଶ


‘‘ଜୁଲାଇ ୧୪ରେ ବସଟି ୧୪ ଜଣ ମତ୍ସ୍ୟଜୀବୀଙ୍କୁ ଧରି ପୁରୀରେ ରାତି ୩ଟାରେ ପହଞ୍ଚିଲା । ଆଗରୁ ପ୍ରସ୍ତୁତ ହୋଇ ରହିଥିବା ଟିମ୍‌ ଚଢ଼ାଉ କରି ବସଟିକୁ ଜବତ କଲେ ଓ ସେଥିରେ ଆସିଥିବା ସାତ ଜଣ ଯାତ୍ରୀଙ୍କୁ ଧରିଥିଲେ । ଆଉ ସାତ ଜଣ କୁଆଡ଼େ ଫେରାର ହୋଇଯାଇଥିଲେ । ତେଣୁ ସାତ ଜଣ ପ୍ରବାସୀ ଯାତ୍ରୀ, ବସର ଡ୍ରାଇଭର ଓ ହେଲପରଙ୍କୁ ନେଇ କ୍ୱାରେଣ୍ଟାଇନରେ ରଖାଯାଇଛି । ବସଟିକୁ ସମୁଦ୍ର କୂଳ ଥାନାରେ ଜବତ କରା ରଖାଯାଇଛି । ଫେରାର ସାତ ଜଣଙ୍କୁ ଖୋଜାଚାଲିଛି,’’ କହିଛନ୍ତି ପୁରୀ ତହସିଲଦାର ଆଶିଷ ସାହୁ ।

ପୁରୀ ଏସ୍‌.ପି. ଉମାଶଙ୍କର ଦାଶ କହିଛନ୍ତି ଯେ କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ବାହାରୁ କଣ ଜିଲ୍ଲା ବାହାରକୁ ଯିବା ବି କଷ୍ଟସାଧ୍ୟ । ‘‘ଏହି ଘରୋଇ ବସଟି ଗଳାବାଟ ଦେଖି ଯାଉଥିଲା । ଆଉ ଏଥିରେ ଅନେକ କିଙ୍ଗପିନ୍‌ ମଧ୍ୟ ଜଡ଼ିତ ରହିଛନ୍ତି । ତହସିଲଦାରଙ୍କ ଏତାଲା କ୍ରମେ ହିନ୍ଦୁସ୍ତାନ ଟ୍ରାଭେଲ୍ସର ମାଲିକଙ୍କୁ ଥାନାରେ ନେଇ ପଚରାଉଚୁରା କରାଯାଉଛି  । ସେମାନଙ୍କ ନାଁରେ ଏପିଡେମିକ ଡିଜିଜ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି,’’ କହିଛନ୍ତି ଦାଶ ।

ଏହା ବି ପଢ଼ନ୍ତୁ: ରିୟା ଚକ୍ରବର୍ତ୍ତୀଙ୍କୁ ବଳାତ୍କାର ଓ ହତ୍ୟା ଧମକ ମିଳୁଛି; ସାଇବର୍ କ୍ରାଇମ୍ ସେଲ୍‌ରୁ ସାହାଯ୍ୟ ମାଗିଲେ

ଏହା ବି ପଢ଼ନ୍ତୁ: ସ୍ବାମୀଙ୍କ ଯୌନାଙ୍ଗ କାଟି ହତ୍ୟା କଲା ସ୍ତ୍ରୀ; ଦୁଇ ଝିଅ ହତ୍ୟାରେ ସାହାଯ୍ୟ କଲେ; ପରକୀୟା ପ୍ରୀତି ସନ୍ଦେହ

‘‘ପୁରୀକୁ କୌଣସି ଭକ୍ତଙ୍କୁ ଆସିବାକୁ ନ ଦେଇ ଆମେ ସୁରୁଖୁରୁରେ ରଥ ଯାତ୍ରା ସମ୍ପନ୍ନ କଲୁ । ତେଣୁ ବର୍ତ୍ତମାନ ପୁରୀର ସ୍ଥିତି କରୋନାକୁ ନେଇ ଭଲ ରହିଥିବା ବେଳେ ଏମାନଙ୍କ ଯୋଗୁଁ କରୋନା ବ୍ୟାପିର ଆଶଙ୍କା ରହିଛି । ଏତେ କଟକଣା ଭିତରେ କିଭଳି ବସ୍‌ ଯାଆ ଆସ କରୁଥିଲା ତା’ର ତଦନ୍ତ କରାଯାଉ । ଯେଉଁମାନେ ଏଥିରେ ଦୋଷୀ ସେମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉ,’’ କହିଛିନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ।
Published by: Anand Shankar Thankur Das
First published: July 17, 2020, 12:18 AM IST
corona virus btn
corona virus btn
Loading