News18 Odia Digital
କଟକ: ଏମିତି ତ ଦୁର୍ଗା ପୂଜା ବା ଦଶହରା ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଇଥାଏ । କିନ୍ତୁ କଟକ ଦଶହରାରେ ଥିବା କେତେକ ସ୍ବତନ୍ତ୍ରତା ଏହାକୁ ଅନ୍ୟ ସ୍ଥାନ ଠାରୁ ଭିନ୍ନ କରିଥାଏ । ସେଥି ମଧ୍ୟରେ ରହିଛି ପୂଜା ମଣ୍ଡପରେ ମାଛ ଭୋଗର ପରମ୍ପରା । ମହାନବମୀ ଦିନ କଟକର କିଛି ମଣ୍ଡପରେ ମା’ ଦୁର୍ଗାଙ୍କ ପାଖରେ ‘ମାଛ ଭୋଗ’ ଲଗାଯାଇଥାଏ ।
କଟକର ମୁଖ୍ୟତଃ ଦୁଇଟି ପୂଜା ମଣ୍ଡପରେ ନବମୀ ଦିନ ମାଛକୁ ପ୍ରସାଦ ଆକାରରେ ମା'ଙ୍କୁ ଅର୍ପଣ କରାଯାଇଥାଏ । ଏହି ଦୁଇଟି ମଣ୍ଡପ ହେଉଛି ସହରର ଦୁଇ ପୁରାତନ ପୂଜା ମଣ୍ଡପ – ଚାନ୍ଦିନୀ ଚୌକ ଓ ଅଲିଶା ବଜାର । ଶହଶହ ବର୍ଷ ଧରି ଏଠାରେ ନବମୀ ଦିନ ମା'ଙ୍କ ପାଖରେ ଏହି "ମାଛ ଭୋଗ" କରାଯାଇ ଆସୁଛି । ରବିବାର ନବମୀ ଦିନ ମଧ୍ୟ ଏହି ପରମ୍ପରା ପାଳିତ ହୋଇଛି । କିନ୍ତୁ କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଏହା ସର୍ବସାଧାରଣଙ୍କୁ ବଣ୍ଟନ କରାଯାଇ ପାରିନାହିଁ ।
ଏହି ‘ମାଛ ଭୋଗ’ ବା ଘାଣ୍ଟରେ ମାଛ ସହିତ କେବଳ ଟମାଟୋକୁ ଛାଡ଼ି ଆଉ ସମସ୍ତ ପ୍ରକାରର ପରିବା ପଡ଼ିଥାଏ । ବିଶେଷତଃ ଡ଼ାଲି, ବଡ଼ି, ସଜନା ଛୁଇଁ, କଖାରୁ, ସାରୁ, ବାଇଗଣ, ଆଳୁ, ମାଟି ଆଳୁ, ଅମୃତ ଭଣ୍ଡା ଭଳି ପରିବା ଏଥିରେ ବ୍ୟବହାର ହୋଇଥାଏ । ମାଛ ସହିତ ଏହି ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ ହେବା ପରେ ଏଥିରେ ତୁଳସୀ ଓ ବେଲ ପତ୍ର ପକାଯାଇ ପ୍ରଥମେ ମା’ ଦୁର୍ଗାଙ୍କ ପାଖରେ ଭୋଗ ଲଗାଯାଏ । ପରେ ଏହି ମାଛ ଭୋଗକୁ ସର୍ବସାଧାରଣଙ୍କୁ ବଣ୍ଟନ କରାଯାଇଥାଏ । ଏହି ଭୋଗଟି ଏତେ ସ୍ବାଦିଷ୍ଟ ଯେ ଏହାକୁ ପାଇବା ପାଇଁ ଅନେକ ଲୋକ ବର୍ଷ ତମାମ ବ୍ୟାକୁଳତାର ସହ ମହାନବମୀକୁ ଅପେକ୍ଷା କରିଥାନ୍ତି ।

ଅଲିଶା ବଜାର ପୂଜା ମଣ୍ଡପର ଏକ ଦୃଶ୍ୟ
ଏହା ବି ପଢ଼ନ୍ତୁ | ଭୋଜପୁରୀ ଅଭିନେତ୍ରୀ ମୋନାଲିସା ବଲିଉଡ ଅଭିନେତ୍ରୀମାନଙ୍କୁ ଟକ୍କର୍ ଦେବାକୁ ପ୍ରସ୍ତୁତ ଲାଗୁଛନ୍ତିପ୍ରତି ବର୍ଷ ମାଛ ଭୋଗ ପାଇଁ ଏହି ଦୁଇଟି ଦୁର୍ଗା ମଣ୍ଡପରେ ପ୍ରାୟ ୧୫ କ୍ୱିଣ୍ଟାଲ ମାଛ ବ୍ୟବହାର ହୋଇଥାଏ । ମଣ୍ଡପ କର୍ମକର୍ତ୍ତାମାନେ ମାତ୍ର ଛଅ କ୍ୱିଣ୍ଟାଲ ମାଛ କିଣିଥାନ୍ତି, ଆଉ ବାକି ମାଛକୁ ମାନସିକ ପୂରଣ ହେବା ପରେ ଶ୍ରଦ୍ଧାଳୁମାନେ ଦେଇଥାନ୍ତି । ଏହି ମାଛ ଭୋଗକୁ ନେଇ ଅଲିଶା ବଜାର ପୂଜା ମଣ୍ଡପ ସହିତ ନରାଜ ଅଞ୍ଚଳର ଧୀବରମାନଙ୍କର ମଧ୍ୟରେ ଏକ ସ୍ବତନ୍ତ୍ର ସମ୍ପର୍କ ରହିଛି । ପରମ୍ପରା ମୁତାବକ ନବମୀ ଦିନ ସକାଳୁ ନରାଜର ଧୀବରମାନେ ମହାନଦୀରୁ ଯେତେ ମାଛ ଧରିଥାନ୍ତି ସେଗୁଡ଼ିକୁ ସେମାନେ ଅଲିଶା ବଜାର ମଣ୍ଡପରେ ହେବାକୁ ଥିବା ଭୋଗ ପାଇଁ ଅର୍ପଣ କରିଥାନ୍ତି ।
ହେଲେ ଚଳିତ ବର୍ଷ ଏହି ମାଛ ଭୋଗ କେବଳ ଏକ ପରମ୍ପରା ହୋଇ ରହିଗଲା । ନା ପୂର୍ବ ବର୍ଷଗୁଡ଼ିକ ଭଳି କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ ଆସିଲା ନା ଶ୍ରଦ୍ଧାଳୁ ଏହି ଭୋଗ ପାଇଲେ । କଟକଣା ଲାଗିଥିବାରୁ ସର୍ବସାଧାରଣଙ୍କୁ ଏହି ସୁସ୍ବାଦୁ ମାଛ ଭୋଗ ବଣ୍ଟା ଯାଇ ବି ପାରିଲା ନାହିଁ । ଚାନ୍ଦିନୀ ଚୌକ ମଣ୍ଡପରେ ମାତ୍ର ଦୁଇ କେଜି ଓ ଅଲିଶା ବଜାର ମଣ୍ଡପରେ କେବଳ ପାଞ୍ଚ କେଜି ମାଛରେ ତିଆରି ହୋଇଥିଲା "ମାଛ ଘାଣ୍ଟ" । ଆଉ ଏହି ପ୍ରସାଦ କେବଳ ମା'ଙ୍କ ପାଖରେ ଲାଗି କରାଯାଇ ପୂଜକମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା ।
ଏହା ବି ପଢ଼ନ୍ତୁ | ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ ବା ପ୍ରେମିକା ଠାରୁ ଧୋକା ମିଳେ‘‘ଆମ ମଣ୍ଡପରେ ସାତ କ୍ୱିଣ୍ଟାଲରୁ ଅଧିକ ମାଛ ଆସେ । ଏହି ମାଛରେ ପାଖାପାଖି ଦଶ ହଜାର ଲୋକଙ୍କ ପାଇଁ ଭୋଗ ତିଆରି ହୁଏ । କିନ୍ତୁ ଏ ବର୍ଷ ମାତ୍ର ପାଞ୍ଚ କେଜି ମାଛରେ ଅଳ୍ପ ଭୋଗ ହୋଇଛି । ସେ ସବୁକୁ ମଣ୍ଡପରେ ପୂଜା କରୁଥିବା ପୂଜକମାନେ ହିଁ ନେଇଛନ୍ତି । ମୁଁ କିମ୍ବା ଆମ ମଣ୍ଡପର କେହି ବି କର୍ମକର୍ତ୍ତା ସେହି ପ୍ରସାଦକୁ ନିଜେ ପାଇବୁ ନାହିଁ କିମ୍ବା କାହାରିକୁ ଦେବୁ ନାହିଁ,’’ କହିଛନ୍ତି ଅଲିଶା ବଜାର ପୂଜା କମିଟିର ସଭାପତି କିଶୋର ମହାନ୍ତି ।
ମାଛ ଭୋଗ ନେବା ପାଇଁ ନବମୀ ଦିନ ଚାନ୍ଦିନୀ ଚୌକ ପୂଜା ମଣ୍ଡପରେ ହଜାର ହଜାର ଲୋକ ଏକାଠି ହୁଅନ୍ତି ବୋଲି କହିଛନ୍ତି ପୂଜା କମିଟିର ସଭାପତି ପ୍ରତାପ କିଶୋର ସିଂ । ‘‘ବହୁତ ଭିଡ ହୁଏ । ହେଲେ ଯେହେତୁ ଏ ଥର ବିନା ଭକ୍ତରେ ପୂଜା କରିବା ସହିତ ଭିଡ଼ ନ କରିବା ପାରିଁ ସରକାର ଗାଇଡଲାଇନ କରିଛନ୍ତି, ସେଥି ପାଇଁ ଆମେ ସରକାରୀ କଟକଣା ମାନି ଏ ବର୍ଷ ମାଛ ଭୋଗ ବାଣ୍ଟିବା କାମ ବନ୍ଦ କରି ଦେଇଛୁ । ଖାଲି ମା’ଙ୍କ ପାଖରେ ଭୋଗ ଲଗାଇବା ପାଇଁ ଅଳ୍ପ କିଛି କରିଛୁ,’’ କହିଛନ୍ତି ସିଂ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।