ଓଡ଼ିଶାର ପ୍ରଥମ କରୋନା ରୋଗୀ ଭୁବନେଶ୍ୱରରେ ଚିହ୍ନଟ; କିଛି ଦିନ ତଳେ ଇଟାଲିରୁ ଫେରିଥିଲେ

କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ରୋଗୀଙ୍କ ସହ ଦିଲ୍ଲୀରୁ ଟ୍ରେନରେ ଗୋଟିଏ ବଗିରେ ଆସିଥିବା ସବୁ ଯାତ୍ରୀଙ୍କୁ ଠାବ କରି ସେମାନଙ୍କ ରକ୍ତ ଓ ସ୍ବାବ୍‌ ନମୂନା ପରୀକ୍ଷା ପାଇଁ ପଠାଯିବ । ଆକ୍ରାନ୍ତ ଯୁବକଙ୍କ ପରିବାର ଲୋକଙ୍କୁ ମଧ୍ୟ ବର୍ତ୍ତମାନ ଡାକ୍ତରୀ ନିରୀକ୍ଷଣରେ ରଖାଯାଇଛି ।

ଓଡ଼ିଶାର ପ୍ରଥମ କରୋନା ରୋଗୀ ଭୁବନେଶ୍ୱରରେ ଚିହ୍ନଟ; କିଛି ଦିନ ତଳେ ଇଟାଲିରୁ ଫେରିଥିଲେ
କ୍ୟାପିଟାଲ୍‌ ହସପିଟାଲ୍‌ର ଏକ ୱାର୍ଡ଼ର ଦୃଶ୍ୟ
  • News18 Odia
  • Last Updated: March 16, 2020, 12:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ କୋରନା ଭାଇରସ୍ ବା କୋଭିଡ୍ ୧୯ ଦ୍ୱାରା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ନିକଟରେ ଇଟାଲୀରୁ ଫେରିଥିବା ଜଣେ ୩୩ ବର୍ଷୀୟ ଓଡ଼ିଆ ଯୁବକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏ ନେଇ ରାଜ୍ୟ କରୋନା ପ୍ରତିଷେଧକ ସିମିତିର ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚି ସୂଚନା ଦେଇଛନ୍ତି । ଯୁବକ ଜଣଙ୍କୁ କ୍ୟାପିଟାଲ୍ ହସ୍ପିଟାଲର ଏକ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି ।

ଇଟାଲିରେ ଗବେଷଣା କରୁଥିବା ଏହି ଯୁବକ ସେଠାରୁ ଫେରିବା ପରେ ଦିଲ୍ଲୀରେ କିଛି ଦିନ କ୍ବାରେଣ୍ଟାଇନରେ ରହି ଭୁବନେଶ୍ବର ଫେରିଥିଲେ । ହେଲେ ଦୁଇ ଦିନ ପରେ ତାଙ୍କୁ ଥଣ୍ଡା ଓ ଜ୍ୱର ନ ଛାଡ଼ିବାରୁ ସେ କ୍ୟାପିଟାଲ୍ ହସ୍ପିଟାଲ ଆସି ଡାକ୍ତରଙ୍କୁ ଦେଖାଇଥିଲେ । ପରୀକ୍ଷଣରୁ ତାଙ୍କୁ କରୋନା ଭାଇରସ୍‌ ସଂକ୍ରମଣ ହୋଇଥିବାର ନିଶ୍ଚିତ ସୂଚନା ମିଳିଥିଲା ।

‘‘ଏହି ରୋଗୀ ଜଣଙ୍କୁ ୩୩ ବର୍ଷ ବୟସ । ସେ ମାର୍ଚ୍ଚ ୬ ତାରିଖରେ ଇଟାଲୀରୁ ନୂଆ ଦିଲ୍ଲୀ ଫେରିଥିଲେ ଓ ୧୨ ତାରିଖରେ ଟ୍ରେନରେ ଭୁବନେଶ୍ବର ଆସିଥିଲେ । ସେ ୧୫ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଞ୍ଚଳିକ ଡାକ୍ତରୀ ଗବେଷଣା କେନ୍ଦ୍ର (RMRC) ରେ ତାଙ୍କର ରକ୍ତ ନମୂନା ପରୀକ୍ଷା କରିବା ପରେ ସେ କରୋନା ପଜିଟିଭ୍ ଥିବା ସ୍ପଷ୍ଟ ହୋଇଛି,’’ କହିଛନ୍ତି ବାଗଚି କହିଛନ୍ତି । ସେ ଏହି ଯୁବକଙ୍କ ବ୍ୟକ୍ତିଗତ ପରିଚୟ ଦେବାକୁ ମନା କରିଛନ୍ତି ।

ରାଜ୍ୟରେ ପ୍ରଥମ କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତି ମିଳିବା ପରେ ସରକାର ଏହି ବ୍ୟକ୍ତି ଯେଉଁ ଟ୍ରେନ୍‌ ଯୋଗେ ଦିଲ୍ଲୀରୁ ଫେରିଥିଲେ ସେହି ଟ୍ରେନର ବଗିରେ ତାଙ୍କ ସହ ଆସିଥିବା ଯାତ୍ରୀଙ୍କୁ ଠାବ ସହ ସେମାନଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଯୋଗାଡ଼ ପାଇଁ ଚେଷ୍ଟା କରାଯାଉଛି ।

ରାଜ୍ୟ କରୋନା ପ୍ରତିଷେଧକ ସିମିତିର ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚି ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।


‘‘ଏହି ରୋଗୀଙ୍କ ସହ ଗୋଟିଏ ବଗିରେ ଆସିଥିବା ସମସ୍ତ ଯାତ୍ରୀଙ୍କ ରକ୍ତ ଓ ସ୍ବାବ୍‌ ନମୂନା ପରୀକ୍ଷା ପାଇଁ ପଠାଯିବ । ଆକ୍ରାନ୍ତ ଯୁବକଙ୍କ ପରିବାର ଲୋକଙ୍କୁ ମଧ୍ୟ ବର୍ତ୍ତମାନ ଡାକ୍ତରୀ ନିରୀକ୍ଷଣରେ ରଖାଯାଇଛି,’’ କହିଛନ୍ତି ବାଗଚ଼ି । ମାତ୍ର ଦିଲ୍ଲୀରେ ଏହି ଯୁବକଙ୍କର ସ୍କ୍ରିଂନି ରିପୋର୍ଟ ନେଗେଟିଭ୍ କେମିତି ଆସିଲା ଏହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

କରୋନା ଭାଇରସ୍‌ ଯୋଗୁଁ ସତର୍କତାମୂଳକ ପଦକ୍ଷେପ ରୂପେ ରାଜ୍ୟରେ ଆଜି ଠାରୁ କଟକ-ଭୁବନେଶ୍ୱର ଟ୍ବିନ୍‌ ସିଟିରେ ସମସ୍ତ ସପିଂ ମଲ୍ ବନ୍ଦ ରଖାଯିବା ନିଷ୍ପତ୍ତି ହୋଇଛି । ଓଡ଼ିଶା ସହରାଞ୍ଚଳ ପୋଲିସ ଆଇନର ଧାରା ୩୫ ଅନୁଯାୟୀ ଆଗାମୀ ମାର୍ଚ୍ଚ ୩୧ ତାରିଖ ଯାଏଁ ସମସ୍ତ ମଲ୍ ବନ୍ଦ ରହିବ ବୋଲି ଟ୍ବିଟ କରି ସୂଚନା ଦେଇଛି କମିଶନରେଟ ପୋଲିସ । ଏହା ସହ ଏହି ଘୋଷଣାର କଡ଼ାକଡ଼ି ପାଳନ ନେଇ ତଦାରଖ କରିବାକୁ ଉଭୟ କଟକ ଓ ଭୁବନେଶ୍ବର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ଡ. ସୁଧାଶୁଂ ଷଡ଼ଙ୍ଗୀ ।

କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଆଗୁଆ ଅନେକ ପ୍ରତିଷେଧକମୂଳକ ପଦକ୍ଷେପ ନେଇଛନ୍ତି । ଆସନ୍ତା ମାର୍ଚ୍ଚ ୩୧ ଯାଏଁ ସିନେମା ହଲ, ସୁଇମିଂ ପୁଲ ଓ ଜିମ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି ଏବଂ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା ହୋଇଛି । ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟ ପରିସରରେ ସେମିନାର, ୱାର୍କସପ୍ ଓ କନଫରେନ୍ସ ଉପରେ କଟକଣା ଲଗାଯାଇଛି । ଧର୍ମୀୟ ଉତ୍ସବ ଓ ବିବାହ ଭୋଜି ଭଳି ସାମାଜିକ କାର୍ଯ୍ୟକ୍ରମଗୁଡି଼କୁ ମଧ୍ୟ ନିୟନ୍ତ୍ରିତ କରାଯାଉଛି ।

ରବିବାର ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ ଝାରସୁଗୁଡ଼ା ଜିଲ୍ଲାର ଜିଲ୍ଲାପାଳ ମାନେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି । ରାଜ୍ୟରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବାପରେ ଅନ୍ୟ ଜିଲ୍ଲାରେ ମଧ୍ୟ ଏଭଳି ନିଷ୍ପତ୍ତି ଖୁବ୍‌ ଶୀଘ୍ର ନିଆଯିବା ସହ ଆଗୁଆ ଯେତେ ସମ୍ଭବ ସତର୍କତା ଅବଲମ୍ବନ କରିବାକୁ ସରକାର ଚେଷ୍ଟା ଚଳାଇଛନ୍ତି ।

ବର୍ତ୍ତମାନ ବିଶ୍ବବ୍ୟାପୀ ପ୍ରାୟ ୧ ଲକ୍ଷ ୭୦ ହଜାର ଲୋକେ କରୋନା ଦ୍ବାରା ଆକ୍ରାନ୍ତ ହୋଇସାରିଲେଣି । ପାଖାପାଖି ଛଅ ହଜାର ରୋଗୀ ପ୍ରାଣ ହରାଇଥିବା ବେଳେ ଭାରତରେ ମଧ୍ୟ ୨ ଜଣଙ୍କ ଜୀବନ ଗଲାଣି ।
First published: March 16, 2020, 12:56 PM IST
corona virus btn
corona virus btn
Loading