News18 Odia Digital
କଟକ: ରାଜ୍ୟରେ ହୁ ହୁ ହୋଇ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିବା ବେଳେ ଏହାରି ଭିତରେ କୋଭିଡକୁ ନେଇ ଆଜିଛି ଏକ ଭଲ ଖବର । ପ୍ଲାଜମା ଥେରାପିରେ ଚିକିତ୍ସିତ ହୋଇଥିବା ରାଜ୍ୟ ପ୍ରଥମ କୋଭିଡ ରୋଗୀ କଟକର ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ଆଜି ଡିସଚାର୍ଜ ହୋଇଛନ୍ତି । କଟକ ବାସିନ୍ଦା ପୁରୁଣା ରାଉସାପାଟଣା ବାସିନ୍ଦା ମମତା ସେନଙ୍କୁ ପ୍ଲାଜମା ଥେରାପି ଦେଇଛି ନୂଆ ଜୀବନ ।
ଗତ ୧୩ ତାରିଖ ଦିନ ମମତା କରୋନା ଆକ୍ରାନ୍ତ ଥିବା ଜଣା ପଡ଼ିବା ପରେ ପ୍ରଶାସନ ପକ୍ଷରୁ ତାଙ୍କ ତୁରନ୍ତ ଆଠଗଡ଼ରେ ଥିବା କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏହାର ଗୋଟିଏ ଦିନ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ପରିଲକ୍ଷିତ ହୋଇଥିଲା । ସେ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କ ଅଶ୍ବିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ୧୪ ତାରିଖରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏହାର ଗୋଟିଏ ଦିନରେ ପରେ ଏସସିବି ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହେବା ପରେ ପ୍ରଥମ ପ୍ଲାଜମାକୁ ମମତାଙ୍କୁ ଦିଆଯାଇଥିଲା । ଫଳରେ ଧୀରେ ଧୀରେ କରି ସେ ଆଜି ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ।
‘‘ଆମ ପାଖରେ ସେ ୧୪ ତାରିଖ ଦିନ ଭର୍ତ୍ତି ହୋଇଥିଲେ । ସେତେବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଖରାପ ଥିଲା । ତାଙ୍କୁ ଆମେ ଆଇସିୟୁରେ ରଖିଥିଲୁ । କିନ୍ତୁ ପ୍ଲାଜମା ଥେରାପି ଚିକିତ୍ସା ରାଜ୍ୟରେ ଆରମ୍ଭ ହେବା ପରେ ପ୍ରଥମ ରୋଗୀ ଭାବେ ଆମେ ତାଙ୍କୁ ପ୍ଲାଜମା ଦେଇଥିଲୁ । ଦୁଇ ଦିନ ସେ ଆଉ ଅକ୍ସିଜେନ୍ ସପୋର୍ଟ ଆବଶ୍ୟକ କଲେ ନାହିଁ । ଆଉ ଆଜି ଆପଣ ଦେଖୁଛନ୍ତି ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ଆମ ହସ୍ପିଟାଲରେ ପ୍ଲାଜମା ଥେରାପି ନେଇଥିବା ଅନ୍ୟ ୪ ଜଣ ରୋଗୀ ବି ପୂର୍ବ ଅପେକ୍ଷା ସୁସ୍ଥ ଅଛନ୍ତିଷ’’ କହିଛନ୍ତି ଅଶ୍ବିନୀ କୋଭିଡ ହସ୍ପିଟାଲର ମୁଖ୍ୟ ଡାକ୍ତର ସୁବ୍ରତ ଜେନା ।

ମମତା ସେନ୍ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ପ୍ଲାଜମା ଥେରାପି ମଧ୍ୟ ସଫଳ ହେଇଛି । ଗଞ୍ଜାମରେ ପ୍ଲାଜମା ଥେରାପି ନେଇଥିବା ୬ ଜଣ ରୋଗୀଙ୍କ ମଧ୍ୟରୁ ୩ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି । ଆଜି ପର୍ଯ୍ୟନ୍ତ ମୋଟ ୨୮ ୟୁନିଟ ପ୍ଲାଜମା ସଂଗୃହିତ ହୋଇ ଥିବା ବେଳେ ୨୦ଟି ୟୁନିଟ ପ୍ଲାଜମା ଗୁରୁତର କୋଭିଡ ରୋଗୀଙ୍କୁ ଦିଆଯାଇଛି । ଅଧିକାଂଶ କ୍ଷେତ୍ରରେ ଭଲ ଫଳ ମିଳୁଥିବା ଜଣା ପଡ଼ିଛି ।
କଟକ ଜିଲ୍ଲା ତଥା ସହରରେ କୋଭିଡ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଆଜି ଗୋଟିଏ ଦିନରେ ୧୩୬ ଜଣ ପଜିଟିଭ ବ୍ୟକ୍ତି ଚିହ୍ନଟ ହେବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସ୍ଥିତି ଆଗକୁ ଆହୁରି ଗମ୍ଭୀର ହୋବାକୁ ଯାଉଥିବାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ପ୍ରଶାସନ । ସହରର ବିଭିନ୍ନ ସେଣ୍ଟରରେ ୫୦୦ କୋଭିଡ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଆଜି ଅଧିକାଂଶ ସେଣ୍ଟରରେ ଡାକ୍ତର ଓ ପାରାମେଡ଼ିକାଲ ଷ୍ଟାଫମାନେ ଯୋଗ ଦେଇଛନ୍ତି । ପରିସ୍ଥିତିକୁ ଦେଖି କଟକର ଗୋପାଳପୁର ଓ ମହାନଦୀ ବିହାର ଆଉ ଦୁଇଟି କୋଭିଡ ହସ୍ପିଟାଲ ପ୍ରସ୍ତୁତ କରାଯାଉଛି ।
ଏହା ବି ପଢ଼ନ୍ତୁ: ବଡ଼ ଖବର: ୧୦୦ଟି ଟ୍ରେନ୍ ବନ୍ଦ କରି ପାରେ ରେଳବାଇ; ସମୟ ସାରଣୀରେ ବି ହେବ ବଡ଼ ପରିବର୍ତ୍ତନଏହା ବି ପଢ଼ନ୍ତୁ: ଆଜି ଠାରୁ ଜୁଲାଇ ୩୧ ମଧ୍ୟରେ OTTରେ କେଉଁ କେଉଁ ଫିଲ୍ମ ରିଲିଜ୍ ହେବାକୁ ଅଛି ଜାଣନ୍ତୁ‘‘କଟକରେ କୋଭିଡ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ରୋଗୀଙ୍କ ଚିକିତ୍ସା ପାଇଁ ଗୋପାଳପୁରରେ ଗୋଟିଏ ଓ ମହାନଦୀ ବିହାରରେ ଗୋଟିଏ କରି ଦୁଇଟି କୋଭିଡ ହସ୍ପିଟାଲ ପ୍ରସ୍ତୁତ କରାଯାଉଛି । ଖୁବ ଶୀଘ୍ର ଏହି ଦୁଇଟି ହସ୍ପିଟାଲ କାର୍ଯ୍ୟ କରିବା ଆରମ୍ଭ କରିବ,’’ କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।