ବାତ୍ୟା ମୁକାବିଲା ଲାଗି ଅଗ୍ନିଶମ ବିଭାଗର ୩୦ଟି ଟିମକୁ ଉପକୂଳ ଜିଲ୍ଲାକୁ ସ୍ଥାନାନ୍ତରିତ କରାଗଲା

ପୂର୍ବରୁ ଅନେକ ବାତ୍ୟା ଆସିଛି ଓ ଅଗ୍ନିଶମ ବିଭାଗ ଏହାର ସଫଳ ମୁକାବିଲା ମଧ୍ୟ କରିଛି । କିନ୍ତୁ କରୋନା ସମୟରେ ବାତ୍ୟା ମୁକାବିଲା ଅଗ୍ନିଶମ ବିଭାଗ ଓ ଏହାର କର୍ମଚାରୀମାନଙ୍କ ପାଇଁ ଏକ ଆହ୍ବାନ ପାଲଟିଛି ।

ଅଗ୍ନିଶମ ବିଭାଗ କର୍ମଚାରୀମାନେ ପାୱାର ବୋଟ୍ ପ୍ରସ୍ତୁତ ରଖୁଛନ୍ତି ।

ଅଗ୍ନିଶମ ବିଭାଗ କର୍ମଚାରୀମାନେ ପାୱାର ବୋଟ୍ ପ୍ରସ୍ତୁତ ରଖୁଛନ୍ତି ।

  • Share this:
News18 Odia Digital

କଟକ: ଓଡିଶା ମୁହାଁ ହେବାରେ ଲାଗିଛି ସାମ୍ଭାବ୍ୟ ବାତ୍ୟା ଆମ୍ଫାନ । ଏହା କେଉଁ ସ୍ଥାନରେ ଏବଂ କେଉଁ ସମୟରେ ଲ୍ୟାଣ୍ଡଫଲ୍ କରିବା ତାହା ଏବେ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏହି କ୍ରମରେ ଅଗ୍ନିଶମ ବିଭାଗ ମଧ୍ୟ ନିଜ ପ୍ରସ୍ତୁତିକୁ ଚୁଡ଼ାନ୍ତ ରୂପ ଦେଇଛି ।

କଟକ ସ୍ଥିତ ଅଗ୍ନିଶମ ମୁଖ୍ୟାଳୟ ରାଜ୍ୟର ସମସ୍ତ ଦମକାଳ କେନ୍ଦ୍ରଗୁଡିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେବା ସହ ସେହି କେନ୍ଦ୍ରଗୁଡିକରେ ଗଚ୍ଛିତ ଥିବା ପାୱାର ସ', ପାୱାର ବୋଟ୍‌ ଓ ଆସ୍କା ଲାଇଟ୍ ଇତ୍ୟାଦି ଉପକରଣଗୁଡିକୁ ପୁନଃ ଯାଞ୍ଚ କରି ପ୍ରସ୍ତୁତ ରଖିବା ପାଇଁ କହିଛି । ଏହା ସହିତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ସାମ୍ଭାବ୍ୟ ବାତ୍ୟାର ଅଧିକ ପ୍ରଭାବ ପଡ଼ିବାର ଆଶଙ୍କା କରାଯାଉଥିବାରୁ ସେହି ଜିଲ୍ଳାଗୁଡିକରେ ଥିବା ସବୁ ୧୨୦ଟି ଦମକଳ କେନ୍ଦ୍ରକୁ ହାଇ ଆଲର୍ଟରେ ରଖାଯାଇଛି । ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ବାତ୍ୟାର ପ୍ରଭାବ ନ ଥିବାରୁ ସେହି ଅଞ୍ଚଳରୁ ୧୫ଟି ଲେଖାଏଁ କରି ୩୦ଟି ଟିମକୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକୁ ସ୍ଥାନାନ୍ତର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

“ବାତ୍ୟା ସହ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଉଥିବାରୁ ବିଶେଷ କରି ସହରାଞ୍ଚଳରେ ଜଳ ନିଷ୍କାସନ ନ ହୋଇ ପାରି ବନ୍ୟା ଭଳି ପରିସ୍ଥିତି ବା ‘ଅର୍ବାନ ଫ୍ଲଡିଂ’ ସୃଷ୍ଟି ହେବାର ଆଶଙ୍କା ମଧ୍ୟ କରାଯାଉଛି । ଏହାର ମୁକାବିଲା ଲାଗି ପୁରୀ, ଭୁବନେଶ୍ବର ଓ କଟକ ଭଳି ସହରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ପୁରୀ ଓ କଟକ ପାଇଁ ୧୦ଟି ଲେଖାଏଁ ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ପମ୍ପର ବ୍ୟବସ୍ଥା କରାଯାଇଥିବା ବେଳେ ଭୁବନେଶ୍ବରରେ ୩୦ଟି ପମ୍ପ ରଖାଯାଇଛି,” କହିଛନ୍ତି ରାଜ୍ୟ ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ ।

ଅଗ୍ନିଶମ କର୍ମଚାରୀମାନେ ପୂର୍ବ ଭଳି ଏହି ବାତ୍ୟାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ।


ଏହି କରୋନା ଭାଇରସ୍‌ ସଂକ୍ରମଣ କାଳରେ ଅଗ୍ନିଶମ ବିଭାଗ ଉପରେ ସାନିଟାଇଜେନ ଭଳି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ବି ନ୍ୟସ୍ତ ହୋଇଛି । କଣ୍ଟେନମେଣ୍ଟ ଅଞ୍ଚଳ ଠାରୁ ଆରମ୍ଭ କରି ରେଳ ଷ୍ଟେସନ ପର୍ଯ୍ୟନ୍ତ ସଙ୍କ୍ରମଣ ଆଶଙ୍କା ଥିବା ବିଭିନ୍ନ ସ୍ଥାନ ସାନିଟାଇଜ୍ କରାଯାଉଛି । ତେବେ ଏହି ସମୟରେ ବାତ୍ୟା ମୁକାବିଲା ଏକ ବଡ଼ ଚାଲେଞ୍ଜ ଓ ଏହାର ସଫଳ ମୁକାବିଲା ଲାଗି ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା କୁହାଯାଇଛି ।

“କେବଳ ସାନିଟାଇଜେନ କାର୍ଯ୍ୟ ନୁହେଁ ବରଂ ଏବେ ଖରାଦିନିଆ ଅଗ୍ନିକାଣ୍ଡର ସଂଖ୍ୟା ବୃଦ୍ଧି ପାଇଥିବାରୁ ତାହାର ମୁକାବିଲା ମଧ୍ୟ ସମାନ୍ତରାଳ ଭାବେ ଚାଲିଛି । କିନ୍ତୁ ଏହି ସମୟରେ ଏହି ବାତ୍ୟା ମୁକାବିଲା ଆମ ପାଇଁ ନିହାତି ଏକ ଚାଲେଞ୍ଜ । ରାଜ୍ୟ ଅଗ୍ନିଶମ କର୍ମଚାରୀମାନେ ପୂର୍ବ ଭଳି ଏହି ବାତ୍ୟାର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି,” କହିଛନ୍ତି ସେଠୀ ।

ପୂର୍ବରୁ ଅନେକ ବାତ୍ୟା ଆସିଛି ଓ ଅଗ୍ନିଶମ ବିଭାଗ ଏହାର ସଫଳ ମୁକାବିଲା ମଧ୍ୟ କରିଛି । କିନ୍ତୁ କରୋନା ସମୟରେ ବାତ୍ୟା ମୁକାବିଲା ଅଗ୍ନିଶମ ବିଭାଗ ଓ ଏହାର କର୍ମଚାରୀମାନଙ୍କ ପାଇଁ ଏକ ଆହ୍ବାନ ପାଲଟିଛି ।

ଏହା ବି ପଢ଼ନ୍ତୁ: ଚାକିରିଜୀବୀଙ୍କ ପାଇଁ ବଡ଼ ଖବର: ଗ୍ରାଚ୍ୟୁଇଟି ପାଇଁ ୫ ବର୍ଷର ଅପେକ୍ଷାର ଏବେ ଅନ୍ତ ହେବ

ଏହା ବି ପଢ଼ନ୍ତୁ: କୋଇଲା ଖନନରେ ସରକାରଙ୍କ ଏକଚାଟିଆ ଅଧିକାର ଶେଷ; ପ୍ରତିରକ୍ଷା ଉତ୍ପାଦନରେ FDI ବଢ଼ିଲା

ଏହା ବି ପଢ଼ନ୍ତୁ: ଆସୁଛି ବାତ୍ୟା ଆମ୍ଫାନ୍: ଏବେ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି; ରାଜ୍ୟ ପ୍ରସ୍ତୁତ ହେଉଛି

ଏହା ବି ପଢ଼ନ୍ତୁ: ରାଜ୍ୟରେ ଆହୁରି ୬୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେ; ଏବେ ମୋଟ ୭୩୭ ହେଲେ

ଏହା ବି ପଢ଼ନ୍ତୁ: କୃଷି କ୍ଷେତ୍ରର ବିକାଶ ଓ ଚାଷୀଙ୍କ ଆୟ ବଢ଼େଇବାକୁ ଅର୍ଥ ମନ୍ତ୍ରୀ ଏହି ୧୧ଟି ବଡ଼ ଘୋଷଣା କରିଛନ୍ତି

ଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳି
Published by:Anand Shankar Thankur Das
First published: