News18 Odia Digital
ମୁମ୍ବାଇ: ଆପଣଙ୍କ ପରିବାରକ କୌଣସି ସଦସ୍ୟ କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ଜାଣିବା ପରେ ଆପଣ କ’ଣ କରିବେ? ଆପଣ ତାଙ୍କୁ ନିଶ୍ଚୟ ଡାକ୍ତରଖାନାରେ ଭର୍ତ୍ତି କରିବେ ଓ ଡାକ୍ତରଙ୍କ ସହ ପରାମର୍ଶ କରିବେ । କିନ୍ତୁ ଜଣେ ମହିଳା ନିଜ ସ୍ୱାମୀ କରୋନାରେ ଆକ୍ରାନ୍ତ ହୋଇଥିବା ଜାଣିବା ପରେ ତାହା କଲେ ନାହିଁ, ଆଉ ମାମଲା ଏତେ ବିଗିଡ଼ିଗଲା ଯେ ଏବେ ତାଙ୍କ ପାଇଁ ଦୁଃଖ ଓ ଜଞ୍ଜାଳର ଏକ ପାହାଡ଼ ଠିଆ ହୋଇଯାଇଛି ।
ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ ଜଣେ ମହିଳାଙ୍କ ସ୍ୱାମୀଙ୍କୁ ଜ୍ୱର ଆସିବା ପରେ ସେ ତାଙ୍କ ନମୁନା ପରୀକ୍ଷା କରାଇବାକୁ ଏକ ହସପିଟାଲକୁ ନେଇଥିଲେ । ସେଠାରେ ସ୍ୱାମୀ କରୋନା ପଜିଟିଭ୍ ଥିବା ରିପୋର୍ଟ ମିଳିବା ପରେ ଡାକ୍ତରମାନେ ତାଙ୍କୁ ଏକ କୋଭିଡ୍ ହସପିଟାଲକୁ ନେଇ ଭର୍ତ୍ତି କରିବା ପାଇଁ କହିଥିଲେ । ସେହି ବ୍ୟକ୍ତିଙ୍କ ଠାରେ କରୋନାର ସ୍ପଷ୍ଟ ଲକ୍ଷଣ ଦେଖିବା ପରେ ତାଙ୍କୁ ଭଣ୍ଡାରାରେ ଥିବା ଏକ କୋଭିଡ ହସପିଟାଲକୁ ନେଇଯିବାକୁ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ବି ନିର୍ଦ୍ଦେଶ ଦେଇଥିଲେ । ହେଲେ ସମସ୍ତଙ୍କ ପରାମର୍ଶକୁ ଅଣଦେଖା କରି ମହିଳା ନିଜ ସ୍ୱାମୀଙ୍କୁ ସିଧା ଘରକୁ ନେଇଯାଇଥିଲେ । ଘରକୁ ଯିବା ପରେ ସେହି ବ୍ୟକ୍ତିଙ୍କର ଚିକିତ୍ସା ଅଭାବରେ ମୃତ୍ୟୁ ଘଟିଥିଲା ।
ଏହି ଘଟଣା ଜଣାପଡ଼ିବା ପରେ ତହସିଲ ମେଡିକାଲ ଅଧୀକ୍ଷକଙ୍କ ଏକ ଅଭିଯୋଗକୁ ଆଧାର କରି ମହାମାରୀ ଆଇନ, ୧୮୯୭ର (Epidemic Disease Act, 1897) ଦଫା ୧୮୮ ଅନୁସାରେ ମୃତ ବ୍ୟକ୍ତିଙ୍କ ପତ୍ନୀଙ୍କ ବିରୋଧରେ ଏକ ଆପରାଧିକ ମାମଲା ଦାଖଲ କରାଯାଇଥିଲା ।
ସେହି ମାମଲାରେ ମୃତ ବ୍ୟକ୍ତିଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ତାଙ୍କ ସ୍ୱାମୀଙ୍କ ପ୍ରତି ଅବହେଳା କରିଥିବା ଓ ଅସାବଧାନତା ଦେଖାଇଥିବା ଅଭିଯୋଗ ହୋଇଥିଲା । କୋଭିଡ-୧୯ ପଜିଟିଭ ରୋଗୀଙ୍କ ମୃତ୍ୟୁ ପାଇଁ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଦାୟୀ କରାଯିବାର ଦେଶରେ ଏହା ହେଉଛି ପ୍ରଥମ ଘଟଣା ।
ପୱାନୀର ସବ୍-ଡିଭିଜନାଲ୍ ଅଫିସର ଅଶ୍ୱିନୀ ଶେଣ୍ଡଗେଙ୍କ କହିବା ଅନୁସାରେ ସେହି ମହିଳା କୋଭିଡ-୧୯ (COVID-19) ନିର୍ଦ୍ଦେଶାବଳୀ ଉଲ୍ଲଙ୍ଘନ କରିଥିବା ନେଇ ଜଣେ ଡାକ୍ତରଙ୍କ ଅଭିଯୋଗ ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।
ଲାଖଣ୍ଡୁରରେ ଘଟିଥିବା ଏହି ଘଟଣା ଦେଶର ଲୋକଙ୍କ ପାଇଁ ଏକ ଉଦାହରଣ ଯେ ଯଦି ଆପଣ କରୋନା ସମ୍ବନ୍ଧୀୟ ନିୟମ ଭାଙ୍ଗନ୍ତି ତେବେ ଆପଣଙ୍କୁ ଦଣ୍ଡ ଦିଆଯାଇପାରେ । କେନ୍ଦ୍ର ଓ ରାଜ୍ୟ ସରକାରମାନେ ନିଜ ନିଜ ସ୍ତରରେ ସମୟ ସମୟରେ COVID-19 ମହାମାରୀକୁ ମୁକାବିଲା କରିବା ପାଇଁ ବିଭିନ୍ନ ନିର୍ଦ୍ଦେଶ ଜାରି କରିଛନ୍ତି । ହେଲେ ଏହା ପୂର୍ବରୁ ଏମିତି ମାମଲା ଘଟି ନ ଥିଲା ।
ଦଫା ୧୮୮ କ’ଣ?ଲକଡାଉନ୍ ଆଦେଶକୁ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ମହାମାରୀ ଆଇନ, ୧୮୯୭ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏହି ଆଇନ ଭାରତୀୟ ଦଣ୍ଡ ସଂହିତାର (Indian Penal Code) ଦଫା ୧୮୮ ଅନୁଯାୟୀ ଦଣ୍ଡବିଧାନର ବ୍ୟବସ୍ଥା ଦେଇଛି ।
ମହାମାରୀ ରୋଗ ଆଇନର ଦଫା ୩ ଏହି ଆଇନରେ ଦିଆଯାଇଥିବା ନିୟମ ବା ଆଦେଶକୁ ଅବମାନନା କରୁଥିବା ଲୋକଙ୍କ ପାଇଁ ଦଣ୍ଡବିଧାନ କରିଥାଏ । ଏହି ଦଣ୍ଡଗୁଡ଼ିକ IPCର ଦଫା ୧୮୮ ଅନୁସାରେ ମିଳିଥାଏ, ଯେଉଁଥିରେ ସରକାରୀ ଅଧିକାରୀଙ୍କ ଦ୍ୱାରା ଯଥାର୍ଥ ଭାବରେ ଘୋଷିତ ଆଦେଶକୁ ଅବମାନନା କରୁଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ।
ଏହା ବି ପଢ଼ନ୍ତୁ | ଆଉ ନାହାନ୍ତି BJD ନେତା ପ୍ରଦୀପ ମହାରଥୀ; କରୋନାରୁ ସୁସ୍ଥ ହେବା ପରେ ବିଗିଡ଼ିଥିଲା ସ୍ୱାସ୍ଥ୍ୟଏହା ବି ପଢ଼ନ୍ତୁ | ହାଥରସ୍ ମାମଲା: ‘‘ଯେଉଁ ମୃତ ଦେହ ପୋଲିସ ପୋଡ଼ିଲା ତାହା ଆମ ଝିଅର ନ ଥିଲା,’’ କହିଲା ପରିବାରସରକାରୀ କର୍ମଚାରୀଙ୍କ ଦ୍ୱାରା ଆଇନଗତ ଭାବରେ ପ୍ରକାଶିତ ଆଦେଶକୁ ଅବମାନନା କରୁଥିବା ଓ ଏମିତି ଅବମାନନା ଦ୍ୱାରା ଆଇନଗତ ଭାବରେ ନିୟୋଜିତ ବ୍ୟକ୍ତିଙ୍କ ପାଇଁ ବାଧା, ବିରକ୍ତି କିମ୍ବା ଆଘାତ ସୃଷ୍ଟି ହେଉଥିବା ଘଟଣାରେ ଏହି ଆଇନ ବ୍ୟବହାର ହୁଏ ।
ଏହି ଆଇନ ବଳରେ ଏକ ମାସ ପାଇଁ ସରଳ ଜେଲ୍ ଦଣ୍ଡ କିମ୍ବା ୨୦୦ ଟଙ୍କା ଜୋରିମାନା କିମ୍ବା ଉଭୟ ଜେଲ୍ ଦଣ୍ଡ ଓ ଜୋରିମାନା ହୋଇପାରେ । ଯଦି ଏପରି ଅବମାନନା ମାନବ ଜୀବନ, ସ୍ୱାସ୍ଥ୍ୟ କିମ୍ବା ନିରାପତ୍ତା ଇତ୍ୟାଦି ପାଇଁ ବିପଦ ସୃଷ୍ଟି କରେ ତେବେ ଛଅ ମାସ ପାଇଁ ସରଳ କାରାଦଣ୍ଡ କିମ୍ବା ୧,୦୦୦ ଟଙ୍କା ଜୋରିମାନା କିମ୍ବା ଉଭୟ ଜୋରିମାନା ଓ ଜେଲ୍ ଦଣ୍ଡ ମିଳିପାରେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।