କରୋନା ବଢ଼ୁଛି: ଓଡ଼ିଶାରେ ଚିହ୍ନଟ ହେଲେ ପଞ୍ଚମ ପଜିଟିଭ୍ ବ୍ୟକ୍ତି, ଏମ୍‌ସ୍‌ରେ ଚିକିତ୍ସିତ ହେଉଛନ୍ତି

ଓଡ଼ିଶାର ଏହି ପଞ୍ଚମ କରୋନା ପଜିଟିଭ୍ ବ୍ୟକ୍ତି ଭୁବନେଶ୍ୱର ବାସିନ୍ଦା ଓ ତାଙ୍କ ବୟସ ୬୦ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣେଇଛି ।

କରୋନା ବଢ଼ୁଛି: ଓଡ଼ିଶାରେ ଚିହ୍ନଟ ହେଲେ ପଞ୍ଚମ ପଜିଟିଭ୍ ବ୍ୟକ୍ତି, ଏମ୍‌ସ୍‌ରେ ଚିକିତ୍ସିତ ହେଉଛନ୍ତି
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 2, 2020, 12:47 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ଵର: ରାଜ୍ୟରେ ଜଣେ କରୋନା ଭାଇରସ୍‌ ପଜିଟିଭ୍‌ ରୋଗୀ ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେବାର ସୁଖଦ ଖବର ଆସିବାର ମାତ୍ର କିଛି ଘଣ୍ଟା ପରେ ଆସିଛି ପୁଣି ଏକ ଚିନ୍ତାଜନକ ଖବର: ରାଜ୍ୟରେ ଆଉ ଏକ ନୂଆ କରୋନା ସଂକ୍ରମଣ ମାମଲା ସାମନାକୁ ଆସିଛି ।

ଏହି ନୂଆ କରୋନା ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହେବା ପରେ ରାଜ୍ୟରେ ମୋ’ଟ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ୫ ହୋଇ ଯାଇଛି । ଜଣେ ଆରୋଗ୍ୟ ହୋଇଯିବା ପରେ ଚିକିତ୍ସାଧୀନ ରହିବେ ଚାରି ଜଣ ।

ପଞ୍ଚମ କରୋନା ପଜିଟିଭ୍‌ ବ୍ୟକ୍ତି ଭୁବନେଶ୍ୱର ବାସିନ୍ଦା ଓ ତାଙ୍କ ବୟସ ୬୦ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏକ ଟ୍ୱିଟ୍‌ କରି ବୁଧବାର ରାତିରେ କହିଛି । ବିଭାଗ ଏହା ବି ଜଣେଇଛି ଯେ ଭୁବନେଶ୍ୱରର ସୂର୍ଯ୍ୟନଗରର ଏହି ବାସିନ୍ଦା ଜଣକ ଅନ୍ୟ କେତେକ ରୋଗରେ ଆକ୍ରାନ୍ତ ହୋଇ ଏମ୍ସ୍‌ (AIIMS) ରେ ଆଡମିଟ୍‌ ହୋଇଥିଲେ । ପରୀକ୍ଷଣରୁ ସେ କରୋନା ଭାଇରସରେ ସଂକ୍ରମିତ ବୋଲି ଜଣା ପଡ଼ିଥିଲା ।

ଏହି ରୋଗୀଙ୍କର ବିଦେଶ ଯାତ୍ରାର ଇତିହାସ ଅଛି କି ନାହିଁ ସେ ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି । ଏ ପର୍ଯ୍ୟନ୍ତ ରାଜ୍ୟର ପାଞ୍ଚ ଜଣ କରୋନା ପଜିଟିଭ୍‌ ବ୍ୟକ୍ତିଙ୍କ ମଧ୍ୟରୁ ଚାରି ଜଣ ଭୁବନେଶ୍ୱର ବାସିନ୍ଦା । ମଙ୍ଗଳବାର ଚିହ୍ନଟ ହୋଇଥିବା ଚତୁର୍ଥ ପଜିଟିଭ୍‌ ବ୍ୟକ୍ତି ଭଦ୍ରକର ବାସିନ୍ଦା ଓ ସେ ନିକଟରେ ଦୁବାଇରୁ ଫେରିଥିଲେ ।

ଚତୁର୍ଥ କରୋନା ପଜିଟିଭ୍‌ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୭ ଜଣ ଆସିଥିବା ବେଳେ ତୃତୀୟ ପଜିଟିଭ୍‌ ବ୍ୟକ୍ତିଙ୍କ ସମ୍ପର୍କରେ ୧୧୨ ଜଣ ଲୋକ ଆସିଛନ୍ତି ବୋଲି ଜଣାଇଛନ୍ତି ରାଜ୍ୟ ସରକାର । ଆଜି (ଏପ୍ରିଲ୍‌ ୧) ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୬୧୦ଟି ନମୁନା ପରୀକ୍ଷା ହୋଇଛି ଓ ସେଥିରୁ ପାଞ୍ଚ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ବିଭିନ୍ନ ହସ୍ପିଟାଲରେ ୮୮ ଜଣ ସନ୍ଦିଗ୍ଧ କ୍ବାରେଣ୍ଟାଇନରେ ଅଛନ୍ତି ଓ ଅନ୍‌ଲାଇନ୍‌ରେ ୧୫,୦୪୫ ଜଣ ଲୋକ ପଞ୍ଜୀକରଣ କରିଛନ୍ତି ବୋଲି କହିଛନ୍ତି ସରକାରଙ୍କ କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ଗଠିତ ସମିତିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ । ସେ କରୋନା ବ୍ୟାପିବା ସମ୍ପର୍କରେ ସତର୍କ କରାଇଛନ୍ତି ।

‘‘କାହାକୁ, କେଉଁଠି, କେତେବେଳେ ବି ସଂକ୍ରମଣ କରିପାରେ କରୋନା ଭାଇରସ୍‌ । ସଂକ୍ରମିତ ରୋଗୀଙ୍କୁ ଭଲ ବ୍ୟବହାର କରିବା ଉଚିତ । କରୋନା ଭାଇରସ୍‌ ସମ୍ପର୍କରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତି ସମାଜ ଓ ଦେଶ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି ବୋଲି ବୁଝାଯାଉଛି । ଗୁଜବକାରୀଙ୍କ ବିରୋଧରେ ଅତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ,’’ ଚେତାବନୀ ଦେଇ କହିଛନ୍ତି ସୁବ୍ରତ ବାଗଚୀ ।

ରାଜ୍ୟରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଗଠନ କରିଛନ୍ତି ସଲାମ କମିଟି । ଜଳ ସମ୍ପଦ ବିଭାଗର ସଚିବ ସୁରେନ୍ଦ୍ର କୁମାର ଏହି କମିଟିର ମୁଖ୍ୟ ରହିଥିବା ବେଳେ କମିଟିରେ ନଗର ଉନ୍ନୟନ, ପରିବହନ ଓ ବାଣିଜ୍ୟ କର ବିଭାଗମାନଙ୍କର କମିଶନର ଓ ପୋଲିସ ଡିଜିଙ୍କ ସମେତ ଛଅ ଜଣ ଅଧିକାରୀ ରହିଛନ୍ତି । କରୋନା ମୁକାବିଲା ନେଇ ସମସ୍ତ ପ୍ରକାର ସ୍ଥିତି ଉପରେ ଏହି ସମିତି ନଜର ରଖିବ ବୋଲି କହିଛନ୍ତି ସୁରେନ୍ଦ୍ର କୁମାର ।
First published: April 2, 2020, 12:47 AM IST
corona virus btn
corona virus btn
Loading