ଲକ୍‌ଡାଉନ୍ ହଟାଅ; ଚାଷୀ, ମଜଦୁର ଓ କ୍ଷତିଗ୍ରସ୍ତଙ୍କୁ ମାସିକ ₹୫,୦୦୦ ଦିଅ: କୃଷକ ସଙ୍ଗଠନ

କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ପାଇଁ ଲକଡାଉନ ଉପରେ ଏତେ ବେଶୀ ମାତ୍ରାରେ ନିର୍ଭର କରିବା ମୁଣ୍ଡବିନ୍ଧା ସମସ୍ୟାର ସମାଧାନ ପାଇଁ ମୁଣ୍ଡକାଟ କରିବା ପରି ବୋଲି କହିଛି ନବନିର୍ମାଣ କୃଷକ ସଙ୍ଗଠନ ।

ଲକ୍‌ଡାଉନ୍ ହଟାଅ; ଚାଷୀ, ମଜଦୁର ଓ କ୍ଷତିଗ୍ରସ୍ତଙ୍କୁ ମାସିକ ₹୫,୦୦୦ ଦିଅ: କୃଷକ ସଙ୍ଗଠନ
ଭିଡିଓ କନଫରେନ୍ସ ମାଧ୍ୟମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅକ୍ଷୟ କୁମାର ଓ ଶେଷଦେବ ନନ୍ଦ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦୀର୍ଘ ଦିନର ନିରବତା ପରେ ରାଜ୍ୟର ପ୍ରମୁଖ କୃଷକ ସଙ୍ଗଠନ ନବନିର୍ମାଣ କୃଷକ ସଙ୍ଗଠନ ଲକଡାଉନ୍ ସମସ୍ୟା ନେଇ ମୁହଁ ଖୋଲିଛି । ସଙ୍ଗଠନର ଜାତୀୟ ସଂଯୋଜକ ଅକ୍ଷୟ କୁମାର ଓ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଲକଡାଉନ୍‌ ଲଗାଇ କୋଟି କୋଟି ଲୋକଙ୍କୁ ମାନସିକ, ଆର୍ଥିକ ଓ ଅକଥନୀୟ ଯନ୍ତ୍ରଣା ଭିତରକୁ ଠେଲି ଦେଇଥିବା ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ନିନ୍ଦା କରିଛନ୍ତି ଓ ପ୍ରଭାବିତ ଲୋକଙ୍କ ପାଇଁ ତୁରନ୍ତ ଆର୍ଥିକ ସହାୟତା ଦାବି କରିଛନ୍ତି ।

‘‘କରୋନା ଭାଇରସ୍‌ ସଂକ୍ରମଣର ମୁକାବିଲା ପାଇଁ ଲକଡାଉନ ଉପରେ ଏତେ ବେଶୀ ମାତ୍ରାରେ ନିର୍ଭର କରିବା ମୁଣ୍ଡବିନ୍ଧା ସମସ୍ୟାର ସମାଧାନ ପାଇଁ ମୁଣ୍ଡକାଟ କରିବା ପରି । ରୋଗୀ ଉପଚାରର ସବୁବେଳେ କ’ଣ ଅପରେସନ୍ ପ୍ରାଥମିକ ଉପଚାର? ଭାରତ ଭଳି ଏକ ବିରାଟ ଦେଶରେ, ଯେଉଁଠି କୋଟି କୋଟି ଲୋକ ନିଜର ବୃତ୍ତି ପାଇଁ ଅନ୍ୟ ରାଜ୍ୟରେ ହଜାର ହଜାର କିଲୋମିଟର ଦୂରରେ ରୁହନ୍ତି, ସେ କଥାକୁ ବିଚାର କରା ନ ଯାଇ ଦେଶରେ ହଠାତ୍ ଲକଡାଉନ୍ ଘୋଷଣା କରି କୋଟି କୋଟି ଲୋକଙ୍କୁ ମାନସିକ, ଆର୍ଥିକ ଓ ଅକଥନୀୟ ଯନ୍ତ୍ରଣା ଭିତରକୁ ଠେଲି ଦିଆଗଲା । ସେଥି ପାଇଁ କିଏ ଦାୟୀ ରହିବେ?’’ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ନବନିର୍ମାଣ କୃଷକ ସଙ୍ଗଠନର ଜାତୀୟ ସଂଯୋଜକ ଅକ୍ଷୟ କୁମାର ।

ଏହା ବି ପଢ଼ନ୍ତୁ:

ମମତା ପଶ୍ଚିମ ବଙ୍ଗର ପ୍ରବାସୀ ଶ୍ରମିକଙ୍କ ଟ୍ରେନକୁ ଅନୁମତି ଦେଉନାହାନ୍ତି: ଅମିତ ଶାହା

ଚାଷୀ, ମଜଦୁର, କ୍ଷୁଦ୍ର ବ୍ୟବସାୟୀ ଓ ଅଟୋ ଚାଳକଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଲକଡାଉନ୍ ଜନିତ କ୍ଷତିଗ୍ରସ୍ତଙ୍କ ଭରଣପୋଷଣ ପାଇଁ ମାସିକ ୫,୦୦୦ ଲେଖାଁଏ ଅର୍ଥ ଦିଆଯାଉ ବୋଲି ଦାବି କରିଛି ସଙ୍ଗଠନ । ‘‘କାଳିଆ, ପ୍ରଧାନମନ୍ତ୍ରୀ, ପେନସନ୍ ଯୋଜନାରେ ଯେଉଁ ଅର୍ଥ ସବୁ ଘୋଷଣା କରାଯାଇ ଦିଆଯାଇନି ତୁରନ୍ତ ସେ ଅର୍ଥ ରିଲିଜ୍ କରାଯାଉ । ଗାଁ ଗଣ୍ଡାରେ ଅନ୍ୟ ଗାଁ ଲୋକଙ୍କୁ ଯେଭଳି ଘଉଡାଇ ମାରଧର କରୁଛନ୍ତି ଓ ବାଟରେ ଅବରୋଧ କରୁଛନ୍ତି ଏ ମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବା ସହିତ ଯେଉଁ ଅଞ୍ଚଳରେ ରୋଗ ବଢ଼ିନାହିଁ ସେ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରି ବାହାଦୁରୀ ନ ନିଆଯାଉ,’’ ନବ ନିର୍ମାଣ କୃଷକ ସଙ୍ଗଠନ ଏକ ବବୃତିରେ କହିଛି ।

ପୃଥିବୀର ଅଧିକାଂଶ ଦେଶ ଲକଡାଉନ କରିଥିବା ବେଳେ ବହୁ ସଫଳ ଦେଶ ଲକଡାଉନ୍ ନ କରି କିଭଳି କରୋନାକୁ ସଫଳ ମୁକାବିଲା କଲେ ସେ କଥା ଭାରତ ସରକାର ଦେଖିଲେ ନାହିଁ କି ଆଲୋଚନା କଲେ ନାହିଁ ବୋଲି କହିଛନ୍ତି ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ।

ଏହା ବି ପଢ଼ନ୍ତୁ:

ବିଶାଖାପାଟଣାରେ ବିଷାକ୍ତ ଷ୍ଟାଇରିନ୍ ଗ୍ୟାସ୍ ଲିକ୍ ହେବା ପରେ ଆସିଥିବା ହୃଦୟବିଦାରକ ଛବି

‘‘କରୋନାର ପ୍ରତ୍ୟକ୍ଷ ପ୍ରଭାବରେ ପାଖାପାଖି ୫୦ ଦିନ ମଧ୍ୟରେ ଅର୍ଥନୀତି କିଭଳି ବିପର୍ଯ୍ୟୟମୁଖୀ ହେଲାଣି ତାକୁ ନେଇ କେହି ବ୍ୟସ୍ତ ହେଉନାହାନ୍ତି । କୃଷି କ୍ଷେତ୍ର, ଶିଳ୍ପ କ୍ଷେତ୍ର, ପରିବହନ ଓ ପର୍ଯ୍ୟଟନ ସମେତ ସବୁ କ୍ଷେତ୍ରରେ ଧ୍ୱଂସାଭିମୁଖୀ ଅବସ୍ଥା ଉପୁଜିଲା ପରେ ବି ସରକାର ବାହାଦୁର କରୋନାର ଏ ପ୍ରଭାବ ନେଇ ଚିନ୍ତା ନ କରି ଲକଡାଉନ୍ ବଢ଼ାଇଚାଲିଛନ୍ତି । ସାଉଥ କୋରିଆ, ସ୍ୱିଡେନ୍‌, ସିଙ୍ଗାପୁର, ହଂକଂ, ତାଇୱାନ୍ ଭଳି ଦେଶ ଲକ୍ ଡାଉନ୍ ନ କରି କିଭଳି କରୋନା ପରିସ୍ଥିତିକୁ ସଫଳ ମୁକାବିଲା କଲେ ତାହା ଆମ ଇଙ୍ଗଲିସ୍ ପଢ଼ୁଆ ଆଇଏଏସ୍ ଓ ଅନୁଭବହୀନ କ୍ଷମତାସୀନ ବଡ଼ ନେତାମାନେ ବୁଝିଲେ ନାହିଁ,’’ କହିଛନ୍ତି ନନ୍ଦ ।

କରୋନା ଲକଡାଉନ୍ ଯୋଗୁଁ ଦେଶର ଅର୍ଥନୀତି ସହିତ ଯେଉଁ କୋଟି କୋଟି ଲୋକ ମାନସିକ ନିର୍ଯାତନା ଭୋଗୁଛନ୍ତି ଓ ମାନବିକ ଅଧିକାର କ୍ଷୂର୍ଣ୍ଣ ହେଉଛି ବୋଲି କହିଛି ସଙ୍ଗଠନ । ‘‘କରୋନା ଚାଷୀମୂଲିଆଙ୍କ ଜୀବନ ଉଜାଡ଼ି ଦେଇଛି । କୃଷି କ୍ଷେତ୍ର ଖୋଲା ହେଲା ବୋଲି କୁହାଯାଇ ଚାଷୀଙ୍କୁ ମୁଗ କିଆରିରେ ଓ ମାଛ ପୋଖରୀରେ ପୋଲିସ୍ ପିଟିଲା । କରୋନା ମୁକାବିଲାକୁ ଗଣ ମାଧ୍ୟମରେ ବୟାନବାଜିରେ ସଚେତନତା ପାଇଁ ଯାହା କରାଗଲା ସେହି ଅନୁପାତରେ ତଳ ସ୍ତରରେ ପଞ୍ଚାୟତ କ୍ୱାରେଣ୍ଟାଇନ୍ ସଫଳ ହେଇଛି ଓ ଲୋକେ କେତେ ସାମାଜିକ ଦୂରତା ମାନୁଛନ୍ତି ତାକୁ ତଦାରଖ କରିବାକୁ ଲୋକ ନାହାନ୍ତି,’’ ସଙ୍ଗଠନ ଏକ ବିବୃତିରେ କହିଛି ।

ଏହା ବି ପଢ଼ନ୍ତୁ: 

ସୁରତ ଫେରନ୍ତାଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଖାଦ୍ୟ ରୁଚୁନି; ଭିଡିଓ ବନେଇ ଅଭିଯୋଗ କଲେ

ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଗଲା ବୋଲି ସରକାର କହିବା ପରେ ବି ପଞ୍ଚାୟତ କ୍ୱାରେଣ୍ଟାଇନ୍ ବିଫଳ ହୋଇଛି ବୋଲି ଦାହି କରି ସଙ୍ଗଠନ କହିଛି ଯେ କୃଷି କ୍ଷେତ୍ରର ସ୍ଥିତି ଏବେ ଅସମ୍ଭାଳ ହେଲାଣି । ‘‘ଲୋକେ ଖରିଫ ଧାନ ବିକ୍ରି କରି ପାରିଲେନି । ରବି ଧାନ ଅମଳ ପାଇଁ ଲୋକେ ଆସିଲେନି । ମୁଗ ଅମଳ ବେଳେ ବର୍ଷା ଦାଉ ସାଧିଲା, ଆଖୁ କାରଖାନା ବନ୍ଦସ୍ଥିତି ଯୋଗୁଁ ଜମିରେ ଆଖୁ ପଡ଼ି ଶୁଖିଲା । କେବଳ କରୋନା ପ୍ରଚାର ହାୱାରେ ଏସବୁ ଅଣଦେଖା କରାଯାଇଛି । ଲକ୍‌ଡାଉନ୍ କରି ନ ଥିବା ଦେଶଗୁଡ଼ିକ କିଭଳି ଭାବରେ ଆଗ୍ରେସିଭ୍ ଟେଷ୍ଟିଙ୍ଗ୍ କରିବା ଠାରୁ ଆରମ୍ଭ କରି ହୋମ୍ କ୍ୱାରେଣ୍ଟାଇନ୍ ଉପରେ ତଦାରଖ ଓ କଟ୍ରାକ୍ଟ ଟ୍ରେସିଂ କରି ରୋଗୀମାନଙ୍କୁ କମ୍ୟୁନିଟି ଭିତରକୁ ଛାଡିଲେନି ସେ ଅନୁଭବ ନିଆଯାଉନି,’’ କହିଛି ସଙ୍ଗଠନ ।

ନବ ନିର୍ମାଣ କୃଷକ ସଙ୍ଗଠନର ଅଭିଯୋଗ ନେଇ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
First published: May 9, 2020, 10:18 PM IST
corona virus btn
corona virus btn
Loading