News18 Odia Digital
କଟକ: ଲକଡ଼ାଉନ ସମୟରେ ପୋଲିସ ଗ୍ରହଣ କରୁଥିବା କଠୋର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ପାଇଁ ହାଇ କୋର୍ଟ ପୁର୍ବରୁ ଦେଇଥିବା ନିର୍ଦ୍ଦେଶକୁ ଆଜି ସ୍ପଷ୍ଟ କରିଛନ୍ତି । ଏହି ମାମଲାର ଶୁଣାଣି କରି କୋର୍ଟ କେବଳ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମମାନଙ୍କ କ୍ଷେତ୍ରରେ କୋହଳ ମନୋଭାବ ପୋଷଣ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।
କରୋନା ଭାଇରସ୍ ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲାର ଶୁଣାଣିର ଦ୍ବିତୀୟ ଦିନରେ ହାଇ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । କେବଳ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ କ୍ଷେତ୍ରରେ ଅଣ୍ଡରଟେକିଂ ନିୟମ ଲାଗୁ ହେବ । ଅର୍ଥାତ କେବଳ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମମାନେ ବାଇକ ନେଇ ଯାଉଥିବା ବେଳେ ପୋଲିସ ହାତରେ ଧରା ପଡ଼ିଲେ ସେମାନେ ଅଣ୍ଡରଟେକିଂ ଦେଇ ପୋଲିସ ଠାରୁ ଗାଡ଼ି ନେଇ ପାରିବେ । ତିନି ଥର ଧରାପଡ଼ିବା ପର୍ଯ୍ୟନ୍ତ ଏହା ଲାଗୁ ହେବ କିନ୍ତୁ ଚତୁର୍ଥ ଥର ଧରା ପଡ଼ିଲେ ସେମାନଙ୍କୁ ମଧ୍ୟ ଫାଇନ ଦେବାକୁ ପଡ଼ିବ ।
ଏହା ବ୍ୟତୀତ ଡ଼ାକ୍ତର ଓ ଅତ୍ୟାବଶ୍ୟକୀୟ ସମାଗ୍ରୀ ପରିବହନ କରୁଥିବା ଗାଡ଼ି ଚାଳକଙ୍କ ପ୍ରତି ଧ୍ୟାନ ଦେବା ପାଇଁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କ ପରିଚୟ ପତ୍ର କିମ୍ବା ଅଧିକୃତ ଅଧିକାରୀଙ୍କ ଦ୍ବାରା ପ୍ରଦତ୍ତ ସାର୍ଟିଫିକେର୍ଟ ଦେଖାଇବା ପରେ ଡାକ୍ତର ଓ ଅତ୍ୟାବଶ୍ୟକୀୟ ସମାଗ୍ରୀ ପରିବହନ କରୁଥିବା ଲୋକଙ୍କ ଗାଡ଼ିକୁ ଛଡ଼ାଯିବ ବୋଲି କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଇନଜୀବୀ ବିଜୟ କୁମାର ରଗଡ଼ଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ବିଶ୍ବନାଥ ରଥଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।

ଓଡ଼ିଶା ହାଇ କୋର୍ଟ
“୬୦ ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି କିମ୍ବା ଭିନ୍ନକ୍ଷମମାନେ ଲକଡ଼ାଉନ ସମୟରେ ଗାଡି ସହିତ ଧାରା ପଡିଲେ ସେମାନଙ୍କ ଠାରୁ ଅଣ୍ଡରଟେକିଂ ନେଇ ଛାଡ଼ି ଦିଆଯିବ । ଅନ୍ୟଥା ପୂର୍ବରୁ ଯେଉଁଭଳି ଭାବେ ଫାଇନ ଆଦାୟ କରାଯାଉଥିଲା ତାହା ସେହିଭଳି ଆଦାୟ କରାଯିବ” ହାଇ କୋର୍ଟର ରାୟ ଆସିବା ପରେ କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।
ତେଣୁ ଏବେ ପୂର୍ବ ଭଳି ଅମାନିଆଙ୍କ ଠାରୁ ଦୁଇ ହାଜର ଟଙ୍କା ଲେଖାଏଁ ଫାଇନ ଆଦାୟ କରାଯିବ ଓ ଆବଶ୍ୟକ ପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବ ପୋଲିସ । ଏପରିକି ସାମାଜିକ ନିୟମର ଖିଲାପି କଲେ ପୂର୍ବ ଭଳି ଉତ୍ତମ ମଧ୍ୟମ ମଧ୍ୟ ପୋଲିସ ଦେଇ ପାରିବ ବୋଲି ପୋଲିସ ସୁତ୍ରରୁ କୁହାଯାଇଛି ।
ଗତ କାଲି କରୋନା ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରିବା ସମୟରେ ଲକଡ଼ାଉନ ଯୋଗୁଁ ଲୋକେ ଭୋଗୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି କୋର୍ଟ ପୋଲିସକୁ କୋହଳ ମନୋଭାବ ପୋଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହାଇ କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଲକଡ଼ାଉନ ବେଳେ ଚାଲିକରି ଯାଇହେବା ଭଳି ଦୂରତାରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁ ନ ଥିବାରୁ ଦୁଇ ଚକିଆ ଯାନ ଚଳଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ପାରିବ ନାହିଁ । ଯଦି କୌଣସି ଗାଡ଼ି ଚାଳକ ଗାଡ଼ି ନେଇ ଯାଉଥିବା ସମୟରେ ଧରା ପଡିଲେ ତିନି ଥର ସେମାନଙ୍କୁ ଅଣ୍ଡର ଟେକିଂ ନେଇ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ଲୋକଙ୍କ ପାଖରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଫଳସ୍ୱରୂପ ଆଜି ସକାଳୁ ପୋଲିସ ମୂକ ଦର୍ଶକ ପାଲଟି ଯାଇଥିବା ବେଳେ ସହର ମଧ୍ୟରେ ପୁଣି ଅମାନିଆଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ସେପଟେ କୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ଲୋକଙ୍କ ପାଖରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି ସିଏମସି ।
“ପୂର୍ବରୁ ସହର ମଧ୍ୟରେ ପରିବା ଓ ସଉଦା ସମେତ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ହୋମ୍ ଡେଲିଭରି ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଏବେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ଜମାଟୋ, ସ୍ବିଗି ଓ ଫ୍ଲିପକାର୍ଟ ଭଳି ସଂସ୍ଥାଗୁଡ଼ିକ ସହିତ ଆଲୋଚନା କରି ସେମାନଙ୍କର ପ୍ରାୟ ଦେଢ ଶହ କର୍ମଚାରୀଙ୍କୁ ସହରବାସୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯେଗାଇବା ପାଇଁ ବ୍ୟବସ୍ଥା କରାଯାଉଛି,” କହିଛନ୍ତି ସିଏମସିର ଡେପୁଟି କମିଶନର ଡାକ୍ତର ଅବିନାଶ ରାଉତ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।