କରୋନା ଭାଇରସ୍ ଭୟ ମଧ୍ୟରେ ମାଟ୍ରିକ୍ ଖାତା ଦେଖୁଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ଚିନ୍ତାଗ୍ରସ୍ତ

ମାଟ୍ରିକ୍ ପରୀକ୍ଷାର ଖାତା ଦେଖିବାରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର କରୋନା ଭାଇରସ୍ ଯୋଗୁଁ ଅସନ୍ତୋଷ କାରଣରୁ ଖାତାଗୁଡ଼ିକର ମୂଲ୍ୟାଙ୍କନ ଠିକ୍ ଭାବେ ହୋଇପାରିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ସେମାନେ ଚିନ୍ତାଗ୍ରସ୍ତ ଥାଇ ଖାତା ଦେଖିଲେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଏହାର ପ୍ରଭାବ ପଡ଼ିପାରେ ।

କରୋନା ଭାଇରସ୍ ଭୟ ମଧ୍ୟରେ ମାଟ୍ରିକ୍ ଖାତା ଦେଖୁଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ଚିନ୍ତାଗ୍ରସ୍ତ
ଭୁବନେଶ୍ୱରରେ ଏକ ମୂଲ୍ୟାଙ୍କନ କେନ୍ଦ୍ରର ଦୃଶ୍ୟ
  • News18 Odia
  • Last Updated: March 19, 2020, 1:32 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ କରୋନା ଭାଇରସ୍‌ କବଳରୁ ରକ୍ଷା ପାଇବାକୁ ଉଦ୍ୟମ ଚାଲିଥିବା ବେଳେ ମାଟ୍ରିକ୍ ଖାତା ମୂଲ୍ୟାଙ୍କନରେ ନିୟୋଜିତ ହୋଇଥିବା ୧୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏହି ମହାମାରୀ ସଂକ୍ରମଣକୁ ନେଇ ଚିନ୍ତାଗ୍ରସ୍ତ ଥିବା ଜଣାପଡ଼ିଛି ।

ଏହି ମୂଲ୍ୟାଙ୍କନକାରୀମାନେ ରାଜ୍ୟର ମୋଟ୍ ୬୧ଟି ମୂଲ୍ୟାଙ୍କନ କେନ୍ଦ୍ରରେ ପହଞ୍ଚି ବୁଧବାର ଦିନ ଖାତା ଦେଖାର ପ୍ରଥମ ଦିନରେ ଜଏନ୍ କରିବା ପୂର୍ବରୁ କରୋନା ଭାଇରସରୁ ରକ୍ଷା ପାଇବା ବିଷୟରେ ଓ ଖାତା ଦେଖିବା ବାବଦରେ ତାଲିମ୍ ପାଇଛନ୍ତି । କିନ୍ତୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ସାରା ବିଶ୍ବରେ କରୋନା ଭାଇରସର ଆତଙ୍କ ବ୍ୟାପ୍ତ ଥିବା ବେଳେ ଏ ଭଳି ସ୍ଥିତିରେ କେମିତି ଠିକ୍‌ ଢଙ୍ଗରେ ଖାତା ଦେଖି ପାରିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସେମାନେ ।

ପୂର୍ବରୁ ଖାତା ଦେଖା ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ ମୂଲ୍ୟାଙ୍କନକାରୀମାନେ । କିନ୍ତୁ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଖାତା ଦେଖା ଆରମ୍ଭ କରିବା ଓ ଠିକ୍ ସମୟରେ ଶେଷ କରିବାକୁ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲେ । ହେଲେ ମୂଲ୍ୟାଙ୍କନକାରୀମାନେ ଗୋଟିଏ ରୁମରେ ୨୦ ରୁ ୩୦ଜଣ ଏକାଠି ବସି ଖାତା ଦେଖୁଥିବାକୁ ନାପସନ୍ଦ କରିଛନ୍ତି ।

‘‘ଏହି ମାରାତ୍ମକ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସଭାସମିତି ଠାରୁ ଆରମ୍ଭ କରି ବୈଠକ, ଦୋକାନ ବଜାର, ଯାନି ଯାତ୍ରା ଉପରେ କଟକଣା ଜାରି କରିବା ସହ ଗହଳି ନ ଜମାଇବାକୁ କୁହାଯାଉଥିବା ବେଳେ ଏ ଭଳି ସ୍ଥିତିରେ ଏକାଠି ହୋଇ ଆମେ ମେମିତି ଖାତା ଦେଖି ପାରିବୁ?’’ ଚିନ୍ତା ପ୍ରକଟ କରି ପ୍ରଶ୍ନ କରିଛନ୍ତି ଜଣେ ମୂଲ୍ୟାଙ୍କନକାରୀ ।

ଏକ ଖାତା ଦେଖା କେନ୍ଦ୍ରରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆସି ପହଞ୍ଚୁଛନ୍ତି ।


ଖାତା ଦେଖିବାରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଏମିତି ଅସନ୍ତୋଷ ଯୋଗୁଁ ଖାତାଗୁଡ଼ିକର ମୂଲ୍ୟାଙ୍କନ ଠିକ୍‌ ଭାବେ ହୋଇପାରିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ମୂଲ୍ୟାଙ୍କନକାରୀମାନେ ଚିନ୍ତାଗ୍ରସ୍ତ ଥାଇ ଖାତା ଦେଖିଲେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଏହାର ପ୍ରଭାବ ପଡ଼ିପାରେ ବୋଲି କହିଛନ୍ତି ସେମାନେ । ହେଲେ ଏହା ଉପରେ ସରକାର ଏ ପର୍ଯ୍ୟନ୍ତ ଦୃଷ୍ଟି ଦେଇ ନାହାନ୍ତି ।

‘‘ମାସ୍କ ପିନ୍ଧି ଖାତା ଦେଖିବାକୁ ନିର୍ଦେଶ ରହିଥିବା ବେଳେ ବଜାରରେ ମାସ୍କ ମିଳୁନାହିଁ । ସରକାରଙ୍କ ପକ୍ଷରୁ ମାସ୍କ ଯୋଗାଇ ଦେଲେ ଭଲ ହୁଅନ୍ତା,’’ କହିଛନ୍ତି ମୂଲ୍ୟାଙ୍କନକାରୀ ସୈାଦାମିନୀ ମଲ୍ଲ ।

ପରୀକ୍ଷା କେନ୍ଦ୍ରରେ ସ୍ବଚ୍ଛତା ଉପରେ ଦିଆଯାଇଛି ଗୁରୁତ୍ବ  । ଖାତା ଦେଖୁଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ମଧ୍ୟରେ ଅତି କମରେ ଦୁଇ ମିଟର ଦୂରତା ରକ୍ଷା କରିବା ସହ ଖାତା ଦେଖା କେନ୍ଦ୍ରକୁ ଆସିବା ପୂର୍ବରୁ ସାନିଟାଇଜରରେ ହାତକୁ ପରିଷ୍କାର କରିବା ଭଳି ସତର୍କତା ଅବଲମ୍ବନ କରିବାକୁ ଥିବା ନିର୍ଦ୍ଦେଶ କୁ ପାଳନ କରାଯାଉଛି । କିଛି ସ୍ଥାନରେ କେନ୍ଦ୍ର ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ବେଳେ ଆଉ କେତେକରେ ସରକାରଙ୍କ ଗାଇଡ୍ ଲାଇନ୍ ସମ୍ପୂର୍ଣ୍ଣ ରୂପେ ପାଳନ ହୋଇ ନ ପାରୁଥିବା କହିଛନ୍ତି ଜଣେ ମୂଲ୍ୟାଙ୍କନକାରୀ ।

ଏହି ଖାତା ଦେଖା ପ୍ରକିୟା ୨୦ ଦିନ ଧରି ଚାଲିବାକୁ ଥିବାବେଳେ କେନ୍ଦ୍ରରେ ଭିଡ଼ ନ ହେବା ପାଇଁ ତିନିଟି ସିଫ୍ଟରେ ଖାତା ଦେଖା ହେଉଛି । ତେବେ ଚଳିତ ବର୍ଷ ଓ.ଏମ୍.ଆର୍. ନ ଥିବା ବେଳେ ସମସ୍ତ ଖାତା ଅଫଲାଇନ୍ ମୋଡରେ ଦେଖାହେଉଛି ।
First published: March 19, 2020, 1:32 AM IST
corona virus btn
corona virus btn
Loading