News18 Odia Digital
ନୂଆ ଦିଲ୍ଲୀ: କରୋନା ଭାଇରସ୍ (Coronavirus) ସଂକ୍ରମଣ ଯୋଗୁଁ ସୃଛ୍ଟି ହୋଇଥିବା ଏହି ସଙ୍କଟମୟ ସମୟରେ ସାଧାରଣ ଲୋକଙ୍କ କଷ୍ଟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗୋଟିଏ ପଟେ ମୁଦ୍ରାସ୍ଫୀତି (inflation) ବଢ଼ୁଛି ଓ ସଞ୍ଚୟ ଉପରେ ସୁଧ ହାର (Small Saving Interest Rates) କ୍ରମାଗତ ଭାବେ ହ୍ରାସ ପାଉଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଇପିଏଫଓ (EPFO- Employees Provident Fund Organisation) (କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନ) ଦ୍ୱାରା ସୁଧ ହାର ପୁଣି ଆଉ ଥରେ କମ୍ କରାଯାଇପାରେ ।
EPFO ସୁଧ ହାର କମ୍ ହେବା ସମ୍ଭାବନା ପଛରେ ମୁଖ୍ୟ କାରଣ ହେଉଛି ପୁଞ୍ଜି ବିନିଯୋଗରୁ ମିଳୁଥିବା ରିଟର୍ଣ୍ଣ ଲଗାତର ହ୍ରାସ ପାଉଥିବା କୁହାଯାଉଛି । ସେଇଥି ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ୍ ଉପରେ ଦିଆଯାଉଥିବା ସୁଧ ହାର (Provident Fund interest rate) ହ୍ରାସ କରିବା ଉପରେ ବିଚାର କରାଯାଉଛି ।
୨୦୧୯-୨୦ ଆର୍ଥିକ ବର୍ଷ ପାଇଁ PF ସୁଧ ହାରକୁ ୮.୬୫ ପ୍ରତିଶତରୁ ୮.୫୦ ପ୍ରତିଶତକୁ ହ୍ରାସ କରାଯାଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ଏହାକୁ ଅର୍ଥ ମନ୍ତ୍ରଣାଳୟ ଅନୁମୋଦନ ଦେଇନାହିଁ । ଅର୍ଥ ମନ୍ତ୍ରଣାଳୟ ଯେତେବେଳେ ଅନୁମୋଦନ ଦେବ ସେତେବେଳେ ଶ୍ରମ ମନ୍ତ୍ରଣାଳୟ ଏହାକୁ ସୂଚିତ କରିବ ।
ଇଂରାଜୀ ଖବରକାଗଜ ‘ଦ ଇକୋନୋମିକ୍ ଟାଇମ୍ସ’ରେ ପ୍ରକାଶିତ ଖବର ଅନୁଯାୟୀ ଇପିଏଫ୍ଓ (EPFO)ର ଅର୍ଥ ବିଭାଗ, ନିବେଶ ବିଭାଗ ଓ ଅଡ଼ିଟ୍ କମିଟି ସହ ଏ ବିଷୟରେ ଖୁବ୍ ଶୀଘ୍ର ଏକ ବୈଠକ ହେବାକୁ ଯାଉଛି । ଏଥିରେ EPFO କେତେ ସୁଧ ହାର ଦେବାର ସ୍ଥିତିରେ ଅଛି ତାହା ଉପରେ ଆଲୋଚନା ହେବ ଓ ନୂଆ ଦର ସ୍ଥିର କରାଯିବ ।

ଇପିଏଫଓ IL&FSରେ ବି ପୁଞ୍ଜି ବିନିଯୋଗ କରିଛି ।
EPFO ନିଜ ମୋଟ ପାଣ୍ଠିର ୮୫ ପ୍ରତିଶତ ଅଂଶ ଋଣ ବଜାରରେ (debt market, bonds) ଓ ବାକି ୧୫ ପ୍ରତିଶତ ଅଂଶ ବିନିମୟ ବାଣିଜ୍ୟ ପାଣ୍ଠି (Exchange Traded Funds-ETF) ମାଧ୍ୟମରେ ଷ୍ଟକ୍ ମାର୍କେଟରେ (stock market) ବିନିଯୋଗ କରେ । ଗତ ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଇକ୍ୱିଟିରେ EPFOର ମୋଟ ନିବେଶ ୭୪,୩୨୪ କୋଟି ଟଙ୍କା ଥିଲା ଓ ସେଥିରୁ ୧୪.୭୪ ପ୍ରତିଶତ ରିଟର୍ଣ୍ଣ ମିଳିଥିଲା ।
ସୁଧ ହାର କାହିଁକି ହ୍ରାସ ପାଇବ? ଇପିଏଫଓ ୧୮ ଲକ୍ଷ କୋଟି ଟଙ୍କାରୁ ଅଧିକ ବିନିଯୋଗ କରିଛି। ଏଥି ମଧ୍ୟରୁ ପ୍ରାୟ ୪,୫୦୦ କୋଟି ଟଙ୍କା NBFC କମ୍ପାନୀ ଦିୱାନ୍ ହାଉସିଂ (DHFL) ଓ ଆଇଏଲ ଆଣ୍ଡ ଏଫଏସରେ (IL&FS) ବିନିଯୋଗ କରାଯାଇଛି । DHFL ବ୍ୟାଙ୍କରପ୍ସି ରିଜୋଲ୍ୟୁସନ୍ ପ୍ରକ୍ରିୟା ଦେଇ ଗତି କରୁଥିବା ବେଳେ IL&FSକୁ ବଞ୍ଚାଇ ରଖିବା ପାଇଁ ସରକାରୀ ତଦାରଖରେ କାର୍ଯ୍ୟ ଚାଲିଛି । ଏମିତି ସ୍ଥିତିରେ EPFOର ବଡ଼ ପରିମାଣର ପୁଞ୍ଜି ବିଭିନ୍ନ ସ୍ଥାନରେ ଫସି ରହିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।