News18 Odia Digital
ଭୁବନେଶ୍ୱର: ରାଜ୍ୟରେ ବିଜୁଳି ଦର ୟୁନିଟ ପିଛା ୨୦ ପଇସା ବୃଦ୍ଧି କରିବା ନିଷ୍ପତ୍ତି ପରେ ତାକୁ ନେଇ ଆରମ୍ଭ ହୋଇଛି ତୁମ୍ବି ତୋଫାନ। କୋଭିଡ ସଂକ୍ରମଣ ସମୟରେ ଲୋକଙ୍କ ଜୀବିକା ଏକ ପ୍ରକାର ଠପ୍ ହୋଇଯାଇଥିବା ବେଳେ ଏହି ସନୟରେ ବିଜୁଳି ଦର ବୃଦ୍ଧି ନିଷ୍ପତ୍ତି ରାଜ୍ୟର ଉପଭୋକ୍ତାମାନଙ୍କୁ ବ୍ୟଥିତ କରିଛି ବୋଲି କହିଛି ବିଦ୍ୟୁତ ଉପଭୋକ୍ତା ମହାସଙ୍ଘ । ଦର ବୃଦ୍ଧି ପ୍ରସଙ୍ଗରେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି ।
୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ (OERC) ଖୁଚୁରା ବିଜୁଳି ଦାମ ୟୁନିଟ ପିଛା ୨୦ ପଇସା ବୃଦ୍ଧି କରିଛନ୍ତି । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ସୂଚନା ଅନୁସାରେ ନୂଆ ଦର ଅନୁସାରେ ପୂର୍ବରୁ ପ୍ରଥମ ୫୦ ୟୁନିଟ ପର୍ଯ୍ୟନ୍ତ ଉପଭୋକ୍ତାଙ୍କୁ ୟୁନିଟ ପିଛା ୨ ଟଙ୍କା ୫୦ ପଇସା ଦେବାକୁ ପଡୁଥିଲା । ଏବେ ବର୍ଦ୍ଧିତ ଦର ଅନୁସାରେ ଉପଭୋକ୍ତାଙ୍କୁ ୟୁନିଟ ପିଛା ୨ ଟଙ୍କା ୭୦ ପଇସା ଦେବାକୁ ପଡ଼ିବ।
୫୧ରୁ ୧୦୦ ୟୁନିଟ ପାଇଁ ନୂଆ ଦର ଅନୁସାରେ ୩ ଟଙ୍କା ୬୦ ପଇସା ଓ ୧୦୧ ରୁ ୨୦୦ ୟୁନିଟ ପାଇଁ ୪ ଟଙ୍କା ୦୫ ପଇସା ଗ୍ରାହକଙ୍କୁ ଦେବାକୁ ହେବ । ୨୦୧ରୁ ୩୦୦ ୟୁନିଟ ପାଇଁ ୪ ଟଙ୍କା ୫୩ ପଇସା ଓ ୩୦୧ରୁ ୪୦୦ ୟୁନିଟ ପାଇଁ ୫ ଟଙ୍କା ତଥା ୪୦୦ ୟୁନିଟ ପାଇଁ ୫ ଟଙ୍କା ୯୦ ପଇସା ଦେବାକୁ ପଡ଼ିବ । ଅକ୍ଟୋବର ପହିଲାରୁ ଲାଗୁ ହେବ ନୂଆ ଦର । ଏଥିରୁ କୃଷକ ତଥା ବିପିଏଲ ପରିବାରକୁ ବାଦ ଦିଆଯାଇଛି ।
ମୋଟ ଉପରେ କହିବାକୁ ଗଲେ ମାସିକ ୫୦ ୟୁନିଟ ଖର୍ଚ୍ଚ କରୁଥିବା ବିଦ୍ୟୁତ ଉପଭୋକ୍ତାଙ୍କୁ ଏବେ ଅଧିକ ୧୦ ଟଙ୍କା ଦେବାକୁ ପଡ଼ିବ । ଅଧିକ ୟୁନିଟ ବ୍ୟବହାର କଲେ ଏହି ଦେୟ ଆହୁରି ବଢ଼ିବ। ଏହାକୁ ବିରୋଧ କରିଛନ୍ତି ରାଜ୍ୟର ବିଜୁଳି ଉପଭୋକ୍ତାମାନେ ।
କୋଭିଡ ସମୟରେ ଏଭଳି ବିଦ୍ୟୁତ ଦର ବଦ୍ଧି ଠିକ ନୁହେଁ ବୋଲି କହିଛନ୍ତି ଉପଭୋକ୍ତାମାନେ । ‘‘ଏହି ଦର ବୃଦ୍ଧି ମଧ୍ୟବିତ୍ତ ପରିବାରମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ । କୋଭିଡ ଯନ୍ତ୍ରଣାରୁ ଲୋକେ ଏବେ ବି ମୁକ୍ତି ପାଇ ନାହାନ୍ତି । ଏହାକୁ ସରକାର ତୁରନ୍ତ ପ୍ରତ୍ୟାହାର କରିବା ଉଚିତ,’’ କହିଛନ୍ତି ଭୁବନେଶ୍ୱର ବାସିନ୍ଦା ନୃସିଂହ ରଥ । ଆଉ ଜଣେ ବିଦ୍ୟୁତ ଉପଭୋକ୍ତା ବିଶେଷ ସାମଲ କହିଛନ୍ତି, ‘‘କୋଭିଡ ସମୟରେ ଲୋକେ ଉଭୟ ଜୀବନ ଓ ଜୀବିକାକୁ ନେଇ ବିବ୍ରତ । ଏ ଭଳି ସମୟରେ ବିଦ୍ୟୁତ ଦର ବୃଦ୍ଧି ଠିକ ନୁହେଁ ।’’
‘‘ଯେଉଁ ଆଳ ଦେଖାଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଦର ବୃଦ୍ଧି କରିଛନ୍ତି ତାହା ଯଥାର୍ଥ ନୁହେଁ। ଗ୍ରୀଡ଼କୋର ନିଅଣ୍ଟିଆ ସ୍ଥିତିର ବୋଝ କାହିଁକି ଉପଭୋକ୍ତାଙ୍କ ଉପରେ ପଡ଼ିବ? ଓଏଆରସି ଦର ଧାର୍ଯ୍ୟ ସମୟରେ ଏସବୁ ଦିଗକୁ ଗୁରୁତ୍ୱ ଦେବା ଉଚିତ,’’ କହିଛନ୍ତି ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଙ୍ଘର ସଭାପତି ରମେଶ ଶତପଥୀ ।
ଏହା ବି ପଢ଼ନ୍ତୁ | ଆଉ ମୃତକମାନଙ୍କର ହେବନି କରୋନା ଟେଷ୍ଟ; ସାନି ନିର୍ଦ୍ଦେଶ ଜାରି କଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗଏହା ବି ପଢ଼ନ୍ତୁ | ରାଖୀ ସାୱନ୍ତ ଚର୍ଚ୍ଚାରେ! ପାକିସ୍ତାନ ପତାକା ସହ ପୋଜ୍ ଦେଇଥିବା ଫଟୋ ପାଇଁ ପୁଣି ବିତର୍କରେOERCର ସୂଚନା ଅନୁସାରେ କୋଭିଡ ମହାମାରୀ କାରଣରୁ ଏପ୍ରିଲ ମାସରେ ଆସିବାକୁ ଥିବା ନୂଆ ଦର ଧାର୍ଯ୍ୟ ପ୍ରକ୍ରିୟା ବନ୍ଦ ରହିଥିଲା । ପରେ ସମସ୍ତ ଆବେଦନକୁ ବିଚାରକୁ ନେଇ ଏଭଳି ସାନି ଦର ଧାର୍ଯ୍ୟ କରାଯାଇଛି ।
ଏହି ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବର୍ଦ୍ଧିତ ଦର ପ୍ରତ୍ୟାହାର ଦାବିରେ ବିଜେପି ଭୁବନେଶ୍ବର ଜିଲ୍ଲା ସଙ୍ଗଠନ ପ୍ରତିବାଦ କରିଥିବା ବେଳେ କଂଗ୍ରେସ ବି ଦର ବୃଦ୍ଧିକୁ ସମାଲୋଚନା କରିଛି । କୋଭିଡ ସମୟରେ ଏଭଳି ଦର ବୃଦ୍ଧିକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀମାନେ । ହେଲେ ବିଭାଗୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ଆନୁସଙ୍ଗିକ ଖର୍ଚ୍ଚ ବୃଦ୍ଧି କାରଣରୁ ଦର ବୃଦ୍ଧି କରିବାକୁ ସରକାର ବାଧ୍ୟ ହୋଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।