News18 Odia Digital
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନର (ଏମ୍ସ) ନବମ ପ୍ରତିଷ୍ଠା ଦିବସରେ ସେଠାକୁ ଏକ ଏକମୋ (ECMO) ମେସିନ୍ ଆସିଛି । ଏକମୋ ମେସିନ୍ ସହାୟତାରେ ଚିକିତ୍ସା ଲୋଡୁଥିବା ରୋଗୀଙ୍କୁ ଆଉ ଯିବାକୁ ପଡ଼ିବନି ହାଇଦ୍ରାବାଦ ବା କୋଲକତା ।
୪୦ ଲକ୍ଷ ଟଙ୍କା ଦାମର ଏହି ମେସିନ ଆସନ୍ତା ସପ୍ତାହରେ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ହସପିଟାଲ୍ କର୍ତ୍ତୃପକ୍ଷ । ଏହି ମେସିନର ପରିଚାଳନା ପାଇଁ ଅଭିଜ୍ଞ ଓ ଦକ୍ଷ ଡାକ୍ତରଙ୍କ ସହ ECMO ଉପରେ ଜ୍ଞାନ ଥିବା ବିଶେଷଜ୍ଞଙ୍କୁ ନେଇ ଗଠିତ ହୋଇଛି ଏକ ସ୍ବତନ୍ତ୍ର ଟିମ୍ । ଏଣିକି ଏମ୍ସ ଭଳି ଅତ୍ୟାଧୁନିକ ସରକାରୀ ହସ୍ପିଟାଲରେ କମ୍ ଖର୍ଚ୍ଚରେ ଏକମୋ ମେସିନରେ ଚିକିତ୍ସା ପାଇବେ ରୋଗୀମାନେ । ଏହାକୁ ଓଡି଼ଶାବାସୀଙ୍କ ପାଇଁ ଏକ ଖୁସି ଖବର ଭାବେ ଦେଖାଯାଉଛି ।
ଏହା ବି ପଢ଼ନ୍ତୁ | କରୋନା ସଂକ୍ରମଣ କ’ଣ କେବେ ବି ସମାପ୍ତ ହେବନି? ଶୂନ୍ୟ ମାମଲା ଉପରେ ବିଶେଷଜ୍ଞଙ୍କ ମତ ଜାଣନ୍ତୁ
ମୁଖ୍ୟତଃ ଗୁରୁତର କୋଭିଡ ରୋଗୀ ଓ ପୋଷ୍ଟ-କୋଭିଡ ସ୍ଥିତିରେ ଗୁରୁତର ଥିବା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ହେଉଥିବା ଏକମୋ ମେସିନ୍ ଏବେ ଘରୋଇ ହସ୍ପିଟାଲଗୁଡ଼ିକଠାରୁ କମ୍ ଖର୍ଚ୍ଚରେ ଏମ୍ସରେ ମିଳିବ । ଏମ୍ସର ନବମ ପ୍ରତିଷ୍ଠା ଦିବସ ଅବସରରେ ଏକମୋ ମେସିନର ଉଦଘାଟନ କରିଛନ୍ତି ଏମ୍ସ ନିର୍ଦ୍ଦେଶିକା ଗୀତାଞ୍ଜଳି ବଟମନାୱାଣେ ।

ଏକମୋ ମେସିନର ଦାମ୍ ୪୦ ଲକ୍ଷ ଟଙ୍କା ।
‘‘ଆସନ୍ତା ସାତ ଦିନ ମଧ୍ୟରେ ଏହି ଏକମୋ ମେସିନ୍ କାର୍ଯ୍ୟକ୍ଷମ ହେବ । ଏକମୋ ଆବଶ୍ୟକ କରୁଥିବା ରୋଗୀଙ୍କୁ ଚିହ୍ନଟ କରି ଚିକିତ୍ସା ଯୋଗାଇଦିଆଯିବ । ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ହସପିଟାଲ୍ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି । ଏହି ମେସିନର ପରିଚାଳନା ପାଇଁ କର୍ମଚାରୀମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି । ଆଉ ଏକ ଏକମୋ ମେସିନ ଅଣାଯିବା ପାଇଁ ଅର୍ଡ଼ର ହୋଇଯାଇଛି । ତାହା ଖୁବ୍ ଶୀଘ୍ର ଆସିବ,’’ କହିଛନ୍ତି ବଟମନାୱାଣେ ।
ଏହା ବି ପଢ଼ନ୍ତୁ | ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେ
ଭେଣ୍ଟିଲେଟରରେ କୌଣସି ରୋଗୀକୁ ରଖିବା ପରେ ତାଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ନ ଘଟିଲେ ଓ ରୋଗୀଙ୍କ ଫୁସଫୁସକୁ ବିଶ୍ରାମର ଆବଶ୍ୟକତା ଥିଲେ ଏକମୋ ମେସିନ୍ ବ୍ୟବହାର କରାଯାଇଥାଏ । ବହୁତ କମ୍ ରୋଗୀଙ୍କୁ ଏକମୋ ଚିକିତ୍ସାର ଦରକାର ହୋଇଥାଏ । କୋଭିଡ ଛଡ଼ା ଗୁରୁତର ଫୁସଫୁସ୍ ଓ ହୃଦୟ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଏକମୋ ମେସିନ ସହାୟତାରେ ଚିକିତ୍ସା କରାଯାଏ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଅଭିନେତା ଆମୀର୍ ଖାନ୍ ଓ ପତ୍ନୀ କିରଣ ରାଓଙ୍କ Love Storyର The End! ଦୁହିଁଙ୍କ ଛାଡ଼ପତ୍ର ହେଲା
ଗୋଟିଏ ସମୟରେ ଗୋଟିଏ ଏକମୋ ମେସନରେ ଜଣେ ରୋଗୀଙ୍କୁ ହିଁ ସପୋର୍ଟ ଦିଆଯାଇପାରେ । ଯେଉଁ ରୋଗୀଙ୍କ ସୁସ୍ଥ ହେବାର ସମ୍ଭାବନା ଅଧିକ ରହିଛି ସେମାନଙ୍କୁ ଚିହ୍ନଟ କରାଯାଇ ଏକମୋ ମେସିନ ଦ୍ୱାରା ଚିକିତ୍ସା କରାଯିବ । ଏକମୋ ଚିକିତ୍ସା ପାଇଁ ନିର୍ଦ୍ଦିଷ୍ଟ ଦର ଧାର୍ଯ୍ୟ ହୋଇ ନ ଥିବା ବେଳେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ରୋଗୀଙ୍କୁ ସୁହାଇଲା ଭଳି ଦର ରହିବ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି । ଘରୋଇ ହସପିଟାଲରେ ଏକମୋ ଚିକିତ୍ସା ପଇଁ ମାସକୁ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏମ୍ସରେ ତା’ ଠାରୁ ବହୁତ କମ୍ ଖର୍ଚ୍ଚ ହେବ ବୋଲି କୁହାଯାଉଛି ।

ଏକମୋ ମେସିନର ଉଦଘାଟନ କରୁଛନ୍ତି ଏମ୍ସ ନିର୍ଦ୍ଦେଶିକା ଗୀତାଞ୍ଜଳି ବଟମନାୱାଣେ ।
କୋଭିଡ ମହାମାରୀ ଆସିବା ପରେ ଏହି ରୋଗରେ ଗୁରୁତର ହୋଇଥିବା ରୋଗୀମାନଙ୍କ ଚିକିତ୍ସାର ପାଇଁ ଏକମୋ ମେସିନର ଚାହିଦା ବଢି଼ଛି । କିନ୍ତୁ ଏମ୍ସରେ ମାତ୍ର ଗୋଟିଏ ଏକମୋ ମେସିନ୍ ରହିଥିବାରୁ କେଉଁ ରୋଗୀଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ ସେ ନେଇ ହସପିଟାଲ୍ ପକ୍ଷରୁ ଏକ ଏସ୍.ଓ.ପି. ମଧ୍ୟ ଜାରି କରାଯାଇଛି । ଯେଉଁ ରୋଗୀଙ୍କ ବଞ୍ଚିବା ସମ୍ଭାବନା ଅଧିକ ଥିବ ତାଙ୍କୁ ହିଁ ଏକୋମା ଚିକିତ୍ସା ଦେବାକୁ ଅଧିକ ଗୁରୁତ୍ୱ ଦିଆଯିବ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ସ୍ୱାମୀଙ୍କ ଠାରୁ ଅଲଗା ଓ ଏବେ ଗର୍ଭବତୀ: TMC ସାଂସଦ ନୁସ୍ରତ୍ ଜହାଁ ଶେୟାର୍ କଲେ ସୁନ୍ଦର ଫଟୋ
ଏକମୋରେ ଚିକିତ୍ସା ଅଧିକ ବ୍ୟୟବହୁଳ ହୋଇଥିବାରୁ ଏମ୍ସରେ ବି ଏହି ଚିକିତ୍ସା ବାବଦକୁ ରୋଗୀଙ୍କୁ କିଛି ଅର୍ଥ ମଧ୍ୟ ଦେବାକୁ ପଡି଼ପାରେ ବୋଲି କହିଛନ୍ତି ଏମ୍ସର ଡାକ୍ତରୀ ଟିମ୍ । ବ୍ରହ୍ମପୁରର ଅମ୍ରିତ ହୁଅନ୍ତୁ କି ବାଲେଶ୍ୱର ଅଭିଷେକ, ଉଭୟ ଗୁରୁତର କୋଭିଡ ରୋଗୀଙ୍କୁ ଏକୋମା ଚିକିତ୍ସା ଦ୍ୱାରା ବଞ୍ଚାଯାଇ ପାରିଲା । କିନ୍ତୁ ଏଥି ପାଇଁ ସେମାନଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡ଼ିଥିଲା । ଯଥେଷ୍ଟ ଅର୍ଥ ଓ ସୁବିଧା ଥାଇ ମଧ୍ୟ ଭିଜିଲାନ୍ସ ବିଭାଗର ଏଡିଜି ଦେବାଶିଷ ପାଣିଗ୍ରାହୀଙ୍କ ଜୀବନ ବଞ୍ଚାଇ ପାରିଲେନି କୋଲକାତାର ଡାକ୍ତରୀ ଟିମ୍ ।
ସଠିକ ସମୟରେ ରୋଗୀଙ୍କୁ ଏକମୋ ଚିକିତ୍ସା ମିଳିଲେ ତାଙ୍କୁ ବଞ୍ଚାଯାଇ ପାରିବ ବୋଲି କହିଛନ୍ତି ଡାକ୍ତରମାନେ । ମାତ୍ର ୨୫ ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ଏହି ଚିକିତ୍ସା ସଫଳ ହୋଇଥାଏ ବୋଲି କହିଛନ୍ତି ସେମାନେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।