କେମିତି ହେବ ଦୁର୍ଗା ପୂଜା? କରୋନା କଟକଣା ଯୋଗୁଁ ଭୁବନେଶ୍ୱରରେ ମୂର୍ତ୍ତି ଗଢ଼ାକୁ ନେଇ ଦ୍ଵନ୍ଦ୍ୱ

ସରକାରଙ୍କ ନିୟମ ଅନୁଯାୟୀ ଚାରି ଫୁଟ ଉଚ୍ଚର ହେବ ମୂର୍ତ୍ତି। ବର୍ଷ ବର୍ଷ ଧରି ମାଆଙ୍କର ଗୋଟିଏ ପ୍ରକାର ମୂର୍ତ୍ତି ଗଢ଼ା ହେଉଥିବା ବେଳେ ଚାରି ଫୁଟ ମୂର୍ତ୍ତି କଲେ ସମସ୍ୟା ହେବ ବୋଲି କହିଛନ୍ତି ପୂଜା କମିଟିମାନେ ।

ମା’ ଦୁର୍ଗା

ମା’ ଦୁର୍ଗା

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ପାଖେଇ ଆସିଲାଣି ଶାରଦୀୟ ଦୁର୍ଗା ପୂଜା । ହେଲେ କରୋନା ମହାମାରୀର ପ୍ରଭାବ ପଡିଛି ପାର୍ବଣ ଉପରେ । ବିଧି ମୁତାବକ ପୂଜା ହେବ । କିନ୍ତୁ ନା ହେବ ସାଜସଜ୍ଜା ନା ଆସିବେ ଶ୍ରଦ୍ଧାଳୁ । ରାଜ୍ୟ ସରକାରଙ୍କ ଏହି ନିୟମକୁ ସମସ୍ତେ ସ୍ଵୀକାର କରିଛନ୍ତି । କିନ୍ତୁ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ଗଢ଼ାକୁ ନେଇ ଲାଗି ରହିଛି ଦ୍ଵନ୍ଦ୍ୱ ।

ସରକାରଙ୍କ ନିୟମ ଅନୁଯାୟୀ ଚାରି ଫୁଟ ଉଚ୍ଚର ହେବ ମୂର୍ତ୍ତି। ବର୍ଷ ବର୍ଷ ଧରି ଗୋଟିଏ ପ୍ରକାର ମାଆଙ୍କ ମୂର୍ତ୍ତି ଗଢ଼ା ହେଉଥିବା ବେଳେ ଚାରି ଫୁଟ ମୂର୍ତ୍ତି କଲେ ସମସ୍ୟା ହେବ । ଏ ନେଇ ସରକାର ପୁନଃ ବିଚାର କରିବାକୁ ଅନେକ ପୂଜା କମିଟିମାନେ ଅନୁରୋଧ କରିଥିଲେ । କିନ୍ତୁ ଏବେ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନି। ଏହାକୁ ନେଇ ପୂଜା କମିଟିଙ୍କ ମନରେ ଦ୍ଵନ୍ଦ୍ୱ ଉପୁଜିଛି ।

ବିଧି ଅନୁଯାୟୀ ପାର୍ବଣର ଆଦ୍ୟ ପର୍ବ ମାଟି ଅନୁକୁଳ ଜନ୍ମାଷ୍ଟମୀରେ ସରିଛି । ମୃଣ୍ମୟୀ ମୂର୍ତ୍ତିରେ ଖଡ଼ି ଲାଗି ତିଥି ବି ଗଲାଣି । ହେଲେ ଏବେ ଯାଏ ମୂର୍ତ୍ତି ଗଢ଼ା ନେଇ ମଣ୍ଡପଗୁଡିକରେ ଦ୍ଵନ୍ଦ୍ୱ ହଟୁନି । ଅନେକ ମଣ୍ଡପରେ ଆରମ୍ଭ ହୋଇପାରିନି ମୂର୍ତ୍ତି କାମ। ପ୍ରଶାସନର କଟକଣା ଭିତରେ ରାଜଧାନୀର କେତେକ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି ।

ଗାଇଡ଼ଲାଇନ ଅନୁସାରେ ଚାରି ଫୁଟ ଉଚ୍ଚତାର ମୂର୍ତ୍ତି ଗଢ଼ା ହୋଇଛି। ମାଆଙ୍କ ମୂର୍ତ୍ତି ଛୋଟ ହେଇଛି ସତ ହେଲେ ଖର୍ଚ୍ଚ ବଢିଯାଇଛି ବୋଲି କହିଛନ୍ତି ପୂଜା କମିଟିମାନେ ।

ଭୁବନେଶ୍ୱରର ଏକ ମଣ୍ଡପରେ ମୂର୍ତ୍ତି ଗଢ଼ା ଚାଲିଛି


‘‘ନୂଆ ମୂର୍ତ୍ତି ଅନୁସାରେ ମାଆଙ୍କ ସାଜସଜ୍ଜା ବାବଦରେ ଅଧିକ ଖର୍ଚ୍ଚ ହେବ। କରୋନା ପାଇଁ ପାଞ୍ଚ ମାସ ହେଲା ଦୋକାନ ବଜାର ବନ୍ଦ ରହିଲା । ରୋଜଗାର ନାହିଁ। କାହା ଠାରୁ ଚାନ୍ଦା ବି ଆଦାୟ ହେଇନି। ନିଜ ଖର୍ଚ୍ଚରେ ମାଆଙ୍କ ପୂଜା କରିବୁ। ମୂର୍ତ୍ତି ସାଜସଜ୍ଜା ପାଇଁ ପୁଣି ଥରେ ସବୁ କିଣିବାକୁ ପଡ଼ିବ । ଯାହା ବି ହେଉ ଯଥାବିଧି ପୂଜା ପରିଚାଳନା କରାଯିବ। ହେଲେ ଏଥର ଆଉ ପାର୍ବଣକୁ ନେଇ ମନରେ ଉତ୍ସାହ ନାହିଁ,’’ କହିଛନ୍ତି ଷ୍ଟେସନ ବଜାର ପୂଜା କମିଟିର ଯୁଗ୍ମ ସମ୍ପାଦକ ପ୍ରଶାନ୍ତ କୁମାର ଜେନା ।

ଭିଏସଏସ ନଗର ପୂଜାକମିଟି ସଦସ୍ୟ ଦିଲୀପ ଦାସଶର୍ମା କହିଛନ୍ତି, ‘‘ଛୋଟ ମୂର୍ତ୍ତି କରୁଛୁ । ସେଥି ପାଇଁ ମଣ୍ଡପରେ ନ କରି ଅନ୍ୟ ସ୍ଥାନରେ ମୂର୍ତ୍ତି ତିଆରି କରୁଛୁ । କାମ ସରିଲେ ମାଆଙ୍କ ମୂର୍ତ୍ତି ମଣ୍ଡପକୁ ଅଣାଯିବ। ଛକ ଉପରେ ମଣ୍ଡପ । ତେଣୁ ଯେପରି ଭିଡ଼ ନ ହୁଏ ସେ ନେଇ ଏଭଳି ପଦକ୍ଷେପ ନେଇଛୁ । ସରକାରଙ୍କ ନିୟମ ମାନି ପୂଜା ପରିଚାଳନା କରିବୁ ।’’

ଏହା ବି ପଢ଼ନ୍ତୁ | ଅକ୍ଟୋବର ପହିଲାରୁ ରାଜ୍ୟରେ ବଢ଼ିବ ବିଜୁଳି ଦର; ୟୁନିଟ୍‌ ପିଛା ୨୦ ପଇସା ମହଙ୍ଗା ହେବ

ଏହା ବି ପଢ଼ନ୍ତୁ | ଡ୍ରଗ୍ସ ମାମଲାରେ NCB ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର ଓ ସାରା ଅଲି ଖାନଙ୍କୁ ସମନ ପଠାଇଲା

‘‘ବର୍ଷ ବର୍ଷ ଧରି ଗୋଟିଏ ଛାଞ୍ଚରେ ମାଆଙ୍କ ମୂର୍ତ୍ତି ଗଢ଼ା ହୁଏ। ଏବେ ଉଚ୍ଚତା ଛୋଟ କରାଗଲେ ମୂର୍ତ୍ତି ସମ୍ପୂର୍ଣ୍ଣ ଅଲଗା ହୋଇଯିବ । ଆଉ ଥରେ ନୂଆ କରି ମୂର୍ତ୍ତି ପ୍ରତିଷ୍ଠା କରିବାକୁ ପଡ଼ିବ । ପୂର୍ବ ଅନୁସାରେ ମୂର୍ତ୍ତି ତିଆରି ଅନୁମତି ନ ମିଳିଲେ ଏଥର ଆଉ ମୃଣ୍ମୟୀ ମୂର୍ତ୍ତି ନ ଗଢ଼ି ମଣ୍ଡପରେ ପ୍ରତିଷ୍ଠିତ ଦେବୀଙ୍କୁ ପୂଜା କରାଯିବ,’’ ବୋଲି କହିଛନ୍ତି ସହିଦ ନଗର ପୂଜା କମିଟିର ସମ୍ପାଦକ ନାରାୟଣ ମହାପାତ୍ର ।



କୁହାଯାଏ ପାପର ବିନାଶ ପାଇଁ ବର୍ଷକ ବ୍ୟବଧାନରେ ଦେବୀ ଦୁର୍ଗା ଧରାପୃଷ୍ଠରେ ଆବିର୍ଭୁତ ହୋଇଥାନ୍ତି । ଏ ଥର ଦେବୀଙ୍କ ଆଗମନରେ ସମାଜରୁ ପାପୀ ରୂପୀ ମହାମାରୀ କରୋନାର ନାଶ ହେବ ବୋଲି ଲୋକଙ୍କ ବିଶ୍ୱାସ ।
Published by:Anand Shankar Thankur Das
First published: