କରୋନା: ଭାରତ ଆମେରିକାକୁ ଔଷଧ ପଠେଇବାକୁ ରାଜି ହେବା ପରେ ଟ୍ରମ୍ପ ନିଜ ସ୍ୱର ନରମ କଲେ

ଏବେ ନ୍ୟୁୟର୍କର ୧,୫୦୦ରୁ ଅଧିକ କରୋନା ଭାଇରସ୍ ରୋଗୀଙ୍କ ଉପରେ ଏହି ଔଷଧର ପରୀକ୍ଷା ଚାଲିଛି । ପ୍ରାରମ୍ଭିକ ସକରାତ୍ମକ ଫଳାଫଳକୁ ଦୃଷ୍ଟିରେ ରଖି ଏହା କାମ କରିବ ବୋଲି ଆଶା କରାଯାଉଛି ।

କରୋନା: ଭାରତ ଆମେରିକାକୁ ଔଷଧ ପଠେଇବାକୁ ରାଜି ହେବା ପରେ ଟ୍ରମ୍ପ ନିଜ ସ୍ୱର ନରମ କଲେ
ଟ୍ରମ୍ପ, ମୋଦି ଓ ଔଷଧ (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ୱାଶିଂଟନ୍‌: ଆମେରିକାର କରୋନା ଭାଇରସ୍ ସହିତ ଲଢ଼େଇରେ ସାହାଯ୍ୟ କରିବା ପାଇଁ ଭାରତ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ରପ୍ତାନି ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାର ଦିନକ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ପ୍ରତି ନିଜର ସ୍ୱର ନରମ କରିଛନ୍ତି ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ ।

‘‘ମୁଁ ଲକ୍ଷ ଲକ୍ଷ ଡୋଜ (ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍) କିଣିଛି । ୨୯ ନିୟୁତରୁ ଅଧିକ । ମୁଁ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ସହ କଥା ହେଲି । ଏଇଟା (ହାଇଡ୍ରୋକ୍ସିଚ୍ଲୋରୋକାଇନ୍) ବହୁ ମାତ୍ରାରେ ଭାରତରୁ ଆସୁଛି । ମୁଁ ତାଙ୍କୁ ପଚାରିଲି ସେ ଏହାକୁ ଦେବେ କି? ସେ ବହୁତ ଭଲ । ସେ ପ୍ରକୃତରେ ଭଲ,’’ ଟ୍ରମ୍ପ ଫକ୍ସ ନ୍ୟୁଜର ସଚିନ ହନିଟିଙ୍କୁ କହିଛନ୍ତି ।

ଭାରତ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ ଆମେରିକାକୁ ରପ୍ତାନି ନ କଲେ ଆମେରିକା ପ୍ରତିଶୋଧ ନେବ ବୋଲି ଟ୍ରମ୍ପ କହିବା ପରେ ଭାରତ ଶନିବାର ଦିନ ଏହି ଔଷଧର ରପ୍ତାନି ଉପରେ ଲଗେଇଥିବା ସମ୍ପୂର୍ଣ୍ଣ ନିଷେଧାଦେଶକୁ କୋହଳ କରିଥିଲା । ଟ୍ରମ୍ପ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍କୁ ଏକ ଚମତ୍କାର ଔଷଧ ବୋଲି କହୁଛନ୍ତି, ଯଦିଓ ଅନେକ ଭୂତାଣୁବିଦ୍‌ (ଭାଇରୋଲୋଜିଷ୍ଟ) ଓ ସଂକ୍ରାମକ ରୋଗ ବିଶେଷଜ୍ଞ ଏହାର ଫଳପ୍ରଦତା ପ୍ରମାଣ କରିବାକୁ କୌଣସି ପରୀକ୍ଷା କରାଯାଇ ନାହିଁ ଓ ଏହି ଉତ୍ସାହ ଅକାଳ ଅଟେ ବୋଲି କହିଛନ୍ତି ।

‘‘ଆପଣ ଜାଣନ୍ତି ଯେ ସେମାନେ (ଭାରତ) ଏହି ଔଷଧକୁ ନିଜ ଦେଶ ପାଇଁ ଚାହୁଁଥିଲେ ବୋଲି ଏହାର ରପ୍ତାନି ବନ୍ଦ କରି ଦେଇଥିଲେ । ଏଥିରୁ (ହାଇଡ୍ରୋକ୍ସିଚ୍ଲୋରୋକ୍ୱିନ୍) ଅନେକ ଭଲ ପ୍ରଭାବ ଆସୁଛି,’’ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ବ୍ୟବହାର ଉପରେ ଏକ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି ।

ଭାରତ ବିଶ୍ୱରେ ଯୋଗାଣ ହେଉଥିବା ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ୭୦ ପ୍ରତିଶତ ଉତ୍ପାଦନ କରିଥାଏ ।


ଗତ ସପ୍ତାହରେ ଟ୍ରମ୍ପ ଓ ମୋଦି ଫୋନରେ କଥା ହୋଇଥିଲେ । ଏହି କଥାବାର୍ତ୍ତା ସମୟରେ ଟ୍ରମ୍ପ ଆମେରିକାର ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଅର୍ଡ଼ର ଉପରେ ଭାରତର ପ୍ରତିବନ୍ଧକ ହଟାଇବାକୁ ମୋଦିଙ୍କୁ ଅନୁରୋଧ କରିଥିଲେ । ଭାରତ ବିଶ୍ୱରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ପ୍ରମୁଖ ଉତ୍ପାଦକ ।

ଆମେରିକାର ଖାଦ୍ୟ ଓ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଦ୍ୱାରା ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଔଷଧକୁ କରୋନା ଭାଇରସ୍‌ (କୋଭିଡ-୧୯) ପାଇଁ ସମ୍ଭାବ୍ୟ ଚିକିତ୍ସା ଭାବରେ ଚିହ୍ନଟ କରିଛି । ଏବେ ନ୍ୟୁୟର୍କର ୧,୫୦୦ରୁ ଅଧିକ କରୋନା ଭାଇରସ୍ ରୋଗୀଙ୍କ ଉପରେ ଏହି ଔଷଧର ପରୀକ୍ଷା ଚାଲିଛି । ପ୍ରାରମ୍ଭିକ ସକରାତ୍ମକ ଫଳାଫଳକୁ ଦୃଷ୍ଟିରେ ରଖି ଏହା କାର୍ଯ୍ୟ କରିବ ବୋଲି ଆଶା କରି ଟ୍ରମ୍ପ କରୋନା ଭାଇରସ୍‌ ରୋଗୀଙ୍କ ସମ୍ଭାବ୍ୟ ଚିକିତ୍ସା ପାଇଁ ୨୯ ମିଲିୟନରୁ ଅଧିକ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଡୋଜ୍‌ ଭାରତରୁ କିଣିଛନ୍ତି ।

ବିଶ୍ୱରେ କୋଭିଡ -୧୯ର ହଟସ୍ପଟ୍ ଭାବରେ ଆମେରିକା ଉଭା ହେବା ପରେ ମଙ୍ଗଳବାର ଦିନ ଭାରତ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ରପ୍ତାନି କରିବାକୁ ଅନୁମତି ଦେଇଛି ।

ମଙ୍ଗଳବାର ରାତି ସୁଦ୍ଧା ପ୍ରାୟ ଚାରି ଲକ୍ଷ ଆମେରିକୀୟ କରୋନା ଭାଇରସ୍ ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ ଓ ସେଠାରେ ମୃତ୍ୟୁ ସଂଖ୍ୟା ୧୨,୮୫୦ରୁ ଅଧିକ ଥିଲା । ଏହି ସାକ୍ଷାତକାର ସମୟରେ ଟ୍ରମ୍ପ ହାଇଡ୍ରୋକ୍ସିକ୍ଲୋରୋକ୍ୱିନକୁ ଏକ ଶକ୍ତିଶାଳୀ ମ୍ୟାଲେରିଆ ଔଷଧ ଭାବେ ବର୍ଣ୍ଣନା କରିଥିଲେ ।

ଭାରତ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଇବା ପାଇଁ ନିଜ ପଡ଼ୋଶୀ ଦେଶମାନଙ୍କ ଠାରୁ ବି ଅନୁରୋଧ ପାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଶ୍ରୀଲଙ୍କା ଓ ନେପାଳ ସମେତ ଅନ୍ୟାନ୍ୟ ଦେଶ । ଏହାର ରପ୍ତାନି ଉପରେ ଥିବା ନିଷେଧ ଆଦେଶର ସମୀକ୍ଷା ହେଉଛି ବୋଲି ଭାରତ ସରକାର କହିଛନ୍ତି ।

ହାଇଡ୍ରକ୍ସିକ୍ଲୋରୋକ୍ୱିନର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତ ସରକାରଙ୍କ ନିଷ୍ପତ୍ତି ପଛରେ ଥିଲା ଘରୋଇ ଆବଶ୍ୟକତା ଉପରେ ନଜର ରଖି ଦେଶରେ ପର୍ଯ୍ୟାପ୍ତ ପରିମାଣର ଔଷଧ ଷ୍ଟକ୍‌ ରଖିବାର ଇଚ୍ଛା ।

ଇଣ୍ଡିଆନ୍ ଫାର୍ମାସ୍ୟୁଟିକାଲ୍ ଆଲାଏନ୍ସ (ଆଇପିଏ)ର ସେକ୍ରେଟେରୀ ଜେନେରାଲ୍ ସୁଦର୍ଶନ ଜୈନଙ୍କ କହିବାନୁସାରେ ଭାରତ ବିଶ୍ୱରେ ଯୋଗାଣ ହେଉଥିବା ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ୭୦ ପ୍ରତିଶତ ଉତ୍ପାଦନ କରିଥାଏ ।
First published: April 8, 2020, 2:11 PM IST
corona virus btn
corona virus btn
Loading