କରୋନା ଲଢ଼େଇ: ରାଜ୍ୟରେ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ ମିଳିବ ୪ ମାସର ଆଗୁଆ ଦରମା

ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ ଯଦି କେହି ଦୁର୍ବ୍ୟବହାର କରେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

କରୋନା ଲଢ଼େଇ: ରାଜ୍ୟରେ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ ମିଳିବ ୪ ମାସର ଆଗୁଆ ଦରମା
ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ବିଷୟରେ ବାର୍ତ୍ତା ଦେଉଛନ୍ତି ନବୀନ ପଟ୍ଟନାୟକ ।
  • News18 Odia
  • Last Updated: March 25, 2020, 6:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ବର୍ତ୍ତମାନ କରୋନା ଭାଇରସର ମୁକାବିଲା କରୁଥିବା ବେଳେ ଏହି ଯୁଦ୍ଧକାଳୀନ ପ୍ରୟାସରେ ସବୁ ଠୁ ଆଗରେ ଥିବା ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଏକ ଉତ୍ସାହଜନକ ଖବର ଆସିଛି । ସେମାନଙ୍କ ନିରନ୍ତର ସେବାକୁ ପ୍ରଶଂସା କରିବା ସହିତ ସେମାନଙ୍କ ପାଇଁ ଆଗୁଆ ଚାରି ମାସର ଦରମା ଦେବାକୁ ସ୍ଥିର କରିଛନ୍ତି ରାଜ୍ୟ ସରକାର । ଏ ନେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଡାକ୍ତର ସମେତ ସବୁ ସ୍ୱାସ୍ଥ୍ୟ କର୍ମୀ ଅତ୍ୟନ୍ତ କଠୋର ପରିସ୍ଥିତିରେ କାମ କରୁଛନ୍ତି ଓ କରୋନା ବିରୋଧରେ ଚାଲିଥିବା ଲଢେଇର ‘‘ଫାଷ୍ଟ୍‌ ଲାଇନ୍‌ ଅଫ୍‌ ଚିଫେନ୍ସରେ ଅଛନ୍ତି’’ ବୋଲି କହି ପଟ୍ଟନାୟକ ସେମାନଙ୍କୁ ଏପ୍ରିଲ, ମେ, ଜୁନ୍ ଓ ଜୁଲାଇ ମାସର ଦରମା ଏପ୍ରିଲ ମାସରେ ଦିଆଯିବ ବୋଲି କହିଛନ୍ତି । ଡାକ୍ତର, ପାରା ମେଡିକାଲ ଷ୍ଟାଫ୍‌, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ମିଳିବ ଏହି ଆଗୁଆ ଦରମା । ଚାରି ମାସର ଆଗୁଆ ଦରମା ଏପ୍ରିଲ ମାସରେ ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରେ ଜମା କରିବେ ସରକାର ।

‘‘ଆପଣମାନଙ୍କ ତ୍ୟାଗ, ନିଷ୍ଠା ଓ ସେବାର ତୁଳନା ନାହିଁ । ଆପଣମାନେ କଠିନ ପରିସ୍ଥିରେ ସେବା ଯୋଗାଇ ଚାଲିଛନ୍ତି । ମୁଁ ଏବଂ ମୋ’ର ଓଡ଼ିଶାବାସୀ ଭାଇ ଭଉଣୀ ସମସ୍ତେ ଆପଣମାନଙ୍କ ପରିବାର ସାଥିରେ ରହିଛନ୍ତି । ଆପଣମାନେ ନିଷ୍ଠାର ସହ କାମ କରିଚାଲିଛନ୍ତି । ଆପଣମାନଙ୍କ ଏହି ସ୍ପିରିଟକୁ ମୁଁ ସମ୍ମାନ ଜଣାଉଛି,’’ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ମୁଖ୍ୟ ମନ୍ତ୍ରୀ ।

କରୋନା ଭଳି ଭୟାବହ ଭୁତାଣୁ ସହ ଲଢ଼େଇ କରୁଥିବା ଡାକ୍ତର ଓ କର୍ମଚାରୀମାନଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଦେବାକୁ ସେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ଯଦି କେହି ଏମାନଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରେ, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ମନ୍ତ୍ରୀ କହିଛନ୍ତି ।
First published: March 25, 2020, 6:21 PM IST