ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଆମେରିକା ଓ ଦକ୍ଷିଣ-ପୂର୍ବ ଏସୀୟ ଦେଶରେ ଥିବା ଓଡିଆଙ୍କ ସହ କଥା ହେଲେ ଧର୍ମେନ୍ଦ୍ର

ଆମେରିକା ଓ ଦକ୍ଷିଣ-ପୂର୍ବ ଏସୀୟ ଦେଶରେ ଥିବା ଓଡିଆଙ୍କ ସହ କଥା ହେଲେ ଧର୍ମେନ୍ଦ୍ର

ଭିଡିଓ କନଫରେନ୍ସିଂରେ ହୋଇଥିବା ଏହି ଆଲୋଚନାରେ ଭାରତ ଓ ଓଡ଼ିଶାର ବିକାଶ ପାଇଁ ନୂଆ ଆଇଡିଆ ଦେବାକୁ ଓ ସହଯୋଗ କରିବାକୁ ପ୍ରବାସୀ ଓଡ଼ିଆମାନଙ୍କୁ ଆହ୍ୱାନ କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆମେରିକା ଓ ଦକ୍ଷିଣ-ପୂର୍ବ ଏସୀୟ ଦେଶରେ ଥିବା ଓଡିଆଙ୍କ ସହ କଥା ହେଲେ ଧର୍ମେନ୍ଦ୍ର
ଭିଡିଓ କନଫେରେନ୍ସିଂରେ ଆମେରିକାରେ ଥିବା ଓଡ଼ିଆଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ଏସୀୟ ଦେଶ ମାନଙ୍କରେ ରହୁଥିବା ସଫଳ ଓଡିଆ ବ୍ୟକ୍ତିମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତରେ କରୋନା ଭାଇରସ୍‌ ସଂକ୍ରମଣର ମୁକାବିଲା ବିଷୟରେ ଆଲୋଚନା କରିବାର ଦିନକ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆମେରିକାରେ ଥିବା ଓଡ଼ିଆଙ୍କ ସହ କଥା ହୋଇଛନ୍ତି ।

କରୋନା ପରେ ଓଡ଼ିଶାର ବିକାଶ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହେବ ବୋଲି କହି ଓଡ଼ିଶାକୁ ଶିଖରକୁ ନେବା ପାଇଁ କାମ କରିବାକୁ ସେମାନଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନ । ‘‘ଭାରତ ତଥା ଆମେରିକାରେ ଓଡ଼ିଆମାନେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି । ସେମାନଙ୍କ ସହଯୋଗରେ ଭାରତ ସହ ଓଡ଼ିଶା ପାଇଁ ପୁଞ୍ଜିନିବେଶ ଓ ବିକାଶର ସମ୍ଭାବନା ଆଣିହେବ । ଏଥି ପାଇଁ ସମସ୍ତେ ମିଶି ଉଦ୍ୟମ କରିବା ଉଚିତ,’’ କହିଛନ୍ତି ପ୍ରଧାନ ।

ତାଙ୍କ ସହ ଆଲୋଚନା ପରେ ଓଡ଼ିଶାର ବିକାଶ ନେଇ ସହଯୋଗର ହାତ ବଢ଼ାଇବା ପାଇଁ ଆମେରିକାରେ ଥିବା ଓଡ଼ିଆମାନେ ସହମତି ଜଣାଇଛନ୍ତି । କରୋନା ମୁକାବିଲାରେ କେନ୍ଦ୍ର ଓ ରାଜ୍ୟର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପ୍ରବାସୀ ଓଡ଼ିଆମାନେ ।

କରୋନା ମୁକାବିଲାରେ କେନ୍ଦ୍ର ଓ ରାଜ୍ୟର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପ୍ରବାସୀ ଓଡ଼ିଆମାନେ ।


ଏହା ବି ପଢ଼ନ୍ତୁ: CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକି ପରୀକ୍ଷା ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବ

ଗତ କାଲି ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକରେ ଥିବା ଓଡିଆମାନଙ୍କ ସହ ଭିଡିଓ କନଫେରେନ୍ସିଂରେ ଆଲୋଚନା କରି ରାଜ୍ୟର ବିକାଶ ପାଇଁ ସେମାନେ ନୂଆ ଆଇଡିଆ ଦିଅନ୍ତୁ ବୋଲି ଆହ୍ୱାନ କରିଥିଲେ ପ୍ରଧାନ । ଦକ୍ଷିଣ-ପୂର୍ବ ଏସୀୟ ଦେଶ ସମୂହ ଯଥା ଇଣ୍ଡୋନସିଆ, ମିଆଁମାର, ସିଙ୍ଗାପୁର, ଭିଏତନାମ, ମାଲେସିଆ ଓ ଥାଇଲାଣ୍ଡ ଆଦି ୬ଟି ଦେଶରେ ରହୁଥିବା ଓଡିଆ ବ୍ୟକ୍ତିମାନଙ୍କ ସହ ସେ ଆଲୋଚନା କରିଥିଲେ ।

ଏହି ଦେଶଗୁଡିକ ଅନ୍ତରାଷ୍ଟ୍ରୀୟ ସୀମା ସିଲ୍ କରିବା, ରାଷ୍ଟ୍ରୀୟ ଲକଡାଉନ ତୁରନ୍ତ ଲାଗୁ କରିବା ସହ ଲକଡାଉନ ନିୟମକୁ କଡ଼ାକଡ଼ି ପାଳନ କରି କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛନ୍ତି ବୋଲି ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିବା ଓଡିଆମାନେ ମତ ପ୍ରକାଶ କରିଥିଲେ ।

ଏହା ବି ପଢ଼ନ୍ତୁ: ଅମିତ ଶାହା କହିଲେ ସେ ପୂରା ସୁସ୍ଥ ଅଛନ୍ତି; ଗୁଜବ ପ୍ରଚାର ପାଇଁ ୪ ଜଣଙ୍କୁ ଅଟକ ରଖାଗଲା

କରୋନା ମୁକାବିଲା ଓ ଆର୍ଥିକ ଗତିବିଧି ପ୍ରଭାବିତ ହେବା ପରର ଆର୍ଥିକ ସ୍ଥିତି ଓ ସେଥିରେ ଦକ୍ଷିଣ ପୂର୍ବ ଏସୀୟ ଦେଶ ସମୂହ ତଥା ଭାରତରେ ସମ୍ଭାବନା ସମ୍ପର୍କରେ ଏହି ପ୍ରମୁଖ ବ୍ୟକ୍ତିତ୍ୱମାନେ ଅନେକ ଆଶା ଓ ଆଶଙ୍କା ପ୍ରକାଶ କରିଥିଲେ । କରୋନା ପରେ ଚୀନରୁ ଶିଳ୍ପ ସଂସ୍ଥା ଅନ୍ୟଦେଶକୁ ସ୍ଥାନାନ୍ତର ପ୍ରକ୍ରିୟାରେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ତଥା ଭାରତକୁ ଅଧିକ ଲାଭ ମିଳିବ ବୋଲି ସେମାନେ ମତ ଦେଇଥିଲେ । ଭାରତରେ ଦେଶବାସୀଙ୍କ ଡାଟା ଆଧାର, ସମସ୍ତଙ୍କର ବ୍ୟାଙ୍କ୍ ଖାତା ଓ ଏହା ମାଧ୍ୟମରେ ଅର୍ଥ ପ୍ରଦାନର ବ୍ୟବସ୍ଥା ତଥା ଭାରତୀୟଙ୍କ ଦକ୍ଷତା ବା କୌଶଳ ଓ ଦେଶରେ ଲଜିଷ୍ଟିକର ସୁବିଧା ଭାରତକୁ ସୁବିଧାଜନକ ସ୍ଥିତିରେ ରଖିବ ଓ ଭାରତ ପାଇଁ ଅଧିକ ଶିଳ୍ପ ଆକୃଷ୍ଟ ହେବ ବୋଲି ଓଡିଆମାନେ ମତ ବ୍ୟକ୍ତ କରିଥିଲେ ।

ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କ ସହ ଆଲୋଚନା କରି କହିଥିଲେ ଯେ ଚୀନର ପାଖାପାଖି ହୋଇଥିଲେ ମଧ୍ୟ ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡିକ କରୋନାର ସଫଳ ମୁକାବିଲା କରିପାରିଛନ୍ତି । ‘ବନ୍ଦେ ଭାରତ’ ମିଶନରେ ଭାରତ ସରକାର ବିଦେଶରେ ଥିବା ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ଜାରୀ ରଖିଛନ୍ତି । ଏହି କାମରେ ଏହି ସବୁ ଦେଶର ରହୁଥିବା ସଫଳ ଓଡିଆମାନେ ସହାୟକ ହୁଅନ୍ତୁ ବୋଲି ପ୍ରଧାନ କହିଥିଲେ ।

ଏହା ବି ପଢ଼ନ୍ତୁ: ମହାରାଷ୍ଟ୍ରରେ ପ୍ରବାସୀ ଶ୍ରମିକଙ୍କ ଉପରେ ମାଲ ଗାଡ଼ି ଚଢ଼ିଗଲା; ୧୬ ଜଣଙ୍କ ମୃତ୍ୟୁ ହେଲା

ଏହି ଅବସରରେ ପ୍ରଧାନ ସମସ୍ତଙ୍କୁ ଆରୋଗ୍ୟ ସେତୁ ଡାଉନଲୋଡ୍ କରିବା ପାଇଁ ପରାମର୍ଶ ଦେବା ସହ ଅନ୍ୟମାନଙ୍କୁ ଡାଉନଲୋଡ୍ କରିବା ପାଇଁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ । ଏହି ଆଲୋଚନାରେ ଇଣ୍ଡୋନେସିଆ, ମିଆଁମାର, ସିଙ୍ଗାପୁର, ଭିଏତନାମ, ମାଲେସିଆ ଓ ଥାଇଲାଣ୍ଡରେ ରହୁଥିବା ୧୫ ଜଣ ଓଡିଆ ସମୁଦାୟର ମୁଖ୍ୟ ଅଂଶଗ୍ରହଣ କରିଥିଲେ ।

ଇଣ୍ଡୋନେସିଆରୁ ଦେବର୍ଶୀ ଚରଣ ମଲ୍ଲିକ, ସରୋଜ କୁମାର ମହାନ୍ତି, ଅରୁଣ କୁମାର ନାୟକ, ମିଆଁମାରର ଶୀତଲ ପଲ୍ଲାବାବୁ, ଶ୍ରୀଯୁକ୍ତ ଜଗନ୍ନାଥ, ସିଙ୍ଗାପୁରରରୁ ସ୍ୱପ୍ନେନ୍ଦୁ ମହାନ୍ତି, ଆଲୋକ ପଣ୍ଡା, ଭିଏତନାମରୁ ନଭେନ୍ଦୁ ବେହେରା, ଶ୍ରୀମନ୍ତ ଜେନା, ମ୍ୟାଲେସିଆରୁ ରଙ୍ଗଧର ହରିଆ, ଦୀପ୍ତିରଞ୍ଜନ ନନ୍ଦ, ଡା. ସ୍ନିଗ୍ଧା ମିଶ୍ର, ସଞ୍ଜୟ ଦାଶ ଏବଂ ଥାଇଲ୍ୟାଣ୍ଡର ଏସ.ସି. ମହାପାତ୍ର ଓ ବିଶ୍ୱାସ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ।

ଏହା ବି ପଢ଼ନ୍ତୁ: କରୋନା ସମୟରେ ରାଜନୀତି: ପଶ୍ଚିମ ବଙ୍ଗ ରାଜ୍ୟପାଳଙ୍କ ଉପରେ ବର୍ଷିଲେ ମମତା ବାନାର୍ଜୀ
First published: May 10, 2020, 10:08 PM IST