ଅଦୃଶ୍ୟ ଶକ୍ତି! ଲକଡାଉନରେ ବିନା ଭକ୍ତରେ ବି ଶ୍ରୀମନ୍ଦିର ହୁଣ୍ଡିରୁ ବାହାରୁଛି ଦାନ ଅର୍ଥ
ଭକ୍ତଙ୍କ ପ୍ରବେଶ ଓ ଦର୍ଶନ ଉପରେ କଟକଣା ରହିଥିବା ସତ୍ତ୍ୱେ ଲକଡାଉନ ଆରମ୍ଭ ହେବା ଠାରୁ ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିର ହୁଣ୍ଡିକୁ ଆସୁଛି ଦାନ ଅର୍ଥ । ମାର୍ଚ୍ଚ ୨୪ରୁ ଆଜି ପର୍ଯ୍ୟନ୍ତ ହୁଣ୍ଡିରୁ ଆୟ ହୋଇଛି ୨୫,୧୧୦ ଟଙ୍କା ।

ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ରହିଛି କଟକଣା ।
- News18 Odia
- Last Updated: April 7, 2020, 11:16 PM IST
ପୁରୀ: କରୋନା ଭାଇରସର ପ୍ରସାର ରୋକିବା ପାଇଁ ଜାରୀ ଥିବା ଲକଡାଉନ ଯୋଗୁଁ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ରହିଛି କଟକଣା । ତେବେ ସବୁ ଠୁ ଆଶ୍ଚର୍ଯ୍ୟର କଥା ଯେ ଭକ୍ତଙ୍କ ପ୍ରବେଶ ଓ ଦର୍ଶନ ବନ୍ଦ ରହିଥିବା ବେଳେ ବି ଲକଡାଉନ ଆରମ୍ଭ ହେବା ଠାରୁ ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିର ହୁଣ୍ଡିକୁ ଆସୁଛି ଦାନ ଅର୍ଥ । ମାର୍ଚ୍ଚ ୨୪ରୁ ଆଜି ପର୍ଯ୍ୟନ୍ତ ହୁଣ୍ଡିରୁ ଆୟ ଆସିଛି ୨୫,୧୧୦ ଟଙ୍କା ।
ମହାପ୍ରଭୁଙ୍କର ପାଳିଆ ସେବାୟତମାନେ ସେବା କରୁଥିଲେ ବି ସେମାନେ ଭକ୍ତ ହିସାବରେ ଦେଉଛନ୍ତି ଦାନ ଅର୍ଥ । ତା’ ସହ ମନ୍ଦିର ନୀତି ସଠିକ ଭାବେ କରାଯାଉଥିଲେ ବି ଭକ୍ତଙ୍କ ଗହଳ ଚହଳ ନ ଥିବାରୁ ମହାପ୍ରଭୁଙ୍କ ମୁହଁ ମଳିନ ପଡିଯାଇଛି ଓ ସେବାୟତମାନେ ମହାପ୍ରଭୁଙ୍କ ଚକାଆଖିକୁ ଚାହିଁ କରୋନା ମୁକ୍ତି ପାଇଁ ଗଡ଼ାଉଛନ୍ତି ଲୁହ । ତେବେ ଲକଡାଉନ କଟକଣା ଥାଇ ବି ମହାପ୍ରଭୁଙ୍କ ବେଶ ପାଇଁ ଶ୍ରୀମନ୍ଦିରକୁ ପହଞ୍ଚିଯାଉଛି ଭଳିକି ଭଲି ସୁଗନ୍ଧିତ ପୁଷ୍ପ ଓ ତୁଳସୀ ।
‘‘ଭକ୍ତଙ୍କ ଭଗବାନ ହେଉଛନ୍ତି ମହାପ୍ରଭୁ । ଆଜି ଯଦି କହିବା ଠାକୁରଙ୍କୁ ନେଇ ମନ୍ଦିର , ମନ୍ଦିରକୁ ନେଇ ଭଗବାନ ଓ ଭକ୍ତଙ୍କୁ ନେଇ ସେବାୟତ । ମନ୍ଦିର ଆଜି ପର୍ଯ୍ୟନ୍ତ ମାର୍ଚ 18ରୁ ଦର୍ଶନ କଟକଣା ରହିଥିବା ବେଳେ କେବଳ ମହାପ୍ରଭୁଙ୍କ ମୁହଁଙ୍କୁ ଚାହିଁ ଆମେ ସେବା କରୁଛୁ । ରତ୍ନ ସିଂହାସନରେ ସେବା ସମୟରେ ନା ଅଛି ଭକ୍ତଙ୍କ କୋଳାହଳ କି ଭକ୍ତଙ୍କ କାଳିଆ ଡାକ । ଖାଁ ଖାଁ ଲାଗୁଛି ମନ୍ଦିର । ତେଣୁ ଆମେ ପୁଜାପଣ୍ଡା ସେବାୟତ ରତ୍ନ ବେଦୀରେ ପୁଜା ବେଳେ ଚକାଆଖିକୁ ଚାହିଁ କାନ୍ଦିକି କବିଥାଉ ମହାପ୍ରଭୁ କରୋନାରୁ ବିଶ୍ୱକୁ ମୁକ୍ତି କର । ଭାବବିହ୍ୱଳ ହୋଇ ମନ୍ଦିରରରୁ ବାହାରିବା ବେଳେ ଏଭଳି " କହିଛନ୍ତି ହରିହର ପୁଜାପଣ୍ଡା ସାମନ୍ତ ।

ପୁରୀ ଶ୍ରୀମନ୍ଦିରର ହୁଣ୍ଡି
"ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଲକ ଡାଉନରେ ଭକ୍ତ ଶୁନ୍ୟ ଶ୍ରୀମନ୍ଦିରରେ ହୁଣ୍ଡିରୁ ବାହାରୁଛି ଦାନ ଅର୍ଥ । କିଏ ପକାଉଛି , କିଏ ଦେଉଛି । ସେବାୟତ ବି ଜଣେ ଭକ୍ତ ହୋଇ ପକାଉଥିବ କି ଭକ୍ତ ଟିଏ ସେବାୟତ ଜରିଆରେ କିଏ ପକାଉଥିବା । ତାହା ସବୁ ମହାପ୍ରଭୁଙ୍କୁ ଜଣା । ସେପଟେ ଶ୍ରୀମନ୍ଦିରରେ ନାହିଁ କୋଳାହଳ । କେବଳ ଶୁନଶାନ । ଦୁଇ ଚାରିଟା ପାଳିଆ ସେବାୟତ । ପୁଜା କରିବା ପରେ ଆଳତୀ ସମୟରେ ଭକ୍ତଙ୍କୁ ଚାହିଁଲା ବେଳକୁ ଖାଁ ଖାଁ । କୋଳାହଳ ନ ଥିବାରୁ ମନରେ ଆନନ୍ଦ ଆସୁନି । ମହାପ୍ରଭୁଙ୍କ ଇଛା ମହାମାରୀଙ୍କୁ ବିନାଶ କରି ସଂସାରକୁ ବଂଚାଇବା "ବୋଲି କହିଛନ୍ତି ପୁଜାପଣ୍ଡା ନିଯୋଗର ସଭାପତି ଦୀନବଂନ୍ଦୁ ପୁଜାପଣ୍ଡା ସାମନ୍ତ ।
"ଶ୍ରୀମନ୍ଦିରରେ ସେବାପୁଜା ହେଉଛି ଅନନ୍ୟ । ବିଶ୍ୱରେ ଏଭଳି କୌଣସି ନୀତି ନାହିଁ । ଶ୍ରୀମନ୍ଦିରରେ ଆଜି ବି ଛପନ ପଉଠି ଭୋଗ ହେଉଛି । ମହାପ୍ରସାଦ କିଭଳି ପ୍ରସ୍ତୁତ ହେଉଛି କୁଆଡୁ ଆସୁଛି ରୋଷେଇ ସାମଗ୍ରୀ କିଭଳି ହେଉଛି । କାରଣ ଲକ ଡାଉନ ସମୟରେ କେହି ଘରୁ ବାହାରିବା ମନା ହୋଇଥିବା ବେଳେ ଏସବୁ ସେବାୟତମାନେ କିଭଳି କରୁଛନ୍ତି ତାହା ସବୁ ଚମତ୍କାର । ଆଜି ବି ଭକ୍ତଟିଏ ଆସିଲେ ମହାପ୍ରସାଦ ଟିକିଏ ପାଇପାରିବ । ତେଣୁ ସେବାୟତମାନେ ନୀତିକାନ୍ତି ସଠିକ ଭାବେ କରୁଛନ୍ତି । ଭକ୍ତ ନ ଥିବାରୁ ଶ୍ରୀମନ୍ଦିର ଖାଲି ଖାଲି ରହିଛି । ତେବେ ଶ୍ରୀରାମ ନବମୀ ଠାରୁ ମହାପ୍ରଭୁଙ୍କ ରାମଜନ୍ମ ନୀତି ଠାରୁ ରାମଲୀଳା ସବୁ ସମ୍ପାଦିତ ହେଉଛି । ଯେଉଁମାନେ ଦର୍ଶନ କରିପାରୁନାହାନ୍ତି ସେମାନେ ଚର୍ମଚକ୍ଷୁରେ ପତିତପାବନଙ୍କୁ ଦର୍ଶନ ଟିକିଏ କରି ଆଖିରୁ ଲୁହ ଗଡାଉଛନ୍ତି । ତେଣୁ ଫନି ଭଳି ମହାବାତ୍ୟାରେ ନୀତି ଅଟକି ନ ଥିବା ବେଳେ କରୋନା ମହାମାରୀର ମଧ୍ୟ କିଛି ପ୍ରଭାବ ପଡିବନି । ସେବାୟତମାନେ ଅନେକ କଷ୍ଟ ପାଇଲେ ବି ପ୍ରଭୁଙ୍କ ନୀତିକୁ କେବେ ଅବହେଳା କରିବେନି । କାରଣ ଶ୍ରୀମନ୍ଦିର ହେଉଛି ସେବାୟତଙ୍କର ଲାଇଫଲାଇନ " ବୋଲି କହିଛନ୍ତି ଛତିଶା ନିଯୋଗର ମୁଖପାତ୍ର ରଜତ ପ୍ରତିହାରୀ ।
"ସାରା ବିଶ୍ୱରେ ସେବାୟତଙ୍କ ପ୍ରତି ସମସ୍ତେ ବିମୁଖ । ସେମାନଙ୍କ ଧାରଣା ସେବାୟତମାନେ ହୁଣ୍ଡିରୁ ଟଙ୍କା ଖାଇଦେଇଥାନ୍ତି । ହେଲେ ସେବାୟତ ପ୍ରଥମେ ସେବକ ତା ପରେ ଭକ୍ତ । ମନ୍ଦିର ହୁଣ୍ଡିରୁ ବାହାରୁଥିବା ଆୟ ଦେଉଛି ସେବାୟତଙ୍କର ପକ୍ଷରୁ ଦିଆଯାଉଥିବା ଦାନ । ତେଣୁ ପ୍ରତିଦିନ ସେବାୟତମାନେ ହୁଣ୍ଡିରେ ଦାନ ଅର୍ଥ ପକାଉଛନ୍ତି । ଖାଲି ସେତିକ ନୁହେଁ ଅନେକ ଭକ୍ତ ବି ନିଜର ମାନସିକ ପୁରଣ ପାଇଁ ସେବାୟତଙ୍କ ଜରିଆରେ ଦେଉଛନ୍ତି ଦାନ । ପୁଣି କିଛି ସେବାୟତ ନିଜର ପ୍ରାପ୍ୟ ପାଉଣାରୁ କିଛି ଅଂଶ ମଧ୍ୟ ପ୍ରତିଦିନ ହୁଣ୍ଡିରେ ପକାଇଥାନ୍ତି । କାରଣ ପେଟପାଟଣାଟି ବଂଚିଛି ମହାପ୍ରଭୁଙ୍କ ଯୋଗୁଁ । କିଛି ଦେଇଦେଲେ ପୁଣି ମହାପ୍ରଭୁ ଦେବେ "ବୋଲି କହିଛନ୍ତି ଶୁଦ୍ଧ ସୁଆର ସେବାୟତ ଲୋକନାଥ ସୁଆର ।
"ଶ୍ରୀମନ୍ଦିର ମାର୍ଚ୍ଚ 22ରୁ ଲକ ଡାଉନ କରାଯାଇଥିବା ବେଳେ ସେହିଦିନ ଠାରୁ ଏଯାବତ ଦୈନିକ 3ହଜାରରୁ ଆରମ୍ଭ କରି 8ଶହ ପର୍ଯ୍ୟନ୍ତ ଟଙ୍କା ଲେଖାଏଁ ହୁଣ୍ଡିରୁ ବାହାରିଛି । ତେବେ ଏପ୍ରିଲ 14 ଯାଏଁ ଲକ ଡାଉନ ବଳବତ୍ତର ରହିଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ କଟକଣା ଠାରୁ ଆଜି ପର୍ଯ୍ୟନ୍ତ ହୁଣ୍ଡିରୁ ଆୟ ହୋଇଛି ମାତ୍ର 25 ହଜାର 110 ଟଙ୍କା । ଯେଉଁଠି ଦୈନିକ 2 ଲକ୍ଷରୁ ଅଧିକ ହୁଣ୍ଡି ଆୟ ମିଳୁଥିବା ବେଳେ ଭକ୍ତଙ୍କ ଆଗମନ ନ ଥିଲେ ସୁଦ୍ଧା ହୁଣ୍ଡି ଶୁନ୍ୟ ହୋଇନାହିଁ " ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ।
ଖାଲି ମହାପ୍ରଭୁଙ୍କ ନୀତିକାନ୍ତି ନୁହେଁ ଭକ୍ତଙ୍କ ଆଗମନ ନ ଥିଲେ ବି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗୁଛି ଦୈନିକ ବିଭିନ୍ନ ରକମର ସୁଗନ୍ଧିତ ପୁଷ୍ପ ଓ ତୁଳସୀ । ଶ୍ରୀଅଙ୍ଗରେ କର ପଲ୍ଲବ , ନାକଚଣା , ହୃଦୟ ପଲ୍ଲବ , ଚୁଳ ସହିତ ବେକରେ ଫୁଲର ହାର ମଧ୍ୟ ଶୋଭାପାଉଛି । କରୋନାକୁ ନେଇ ଲକ ଡାଉନର କଟକଣା ସତ୍ୱେ ମଧ୍ୟ ମହାପ୍ରଭୁଙ୍କର କୌଣସିଥିରେ ଟିକିଏ ଉଣା କରୁନାହନ୍ତି ସେବାୟତ । ଯଥା ସମ୍ଭବ ମହାପ୍ରଭୁଙ୍କୁ ସେବା ଯୋଗାଇ ଚାଲିଛନ୍ତି ।