ମହାବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ଼ ଅମ୍ଫାନ; ସରକାର ଲୋକଙ୍କୁ ଏହି ସବୁ ପରାମର୍ଶ ଦେଲେ

ଓଡ଼ିଶାର ୧୨ଟି ଜିଲ୍ଲାରେ କଚ୍ଚା ଘର, ଟାଇଲ ଘର ଓ ତଳିଆ ଅଞ୍ଚଳରେ ରହୁଥିବା ବ୍ୟକ୍ତି ଓ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ପାଞ୍ଚ କିଲୋମିଟର ପରିଧି ମଧ୍ୟରେ ଥିବା ଲୋକଙ୍କୁ ସ୍ଥାନାନ୍ତରଣ କରିବା ଆରମ୍ଭ ହୋଇଛି ।

ମହାବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ଼ ଅମ୍ଫାନ; ସରକାର ଲୋକଙ୍କୁ ଏହି ସବୁ ପରାମର୍ଶ ଦେଲେ
ଜଗତସିଂପୁରରେ ଓଡ୍ରାଫ୍ କର୍ମୀମାନେ ଉଦ୍ଧାର କାର୍ଯ୍ୟ ପାଇଁ ଉପକରଣ ସବୁ ପ୍ରସ୍ତୁତ ରଖୁଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମହାବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ ଅମ୍ଫାନ । ଏହା ଦ୍ୱାରା ଓଡ଼ିଶାର ୧୨ଟି ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା କରାଯାଉଥିବା ବେଳେ ଜଗତସିଂପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଉପରେ ସରକାର ବିଷେଷ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ଏହି ସବୁ ଜିଲ୍ଲାରେ ୧୯ ତାରିଖରୁ କ୍ରମଶଃ ବର୍ଷା ଓ ପବନର ବେଗ ବଢିବା ସହ ୨୦ ତାରିଖରେ ଉପକୂଳ ଅଞ୍ଚଳ ଯଥା ପାରାଦୀପ, ଧାମରା, ଭିତରକନିକା ଓ ଭୋଗରାଇରେ ୧୧୦ରୁ ୧୨୦ କିମି ପ୍ରତି ଘଣ୍ଟା ବେଗରେ ପବନ ବହିବା ଆଶଙ୍କା କରାଯାଉଛି ।

ସ୍ଥଳ ଭାଗ ଛୁଇଁବା ବେଳକୁ ଅମ୍ଫାନ ଦୁର୍ବଳ ହୋଇ ସାମୁଦ୍ରିକ ଝଡର ରୂପ ନେଇସାରିଥିବ । ବର୍ତ୍ତମାନର ମଡେଲ ଅନୁସାରେ ଏହା ପଶ୍ଚିମ ବଙ୍ଗ ଦୀଘା ଓ ବାଙ୍ଗଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶାର ଏହି ୧୨ଟି ଜିଲ୍ଲାରେ କଚ୍ଚା ଘର, ଟାଇଲ ଘର ଓ ତଳିଆ ଅଞ୍ଚଳରେ ରହୁଥିବା ବ୍ୟକ୍ତି, ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ପାଞ୍ଚ କିଲୋମିଟର ପରିଧି ମଧ୍ୟରେ ଥିବା ଲୋକଙ୍କୁ ସ୍ଥାନାନ୍ତରଣ କରିବା ଆରମ୍ଭ ହୋଇଛି । ଆସନ୍ତା କାଲି ଠୁ ଏହାକୁ ବ୍ୟାପକ କରାଯିବ । ଶୁଖିଲା ଖାଦ୍ୟ ସହ ଆବଶ୍ୟକୀୟ ବ୍ୟବସ୍ଥା କରି ଜିଲ୍ଲା ପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି ।

ବାଲେଶ୍ୱରରେ ଡିଜିପି ଅଭୟ ଓଡ୍ରାଫ କର୍ମୀଙ୍କ ସହିତ କଥା ହେଉଛନ୍ତି ।


୨୭ଟି ଓଡ୍ରାଫ ଓ ଏନଡିଆରଏଫ ଟିମ ପ୍ରଭାବିତ ଆଶଙ୍କା ଥିବା ଚାରିଟି ଜିଲ୍ଲାର ବିଭିନ୍ନ ସ୍ଥାନକୁ ପଠା ଯାଇସାରିଛି । ତେବେ ଏହି ସମୟ ମଧ୍ୟରେ ସରକାରଙ୍କ ପକ୍ଷରୁ ଲୋକଙ୍କୁ କେତେକ ପରାମର୍ଶ ଦିଆଯାଇଛି:

- ଯେଉଁମାନେ କଚ୍ଚା ଘର, ତଳିଆ ଅଞ୍ଚଳ ଓ ଟାଇଲ ଘରେ ରହୁଛନ୍ତି ନିକଟସ୍ଥ ବାତ୍ୟା ଆଶ୍ରୟ ସ୍ଥଳୀକୁ ଯାଆନ୍ତୁ, ସ୍ଥାନନ୍ତରଣ ବେଳେ ପ୍ରଶାସନକୁ ସହଯୋଗ କରନ୍ତୁ ।

- ଯିବା ସମୟରେ ନିଜର ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ, କାଗଜପତ୍ର, କିଛି ଲୁଗାପଟା, ଟର୍ଚ୍ଚ ଲାଇଟ ଓ ରେଡ଼ିଓ ସାଙ୍ଗରେ ନିଅନ୍ତୁ।

- ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ ପାଇଁ ବ୍ୟବସ୍ଥା କରାଯାଉଛି । କୌଣସି କାରଣ ବସତଃ ବିଳମ୍ବ ହେଲେ ଗଣ୍ଡଗୋଳ କରନ୍ତୁ ନାହିଁ ।

- ଆଶ୍ରୟ ସ୍ଥଳରେ ନିଜ ନିଜ ମଧ୍ୟରେ ସମନ୍ୱୟ ରଖିବା ସହ ଛୋଟ ପିଲା, ବୟସ୍କ, ଦିବ୍ୟାଙ୍ଗଙ୍କ ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ ।

- ବାତ୍ୟା ସମୟରେ କୌଣସି ପରିସ୍ଥିତିରେ ବି କେହି ଘରକୁ ବହାରନ୍ତୁ ନାହିଁ ।

- ବାତ୍ୟା ସମୟରେ ସାଇଲେଲ ବା କୌଣସି ଗାଡ଼ିରେ ଯାତାୟାତ କରନ୍ତୁ ନାହିଁ ।

- ଆସନ୍ନ ପ୍ରସବା ମହିଳାମାନେ ଏବେଠୁ ମେଡିକାଲ ସ୍ଥାନାନ୍ତର ହେବା ଭଲ ।

- କୋଭିଡ ସହିତ ବାତ୍ୟା ମୁକାବିଲା କରାଯାଉଥିବାରୁ ସଫା ସୁତୁରା ରଖନ୍ତୁ, ସମସ୍ତେ ମାସ୍କ କିମ୍ବା ଅନ୍ୟ ଉପାୟରେ ମୁହଁକୁ ଢାଙ୍କନ୍ତୁ

- ଯଥା ସମ୍ଭବ ସାମାଜିକ ଦୂରତା ଅବଲମ୍ବନ କରିବା ସହ ସାବୁନ ଓ ଲିକୁଇଡ଼ରେ ହାତ ଧୁଅନ୍ତୁ ।

‘‘ପରିସ୍ଥିତିକୁ ଦେଖି ପ୍ରସ୍ତୁତି କରାଯାଇଛି । କୋଭିଡ ସହ ସମ୍ଭାବ୍ୟ ବାତ୍ୟା ପାଇଁ ସରକାର ପ୍ରସ୍ତୁତି କରିଛନ୍ତି । ପ୍ରାୟ ୨୦୦ ବାତ୍ୟା ଆଶ୍ରୟ ସ୍ଥଳୀ କୋଭିଡ ପାଇଁ ଅସ୍ଥାୟୀ କ୍ୟାମ୍ପ ଭାବେ ବ୍ୟବହାର କରାଯାଉଥିବାରୁ ଅବଶିଷ୍ଟ ୬୦୦ ବାତ୍ୟା ଆଶ୍ରୟ ସ୍ଥଳ ଓ ପ୍ରାୟ ୭,୦୦୦ ଘର ବାତ୍ୟା ଆଶ୍ରୟ ସ୍ଥଳ ପାଇଁ ଚିହ୍ନଟ କରାଯାଇଛି । ପରବର୍ତ୍ତୀ ପରିସ୍ଥିତିର ଯୁଦ୍ଧକାଳୀନ ଭିତ୍ତିରା ମୁକାବିଲା ପାଇଁ PWD, RD, ଜଳସମ୍ପଦ ବିଭାଗ ଇଞ୍ଜିନିୟର ପ୍ରତି ଜିଲ୍ଲାରେ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି,’’ କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ସମୀକ୍ଷା ପରେ ସେ କହିଛନ୍ତି: ‘‘୧୧ଲକ୍ଷରୁ ୧୨ ଲକ୍ଷ ଲୋକଙ୍କୁ ସ୍ଥାନନ୍ତରଣ ପାଇଁ ବ୍ୟବସ୍ଥା କରାଯାଇଛି । ପିଇବା ପାଣି ପ୍ରକଳ୍ପରେ ଜେନରେଟର ବ୍ୟବସ୍ଥା ସହ ଆବାଶ୍ୟକ ସ୍ଥଳେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ । ବାତ୍ୟା ଆଶ୍ରୟ ସ୍ଥଳୀରେ ବି ଜେନରେଟର ପ୍ରସ୍ତୁତ ରଖାଯାଇଛି।’’

କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଚାଷୀ ମାନଙ୍କ  ପରାମର୍ଶ ଦିଆଯାଇଛି।ପୂର୍ବରୁ ଏ ନେଇ ଆଡ଼ଭାଇଜରୀ ଜାରି କରାଯାଇଥିବା କହିଛନ୍ତି କୃଷି ମନ୍ତ୍ରୀ। କୋଭିଡ ସାଙ୍ଗକୁ ବାତ୍ୟା ଭୟ।ଦୁଇ ଦୁଇଟି ବିପର୍ଯ୍ୟୟକୁ ଏକା ସାଙ୍ଗରେ ମୁକାବିଲା କରିବାକୁ ସରକାର ପ୍ରସ୍ତୁତି ଚଳାଇଥିବା ବେଳେ ଆତଙ୍କିତ ନ ହୋଇ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ସରକାର ।

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ

ଏହା ବି ପଢ଼ନ୍ତୁ: ବୁଲା କୁକୁର ସହ ଯୌନ ସମ୍ପର୍କ! ଭୁବନେଶ୍ୱରରେ ସିକ୍ୟୁରିଟି ଗାର୍ଡ଼କୁ ପୋଲିସ ଅଟକ ରଖିଲା

ଏହା ବି ପଢ଼ନ୍ତୁ: ମେ ୩୧ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍; ଏହି ସବୁ କାମ କରିବାକୁ ଅନୁମତି ଅଛି

ଏହା ବି ପଢ଼ନ୍ତୁ: ଏମିତି ବି ହୋଇପାରେ: କରୋନା ବିଶ୍ୱକୁ କେବେ ବି ଛାଡ଼ି ଯାଇ ନ ପାରେ, କହିଲେ WHO ଅଧିକାରୀ

ଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳି
First published: May 18, 2020, 10:38 PM IST
corona virus btn
corona virus btn
Loading